Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆରଏସପି ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କଲେ ସିକ୍କିମ ଯୁବା ସଙ୍ଗମ ଦଳ

ରାଉରକେଲା: ଏନଆଇଟି ରାଉରକେଲା ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୁବା ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି। ସିକ୍କିମରୁ ଆସିଥିବା ୩୦ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଯୁବକଯୁବତୀମାନେ ଏଠାରେ ଇସ୍ପାତ ତିଆରି ପ୍ରକ୍ରିୟା ଦେଖିବା ସହିତ ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ପଚାରି ବୁଝିଥିଲେ। ଆରଏସପିର ଅତିଥି ସମ୍ପର୍କ ଅଧିକାରୀ ନବୀନ କୁମାର ସିଂ ଓ ତାଙ୍କର ସହଯୋଗୀମାନେ ଅତିଥି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ୟୁନିଟ୍‌ ବୁଲି ଦେଖାଇ ଥିଲେ। ଆଜିର ଦିନର ଶେଷ ଭାଗରେ ଛାତ୍ରଛାତ୍ରୀମାନେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ଉତ୍ତର ସିକ୍କିମର ଜଣେ ଛାତ୍ର ଆତସୁର ଗ୍ୟାତସୋ ଲେପଚା ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି ଯେ, ଯୁବା ସଂଗମ କାର୍ଯ୍ୟକ୍ରମରେ ଆମେ ଏହି ବିଶାଳ ହକି ଷ୍ଟାଡିୟମ ଦେଖିବାର ସୁଯୋଗ ପାଇଛି।  ସ୍ଥାନୀୟ ପ୍ରଶାସନ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଆତିଥେୟକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇବା ତଥା ରାଜ୍ୟ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଭାରତ ସରକାର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବାସଂଗମ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସିକ୍କିମ ଏନଆଇଟିର ୨୫ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଏନଆଇଟି ସିକ୍କିମର ପ୍ରଫେସର କିର୍ତ୍ତୀ ତିୱାରୀ କହିଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟଶୈଳୀକୁ ଅତି ନିକଟରୁ ଦେଖିବା ଏକ ସ୍ବତନ୍ତ୍ର ଅନୁଭୂତି ଥିଲା। ଛାତ୍ରଛାତ୍ରୀମାନେ ଏଥିରୁ ଭଲ ଅନୁଭୂତି ପାଇଛନ୍ତି। ସେହିପରି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଏନଆଇଟି ରାଉରକେଲା ଏବଂ ଅନ୍ୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଆତିଥେୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ।

ଆସନ୍ତାକାଲି ସିକ୍କିମର ଛାତ୍ର ପ୍ରତିନିଧିମାନେ ସମ୍ବଲପୁର ଜିଲ୍ଲା ଗସ୍ତ କରି ହୀରାକୁଦ ନଦୀ ବନ୍ଦ ଏବଂ ସମଲେଶ୍ବର ମନ୍ଦିର ଆଦି ସ୍ଥାନ ବୁଲି ଦେଖିବେ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ପୁରୁଷ ବିଶ୍ବକପ ହକି ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ, ଏଥର ଚମକାଇବ ଓଡିଶା

ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର‌୍ୟ୍ୟକ୍ରମ ଆୟୋଜନ କରୁଛି। ୨୦୧୭ ରେ ଓଡିଶା ଆଥଲେଟିକ୍ସ ଚାମ୍ପିଅନସିପ୍ ମଧ୍ୟ ଏକ ଚମତ୍କାର ସଫଳତା ହାସଲ କରିଥିଲା।

ସେହିସବୁ ସଫଳତା ପରେ ଓଡିଶା ପୁଣି ୨୦୨୩ ରେ ହକି ପୁରୁଷ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ପୂର୍ବ ଆୟୋଜନ ଅପେକ୍ଷା ଏଥର ଆହୁରି ବଡ ଏବଂ ବ୍ୟାପକ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକସେବା ଭବନର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ବୈଠକରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି କେ ପାଣ୍ଡିଆନ୍ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଏବଂ ରାଉରକେଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ଏକାବେଳେ ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ। ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ସୁଗମ, ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ନିଶ୍ଚିତ କରିବାକୁ ଆମେ ଚେଷ୍ଠିତ ବୋଲି ସେ କହିଛନ୍ତି। ଆମେ ଉତ୍ସାହର ସହିତ ବିଶ୍ବର ପ୍ରମୁଖ ଦଳଗୁଡିକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ। ଏହାର ପ୍ରସ୍ତୁତି ପର୍ଯ୍ୟାୟ କ୍ରମେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଗତ ମ୍ୟାଚଗୁଡିକ ବିଭିନ୍ନ ସରକାରୀ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ୨୦୧୮ ମସିହାରେ ବିଶ୍ବକପ ହକି ଆୟୋଜନରେ ଏକ ଅଭୂତପୂର୍ବ ସଫଳତା ମିଳିଥିଲା। ଆମର ଏହି ସଫଳ ଆୟୋଜନ ସାରା ବିଶ୍ବର ବେଶ୍ ପ୍ରଭାବ ପକାଇଛି। ବାସ୍ତବରେ, ଆମେ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ବିଦେଶୀ ପର୍ଯ୍ୟଟକ କିପରି ଅଧିକ ଆସିପାରିବେ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T)  ଭି କେ ପାଣ୍ଡିୟାନ କହିଛନ୍ତି ଯେ ଗତ ପ୍ରତିଯୋଗୀତା ଯେପରି ଆୟୋଜନ କରାଯାଇଥିଲା ତାହା ପୂର୍ବରୁ କେବେ ହୋଇ ନଥିଲା। ଏହା ଆମେ ଏକ ଗର୍ବର ବିଷୟ ବୋଲି ସେ କହିଥିଲେ। ଆନ୍ତର୍ଜାତୀୟ ପ୍ରତିଯୋଗୀତ ଆୟୋଜନ କରିବାରେ ଓଡିଶା ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱକପକୁ ଏକ ଉଲ୍ଲେଖନୀୟ ଆୟୋଜକ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ଆଗାମୀ ପ୍ରତିଯୋଗୀତା ପାଇଁ ଏକ ରୋଡ ମ୍ୟାପ ଉପସ୍ଥାପନ କରିଥିଲେ। ସହ-ଆୟୋଜକ ସହର ରାଉରକେଲାରେ ଭିତ୍ତିଭୂମି ତଥା ସୁବିଧାଗୁଡ଼ିକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ବିକାଶ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆସନ୍ତା ମାସରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ରାଉରକେଲା ସହରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ଭୁବନେଶ୍ୱରରେ କିଛି ମାସ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମରେ ନୂତନ ଟର୍ଫ ସ୍ଥାପନ କରାଯାଇଛି। ଯାହା ମ୍ୟାଚ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସେ କହିଥିଲେ।

ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପ୍‌ର ସାମଗ୍ରିକ ସୁଗମ ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ଯୋଗାଯୋଗ, ହସପିଟାଲିଟି, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଅର୍ଥ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା ଦାୟିତ୍ବ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି। ପୂର୍ବ ଅପେକ୍ଷା ୨୦୨୩ ରେ ଆୟୋଜିତ ହେବାକୁ ଥିବା ବିଶ୍ବ କପ ଆହୁର ଅଧିକ ସଫଳତା ଆଣିବ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ଅନ୍ୟ କ୍ରୀଡ଼ା ଭିତ୍ତିଭୂମିର ଅଗ୍ରଗତି ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ

ରାଉରକେଲା: ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଆର୍ ଭିନିଲ କ୍ରିଷ୍ଣା ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସ୍ଥାନ ପରିଦର୍ଶନ କରିବା ପରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କୋଭିଡ୍ ପାଇଁ ଏହି ନିର୍ମାଣ କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ନିର୍ଦ୍ଧାରିତ ସ୍ତରରେ ପହଞ୍ଚିଛି। ୨୦୨୨ ଜୁଲାଇ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।

୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଦେଶ ତଥା ଦେଶ ବାହାରୁ ବହୁ ଖେଳାଳି, ଅଫିସିଆଲ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ଏଠାକୁ ଆସିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗରର ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସନ୍ଦର୍ଯ୍ୟକରଣ କରାଯାଉଛି। ଏହିସବୁ କାର୍ଯ୍ୟର ଅଗ୍ରଗତି ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିକୁ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ଏହି ଗସ୍ତ ବେଳେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଖେଳାଳିମାନଙ୍କ ପାଇଁ ଏଠାରେ କରାଯାଉଥିବା ଆଧୁନିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ମାନର ତିନୋଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ କରାଯାଉଛି। ସେହିପରି ଆଉଟଡୋରରେ ଲନ୍ ଟେନିସ୍ କୋର୍ଟ ନିର୍ମାଣ କରାଯାଉଛି। ଫିଟନେସ ପାଇଁ ଏଠାରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ ମଧ୍ୟ କରାଯାଉଛି। ଏହି ଇନଡୋର ଷ୍ଟାଡିୟମକୁ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଥିଲେ।

ଏହି ସବୁ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତି ହେଲେ ରାଉରକେଲା ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଚିତ ହେବ। ଏଠାରେ ଆଗାମୀ ଦିନରେ ହକି ସହିତ ଫୁଟବଲ, ବ୍ୟାଡମିଣ୍ଟନ, ଲନଟେନିସ୍ ଏବଂ ବିଭିନ୍ନ ପ୍ରକାରର ଆଥଲେଟିକ୍ ଗେମ୍ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ। ଏହା ସ୍ଥାନୀୟ ଖେଳାଳିମାନଙ୍କ ଅଭ୍ୟାସ ଏବଂ ଦକ୍ଷତା ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇପାରିବ।

ଏହି ଗସ୍ତ ବେଳେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।