ବାଣପୁର: ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ଡ଼ା ପ୍ରଦୀପ୍ତ କୁମାର ନାୟକ ଅତିଥିଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସ୍ଵତନ୍ତ୍ର ଆଇନ ବିଷୟ ରେ ଆଲୋଚନା କରିବା ସହିତ ଦିବ୍ୟାଙ୍ଗମାନେ ଆଇନ ସେବା ପ୍ରାଧିକରଣ ଅଧିନିୟମ ଅନୁଯାୟୀ ମାଗଣା ଆଇନ ସେବା ପାଇବା ପାଇଁ ହକଦାର ବୋଲି ମତ ପ୍ରକାଶ କରିଥିଲେ। ଦିବ୍ୟାଙ୍ଗ ମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ସହ ସମାନ ଅଧିକାର ଦିଆଯିବ। ଶିକ୍ଷାନୁଷ୍ଠାନ ରେ ସମାନ ସୁବିଧା ସୁଯୋଗ ଦିଆଯିବା ସହ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ପ୍ରାବଧାନ ଥିବା ଅତିଥିମାନେ କହିଥିଲେ।