Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହା ଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମ୍ୟାନେଜମେଂଟ ଏବଂ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା ଦ୍ୱାରା କୁଶଳୀ ମାନବ ସମ୍ବଳ ସୃଷ୍ଟି ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସୋଆ ଅଡିଟୋରିୟମ୍‌ରେ ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଅବସରରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଉତ୍ସବରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଟିପିଆଇର ଡାଇରେକ୍ଟର ଜେନେରାଲ୍ ଅରବିନ୍ଦ କୁମାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ୫ ଜି ଲ୍ୟାବ୍ ସମ୍ପର୍କିତ ବୁଝାମଣା ପତ୍ରଟି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ ଜେପିଏଲ୍‌ର ସଭାପତି ଡକ୍ଟର ରବି.ପି. ଗାନ୍ଧୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ନେଇ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ଏବଂ ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାମ କରିବେ। ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ। ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି।
ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ଶ୍ରୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ।
ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବ ଏବଂ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ଦିଗରେ ସମସ୍ତ ସହଯୋଗ କରାଯିବ।

ସେହିପରି ସୋଆ ଏବଂ ଏସ୍‌ଟିପିଆଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଦୁଇଟି ଅନୁଷ୍ଠାନ ମିଳିତ ଭାବେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ସହ ଇନ୍‌ଟର୍ଣ୍ଣସିପ୍‌, ପ୍ଲେସ୍‌ମେଂଟ୍ସ, ଫିଲ୍ଡ ଭିଜିଟ୍ ମିଳିତ କାର୍ଯ୍ୟକ୍ରମ, ପ୍ରକଳ୍ପ ଏବଂ କନସଲ୍‌ଟାନି୍ସ କ୍ଷେତ୍ରରେ ଏହି ବୁଝାମଣା ସାହାଯ୍ୟ କରିବ।