Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ “ଆଶିର୍ବାଦ” ଯୋଜନାରେ ମିଳିଲା ଆର୍ଥିକ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀ ସମୟରେ ପିତାମାତା କିମ୍ବା ପରିବାରର ମୁଖ୍ୟ ଆୟକାରୀ ଅଭିଭାବକଙ୍କ ମୃତ୍ୟୁ ହୋଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆଶିର୍ବାଦ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗତ ୧.୪.୨୦୨୦ ମସିହା ଠାରୁ ପିତାମାତା ଉଭୟ କିମ୍ବା ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ସରକାର ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପିତମାତା ଦୁଇଜଣଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଏବଂ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ଯାହାକି ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ପିଲାମାନଙ୍କ କ୍ଷେତ୍ରରେ ମାସିକ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଜୁଲାଇ ମାସରେ ମୋଟ୍ ୫୪ଜଣ ପିଲାଙ୍କୁ ପ୍ରଥମଥର ଆଶିର୍ବାଦ ଯୋଜନାରେ ସାମିଲ୍ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ଜଗତସିଂହପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୫ଜଣ, କୁଜଙ୍ଗ ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୧୧ଜଣ, ଏରସମା ବ୍ଲକରୁ ୩ଜଣ, ନାଉଗାଁ ବ୍ଲକରୁ ୪ଜଣ ଏବଂ ରଘୁନାଥପୁର ବ୍ଲକରୁ ୮ଜଣ ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲାପାଳ ଏହି ଯୋଜନାର ସମୀକ୍ଷା କରି ସି.ଡି.ପି.ଓ ଓ ଡି.ସି.ପି.ଓ ସମସ୍ତ କର୍ମଚାରୀଙ୍କୁ ଏହି ଯୋଜନାକୁ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦ୍ୟାବଧି ଜିଲ୍ଲାରେ ମୋଟ୍ ୫୧୬ଜଣ ପିଲାଙ୍କୁ ଏହି ଯୋଜନାରେ ସାମିଲ୍ କରିବା ପାଇଁ ଚିହ୍ନଟ କରାଯାଇଛି।

ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇ ବିଧିବଦ୍ଧ ତଦନ୍ତ ପୂର୍ବକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଗାମୀ ଦିନରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।