Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ସ୍ତରୀୟ ମେଳାରେ ଓଡ଼ିଶାକୁ ମିଳିଲା ପୁରସ୍କାର

ଭୁବନେଶ୍ୱର: ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ (India Stone Mart) ନଭେମ୍ବର ୧୦ରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆଠଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା ।

ସରକାରଙ୍କ ତରଫରୁ ସେମାନଙ୍କର ଗସ୍ତ ଖର୍ଚ୍ଚ, ଦୈନିକ ଭତ୍ତା ପ୍ରଦାନ ସହିତ ମାଗଣା ସାମଗ୍ରୀ ପରିବହନ ବ୍ୟବସ୍ଥା ଇତ୍ୟାଦି ସୁବିଧା କରାଯାଇଥିଲା । ଏହି ମେଳାରେ ମୋଟ ୪୨ ଲକ୍ଷ ଟଙ୍କାର ସାମଗ୍ରୀ ବିକି୍ର ସହିତ ପ୍ରାୟ ୭୦ ଲକ୍ଷ ଟଙ୍କାର ବ୍ୟବସାୟିକ ଅନୁସନ୍ଧାନ ହୋଇଥିବା ଜଣାପଡ଼ିଛି । ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଅଭିଷେକ ଚୌଧୁରୀ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଭିନବ ପ୍ରଦର୍ଶନ ପାଇଁ ଓଡ଼ିଶା ଷ୍ଟଲକୁ ଦ୍ୱିତୀୟ ପୁରସ୍କାର ପ୍ରାପ୍ତ ହୋଇଛି । ଉଦ୍‌ଯାପନ ସମାରୋହରେ ରାଜସ୍ଥାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତୀ ଶକୁନ୍ତଳା ରାୱତଙ୍କଠାରୁ ଏହି ସମ୍ମାନ ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଗ୍ରହଣ କରିଛନ୍ତି ।