ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ହାତଗଣତିରେ ଅତି କମ୍ ସଂଖ୍ୟକ ବିଦ୍ୟାଳୟ ଥିଲା। ସେତେବେଳେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୧୩୧ଟି ଥିଲା ଓ ଉ.ପ୍ରା. ବିଦ୍ୟାଳୟ ଓ ନିମ୍ନ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବହୁତ କମ୍ ଥିଲା। ସେହି ସମୟରୁ ଜନସଂଖ୍ୟା ବୃଦ୍ଧିହେବା ଫଳରେ ପଞ୍ଚାୟତ ଗୁଡ଼ିକର ପୁର୍ନଗଠନ ହେଲା ଓ ଅନେକ ବିଦ୍ୟାଳୟ ନୂତନ ଭାବରେ ଖୋଲିଥିଲା।
୧୯୬୯ ଶିକ୍ଷା ଆଇନ୍ ଅନୁସାରେ ଶିକ୍ଷକ ମାନଙ୍କର ଦରମା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯାଉନଥିଲା। ଅର୍ଥାତ୍ ମ୍ୟାନେଜମେଣ୍ଟ ଅଧୀନରେ ଥିଲା। ୧୯୭୪ ମସିହାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ସମୟରେ ଶିକ୍ଷକମାନେ ସିଧାସଳଖ ଦରମା ପାଇଲେ।
୧୯୯୪ ମସିହାରେ ସ୍ୱର୍ଗତଃ ବିଜୁବାବୁଙ୍କ ସମୟରେ ଓଡ଼ିଶାରେ ଥିବା ୧୩ ଗୋଟି ଜିଲ୍ଲା ବୃଦ୍ଧି ହୋଇ ୨୭ ରେ ପହଞ୍ଚିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବୃଦ୍ଧିପାଇ ୩୦ ରେ ପହଞ୍ଚିଥିଲା। ସେହି ସମୟରେ ଛଅ ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତରେ ଗୋଟିଏ, ଛଅ ହଜାରରୁ ଦଶ ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତରେ ଦୁଇଟି ଓ ଦଶ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତରେ ତିନୋଟି ମାଧ୍ୟମିକ ବିଦ୍ୟାଳୟ ଖୋଲିବାର ନିୟମ ଥିଲା। ଯଦିଓ ସରକାର ସେତେବେଳେ ଚିନ୍ତା କରିଥିଲେ ପ୍ରତି ପଞ୍ଚାୟତରେ ଗୋଟିଏ ବିଦ୍ୟାଳୟକୁ ସରକାରୀକରଣ କରିବେ ବୋଲି ବାସ୍ତବରେ ତାହା କରିପାରି ନଥିଲେ।
ତା୦୭.୦୬.୧୯୯୪ରିଖରେ ୩୦୧୨ ମାଧ୍ୟମିକ ବିଦ୍ୟାଳୟର ସରକାରୀକରଣ, ୬୧୦ ଉଚ୍ଚ ବିଦ୍ୟାଳୟ ଓ ୬୯୨ ଏମ୍.ଇ. ସ୍କୁଲକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯାଇଥିଲା। ସେତେବେଳେ ୭୩ଟି ମାଦ୍ରାଶା, ୧୩୧ଟି ସଂସ୍କୃତ ଟୋଲ୍ ରହିଥିଲା।
୧୯୯୪ ମସିହା ପରଠାରୁ ବାଦ୍ ପଡ଼ିଥିବା ଅନୁଦାନଯୋଗ୍ୟ ବିଦ୍ୟାଳୟ ଗୁଡ଼ିକ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଅନୁଦାନ ଯୋଗ୍ୟ ହୋଇଥିଲେ ମଧ୍ୟ ଅନୁଦାନ ପରିସର ଭୁକ୍ତ ହୋଇପାରି ନଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ତା୧.୧.୨୦୦୪ରିଖରେ ତତ୍କାଳୀନ ସରକାର ବ୍ଲକ୍ଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ କରିଥିଲେ। ତା୨୦.୦୨.୨୦୦୪ରିଖରେ ୧୩୦୫ଟି ବିଦ୍ୟାଳୟର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୯୮୪-୮୫ ମସିହାରୁ ଖୋଲିଥିବା ଏହି ବିଦ୍ୟାଳୟଗୁଡ଼ିକ ୧୯୯୦-୯୧ ମସିହାରେ ନିଜ ଅଧୀନରେ ପରୀକ୍ଷା ଦେଇ ୧୯୯୪ ମସିହା ସୁଦ୍ଧା ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ୧୯୯୪ ନିୟମକୁ ବାତିଲ୍ କରି ୨୦୦୪ ନିୟମକୁ ସେମାନଙ୍କ ପାଇଁ ଲାଗୁ କରାଯାଇଥିଲା। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଜଣେ ଶିକ୍ଷକ ୧୫୪୭ ଟଙ୍କା ଦରମା ପାଉଥିଲେ ଓ ଜଣେ ପିଅନ ୭୪୫ ଟଙ୍କା ଦରମା ପାଉଥିଲେ।
ସେହି ଦିନଠାରୁ ଜୀବନ ସାରା ସଂଘର୍ଷ କରି ଓ ଜୀବନକୁ ବାଜି ଲଗାଇ ସାରାଜୀବନ ନିଜେ ଜଳି ଜଳି ଚାକିରିର ସ୍ୱାଦତ ପାଇଲେ ନାହିଁ, ବରଂ ପେନସନ୍ ଓ ଅବସରକାଳୀନ ସୁବିଧା ମଧ୍ୟ ନପାଇ ଶୂନ୍ୟ ହସ୍ତରେ ଅବସର ନେଲେ ଓ ମୃତ୍ୟୁବରଣ କଲେ। ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଏହି କି ଯେ ୨୪ ବର୍ଷ ପରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ପ୍ରାୟ ପାଖାପାଖି ଏକବର୍ଷରେ ପଦାର୍ପଣ କରିଥିବା ଜନପ୍ରିୟ ଡବଲ ଇଞ୍ଜିନ୍ର ସରକାରଙ୍କ ପ୍ରତି ସମସ୍ତଙ୍କ ମନରେ ଯେଉଁ ଆଶା ଓ ବିଶ୍ୱାସ ଜନ୍ମ ନେଇଥିଲା ତାହା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ବିରୋଧୀ ଦଳର ନେତା ମୋହନ ଚରଣ ମାଝୀ ଓ ତାଙ୍କ ସହିତ ଅନେକ ବିଧାୟକ ବିଗତ ସରକାରଙ୍କ ସମୟରେ ଶିକ୍ଷକମାନଙ୍କ ଆନ୍ଦୋଳନ ସ୍ଥଳକୁ ଆସି ପ୍ରତିଶ୍ରୁତି ରଖିଥିଲେ ଯେ ଆମ ସରକାର ଆସିଲେ ତୁମକୁ ଅନୁଦାନ ପରିସରଭୁକ୍ତ କରିବୁ, ପେନସନ୍ ଓ ଅବସର କାଳୀନ ସୁବିଧା ଯୋଗାଇ ଦେବୁ। ସରକାର ଆସିବାର ପ୍ରାୟ ଏକ ବର୍ଷ ବିତିଛି ଏବଂ ବାରମ୍ବାର ସରକାର ଶିକ୍ଷକ ନେତୃତ୍ୱଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେଉଛନ୍ତି। ସେହିପରି ୧୯୪ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ ନକଲେ ବିଦ୍ୟାଳୟ ଗୁଡ଼ିକ ଭାଙ୍ଗିଯିବ। ଏଥିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେବେ। ସେହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନେ ୩୦ ବର୍ଷ ଧରି କୌଣସି ଅନୁଦାନ ପାଉ ନାହାଁନ୍ତି କି ଛାତ୍ରଛାତ୍ରୀମାନେ କୌଣସି ସରକାରୀ ସୁବିଧା ସୁଯୋଗ ମଧ୍ୟ ପାଉ ନାହାଁନ୍ତି।
ସରକାର ଯେଉଁ ଅର୍ଥର ଆଳ ଦେଖାଉଛନ୍ତି ବାସ୍ତବିକ୍ ତାହା ସତ୍ୟ ନୁହେଁ। କାରଣ ୧୯୪ଟି ବିଦ୍ୟାଳୟ, ୪୧ଟି ସଂସ୍କୃତ ଟୋଲ୍ ଏବଂ ୨୮ଟି ଏମ୍.ଇ. ସ୍କୁଲ୍କୁ ଯଦି ଅନୁଦାନ ପରିସରଭୁକ୍ତ କରାଯାଏ ତେବେ ବାର୍ଷିକ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୬୦୮ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ୯୪୦ଟି ଏମ୍.ଇ. ସ୍କୁଲ, ୩୯ଟି ସଂସ୍କୃତ ଟୋଲ୍, ୧୩୧ଟି ମାଦ୍ରାଶାରୁ ଅବସର ନେଇଥିବା ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ୧୯୮୧ ପେନସନ୍ ରୁଲ୍ ଅନୁଯାୟୀ ଉଚ୍ଚ ଅଦାଲତଙ୍କର ତା୧୨.୦୧.୨୦୨୪ରିଖ ଜଜମେଣ୍ଟକୁ କାର୍ଯ୍ୟକାରି କରାଯାଏ ତେବେ ପାଖାପାଖି ୧୫୦ କୋଟି ଟଙ୍କା ଏବଂ ଯଦି ବିଦ୍ୟାଳୟଗୁଡ଼ିକର ସରକାରୀକରଣ କରିଦିଆଯାଏ ତେବେ ସରକାରଙ୍କ ଉପରେ ମୋଟାମୋଟି ୨୫୦ ରୁ ୩୦୦ କୋଟିର ଆର୍ଥିକ ବୋଝ ପଡ଼ି । ଏହି ବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟଥିବା ପଦବୀ ଗୁଡ଼ିକରେ ନିଯୁକ୍ତି ହୋଇ ପାରିବ ଓ ଏକ ସ୍ଥାୟୀ ସମାଧାନ ହୋଇ ପାରିବ।
ଏହି ଅର୍ଥରାଶିକୁ ସରକାର ଭରଣା କରିବା ପାଇଁ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡ଼ିକର ମିଶ୍ରଣ ଏବଂ ଶିକ୍ଷକ କର୍ମଚାରୀମାନଙ୍କୁ ଆନୁପାତିକ ଭାବରେ ବଦଳି କରାଯାଇ ସମାଧାନ କରାଯାଇ ପାରିବ। ରାଜ୍ୟର ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଅନ୍ୟ କେଉଁଠାରେ ଶିକ୍ଷକ ଅଛନ୍ତି ମାତ୍ର ଛାତ୍ରଛାତ୍ରୀ ଉଚିତ ସଂଖ୍ୟାରେ ନାହାଁନ୍ତି। ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ କମ୍ ରହିଛନ୍ତି ସେଠାରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ଯେଉଁଠାରେ ବଳକା ଶିକ୍ଷକ ରହିଛନ୍ତି ସେଠାରୁ ଶିକ୍ଷକମାନଙ୍କୁ ଅପସାରଣ କରାଯାଇ ଆବଶ୍ୟକ ସ୍ଥାନରେ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଶିକ୍ଷକ ଅଭାବ ପୂରଣ କରାଯାଇ ପାରନ୍ତା ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।