Categories
ବିଶେଷ ଖବର ବ୍ୟବସାୟ

ଚଳିତ ବର୍ଷ ଏସସି/ଏସଟି ଉନ୍ନୟନ ବିଭାଗକୁ ମିଳିଲା ୪୬୫୧ କୋଟି ଟଙ୍କା, ଏଥିରେ କଣ ହେବ ?

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକମାନଙ୍କର ସଶକ୍ତିକରଣ ପାଇଁ ବଳିଷ୍ଠ ଅସ୍ତ୍ର। ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି, ଆବାସିକ ଛାତ୍ରାବାସ ନିର୍ମାଣ, ପଢ଼ିବା ଲେଖିବା ଶିକ୍ଷା ସାମଗ୍ରୀ, ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା, ଜୀବିକାର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୩-୨୪ ବିଭାଗୀୟ ବଜେଟ ସମ୍ବନ୍ଧରେ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮ ଶହ ୧୧ କୋଟି ଟଙ୍କା ବ୍ୟୟ କରାଯିବ। ୨୩ ଲକ୍ଷ (୬୦ ପ୍ରତିଶତ ଛାତ୍ରୀ ଓ ୪୦ ପ୍ରତିଶତ ଛାତ୍ର) ମେଧାବୀ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୨ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ପୋଷଣ ବୃଦ୍ଧି କରାଯିବ।

ପ୍ରାକ୍‌ ମାଟ୍ରିକ ସ୍କଲାରସିପ୍‌ ଯୋଜନାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦିବାଧ୍ୟାୟୀମାନଙ୍କ ଛାତ୍ରବୃତ୍ତି ବୃଦ୍ଧି କରାଯିବ। ବର୍ଷକୁ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳିବ। ମାଟି୍ରକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ରକ୍ଷଣାବେକ୍ଷଣ ଭତ୍ତା ପ୍ରୋତ୍ସାହନ ବାର୍ଷିକ ଅତିରିକ୍ତ ଏକ ହଜାର ଟଙ୍କା ଅନ୍ତେବାସୀମାନଙ୍କ ପାଇଁ ଓ ୫୦୦ ଟଙ୍କା ଦିବାଧ୍ୟାୟୀମାନଙ୍କ ପାଇଁ ଖର୍ଚ୍ଚ ହେବ। ଅନେ୍ୱଷା କାର୍ଯ୍ୟକ୍ରମ ଅଧୀନରେ ୧୦୬ଟି ଅନେ୍ୱଷା ବିଦ୍ୟାଳୟ ଓ ୮୦ଟି ଛାତ୍ରାବାସ ମାଧ୍ୟମରେ ଛାତ୍ରାବାସ ଓ ଟୁ୍ୟସନ୍‌ ଫି ପ୍ରଦାନ କରାଯାଉଛି।

ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଏଥିରେ ୧୨୪ କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର ସହରାଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ପଢ଼ୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ‘ଆକାଂକ୍ଷା’ ଯୋଜନାରେ ୪ଟି ଛାତ୍ରାବାସ ନିର୍ମାଣ ବାବଦରେ ୪ କୋଟି ଟଙ୍କା ବ୍ୟୟ କରାଯିବ । ୪୨୨ଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟରରେ ଉନ୍ନୀତ କରାଯାଇ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଲୋକାର୍ପଣ କରାଯିବ। ୧୦୦ ଶଯ୍ୟାବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ (ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ) ମଧ୍ୟରୁ ୬୬ଟି ଛାତ୍ରାବାସ ସଂପୂର୍ଣ୍ଣ ହୋଇସାରିଛି । ୩୪ଟି ହଷ୍ଟେଲ ନିର୍ମାଣାଧିନ ଅଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଥିଲେ ।

ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ସାମ୍ବାଦିକମାନଙ୍କୁ ବିଭାଗର ଚଳିତ ବର୍ଷର ରୋଡ୍‌ମ୍ୟାପ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷଠାରୁ ଜନଜାତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ନାମରେ ଅନନ୍ୟ ଜୀବିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପର୍ଯ୍ୟାୟ କ୍ରମେ ଏହି ମିଶନରେ ସାଢ଼େ ୧୪ ଲକ୍ଷ ପରିବାର ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଦେଢ଼ଲକ୍ଷ ପରିବାରଙ୍କ ଜୀବିକା ବିକାଶ କାର୍ଯ୍ୟ ସମାହିତ ହେବ। ଏଥିରେ ଭିତ୍ତିଭୂମି ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ୨୩ଟି ହଷ୍ଟେଲ ନିର୍ମାଣ କରାଯାଉଛି। ୧୦୦ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ସ୍ଥାପନ କରାଯାଇ ସେମାନଙ୍କର ସ୍ୱତନ୍ତ୍ର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ କରାଯିବ। ଏହାଛଡ଼ା ଅଗ୍ରାଧିକାର ଭିତ୍ତିରେ ୧୦୦ଟି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ କରାଯାଇ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ଓ ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ନିମନ୍ତେ ସ୍ୱତନ୍ତ୍ର ବିକାଶ ପରିଷଦ ୨୦୧୭-୧୮ ମସିହାରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ଗଠନ କରାଯାଇଥିଲା।

ଆଦିବାସୀମାନଙ୍କ ପୂଜାସ୍ଥଳୀ, କ୍ଲବ୍‌ ଘର, ସାପ୍ତାହିକ ହାଟ, ବାଦ୍ୟଯନ୍ତ୍ର ଓ ନୃତ୍ୟ, ବେଶଭୂଷା ନିମନ୍ତେ ୨୮୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୧୭୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି ବୋଲି ସଚିବ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ ୨୦୨୨-୨୩ ଶିକ୍ଷାବର୍ଷରେ ୯୯ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ସମଗ୍ର ରାଜ୍ୟ ଓ ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ବ୍ୟୟ ୪୬୫୧.୨୭ କୋଟି ଟଙ୍କା ରହିଛି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ-୨୦୨୨

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଶେଷ ହୋଇଛି। ମଇ ୧୯ ତାରିଖଠାରୁ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ଏହି ନୃତ୍ୟ ମହୋତ୍ସବରେ ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯାଇଥିଲା।

ଏଥିରେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ ପରିବେଷିତ ହୋଇଥିଲା । ନୃତ୍ୟ ସମୟରେ କଳାକାରମାନେ ଶରୀରକୁ ଚୂନରେ ପେଣ୍ଟ କରିଥିବାବେଳେ ବିଭିନ୍ନ ମଂଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ମିଜୋ ଜନଜାତିଙ୍କର ସରଲାମକାଇ ନୃତ୍ୟ, ଓଡ଼ିଶାର ସାନ୍ତାଳ ଜନଜାତିଙ୍କର କଳସି ନୃତ୍ୟ ପରିବେଷିତ ହୋଇଥିଲା ।

କଳସି ନୃତ୍ୟରେ କଳାକାରମାନେ ନିଜ ପାରମ୍ପରିକ ବେଶଭୂଷାରେ ଡ୍ରମ, ବଂଶୀ ଆଦି ବାଦ୍ୟ ବଜାଇ ନୃତ୍ୟ କରିଥିଲେ । ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର କରମଥାପଡ଼ି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ଗୋଆର ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ, ଛତିଶଗଡ଼ର ଗୌରମାର ମାଣ୍ଡରି ନୃତ୍ୟ, ଆନ୍ଧ୍ରପ୍ରଦେଶର କନ୍ଧ ଜନଜାତିଙ୍କ ମୟୂରାନୃତ୍ୟ, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ, ହିମାଚଳ ପ୍ରଦେଶର ତାଳ ଗାଡ଼ି ଜନଜାତିଙ୍କର ହରନତର ନୃତ୍ୟ ପରିବେଷିତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ବିର୍ସାମୁଣ୍ଡା ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ, ଜାତୀୟ ଆଲୋଚନା ଚକ୍ରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭଗବାନ ବିର୍ସାମୁଣ୍ଡାଙ୍କ କୀର୍ତି ଓ ଜୀବନାଦର୍ଶ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦର୍ଶାଇ ଅତିଥିମାନେ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌.ସି.ଏସ୍‌.ଟି. ଆର.ଟି.ଆଇ ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଳାଳୟର ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ଏକ ଜାତୀୟ ଆଭାସୀ ଆଲୋଚନା ଚକ୍ରରେ “ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ” ପ୍ରସଙ୍ଗ ଉପରେ ଆଲୋଚକମାନେ ବକ୍ତବ୍ୟ ରଖିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ନଭଲଜିତ କପୁର, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ବିଜୟ ଏ ସହାୟ ପ୍ରମୁଖ ବକ୍ତବ୍ୟ ରଖି ଭଗବାନ ବିର୍ସାଙ୍କୁ ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତିମନ୍ତ ପ୍ରତୀକ ଭାବରେ ଅଭିହିତ କରିଥିବା ବେଳେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ କ୍ରମେ ରାଷ୍ଟ୍ରନିର୍ମାଣରେ ଯୋଗଦାନ ଓ ପ୍ରାଣବଳି ଦେଇଥିବା ଜନଜାତି ନାୟକମାନଙ୍କର ସ୍ମୃତି ଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଚଳିତ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ ।

ବୈଷୟିକ ଅଧିବେଶନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ. କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗ ପ୍ରଫେସର ସୁମହନ୍ ବଂନ୍ଦୋପାଧ୍ୟାୟ, ରାଂଚିସ୍ଥିତ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଂଜଲ ଉକିର ମୁଣ୍ଡା, ରାଂଚିସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ସତ୍ୟନାରାୟନ ମୁଣ୍ଡା ପ୍ରମୁଖ ବିଦ୍ୱାନ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରି ବୀର ବୀର୍ସାଙ୍କ ଜୀବନ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଂଚଳରୁ ଗବେଷକ, ଶିକ୍ଷାବିତ୍‌, ବିଦ୍ୱାନ, ଜନଜାତି ବିକାଶ କର୍ମୀ, ଜନଜାତି ବିକାଶ ସଂସ୍ଥାନ ଓ ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ

ଭୁବନେଶ୍ୱର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍‌ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି (ବିଜିଭିଏସ୍‌), ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ପ୍ରାଚୀନ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଦୁର୍ଗମ ଓ ଅପହଞ୍ଚ ପିଭିଟିଜି ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷାଦାନ ସହିତ ସେମାନେ ଯେଭଳି ଅଧାରୁ ପାଠ ନ ଛାଡ଼ିବେ ସେଥିପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା କରାଯାଇଛି ।

କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ରହୁଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଅନ୍‌ଲାଇନ୍‌ କ୍ଲାସ୍‌ ହେଉଛି । ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ ସଂଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ।

‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ରେ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍‌ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ପିଭିଟିଜି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷାଲାଭ କରିପାରିବେ । ପିଲାମାନଙ୍କ ପାଠପଢ଼ାରେ ଏହି ସୁଦୃଶ୍ୟ ଭ୍ୟାନ୍‌ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଭ୍ୟାନ୍‌ରେ ଶିଶୁ ଉପଯୋଗୀ ଶିକ୍ଷା ଉପକରଣ ଯଥା: ଅଡ଼ିଓ ଭିଜୁଆଲ ଉପକରଣ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ, ବିଜ୍ଞାନ କିଟ୍‌, ସ୍ପୋଟର୍ସ କିଟ୍‌ ଓ ସ୍ୱାସ୍ଥ୍ୟବିଜ୍ଞାନ ଶିକ୍ଷା କିଟ୍‌ ଉପଲବ୍ଧ ।

ଏହି ଭ୍ରାମ୍ୟମାଣ ସ୍କୁଲ ଭ୍ୟାନ୍‌ ଦୁର୍ଗମ ଅଞ୍ଚଳରେ ଆନନ୍ଦରେ ଶିକ୍ଷାଲାଭ କରିବାକୁ ସୁଯୋଗ ଆଣିଦେବ । ଆଉ ମଧ୍ୟ ପ୍ରଶିକ୍ଷିତ ସେ୍ୱଚ୍ଛାସେବୀମାନେ ଖୋଲା ସ୍ଥାନରେ କୋଭିଡ୍‌ ମାର୍ଗଦର୍ଶିକାର ସଠିକ୍‌ ଅନୁପାଳନ କରି ଶିକ୍ଷାଦାନ କରିବେ । ପ୍ରତ୍ୟେକ ଶିକ୍ଷାଦାନ ଅଧିବେଶନ ଦୁଇ ଘଣ୍ଟା ଚାଲିବ ।

‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ମୋବାଇଲ୍‌ ସ୍କୁଲ ଇନ୍‌ ଭ୍ୟାନ୍‌ ପିଭିଟିଜି ଅଞ୍ଚଳର ଜନଜାତି ସଂପ୍ରଦାୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୧୦ଟି ଜିଲ୍ଲା କେଉଁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୋଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଏକ ହଜାର ଗ୍ରାମର ପିଲାମାନଙ୍କ ପାଖରେ ଏହି ଭ୍ୟାନ୍‌ ପହଞ୍ଚିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନ ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ୟୁନିସେଫ୍‌ର ଓଡ଼ିଶା ଶାଖାର ମୁଖ୍ୟ ମୋନିକା ନେଲ୍‌ସନ୍‌, ୟୁନିସେଫ୍‌ର ଏଜୁକେସନ୍‌ ସ୍ପେସାଲିଷ୍ଟ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଟୁରରେ ଦେଖିବାକୁ ମିଳିବ ଜନଜାତିଙ୍କ ଖାଦ୍ୟସଂଗ୍ରହ ପଦ୍ଧତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ଆଜି ଓଡ଼ିଶାର ଜନଜାତି ସଂପ୍ରଦାୟଙ୍କର ଦେଶୀୟ ଜ୍ଞାନକୌଶଳରେ ଖାଦ୍ୟସଂଗ୍ରହ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିବିଧ ଜନଜାତି ସଂପ୍ରଦାୟ ବସବାସ କରିଥା’ନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେହି ପରିବେଶରେ ମିଳୁଥିବା ପ୍ରାକୃତିକ ସଂପଦ ଉପରେ ନିର୍ଭର କରିଥା’ନ୍ତି । ସେମାନେ କୃଷିକୁ ଜୀବିକା ଭାବେ ଗ୍ରହଣ କରିଥା’ନ୍ତି । ଜନଜାତିମାନେ ବିଭିନ୍ନ ପ୍ରକାରର କୃଷି ପଦ୍ଧତିକୁ ଆପଣେଇଥା’ନ୍ତି । ପୋଡ଼ୁଚାଷ ସହିତ ଉଦ୍ୟାନକୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶିକାର ଓ ମାଛ ଧରିବାକୁ ସେମାନେ ବୃତ୍ତି ଭାବେ ଗ୍ରହଣ କରିଥା’ନ୍ତି ।

ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଫଳ, ପତ୍ର, ଖାଦ୍ୟ ଉପଯୋଗୀ ଫୁଲ, କୀଟ, ଛତୁ ଓ ଆଳୁକୁ ଜନଜାତିମାନେ ଖାଦ୍ୟ ଭାବେ ଗ୍ରହଣ କରିଥା’ନ୍ତି । ବିଭିନ୍ନ ପ୍ରକାରର ଜଙ୍ଗଲୀ ମୂଳ ଓ ଆଳୁ ରହିଛି । ସେଗୁଡ଼ିକ ମଧ୍ୟରୁ କେତେକ ମାଟିର ଉପରି ଭାଗରେ ଏବଂ ଆଉ କେତେକ ମାଟି ତଳୁ ଖୋଳା ଯାଇ ସଂଗ୍ରହ କରାଯାଇଥାଏ ।

ଜନଜାତିମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଜଙ୍ଗଲୀ ମୂଳ ଓ ଆଳୁ ଅତ୍ୟନ୍ତ ପୁଷ୍ଟିକର ଅଟେ। ଜନଜାତି ସଂପ୍ରଦାୟ ଏହାକୁ ନିଆଁରେ ଭାଜି, ସିଝାଇ କିମ୍ବା ତରକାରି ରୂପେ ପ୍ରସ୍ତୁତ କରିଥା’ନ୍ତି। ଏହି ଚଳଚ୍ଚିତ୍ରରେ ବିଭିନ୍ନ ଜନଜାତିମାନେ କିପରି ମୂଳଗୁଡ଼ିକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରି ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଦର୍ଶକମାନେ ଜାଣିପାରିବେ।