Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଅଭିଯୁକ୍ତ ରାଜା ନାୟକ (୧୯) ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ୩୨୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି କୌଣସି ସୂତ୍ରରୁ କେଶପୁର ଗ୍ରାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରେ ଉଭୟ ଉପସ୍ଥିତ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା।  ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ତେବେ ନାବାଳିକାଙ୍କ ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ ସମେତ ଦୁଷ୍କର୍ମ ଦଫା ମଧ୍ୟ ଲଗାଇଛି। ଆଜି ନାବାଳିକାଙ୍କ ଡାକ୍ତରମାଇନା କରାଯାଇ ଖୋର୍ଦ୍ଧା ସ୍ଵଧାର ଗୃହକୁ ପୋଲିସ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଆସନ୍ତା କାଲି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରେ ପଶି କାର ଚୋରି କରିବା ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଅଞ୍ଚଳରେ ଘରେ ପଶି କାର ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଦୀପକ ତ୍ରିପାଠୀ।

ସୂଚନା ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଚମ୍ପାଗଡ଼ ଅଞ୍ଚଳର ସୁକାନ୍ତ ଦାସ ଘରେ ଶୋଇଥିବା ବେଳେ ଦୀପକ ତାଙ୍କ ଘରେ ପଶି ଏକ ମାରୁତି ଅଲ୍ଟୋ କାର ଚୋରି କରି ନେଇଯାଇଥିଲେ। ଏହା ଜାଣିପାରି ସଙ୍ଗେ ସଙ୍ଗେ ସୁକାନ୍ତ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ସୂଚନା ଦେଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ଆଇଆଇସି ଶ୍ରୀ ଦାସ ସଙ୍ଗେ ସଙ୍ଗେ ନାଇଟ ପେଟ୍ରୋଲିଙ୍ଗ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କୁ ପିଛା କରିବା ସହ ତାଙ୍କୁ କାବୁ କରିନେଇଥିଲେ।  ତେବେ ଚୋରା ଗାଡିଟି ତାଙ୍କ ନିକଟରୁ ଉଦ୍ଧାର କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୫୯/୨୧ ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ଦାସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ପାନ ଦୋକନ ପଛପଟୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୋକାନୀ ଗିରଫ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସକୁ ମିଳିଛି ସଫଳତା। ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ଜଣେ ପାନ ଦୋକାନୀଙ୍କୁ କାବୁ କରିବା ସହ ତଲାସି ନେଇଥିଲା। ଦୋକାନୀ ଜଣକ ହେଉଛନ୍ତି ଦିଲୀପ ମଙ୍ଗରାଜ (୩୭)। ତେବେ ତାଙ୍କର ପାନ ଦୋକାନ ପଛପାର୍ଶ୍ୱରୁ ପୋଲିସ ୧୧.୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୋକାନୀଙ୍କ ଠାରୁ ନକଦ ୯୦୦ ଟଙ୍କା ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଜଙ୍କିଆ ଥାନାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୪୧/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ସମେତ ଏସଆଇ ଭାଗ୍ୟଶ୍ରୀ ବେହରା, ଏଏସଆଇ ଭଗବାନ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଆଦି ସାମିଲ ଥିଲେ। ଏସଆଇ ଉମାକାନ୍ତ ସାହୁ ଉକ୍ତ କେସର ତଦନ୍ତ କାରି ଅଧିକାରୀ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼ିକି ଭାଙ୍ଗି ଲୁଟ୍ ଘଟଣା: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୧୫ ତାରିଖ ଦିନ ଗୋଇଲୁଣ୍ଡ ଛକରେ ଜନୈକ ବ୍ୟକ୍ତିଙ୍କ ଡ଼ିକି ଭାଙ୍ଗି ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଜଣକ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିଗମ ନଗରର ବାସୁଦେବ ସ୍ୱାଇଁ (୩୪)। ପୋଲିସ୍ ତା’ ନିକଟରୁ ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୨ଲକ୍ଷ ୨୦ହଜାର ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ ଗତ ୧୫.୧.୨୦୨୧ ତାରିଖରେ ବିପିନ ବରାଳ ନାମକ ବ୍ୟକ୍ତି ନିଜ ବାଇକ୍‌ର ଡ଼ିକିରେ ୨ଲକ୍ଷ ୬୦ ହଜାର ଟଙ୍କା ରଖି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋଲକତା ବେକେରୀ ସମ୍ମୁଖରେ ପାର୍କ କରିଥିଲେ। କିଛି କାମରେ ଥିବାବେଳେ କେହି ଜଣେ ଦୁବୃର୍ତ୍ତ ତାଙ୍କ ଡ଼ିକି ଭାଙ୍ଗି ଉକ୍ତ ଟଙ୍କା ଲୁଟ୍ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ଥାନା କେସ ନଂ ୧୭/୨୦ରେ ବୈଦ୍ୟନାଥପୁର ପୋଲିସ୍ ଅନୁସନ୍ଧାନ କରି ଗତକାଲି ବାସୁଦେବ ସ୍ୱାଇଁଙ୍କୁ ଆଇପିସିରେ ୩୭୯ରେ ଗିରଫ କରିଛି। ବାସୁଦେବ ଗିରିସୋଲା ଆନ୍ଧ୍ରା ବ୍ୟାଙ୍କ ଏଟିମଏ୍ କାଉଣ୍ଟର ଜଣେ ସିକୁରିଟି ଗାର୍ଡ଼ ହୋଇଥିବାବେଳେ ତାକୁ ଆଜି କୋର୍ଟଚାଲଣ କରାଯାଇଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।