Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମ ଶ୍ରମିକଙ୍କୁ ରାଜ୍ୟ ସରକାର ଦେଲେ ପଂଜିକରଣ ପତ୍ର

ଭୁବନେଶ୍ଵର: ଜିଲ୍ଲା ଆଇନ ପ୍ରାଧିକରଣ ସେବା ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶିବିର, ଜିଲ୍ଲା ଆଇନ ପ୍ରାଧିକରଣ ସେବା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ, ଭୁବନେଶ୍ଵର ତରଫରୁ ବିଜେବି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡିଶା ଉଚ୍ଚ ନ୍ୟାୟାଳୟର କାଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମ।ନଙ୍କ ମଧ୍ୟରେ, ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ  ଶ୍ରୀ ମାନସରଞ୍ଜନ ବାରିକ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ ସିଂ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଦିଆଗଲା ବିଭିନ୍ନ ସହାୟତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ଭିନ୍ନକ୍ଷମ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ବିଦ୍ୟୁତ ରଞ୍ଜନ ଶତପଥୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ଭିନ୍ନକ୍ଷମମାନଙ୍କୁ ଏହି ଦିବସ ପାଳନର ବାର୍ତ୍ତା ପ୍ରଦାନ କରାଯିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମଧୁବାବୁ ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ୨୮ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ, ୨୧ ଜଣଙ୍କୁ ବିବାହ ସହାୟତା, ୧୦ଟି ହ୍ୱିଲ୍‌ଚେୟାର, ୫ଟି ଟ୍ରାଇ-ସାଇକେଲ, ଗୋଟିଏ ଲାପ୍‌ଟପ୍‌, ଜଣଙ୍କୁ ବାଣୀଶ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିରେ ବହୁ ଭିନ୍ନକ୍ଷମ ଏବଂ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ ପାତ୍ର, ଆଇନ ସଚିବ ମାନସ ରଞ୍ଜନ ବାରିକ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ଉପସଚିବ ସ୍ମୃତି ରଞ୍ଜନ ମହାପାତ୍ର ଏବଂ ସହସଚିବ ସୃଜନ ସାରସ୍ୱତ, ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କ, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ବିଡିଓ ସାଗର ପାଳଙ୍କ ସମେତ ବହୁ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁଲିସ ପ୍ରଶାସନ ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ୧୮ଟି ଷ୍ଟଲ ଖୋଲା ଯାଇଥିବାବେଳେ ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ସହାୟତାର ବିଧିବ୍ୟବସ୍ଥା ସଂପର୍କରେ ସୂଚନା ଦିଆଯାଇଥିଲା। ଶେଷରେ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୌଦାମିନି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉଦ୍‌ଘାଟିତ, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରି ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ବଡ଼ ଆବଶ୍ୟକତା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆୟୋଜିତ ୩ ଦିନିଆ ସମାବେଶର ଉଦ୍‌ଘାଟନ ପର୍ବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭିନ୍ନକ୍ଷମମାନଙ୍କ ପ୍ରତିଭା ଓ ଅନ୍ତର୍ନିହିତ ଗୁଣରାଜିର ପର୍ଯ୍ୟାପ୍ତ ଉପଯୋଗ କରି ସେମାନଙ୍କୁ ସମାଜ ଓ ଅଭିବୃଦ୍ଧିର ସମର୍ଥ ଅଂଶୀଦାର କରିବାକୁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ମନ୍ତ୍ରୀ ଶ୍ରୀ ପଣ୍ଡା ଭୁବନେଶ୍ୱରରେ ଭିନ୍ନକ୍ଷମମାନଙ୍କ ଖେଳକୁଦ ବିକାଶ ନିମନ୍ତେ ଏକ ସାଟେଲାଇଟ୍‌ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଛି ବୋଲି ପ୍ରକାଶ କରିଥିଲେ। ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ କହିଲେ ଯେ ପରିବର୍ତ୍ତିତ ପରିସ୍ଥିତିରେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକାନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବାରେ ପିତାମାତା, ଶିକ୍ଷକ, ନାଗରିକ ସମାଜ, ବିଭିନ୍ନ ସଂଗଠନ ଓ ସରକାରଙ୍କ ଉଦ୍ୟମ ରହିଛି।

ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ସଫଳତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଦର୍ଶାଇ ଶ୍ରୀ ସାମନ୍ତ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର ଉପରେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ଭିନ୍ନକ୍ଷମମାନେ ଆମ ସମାଜର ସମ୍ବଳ ଓ ସେମାନଙ୍କ ବିକାଶ ହେଲେ ସମାଜ ଆଗକୁ ବଢ଼ିବ। ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ହେତୁ ଭିନ୍ନକ୍ଷମମାନଙ୍କ ସାମାଜିକ-ଅର୍ଥନୈତିକ ଜୀବନଧାରାରେ ଆଖିଦୃଶିଆ ପରିବର୍ତ୍ତନ ଦେଖା ଦେଇଛି।

ଓଏବି ଭଗବତୀ ଦୃଷ୍ଟିବାଧିତ ମଡେଲ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ସ୍ୱାଗତ ଭାଷଣ ଦେଇଥିଲେ। ଶୁଭମ୍‌ ବେହେରା ଓ ଅଳକା ଯୋଶୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ା ପ୍ରତିଯୋଗିତା

ଏହି ୩ ଦିନିଆ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗୀ ଅନୁଷ୍ଠାନ ତଥା ସଂପୃକ୍ତ ସଂଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ୪୦ଟି ଷ୍ଟଲ ଖୋଲା ଯାଇଛି ।

ସେହିପରି ଭିନ୍ନକ୍ଷମ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ତଥା ପ୍ରସ୍ତୁତ ବିଭିନ୍ନ ଚିତ୍ର ଓ କଳାକୃତିର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଦୂତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମ୍‌ରେ ଭିନ୍ନକ୍ଷମମାନଙ୍କ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ସ୍ୱତନ୍ତ୍ର ବିଦ୍ୟାଳୟ ତଥା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଦୈନିକ ଚଳଚିତ୍ର ପ୍ରଦର୍ଶନର ବ୍ୟବସ୍ଥା ହୋଇଛି।

ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ

ସକାଳେ ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ(ସିପ୍‌) ରେ ଏକ ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ ହୋଇଛି। ସାଇଟ୍‌ସେଭର୍ସ ତଥା ସହଯୋଗୀ ସଂଗଠନଗୁଡ଼ିକର ପରିଚାଳନାରେ ଆୟୋଜିତ ଏହି ଶିବିର ଉଦ୍‌ଘାଟନରେ ମନ୍ତ୍ରୀ ଶ୍ରୀ ପଣ୍ଡା, ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଓ ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ଉପସ୍ଥିତ ଥିଲେ । ଶିବିରରେ ଚକ୍ଷୁ ରୋଗ, ଦନ୍ତ ରୋଗ, ମାନସିକ ରୋଗ ତଥା ଆନୁଷଙ୍ଗିକ ଶାରୀରିକ ସମସ୍ୟାର ପରୀକ୍ଷା କରାଯାଉଛି। ଏହି ଶିବିର ତିନି ଦିନ ଧରି ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗଡଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବଡଗଡ ଉଚ୍ଚ ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀ ପ୍ରତାପ କୁମାର ଜେନା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ“ମହକମେଳା”କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ସ୍ୱପ୍ନ,ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ଅନୁଭବକୁ ସାଉଁଟିଥିବା ପତ୍ରିକା “ମନର କଥା” ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା।

ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶ୍ରୀମତୀ ସଙ୍ଗୀତା ଦାଶପୁରସ୍କାର ବିତରଣ କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଗଡର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନଜା ମଂଜରୀ ସାହୁ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସମ୍ବଳ ଶିକ୍ଷକଶିକ୍ଷୟିତ୍ରୀ, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷାକାର‌୍ୟ୍ୟାଳୟର ସହଯୋଗରେ ଏବଂ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞା ପାରମିତା ଜେନାଙ୍କ ପରିଚାଳନାରେ ଏହି ଉତ୍ସବର ସଫଳ ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି। ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷ। ରେଡ୍ଡୀଙ୍କ ଦ୍ଵାରା ପତାକା ଦେଖାଇ ଭିନ୍ନକ୍ଷମ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଯାଇଥିଲା। ଶୋଭାଯାତ୍ରା ସେଠାରେ ପହଂଚିବା ପରେ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରଞ୍ଜନ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମ୍ପାଦକ ଶୁଭ ଗୌତମ ମିଶ୍ର ସ୍ୱତନ୍ତ୍ର ଅତିଥି, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯୋଧନ ବିଶି, ଜିଲ୍ଲା ପରିଷଦ ସଭ୍ୟ ତଥା ଭିନ୍ନକ୍ଷମ ମଞ୍ଚର ମୁଖ୍ୟ ସୁରେଶ ଚୌଧୁରୀ ଓ ଭିନ୍ନକ୍ଷମ ଫେଡେରେସନର ମୁଖ୍ୟ ହେମନ୍ତ ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ।

ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସଭାପତିତ୍ୱ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ୧୪ ଜଣ ଭିନ୍ନକ୍ଷମ ଦମ୍ପତି ଙ୍କୁ ବିବାହ ପ୍ରୋସ୍ଥାହନ ରାଶି ପ୍ରଦାନ ସହ ୨୪ ଜଣ ଭିନ୍ନକ୍ଷମଙ୍କୁ ଆତ୍ମ ନିଯୁକ୍ତି ସହାୟକ ଉପକରଣ ମାନ ବଣ୍ଟନ, ଭିନ୍ନକ୍ଷମ ମାନଙ୍କୁ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ,ହୁଇଲ ଚେୟାର ଇତ୍ୟାଦି ପ୍ରଦାନ କରାଯାଇଛି।

ଜିଲ୍ଲାରେ ଭିନ୍ନକ୍ଷମ ସଶକ୍ତିକରଣରେ ସକ୍ରିୟ ସହଯୋଗ କରୁଥିବା ୩ ଜଣ ସୁରେଶ ଚୌଧୁରୀ, ହେମନ୍ତ ତାଣ୍ଡି ଓ ଡୋଳାମଣି ପ୍ରଧାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।