Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ରବି ଜାତୀୟ ଫସଲରେ ଯେ ଭଳି ଭାବରେ ବିପିଏଚ୍ ଓ ଗଣ୍ଠି ପୋକ ପରି ଅନେକ ରୋଗ ପୋକରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପିଆଜର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଏବେ ପିଆଜ ଚାଷୀ। ପିଆଜର ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣର ଅଭାବ ହେତୁ ଶାଗମାଛ ଦରରେ ପିଆଜ କୁ ଦଲାଲ ଙ୍କ ହାତ କୁ ଟେକି ଦଉଛନ୍ତି ପିଆଜ ଚାଷୀ।

ବର୍ତ୍ତମାନ ଓଡିଶାରେ ପିଆଜ ଚାଷ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ତାର ସ୍ୱତନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ, ଧର୍ମଗଡ ବ୍ଲକ, ଜୁନାଗଡ ବ୍ଲକ ଓ କୋକସରା ବ୍ଲକର ପ୍ରାୟ ୭୦ ଭାଗ ଚାଷୀ, ପିଆଜ ଚାଷ ଉପରେ ନିର୍ଭର କରନ୍ତି। ଏବେ କିନ୍ତୁ ପିଆଜ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ରହିଥିବା ଏହି ଜିଲ୍ଲାରେ ବର୍ତ୍ତମାନ ପିଆଜ ସଂରକ୍ଷଣ ର କୌଣସି ବ୍ୟବସ୍ଥା ନଥିବା ହେତୁ ୫୦ କେ,ଜି ଓଜନର ପିଆଜ ବସ୍ତା କୁ, ୩୫୦ ରୁ ୪୦୦ ଟଙ୍କାରେ ଦଲାଲଙ୍କ ପାଖରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି।

ବିଗତ ଦିନ ମାନଙ୍କରେ ପ୍ରାକୃତିକ ବିପର୍ଯୟ ତଥା ଦୈବୀ ଦୁର୍ବିପାକ, ଓ କାଳ ବୈଶାଖୀ ପରି ଝଡ ବର୍ଷା ଯୋଗୁଁ କ୍ଷତି ସହି ଆସୁଥିବା ପିଆଜ ଚାଷୀ ଙ୍କ ଏବେ ଭଲ ଅମଳ ହୋଥିବା ଯୋଗୁଁ, ଚଳିତ ବର୍ଷ ଠିକ ଦରରେ ପିଆଜ ବିକ୍ରି କରି ପରିବାର ପ୍ରତିପୋଷଣ ପାଇଁ ଆଶା ବାନ୍ଧି ରହିଥିବା ବେଳେ, ଶୀତଳ ଭଣ୍ଡାର ଅଭାବ ହେତୁ ପୁଣି ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ଚାଷୀ। ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ସ୍ତରରେ ୨୫୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ବେଳେ ପ୍ରାୟ ୧୦ହଜାର କୁଇଣ୍ଟାଲ ପିଆଜ ଅମଳ ହେବାର ଆଶା ରଖା ଯାଇଥିବା ସହିତ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଧର୍ମଗଡ କୃଷି ଉଦ୍ୟାନ ଉପ ନିର୍ଦ୍ଧେଶକ ସମ୍ବିତ କାଲୋ ପ୍ରକାଶ କରିଛନ୍ତି। କିନ୍ତୁ ଜିଲ୍ଲାରେ ପିଆଜ ସଂରକ୍ଷଣ ପାଇଁ କୌଣସି ଶୀତଳ ଭଣ୍ଡାରର ବ୍ୟବସ୍ତା ନ ଥିବା ହେତୁ ଚାଷି ନାହିଁ ନ ଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି।

ଜାତୀୟ ଉଦ୍ୟାନ ମିଶନ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରି ପିଆଜ ଶୀତଳ ଭଣ୍ଡାର ତିଆରି କରୁଥିବା ସରକାର ଡିଡିମ୍ବ ପିଟୁଥିବା ବେଳେ, ପ୍ରକୃତ ଚାଷୀ ଏହି ଯୋଜନାରୁ ଲାଭ ଉଠାଇ ପାରୁନାହାନ୍ତି। ପିଆଜ ଚାଷୀ ମାନଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ସାଧାରଣ ରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଧାନକିଣାରେ ଅବ୍ୟବସ୍ଥା : ଅଭାବୀ ବିକ୍ରୀର ଶିକାର ହେଉଛି ଚାଷୀ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କୃଷିଜାତ ପଦାର୍ଥର ମାର୍କେଟିଂ ସୁବିଧା ନଥିବାରୁ ଧାନ, ମୁଗ, ଚିନାବାଦାମ୍‌, ଲଙ୍କାମରିଚ ଓ ପନିପରିବା ଆଦି ଫସଲର ଅଭାବି ବିକ୍ରୀ ଯୋଗୁଁ ଗଂଜାମ ଜିଲ୍ଲାର ଚାଷୀ ପ୍ରତିବର୍ଷ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ସହୁଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର କିମ୍ବା ମାର୍କେଟିଂ ୟାର୍ଡ଼ର କୌଣସି ସୁବିଧା କରାଯାଇନାହିଁ । ପୁଣି ପ୍ରତି ୨ ବର୍ଷକୁ ଥରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷର କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହୋଇ ଚାଷୀ ଚାଷ କାମ ଛାଡ଼ି ପେଟପାଟଣା ପାଇଁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳସେଚନର ସୁବିଧା ନାହିଁ କି ମାର୍କେଟିଂର ସୁବିଧା ନାହିଁ। କେବଳ କାଳିଆ/ବଳିଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଚାଷୀଙ୍କ ପ୍ରକୃତ ବିକାଶ ପ୍ରତି କେହି ହେଲେ ଦୃଷ୍ଟି ଦେଉନାହାନ୍ତି।

ପ୍ରତିବର୍ଷ ଜିଲ୍ଲାରେ ଧାନ କିଣାରେ ଅଭାବ ବିକ୍ରୀର ଚାଷୀ ଶିକାର ହେଉଛି। ଚଳିତବର୍ଷ ୧ ଲକ୍ଷ ୩୪ ହଜାର ଚାଷୀଙ୍କର ଧାନ କିଣିବା ପାଇଁ ପଂଜିକରଣ ହୋଇଥିବାବେଳେ ୨ ମାସରେ କେବଳ ୬୫ ହଜାର ଚାଷୀଙ୍କ ଧାନ କିଣାଯାଇଛି । ଆଗକୁ ୬୯ ହଜାରରୁ ଅଧିକ ଗରିବ ଓ ଛୋଟ ଚାଷୀ ଧାନ ବିକିବା ପାଇଁ ବିଡ଼ିଓଠାରୁ ଯୋଗାଣ ବିଭାଗ, ସମବାୟ ଓ ଜିଲ୍ଲାପାଳ ଅଫିସ୍ ଧାଇଁ ଧାଇଁ ହତାଶ ହେଉଛନ୍ତି। ଟୋକେନ୍ ଆସିଲେ ଧାନ କିଣା ଯିବ ବୋଲି କହି ଫେରାଇ ଦେଇଛନ୍ତି ।

ପ୍ରଥମେ ଗରିବ  ଛୋଟ ଚାଷୀ ମାନଙ୍କର ଧାନ କିଣିବା ନିୟମ ଥିଲେ ସୁଦ୍ଧା ଅଧିକାଂଶ ସମବାୟ, ସଂପାଦକ ମାନେ ତାଙ୍କ ବନ୍ଧୁବାନ୍ଧବ ଓ ଧନୀ ପ୍ରଭାବଶାଳୀ ଚାଷୀଙ୍କର ଧାନ କିଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ଫଳରେ ଗରିବ ଚାଷୀ ହତାଶ ହେଉଛି । ଟୋକେନ୍ ଆସିବାରେ ବହୁ ବିଳମ୍ବ ହେଉଛି, ପୁଣି ୫ ଦିନ ପରେ ଧାନ ନ କିଣିଲେ ଟୋକେନ୍ ଅବଧି ସରିଯାଉଛି ଫଳରେ ଚାଷୀ ମାନେ ସମବାୟ ଅଫିସ୍‌କୁ ଧାଇଁ ଧାଇଁ ହତାଶ ହେଉଛନ୍ତି । ଜିଲ୍ଲା ପାଇଁ ୧.୩୪ ଲକ୍ଷ ଚାଷୀଙ୍କର ଧାନ କିଣିବା ପାଇଁ ୮୦ ହଜାର କୁଇଣ୍ଟାଲ ଟାର୍ଗେଟ ଦରକାର ହେଉଥିବାବେଳେ ବର୍ତ୍ତମାନକୁ ଧାନ କିଣିବା ପାଇଁ ୪୨ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆସିଛି । ଧାନ ଅମଳ ହେବାର ଅଢ଼େଇ ମାସ ହେଲାଣି । ଅଦିନିଆ ବର୍ଷା, ମୁଷା, ବାର୍‌ହା. ଷଣ୍ଢ ଆଦି ଅମଲ ଧାନକୁ ନଷ୍ଟ କରୁଛନ୍ତି। କେତେକ ସୋସାଇଟି ଅଣ-ଚାଷୀଙ୍କ ନାମରେ ଧାନ କିଣି ଦୁର୍ନୀତି କରୁଛନ୍ତି, ଜିଲ୍ଲାର କେତେକ ବ୍ଳକ୍‌ର ମଣ୍ଡିରେ ମଧ୍ୟ କ୍ୱିଣ୍ଟାଲ୍ ପିଛା ୫ କେଜି ଅଧିକା ଧାନ ନେବା ସଂଗେ ସଂଗେ ଅଖା ଓ ଗାଡ଼ିଭଡ଼ା ମଧ୍ୟ ଚାଷୀଙ୍କୁ ଦେବାକୁ ପଡ଼ୁଛି ।

ଜିଲ୍ଲାପାଳ ଦୁର୍ନୀତିଗସ୍ତ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ନୀରବ ରହୁଛନ୍ତି। ବିଲେଇ ହାତରେ ମାଛ କଳେଉଛନ୍ତି, ଏପଟେ ସାଇକେଲ୍‌ରେ ବୁଲି ପଲିଥିନ ଧରୁଛନ୍ତି । ଦୁର୍ନୀତିଗସ୍ତ ଯୋଗାଣ, ସମବାୟ କର୍ମଚାରୀ ଅସାଧୁ ମିଲର ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଗଂଜାମ ଚାଷୀ ପ୍ରତି ବର୍ଷ ୨୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଏଣୁ ପଂଜିକୃତ ସମସ୍ତ ଚାଷୀଙ୍କର ଧାନ ବିନା ଟୋକେନ୍‌ରେ ତୁରନ୍ତ ନ କିଣିଲେ ମହାସଭା ତରଫରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଜିଲ୍ଲାପାଳ, ଯୋଗାଣ କମିଶନର, ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏ ସଂପର୍କରେ ବାରମ୍ବାର ଦାବି କରିବା ପରେ ଯୋଗାଣ ଓ ସମବାୟ ମନ୍ତ୍ରୀ ଋଷିକୂଲ୍ୟା ରୟତ ମହାସଭାର ସଂପାଦକଙ୍କ ଉପସ୍ଥିତିରେ ଧାନ କିଣା ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଗତ ୬ ତାରିଖରେ ଯୋଗାଣମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଜିଲ୍ଲାପାଳ ସମୀକ୍ଷା ନ କରି ପଲିଥିନ ଧରପଗଡ଼ରେ ବ୍ୟସ୍ତ ରହୁଛନ୍ତି । ଗଂଜାମ ଜିଲ୍ଲାରେ ମୋ ସରକାର ଓ ୫-ଟି କାଟୁ କରୁନାହିଁ । ସବୁ ପଂଜିକୃତ ଚାଷୀଙ୍କର ଧାନ କିଣିବା ପାଇଁ ମହାସଭା ତରଫରୁ ଦାବି ହେଉଛି । ଜିଲ୍ଲାର ୩ ଲକ୍ଷ ଚାଷୀ ଓ ଦୁଇଲକ୍ଷରୁ ଅଧିକ ଭାଗ ଚାଷୀ ଥିବାବେଳେ କେବଳ ୧ ଲକ୍ଷ ୩୪ହଜାର ଚାଷୀଙ୍କ ନାମ ପଂଜିକୃତ ହୋଇଛି । ସେଥିମଧ୍ୟରୁ ମାତ୍ର ୩୦ ଭାଗ ଚାଷୀଙ୍କ ଧାନ ସରକାର କିଣୁଥିବାବେଳେ ବଳକା ଧାନ ୫୦୦ ଟଙ୍କାରୁ କମ୍‌ରେ ଆନ୍ଧ୍ରକୁ ଯାଉଥବା ସଭାପତି ତ୍ରିନାଥ ବିଶ୍ୱାଳ ଓ ସଂପାଦକ ସୀମାଞ୍ଚଳ ନାହାକ ଜଣାଇଛନ୍ତି ।