Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତା ଯୁବତୀଙ୍କୁ ଉତ୍ତରପ୍ରଦେଶରୁ ଉଦ୍ଧାର କଲା ବାଣପୁର ପୋଲିସ: କିଛିଦିନ ତଳେ ଭାଇରଲ ହୋଇଥିଲା ଭିଡିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ନିଖୋଜ ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଉତ୍ତରପ୍ରଦେଶର ଆଲ୍ଲାହାବାଦ ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି। ଏ ନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ତଳେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ବାଣପୁର ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଏବଂ ଖୋର୍ଦ୍ଧା ସାଇବର ସେଲର କର୍ମଚାରୀମାନେ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ। ଅତି ଚତୁରତାର ସହ ସେମାନେ ଆଲ୍ଲାହାବାଦରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରି ବାଣପୁର ଥାନାରେ ହାଜର କରିଥିଲେ।

ଗିରଫ ଯୁବକଙ୍କ ନାମ ଅବିନାଶ ସିଂ ବୋଲି ଜଣାପଡିଛି। ସେ ଜନୈକା ଯୁବତୀଙ୍କୁ ଫେସବୁକ ଜରିଆରେ ହିମାଚଳ ପ୍ରଦେଶରେ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶ ଡ଼କାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରୀ ଦେବା ପରିବର୍ତ୍ତେ ନାନା ପ୍ରକାର ନିର୍ଯ୍ୟାତନା ଦେଇଥିଲେ।

ଆଜି ଅବିନାଶଙ୍କୁ ବାଣପୁର କୋର୍ଟ ଚାଲାଣ କରାଯାଇଛି। ତେବେ ଯୁବତୀଙ୍କ ମା ଚଳିତ ମାସ ୮ ତାରିଖରେ ଆଉ ଏକ ଲିଖିତ ଅଭିଯୋଗ ବାଣପୁର ଥାନାରେ କରିଛନ୍ତି ଯାହାର ତଦନ୍ତ ଜାରିରହିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ଉଲ୍ଲେଖଯୋଗ୍ୟ ଯେ ବାଣପୁରରୁ ଜନୈକ ଯୁବତୀ ଦୁଇ ମାସ ହେଲା ନିଖୋଜ ଥିଲେ ଏବଂ ଏ ନେଇ ତାଙ୍କ ପରିବାର ପକ୍ଷରୁ ଫେବୃଆରୀ ୨ ତାରିଖରେ ଏକ ନିଖୋଜ ଏତଲା ବାଣପୁର ଥାନାରେ ରୁଜୁ କରାଯାଇଥିଲା। ତେବେ ଗତ ୩-୪ ଦିନ ତଳେ ଯୁବତୀଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା। ଯେଉଁଥିରେ ସେ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ କାନ୍ଦି କାନ୍ଦି କହୁଥିବାର ଦେଖିବାକୁ ମିଳିଥିଲା।

ତେବେ ଏହାକୁ ଖୋର୍ଦ୍ଧା ଏସପି ଗୁରୁତର ସହ ନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।