Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ବରରେ ଉଦଘାଟିତ ହେଲା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଉଦ୍‌ଘାଟିତ ହୋଇଥିବା ୨୫ ଏକର ପରିମିତ ନୂତନ କ୍ୟାମ୍ପସରେ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆକାଡେମିକ୍‌ ବ୍ଲକ, ପ୍ରତ୍ୟେକ ୫୪୪ କ୍ଷମତା ବିଶିଷ୍ଟ ୨ଟି ଛାତ୍ରାବାସ ଓ ଛାତ୍ରୀନିବାସ, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ ବ୍ୟବସ୍ଥା, ଷ୍ଟାଫ କ୍ୱାର୍ଟର୍ସ, ଡର୍ମିଟୋରୀ ଏବଂ ପାର୍କିଂ ଓ ବଗିଚା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।

ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରହିବା ସହିତ ଅତ୍ୟାଧୁନିକ କ୍ଲାସ ରୁମ, ଆଇସିଟି ଲ୍ୟାବ,ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଦକ୍ଷତା ବିକାଶର ବ୍ୟବସ୍ଥା କରାଯାଇଛି।

ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସସି ଢାଞ୍ଚାରେ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ମୁଖ୍ୟମନ୍ତ୍ରୀଙ୍କର ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି।

ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ଏହି ଆଇକନିକ୍‌ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଂଜିନିଅରିଂ, ଆଇନ ପାଠ୍ୟକ୍ରମ ଏବଂ ସେନା ବାହିନୀରେ ଯୋଗଦେବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତାର କୋଚିଂ ବ୍ୟବସ୍ଥା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ ଲେଖାଏ, ସମୁଦାୟ ୧୦୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ।

୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ ଉପକ୍ରମ ସଂପର୍କରେ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହିତ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ କରାଯିବ। ଗୁଣାତ୍ମକ ଶିକ୍ଷା ସହିତ ଜଣେ ଟିମ୍‌ ଲିଡରଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ସଫଳତା ପାଇଁ ସହାୟତା କରିବେ।

ଏହି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଦର୍ଶ ବିଦ୍ୟାଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।