Categories
ଆଜିର ଖବର ଜାତୀୟ ଖବର

ନାଗରିକତା ଆଇନର ଧାରା-୬ (ଏ) ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଫାଇଦା ଦେବ?

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା-୬ (ଏ)ର ଫାଇଦା ପାଇଥିବା ଲୋକଙ୍କ ତଥ୍ୟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି। ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଖରେ ଏହା ଦର୍ଶାଇବା ପାଇଁ କେଉଁ ସାମଗ୍ରୀ ଅଛି ଯେ ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକଙ୍କୁ ନାଗରିକତା ଦିଆଯାଇଛି ତାହା ଆସାମର ଜନସଂଖ୍ୟା ଏବଂ ସାଂସ୍କୃତିକ ପରିଚୟକୁ ପ୍ରଭାବିତ କରିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନାଗରିକତା ଆଇନର ଧାରା-୬(ଏ)କୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଆରମ୍ଭ କରିଛନ୍ତି।

ଆସାମରେ ବେଆଇନ ଅନୁପ୍ରବେଶକାରୀଙ୍କ ସମ୍ପର୍କିତ ନାଗରିକତା ଆଇନର ଧାରା-୬ (ଏ)କୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ମଙ୍ଗଳବାରଠାରୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏହି ବ୍ୟବସ୍ଥା ମନମୁଖୀ ବୋଲି କୁହାଯାଇଛି। ସୀମା ପାରରୁ ଅନୁପ୍ରବେଶ ସମସ୍ୟାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୧୯୭୧ର ଭାରତ-ପାକ୍ ଯୁଦ୍ଧ ଯୋଗୁଁ ବାଂଲାଦେଶୀମାନେ ଦେଶର ସୀମାରେ ପ୍ରବେଶ କରିଥିଲେ ଏବଂ ଅଦାଲତ ଏ ସଂକ୍ରାନ୍ତ ମାନବୀୟ ଦିଗକୁ ଉଲ୍ଲେଖ କରିଥିଲେ। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଯୁକ୍ତି ଉପସ୍ଥାପନ ଆରମ୍ଭ କରିଥିଲେ। ନାଗରିକତା ଆଇନର ଧାରା-୬(ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରାଯାଇଛି।

ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଖଣ୍ଡପୀଠଙ୍କୁ କହିଥିଲେ ଯେ ଶରଣାର୍ଥୀଙ୍କ ଆଗମନ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଆଦିବାସୀଙ୍କ ସାମାଜିକ-ସାଂସ୍କୃତିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ଅଧିକାର ପ୍ରଭାବିତ ହେଉଛି। କିନ୍ତୁ ଆପଣଙ୍କ ଯୁକ୍ତିକୁ ପରୀକ୍ଷଣ କରିବା ପାଇଁ ୧୯୬୬-୭୧ ମଧ୍ୟରେ ଆସିଥିବା ନାଗରିକମାନଙ୍କୁ କିଛି ସୁବିଧା ଦେବାର ପ୍ରଭାବ ଏତେ ଗମ୍ଭୀର ଥିଲା ଯେ ସେହି ପାଞ୍ଚ ବର୍ଷରେ ରାଜ୍ୟର ଜନସଂଖ୍ୟା ଓ ସାଂସ୍କୃତିକ ପରିଚୟ ପ୍ରଭାବିତ ହୋଇଥିଲା ବୋଲି ଦର୍ଶାଇବା ପାଇଁ ଆମ ପାଖରେ କୌଣସି ତଥ୍ୟ ନାହିଁ।

ଅଦାଲତ କହିଛନ୍ତି, ହଁ, ଧାରା-୬ (ଏ)ର ପ୍ରଭାବ ଏପରି ଥିଲା କି ନାହିଁ ଦେଖିବାକୁ ହେବ ଯେ ୧୯୬୬ରୁ ୧୯୭୧ ମଧ୍ୟରେ ରାଜ୍ୟର ଜନସଂଖ୍ୟାରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଥିଲା। ଯାହା ଫଳରେ ଆସାମର ସାଂସ୍କୃତିକ ପରିଚୟ ପ୍ରଭାବିତ ହୋଇଥିଲା। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ୧୯୬୬ରୁ ଜୁଲାଇ ୧୬, ୨୦୧୩ ପର୍ଯ୍ୟନ୍ତ ଏହି ଆଇନର ହିତାଧିକାରୀଙ୍କ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି। ମେହେଟ୍ଟା ଏହାକୁ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସଲିସିଟର ଜେନେରାଲ ପୂର୍ବରୁ ରାଜ୍ୟସଭାରେ ଜଣେ ସାଂସଦଙ୍କଦ୍ୱାରା ଉପସ୍ଥାପିତ ତଥ୍ୟକୁ ଉଲ୍ଲେଖ କରି କହିଥିଲେ ଯେ ୧୯୬୬ରୁ ୧୯୭୧ ମଧ୍ୟରେ ୫.୪୫ ଲକ୍ଷ ବେଆଇନ ପ୍ରବାସୀ ଆସାମକୁ ଆସିଥିଲେ। ୧୯୫୧ରୁ ୧୯୬୬ ମଧ୍ୟରେ ଏହି ସଂଖ୍ୟା ୧୫ ଲକ୍ଷ ଥିଲା। ଏହି ବ୍ୟବସ୍ଥାକୁ ବିରୋଧ କରିଥିବା ଆସାମର କେତେକ ଆବେଦନକାରୀଙ୍କ ପକ୍ଷରୁ ଦିବାନ କହିଛନ୍ତି ଯେ ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁଛି। ନାଗରିକତା ଆଇନର ଧାରା-୬(ଏ)କୁ ଆବେଦନକାରୀମାନେ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଏହା ଆସାମର ଆଦିବାସୀମାନଙ୍କୁ ନିଜ ମାତୃଭୂମିରେ ଭୂମିହୀନ ଏବଂ ବିଦେଶୀ ହେବାକୁ ବାଧ୍ୟ କରିଛି। ୨୦୦୯ମସିହାରେ ଏନଜିଓ ଆସାମ ପବ୍ଲିକ ୱାର୍କସ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ ସମେତ ଅନ୍ୟୂନ ୧୭ଟି ପିଟିସନ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍ପାତ: ୩୩ ଜଣ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନଙ୍କର ଆଡ୍ଡା ଜମିବାରେ ଲାଗିଛି। ଘଂଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତି। ଏ ସଂପର୍କରେ ବନ ବିଭାଗ ମଧ୍ୟ ଜାଣି ପାରୁ ନ ଥିବା ଅଭିଯୋଗ ହେଉଛି। ଏବେ ଏହି ଅନୁପ୍ରବେଶ କାରୀମାନଙ୍କ ପାଇଁ ରେଢାଖୋଲ ବନଖଣ୍ଡର ଗାଁ ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେ ପଟେ ତହସିଲ୍ ବିଭାଗ ମୋଟା ଅଙ୍କର ଫାଇଦା ପାଇ ଅନୁପ୍ରବେଶ କାରୀମାନଙ୍କୁ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏ ପଟେ ବନବିଭାଗ ଅନୁପ୍ରବେଶ କାରୀମାନଙ୍କୁ ଧରିବାରେ ସଫଳ ହେଉଛି।

ରେଢାଖୋଲ ବନଖଣ୍ଡ ବଡବାହାଳ ରେଞଅଧିନସ୍ଥ ଟାଲ ଜଙ୍ଗଲରେ ବହୁ ଅନୁପ୍ରବେଶ କାରୀ ଆସି ଜଙ୍ଗଲକୁ ପଦା କରି ବସତି ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ବହୁମାରଣାସ୍ତ୍ର ଜବତ କରିବା ସହ ୩୩ ଜଣଙ୍କୁ ଅଟକ ରଖିଥିବା ବନବିଭାଗ ପ୍ରକାଶ କରିଛି।

କିଛିଦିନ ହେଲା ଟାଲ ଗ୍ରାମ ସଂରକ୍ଷିତ ଜଙ୍ଗଲର ଗଡାଖୋଲ ନିକଟରେ ଝାଡଖଣ୍ଡି ଅନୁପ୍ରବେଶ କାରୀମାନେ ଆସି ବସତି ସ୍ଥାପନ କରିବାକୁ ଜଙ୍ଗଲ ସଫା କରୁଥିଲେ। ରେଢାଖୋଲ ଡିଏଫ୍‌ଓ ରମାକାନ୍ତ ନାଏକ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏସିଏଫ୍ , ରେଞଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ। ବନବିଭାଗର ଏକ ଟିମ୍ ଏହି ଟାଲ ସଂରକ୍ଷିତ ଜଙ୍ଗଲ ଗଡାଖୋଲ ନିକଟକୁ ଯାଇ ଚଢଉ କରିଥିଲେ।

ଏହି ଚଢଉ ସମୟରେ ୩୩ ଜଣ ଅନୁପ୍ରବେଶ କାରୀକୁ ଧରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ବହୁଜଣ ଫେରାର୍ ହେବାରେ ସକ୍ଷମ ହୋଇଥିଲେ। ଯାହା ଅନୁମାନ କରାଯାଉଛି ପାଖାପାଖୀ ୨୦ ଜଣ ଅନୁପ୍ରବେଶକାରୀ ଦଲାଲଙ୍କ ସହ ଫେରାର୍ହୋ ଇଯାଇଥିଲେ। ବନବିଭାଗ ମଧ୍ୟ ସଜାଗ ହୋଇ ଏହି ଅପରେସନରେ ସାମିଲ୍ ହୋଇଥିଲା। କାହିଁକି ନା ଅନୁପ୍ରବେଶ କାରୀମାନଙ୍କ ହାତରେ ଟାଙ୍ଗିଆ , ବର୍ଚ୍ଛା , ଧନୁତୀର ସହ ବହୁ ମାରଣାସ୍ତ୍ର ରହିଥିଲା। ସେମାନେ ସେହି ଜଙ୍ଗଲରେ ତମ୍ବୁ ପକାଇ ବହୁଦିନ ହେଲା ଗଛ କାଟିବାରେ ଲାଗି ପଡିଥିବା ବେଳେ ବନ ବିଭାଗ ବହୁ ବିଳମ୍ବରେ ଜାଣିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ମୂଲ୍ୟବାନ ଗଛ ଗୁଡିକ କାଟି ପଦା କରିଥିବା ଅନୁପ୍ରବେଶ କାରୀଙ୍କ ବିରୁଦ୍ଧରେ ବନବିଭାଗ କି ପଦେକ୍ଷପ ନେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନୁପ୍ରବେଶ କାରୀମାନଙ୍କୁ ରେଞ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରୁଛି ବନବିଭାଗ। ଏହି ଚଢଉରେ ବଡବାହାଳ ରେଞ ଅଧିକାରୀ ପ୍ରଜ୍ଞା ପରିମିତା ଦୀପ୍, ରେଢାଖୋଲ ରେଞ ଅଧିକାରୀ ମୈତ୍ରୀ ମଞିତ ବିଶ୍ୱାଳ, ନାକଟିଦେଉଳ ରେଞ ଅଧିକାରୀ ଅଶ୍ୱିନୀ ବେହେରା, ଚାରମାଳ ରେଞ ଅଧିକାରୀ ଦର୍ଶନିଆ ଭୋଇ, ବଡମାଳ ରେଞ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।

ସୂଚନା ଯୋଗ୍ୟ ଯେ , କିଛିମାସ ତଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ପ୍ରଶାସନ ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇ ହଟାଇଥିଲା। ସେହି ସମୟରେ ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରି ଘର କରି ରହୁଥିଲେ। ସେମାନଙ୍କୁ ହଟାଇବା ଦାବିରେ ଗତ ୧୮ ଜାନୁଆରୀରେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ।

ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ପ୍ରତିଶୃତି ଦେଇଥିଲେ। ରେଢାଖୋଲ ଓ ନାକଟିଦେଉଳ ବନାଂଚଳ ରେ ଶହ ଶହ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲକୁ ଅନୁପ୍ରବେଶ କାରୀଙ୍କ ଚରାଭୂଇଁ ପାଲଟିଛି। ଏମାନଙ୍କୁ ହଟାଇବା ଦିଗରେ ପ୍ରଶାସନ ଉଦ୍ୟମ କରିବାର ଆବଶ୍ୟକତା ରହିଛି ନ ହେଲେ ଏ ଅଂଚଳ ଦିନେନା ଦିନେ ତାଲିବାନି ମାନେ ଯେମିତି ଶାସନ କରୁଛନ୍ତି ସେମିତି ହେବ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୫୦ ଘର ଭାଙ୍ଗି ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀଙ୍କୁ ହଟାଇଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଛି ପ୍ରଶାସନ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରିବା ସହ ଘର କରି ରହୁଥିବାର ପ୍ରଶାସନ ଠାରେ କିସିଣ୍ଡା ଆଂଚଳିକ ବନସୁରକ୍ଷା ସମିତି ପୂର୍ବରୁ ବହୁବାର ଅଭିଯୋଗ କରିଆସୁଥିଲା।

ଗତ ୧୮ ଜାନୁଆରୀରେ ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ ମଧ୍ୟରେ ଖୋଳାଯିବ, ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇବା ପରେ ବନ ସୁରକ୍ଷା ସମିତିର ସଭ୍ୟମାନେ ଧାରଣାରୁ ଓହରି ଯାଇଥିଲେ।

ସୁଚନା ଯୋଗ୍ୟ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନେ ଆସି ବସବାସ କରୁଛନ୍ତି। ଅନୁପ୍ରବେଶକାରୀମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଆସୁଥିଲା। ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଥିଲା। ଏପରିକି ତାହାର କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଥିଲା।

ଗତ ୧୦ ଜାନୁଆରୀରେ କିସିଣ୍ଡା ଠାରେ ମଧ୍ୟ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ମାନେ ଦାବୀ କରିଥିଲେ। ଗତ ତା ୧୬ /୧ ରେ ମଧ୍ୟ ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ, ରେଢାଖୋଲ ଥାନାଧିକାରୀ ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲା। ଆଗାମୀ ଦିନରେ ଲଣ୍ଡାକୋର୍ଟ ଜଙ୍ଗଲରେ ବାସ କରୁଥିବା ଆହୁରି ୫୦ ଘର ଅନୁପ୍ରବେଶ କାରୀମାନଙ୍କୁ ହଟାଯିବ ବୋଲି ମଧ୍ୟ ପୋଲିସ୍ କହିଛି। ଅଂଚଳରେ ଅନୁପ୍ରବେଶକାରୀମାନଙ୍କୁ ପ୍ରଶାସନ ହଟାଇଥିବାରୁ ଅଂଚଳବାସୀ ମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

ଆଜିର ଏହି ଅନୁପ୍ରବେଶକାରୀ ହଟାଓ ଅଭିଯାନରେ ସମ୍ବଲପୁର ଅତିରିକ୍ତ ଏସପି ଅମରେଶ ପଣ୍ଡା, ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁ, କିସିଣ୍ଡା ଥାନାଧିକାରୀ ଚିତରଂଜନ ନାଏକ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ କୁମାର ନାଏକ, ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ଯୁଯୋମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ ପ୍ରମୁଖ ପଦାଧିକାରୀ ସାମିଲ ହୋଇଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୩ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଜଣ ଜଙ୍ଗଲ ବିଭାଗର କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କିସିଣ୍ଡା ଥାନାଧିକାର ଚିତରଞନ ନାଏକ ପ୍ରକାଶ କରିଛନ୍ତି।