ସୀତାରାମ ଅଗ୍ରୱାଲ
ବାଣପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଚଳନ୍ତି ପ୍ରତିମା ମା’ ବିରଜାଈ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ମଧ୍ୟରେ ନୀଳାଦ୍ରି ପ୍ରସାଦରେ କେଉଁ ଆଦିମ କାଳରୁ ପୂଜା ପାଉଛନ୍ତି। କିନ୍ତୁ ଏବେ ଏହି ସ୍ଥାନ ଅବହେଳିତ ଅବସ୍ଥାରେ ପଡି ରହିଛି। ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ମନ୍ଦିର।
ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ସର୍ବ ପ୍ରାଚୀନ ସାଂସ୍କୃତିକ ଓ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ସହର। ସାରା ରାଜ୍ୟରେ ସୁପରିଚିତ ଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ମା’ ଭଗବତୀ ମନ୍ଦିର। କିନ୍ତୁ ଏହି ମନ୍ଦିର ଠାରୁ ଆହୁରି ପ୍ରାଚୀନ ତଥା ମା’ ଭଗବତୀଙ୍କ ବଡ଼ ଭଉଣୀ ହେଉଛନ୍ତି ମା’ ବିରଜାଈ। ମା’ ବିରଜାଈଙ୍କ ସମ୍ପର୍କରେ ଇତିହାସ ରହିଛି।
ବାଣପୁରର ପ୍ରଥମ ରାଜା ଯଦୁରାଜ ମାନସିହଂ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଯାଜପୁର ସ୍ଥିତ ମା’ ବିରଜା ଓ ବାଣପୁର ସ୍ଥିତ ମା’ ବିରଜାଈଙ୍କ ମଧ୍ୟରେ ସମସ୍ତଙ୍କୁ ଆଚମ୍ବିତ କଲାପରି ଏକ ସୁନ୍ଦର ଲୋକ କଥା ରହିଛି। ଯାଜପୁର ଅଞ୍ଚଳର ରାଜାଙ୍କୁ ମାରିବା ପାଇଁ ଏକ ଉଆଁସ ଷଡଯନ୍ତ୍ର କରାଯାଇଥିଲା। ସେହି ସମୟରେ ରାଜା ଯଦୁରାଜ ମାନସିହଂଙ୍କୁ ମା’ ବିରଜା ସ୍ଵପ୍ନାଦେଶ ହୋଇ କହିଲେ, ଆଜି ରାତିରେ ତୁ ମୋର ବିଜେ ପ୍ରତିମାକୁ ନେଇ ତୁରନ୍ତ ଏହି ସ୍ଥାନ ଛାଡି ଅନ୍ୟତ୍ର ପଳାଇଯା। ଆଉ ଯେଉଁଠି ସକାଳ ପାଇବ ସେଠାରେ ମୋତେ ସ୍ଥାପନ କରିଦେବୁ। ମା’ ଙ୍କ ସ୍ଵପ୍ନାଦେଶ ଅନୁଯାୟୀ, ରାଜା ବିଜେ ପ୍ରତିମା ଧରି ଦକ୍ଷିଣ ଦିଗକୁ ପଳାଇ ଆସିଥିଲେ। ବାଣପୁର ନୀଳାଦ୍ରି ଅଞ୍ଚଳରେ ସକାଳ ପାଇ ଯିବାରୁ ରାଜା ସେଠାରେ ମା’ଙ୍କୁ ସ୍ଥାପନା କରାଇଥିଲେ। ସେଠାକାର କନ୍ଧ ଆଦିବାସୀ ସମ୍ପ୍ରଦାୟ ଲୋକ ମାନେ ଯଦୁରାଜ ମାନସିହଂ ରାଜାଙ୍କୁ ସେଠାର ରାଜା ଭାବରେ ଗ୍ରହଣ କରିନେଲେ। ସେହି ଦିନ ଠାରୁ ଏଠାରେ ମା’ ବିରଜାଈ ପୂଜା ପାଇ ଆସୁଛନ୍ତି ବୋଲି ସ୍ଥାନୀୟ ଐତିହାସିକ ଡକ୍ଟର ସତ୍ୟ ଷଡ଼ଙ୍ଗୀ କୁହନ୍ତି।
ମା’ ବିରଜାଈଙ୍କ ସହ ମା’ ଭଗବତୀଙ୍କର ରହିଛି ମିଳିତ ପାରମ୍ପରିକ ରୀତିନୀତି। ମା’ ବିରଜାଈଙ୍କୁ ମା’ ଭଗବତୀଙ୍କ ବଡ ଭଉଣୀ ବୋଲି କୁହାଯାଏ। ମହାଳୟା ଅମବାସ୍ୟା ଦିନ ମା’ ବିରଜାଈ ଓ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ବିରାଟ ପଟୁଆରରେ ଦୁଇ ଭଉଣୀଙ୍କର ଭେଟ ହୁଅନ୍ତି। ମହାଳୟା ଅମବାସ୍ୟାକୁ ଭେଟ ଅମାବାସ୍ୟା ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଏହା ବାଣପୁରର ସ୍ଵତନ୍ତ୍ରତା। ଆଉ କେଉଁଠାରେ ଏଭଳି ଭେଟ ଅମାବାସ୍ୟା କଥା ଶୁଣିବାକୁ ମିଳେନି।
ଆମ ପିଢ଼ି ପରେ ପିଢ଼ି ମା’ ବିରଜାଈଙ୍କର ସେବା କରି ଆସୁଛୁ। ମା’ ଙ୍କର ମୁଖ୍ୟ ପର୍ବ ମକର ସଂକ୍ରାନ୍ତିରେ ମକର ମେଳା। ତାହା ସହ ଦଶହରା ଓ ଦୀପାବଳୀ। ମା’ ଙ୍କର ସକାଳେ ରାଶିତେଲ, ହଳଦୀ ଓ ସିନ୍ଦୁରରେ ମାଜଣା କରାଯାଇ ପଣା ପୂଜା ହୁଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ ବୋଲି ମା’ ଙ୍କ ପୂଜକ ସୁର ପରିଛା କହିଛନ୍ତି।
ରାଜ୍ୟ ଓ ରାଜ୍ୟ ବାହାରୁ ବାଣପୁରକୁ ଭକ୍ତ ଓ ପର୍ଯ୍ୟଟକ ବର୍ଷ ତମାମ ଆସନ୍ତି। କିନ୍ତୁ ଏତେ ଉଚ୍ଚ କୋଟିର ଐତିହାସିକ ମା’ ବିରଜାଈଙ୍କ ପୀଠ ଥିଲେ ସୁଦ୍ଧା ତାର ପ୍ରଚାର ପ୍ରସାର ହୋଇପାରିନାହିଁ । ମନ୍ଦିର ପ୍ରବେଶ ପଥରେ ସରକାରୀ ନାମ ଫଳକ ଟିଏ ବି ନାହିଁ। ପିଇବା ପାଣି, ଯାତ୍ରୀଙ୍କ ଶୌଚାଳୟ ନଥିବାରୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ମାନେ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି। ତାହା ସହ ମନ୍ଦିର ଚର୍ତୁପାର୍ଶ୍ୱ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏଣୁ ମା’ଙ୍କ ପୀଠ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ ହେଉ ବୋଲି ସରକାରଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ନିବେଦନ କରିଛନ୍ତି।