Categories
ଆଜିର ଖବର ରାଜ୍ୟ ଖବର

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି ଯେ, ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ରୁଦ୍ଧ କରାଯିବ। ଆଜକୁ ଦୀର୍ଘ ୧୩ ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ଭାରତବର୍ଷର ଅନ୍ନଦାତା ଏ ଆଇନକୁ ରୁଦ୍ଧ ବା ଆଇନର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ମୋଦି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ ଏ ଚେଲ୍ଲା କୁମାର ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାରତ ବର୍ଷର ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରୁଦ୍ଧ କରିବାର ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧି ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣି । ଏହି ବିଜୟ ଭାରତ ବର୍ଷର କୃଷକଙ୍କର ବିଜୟ, ଗଣତନ୍ତ୍ରର ବିଜୟ, ସତ୍ୟର ବିଜୟ ଓ ଅହଂକାରର ପରାଜୟ ବୋଲି ସେ କହିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଯେଉଁ ୭୦୦ ରୁ ଅଧିକ କୃଷକ ମୃତ୍ୟୁବରଣ କଲେ। ସେମାନଙ୍କ ପଛପଟୁରୁ ଗାଡ଼ି ଚଢ଼ାଇ ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ କେସ ଦାୟର ହୋଇଛି, ସେଥିପାଇଁ ନରେନ୍ଦ୍ର ମୋଦି ଦାୟୀ ରହିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ଆଜି ଯଦି ସରକାର ନିଷ୍ପତ୍ତି ନେଇପାରିଲେ ତାହାହେଲେ କାହଁକି କୃଷକମାନଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରାଯାଇଥିଲା। ଅହଂକାର ଓ ସଂଖ୍ୟାର କେବେ ଜୟ ହୋଇ ନାହିଁ, ଗଣତନ୍ତ୍ରର ଜୟହିଁ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଯଜ୍ଞେଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ରାଜରାସ୍ତା ଉପରେ ଅନ୍ନଦାତା: ଟୋକନ ଲାପ୍ସ ହେବାପରେ ଧାନ ବିକ୍ରି ନେଇ ଅନିଶ୍ଚିତତା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ଅନ୍ନଦାତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଥିବା ଜଣାପଡିଛି। ବାଧ୍ୟ ହୋଇ ଅନ୍ନଦାତା ଆଜି ରାଜରାସ୍ତାରେ ଧାନ ବସ୍ତା ସହ ଓହ୍ଲାଇଥିବା ଦେଖାଯାଇଛି। କଳାହାଣ୍ଡିରେ ପ୍ରତି ଖରିଫ ଓ ରବିରେ ମଣ୍ଡି ସମସ୍ୟା ର ସମାଧାନ ହୋଇପାରିନାହିଁ। ସରକାରଙ୍କ ଧାନକ୍ରୟ ନୀତି ବଦଳୁଥିଲେ ହେଁ ଚାଷିଙ୍କ ଧାନ ବିକ୍ରୀ ସମସ୍ୟା ସମାଧାନ ହୋଇପାରୁନାହିଁ।

ଚାଷିଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୀ କରିବା ପାଇଁ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଆପତି କରିଥିଲେ ହେଁ ସେସବୁ ସମସ୍ୟା ର ସମାଧାନ ହୋଇନପାରିବାରୁ ଶେଷରେ ବାଧ୍ୟ ହୋଇ ଚାଷି ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି। କୋକସରା ବ୍ଲକ ଅଂଚଳର କାଶୀବାହାଲ, ମୋଟେର, ଜୟପାଟଣା ବ୍ଲକର ବାନେର, ବିମଳା,ରଣମାଲ, ଭେଜିଗୁଡା, ବାଣ୍ଡିଗାଁ, ବଡଟେମରୀ ତଥା କଲମପୁର ବ୍ଲକ ଅଂଚଳର ବିଜମରା, ଦୁଲକିବନ୍ଧ ମଣ୍ଡି ଅଂଚଳର ଶତାଧିକ ଳ ଚାଷି ଶନିବାରଦିନ ମୋଟେର ଜୟପାଟଣା ରାସ୍ତା ଉପରେ ଧାନ ବସ୍ତା ସହ ଧାରଣା ଦେଇଥିଲେ। ଏହିସବୁ ମଣ୍ଡି ଗୁଡିକର ଚାଷୀମାନେ ସଂପୃକ୍ତ ମଣ୍ଡି ଗୁଡିକରେ ଧାନ ବିକ୍ରୀ କରିବା ପାଇଁ ନିର୍ଦ୍ଧାରିତ ଧାନକିଣା ସଂସ୍ଥା ଗୁଡିକରେ ଚାଷୀ ପଂଜିକରଣ କରାଇଥିଲେ। ତଦନୁସାରେ ଚାଷୀମାନେ ସଂପୃକ୍ତ ମଣ୍ଡିକୁ ଧାନ ନେଇଥିଲେହେଁ ସେମାନଙ୍କ ଧାନ ସବୁ ବିକ୍ରୀ ହୋଇନପାରି ଶେହରେ ସେମାନଙ୍କ ଟୋକନ ସବୁ ଲାପ୍ସ ହୋଇଯାଇଥିବା ହେତୁ ଧାନ ବିକି ପାରିନଥିବା ଚାଷିମାନେ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନାଧିକାରିଣୀ ରଶ୍ମିତା ପ୍ରଧାନ, ଧର୍ମଗଡ ଏଆରସିଏସ ଭୀକାରୀ ସେଠ, ଏସିଏସଓ ଖଗେଶ୍ୱର ପଣ୍ଡା ଚାଷି ମାନଙ୍କୁ ବୁଝାସୁଝା କରିଥିଲେହେଁ ଚାଷୀମାନେ ଲାପ୍ସ ହୋଇଥିବା ଟୋକନ ୱାପସ କରାଯାଇ ସେମାନଙ୍କ ଧାନ ବିକ୍ରି କରାଯିବା ବ୍ୟବସ୍ଥା କରିବାକୁ ଅଡିବସିଥିଲେ। ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଚାଷୀଙ୍କ ଧାନ ଉଠାଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେବାପରେ ଚାଷୀ ଧାରଣାରୁ ଉଠିଥିବା ଜଣାପଡିଛି।

ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଦେଖାଯାଉଥିବା ବେଳେ ପ୍ରଶାସନ ସେସବୁର ସମାଧାନ କରିପାରୁନଥିବା ଚାଷୀ ମହଲରେ ଆଲୋଚନା ହେଉଛି। ସମଗ୍ର କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୨ ଜଣ ମିଲର୍ସଙ୍କ ମର୍ଜିରେ ଧାନ କିଣା ବ୍ୟବସ୍ଥା ପରିଚାଲିତ ହେଉଥିବା ବେଳେ ପ୍ରାୟ ୫୮ହଜାର ଚାଷି ଶୋଷିତ ହୋଇଥାନ୍ତି ଏବଂ ପ୍ରଶାସନ କିଂକର୍ତବ୍ୟ ବିମୂଢଃ ହୋଇ ପଡୁଥିବା ଅଭିଯୋଗ ହେଉଛି। ସମସ୍ତ ପ୍ରକାର ସରକାରୀ ନିୟମ କାନୁନକୁ ଜଳାଂଜଳି ଦିଆଯାଇ ଚାଷୀଙ୍କ ଧାନକୁ ସିଧାସଳଖ ମଣ୍ଡିରେ ସଂଶ୍ଳିଷ୍ଟ ହୋଇଥିବା ରାଇସମିଲର୍ସଙ୍କ ପସନ୍ଦ ଅନୁସାରେ ଧାନ ଉଠାଣ କରାଯାଇଥାଏ ଏବଂ ସଂପୃକ୍ତ ଧାନକିଣା ସଂସ୍ଥା ପାକ୍ସ କିମ୍ବା ଏସଏଚଜି ରେ କେବଳ କାଗଜାତ ପ୍ରସ୍ତୃତ କରାଯାଇଥାଏ।

ଧାନ ବିକ୍ରିରୁ ଶତକଡା ଅଢେଇ ଟଙ୍କା କମିଶନ ପାଉଥିବା ଧାନକିଣା ସଂସ୍ଥା ମାନଙ୍କର କୌଣସି ଭିତିଭୂମି ନଥିବା ବେଳେ ଶତକଡା ଦୁଇ ଟଙ୍କା ମାର୍କେଟ ଫିଜ ନେଉଥିବା ଆରଏମସି ପକ୍ଷରୁ ଚାଷିଙ୍କୁ ଆବଶ୍ୟକୀୟ ସହେଯାଗ ଯୋଗାଇ ଦିଆଯାଉନାହିଁ କିମ୍ବା କୌଣସି ପ୍ରକାରେ ଚାଷୀ ସଚେତନତା କରାଯାଉନାହିଁ। ମଣ୍ଡି ମାନଙ୍କରେ ଚାଷୀ ଭିତିଭୂମି ଓ ଚାଷି ସଚେତନତା ଅଭାବରୁ ବାଧ୍ୟ ହୋଇ ପ୍ରଶାସନ ଜାଣତରେ ରାଇସ ମିଲର୍ସ ମାନେ ହିଁ ମଣ୍ଡିରେ ନିଜ ମର୍ଜିରେ ଧାନ ଉଠାଣ କରୁଥିବା ଅଭିଯୋଗ ହୋଇଥାଏ।

ଅନ୍ୟପକ୍ଷରେ ଯେଉଁସବୁ ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ ହୋଇଥାଏ ସେସବୁ ମଣ୍ଡି ମାନଙ୍କରେ ଅସାଧୁ ମିଲର୍ସ ଙ୍କ ଲାଭଖୋର ମନୋବୃତି ଯୋଗୁଁ ଚାଷିଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡୁଥିବା ଚାଷି ମହଲରେ ଅଭିଯୋଗ ହୋଇଥାଏ। ଧାନ ଉଠାଣ ପାଇଁ ଟ୍ରାନସପୋର୍ଟିଂ ବାହାନାରେ କେତେକ ମିଲର୍ସ ଙ୍କୁ ଶହେ ରୁ ଅଧରକ କିମି ଦୂରର ମଣ୍ଡି ରେ ସଂଲଗ୍ନ କରାଯାଉଥିବା ବେଳେ କେତେକଙ୍କୁ ୨ରୁ ୩ କିମି ଦୂରତା ମଧ୍ୟରେ ସୀମିତ କରାଯାଉଥିବା ଚାଷି ହଇରାଣର ଏକ ମୂଖ୍ୟ କାରଣ ବୋଲି ଚାଷି ନେତାମାନେ ପ୍ରକାଶ କରନ୍ତି।

ଅତୀତରେ ଏଭଲି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଅଦ୍ୟାବଧି ସେସବୁର ସମାଧାନ ହେଉନଥିବା ବେଳେ ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଉପରେ ସମସ୍ୟା ବଢିବାରେ ଲାଗୁଥିବା ଚାଷୀମହଲରେ ଅଭିଯୋଗ ହେଉଛି। ପାକ୍ସ ମାନଙ୍କରେ କିଛିଟା ଭିତିଭୂମି ବଢୁଥିବା ବେଳେ ଗତ ୨୦୧୮ ମସିହାରେ ସରକାର ମହିଳା ସଶକ୍ତିକରଣ ନାମରେ ଏସଏଚଜିଙ୍କୁ ଧାନକିଣା ଦାୟୀତ୍ୱ ଦେବାପରେ କମିଶନଟଙ୍କାର କୌଣସି ହିସାବ ରହୁନଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ରାଇସ ମିଲର୍ସ ଙ୍କ କବଜାରେ ଏସଏଚଜି ପରିଚାଲିତ ହେଉଥିବା ଏବଂ କମିଶନ ଟଙ୍କା ସିଧାସଳଖ ସେମାନଙ୍କ ପକେଟକୁ ଯାଉଥିବା ହେତୁ ଭିତିଭୂମି ବୃଦ୍ଧି କେବଳ ଦିବାସ୍ୱପ୍ନ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ଏଭଳି ଅନେକ ସମସ୍ୟାର ସମାଧାନ କରାଯାଉନଥିବା ବେଳେ ମାର୍କେଟଫିଜ ନେଉଥିବା ଆରଏମସି ଚାଷି ସଚେତନତା ପାଇଁ କୌଣସି ବ୍ୟବସ୍ଥା କରୁନଥିବା ମଧ୍ୟ ଅନ୍ୟ ଏକ ପ୍ରମୂଖ କାରଣ ବୋଲି ମଧ୍ୟ ଆଲୋଚନା ହେଉଛି। ସରକାର ଏସବୁ ଦିଗପ୍ରତି ଦୃଷ୍ଟି ଦେବାକୁ ଚାଷୀମହଲରେ ଦାବୀ ହେଉଛି।