Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି, ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଜାରି ରହୁଛି। ଏପରିକି ବିଭିନ୍ନ ଫାଷ୍ଟଫୁଡ ସେଣ୍ଟରରେ ବେଆଇନ ଭାବେ ମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ତେବେ ସେଠାରେ ଖାଦ୍ୟର ମାନ ତଦନ୍ତ କରିବା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଖାଦ୍ୟ ଓ ସୁରକ୍ଷା ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ।  ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ସଂପୃକ୍ତ ଖାଦ୍ୟ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଏପରିକି ଖାଦ୍ୟ ଓ ସୁରକ୍ଷା ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି।

ବିଭାଗ ର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି। ତେବେ ଏହାର ସମାଧାନ ପାଇଁ କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କେବଳ ବାଣପୁର ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପରିତାପର ବିଷୟ ସମ୍ପୃକ୍ତ ଅଧିକାରୀ ବାଣପୁର-ବାଲୁଗାଁ ଅଞ୍ଚଳରେ ନିୟମିତ ଏବଂ ରାତ୍ରିକାଳିନ ଚଢ଼ାଉ କରୁନାହାନ୍ତି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ବାରି ହେଉନାହିଁ।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏ ଦିଗରେ ଦୃଷ୍ଟିଦେବେ ଏବଂ ବାଲୁଗାଁ-ବାଣପୁର ଅଞ୍ଚଳରେ ନିୟମିତ ବ୍ୟବଧାନ ସହ ସନ୍ଧ୍ୟାକାଳୀନ ଚଢ଼ାଉ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।