ହେମାଙ୍ଗ ପ୍ରସାଦ ରାଉଳ
ଭୁବନେଶର/ବ୍ରହ୍ମପୁର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ଦିନଟି ଥିଲା ୨୦ ଫେବୃୟାରୀ ୨୦୧୪ ତାରିଖ। ଏଇ ଦିନ ଓଡ଼ିଶା କେତେ ଆଡ଼ମ୍ବର ସହ ବାଣଫୁଟାଇ ଢ଼ୋଲ ବଜାଇ ନାଚୁଥିଲା। ଆଲୋକମାଳା ଆତସବାଜିରେ ଝଲସି ଉଠୁଥିଲା ସରକାରୀ ବଡ଼ ବଡ଼ କୋଠା ଏବଂ ଲୋକସେବା ଭବନ। କିନ୍ତୁ ଆଜି ସତରେ ଓଡ଼ିଆ ଭାଷା ପ୍ରତି ସମ୍ମାନ, ଆଦର, ଶ୍ରଦ୍ଧା ଓ ସୌହାର୍ଦ୍ଧ୍ୟ କେତେ ? ତାହା ମଧ୍ୟ ଅନୁଶୀଳନୀୟ।
ରାଜ୍ୟ ସରକାରଙ୍କ ଅପାରଗତାର ଆଉ ଏକ ପ୍ରମାଣ ସରକାରୀ କାର୍ଯ୍ୟରେ ବ୍ୟବହୃତ ପତ୍ର ଚିଠି ଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟତା। ପଶ୍ଚିମ ଇଂରାଜୀ ଭରଷା ପ୍ରେମରେ ଓଡ଼ିଶାର ଶାସନ। ଏଇ ପ୍ରେମର ମୋହ ଭାଙ୍ଗିବ କେବେ ବୋଲି ଭାଷାପ୍ରେମୀମାନଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବହୁ ଦିନର ସଂଗ୍ରାମ, ତଥ୍ୟଭିତ୍ତିକ ତର୍କବିତର୍କ ପରେ ଓଡ଼ିଶାର ଓଡ଼ିଆ ଭାଷା ବିଶ୍ୱର ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଭାରତରେ ୭ମ ସ୍ଥାନ ଏବଂ ବିଶ୍ୱରେ ୩୭ତମ ସ୍ଥାନ ଦାଖଲ କରିଥିବା ପ୍ରାଚୀନ ଭାଷା ଓଡ଼ିଆକୁ ଉଚିତ ସମ୍ମାନ ଦେବା ପାଇଁ ଓଡ଼ିଶା ଶାସନକଳ ଦୁର୍ବଳ କାହିଁକି? ଘୋଷଣା କରାଯାଏ ଭାଷାର ବ୍ୟବହାର କରିବା ପାଇଁ କିନ୍ତୁ ତା’ର ବ୍ୟବସ୍ଥାକୁ ଏମାନେ ହିଁ ଭାଙ୍ଗିଦିଅନ୍ତି।
ଓଡ଼ିଶାର ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ଏକଦା ୮୪୫ ଦିନ ଧରି ସାରା ଓଡ଼ିଶାରେ ନୀରବ କଳାପତାକା ପଦଯାତ୍ରା ଚାଲିଥିଲା ଏବଂ ଓଡ଼ିଶା ସରକାର ଏହି ଆନ୍ଦୋଳନରେ ପ୍ରଭାବିତ ହୋଇ ଦାବି ମଧ୍ୟ ମାନିନେଲେ। ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଓଡ଼ିଆ ଭାଷାରେ ଶାସନ ପାଇଁ ନିର୍ଦ୍ଦେଶନାମା ମଧ୍ୟ ସରକାର ଜାରି କଲେ। ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ସମ୍ମାନ ଏବଂ ଯିଏ ଭାଷା ଆଇନକୁ ଖିଲାପ କରିବ ତା’ ପ୍ରତି ଦଣ୍ଡ ମଧ୍ୟ ବିଧାନ କରାଯିବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏସବୁ କେବଳ ଆଜି ପ୍ରହସନ ପରି ମନେହୁଏ।
ବ୍ରହ୍ମପୁର ସହରରେ ଓଡ଼ିଶାର ଭାଷା ଆନ୍ଦୋଳନ ଏକ ପ୍ରଭାବଶାଳୀ ଆନ୍ଦୋଳନ ଥିଲା। ଜଣେ ଡ଼ାକ୍ତର ଭାଷାପ୍ରେମର ନିଖୁଲ ସଂଦେଶ ଦେଇ ଓଡ଼ିଶା ଶାସନକୁ ଚେତାଇଥିଲେ। ନୀରବ କଳା ପତାକା ପଦଯାତ୍ରା ମାଧ୍ୟମରେ ଗଂଜାମ ଜିଲ୍ଲାରୁ ଡା. ସାଗର ରଂଜନ ତ୍ରିପାଠୀ ନିଜ କାନ୍ଧରେ ଭାଷା ଆନ୍ଦୋଳନର ଭାର ବହନ କରି ରାଜ୍ୟ ଶାସନ ସମ୍ମୁଖରେ ଏକ ପ୍ରଭାବଶାଳୀ ସଂଦେଶ ଦେଇଥିଲେ। ଯାହାକି ସାରା ଓଡ଼ିଶାର ଭାଷାପ୍ରେମୀଙ୍କ ପାଇଁ ଏକ ନୂଆଖବର ଥିଲା ଯେ ଜଣେ ଡ଼ାକ୍ତର ଭାଷାପ୍ରେମର ଜାଲରେ।
ଓଡ଼ିଶାର ଭୁବନେଶ୍ୱର, ଯାଜପୁର, ସମ୍ବଲପୁରରେ ଭାଷା ଆନ୍ଦୋଳନର ସ୍ୱର ଶାଣିତ ଥିଲା। ଏସବୁ ଭାଷା ଜନନୀର ସୁରକ୍ଷା। କିନ୍ତୁ ବଡ଼ ବିଡ଼ମ୍ବନା କାହିଁକି? ଭାଷା ଆଇନ ଓ ଦଣ୍ଡ ? ମାଳ ମାଳ ଇଂରାଜୀ ନାମଫଳକ ସରକାରୀ ଦପ୍ତରରେ ଏବଂ ବିଜ୍ଞାପନରେ ଦେଖୁଥିବା ଭାଷାପ୍ରେମୀଙ୍କୁ ସରକାର ଆଘାତ ଦେଇ ଚାଲିଛନ୍ତି। ଶାସ୍ତ୍ରୀୟ ଭାଷା ଓଡ଼ିଆ ହେଲା, ଭାଷା ଆଇନ ମାଧ୍ୟମରେ ଭାଷା ଖିଲାପ କଲେ ଦଣ୍ଡ ଓ ଭାଷାକୁ ଆଦର କଲେ ସମ୍ମାନ ଦେବା ପାଇଁ ସରକାରୀ ଘୋଷଣା ସବୁ ଧୂଆଁବାଣ। ସରକାରୀ ଆଇନ ହେବା ପରେ କାର୍ଯ୍ୟକାରିତା ହୁଏ ନାହିଁ କାହିଁକି, ଏସବୁ ଭାଷାପ୍ରେମୀଙ୍କ ପ୍ରତି ପ୍ରତାରଣା ନୁହଁକି ବୋଲି ଆଜି ପ୍ରଶ୍ନ ଉଠୁଛି।