Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

ନୂଆଦିଲ୍ଲୀ: ପିଲିଭୀତ ଜିଲ୍ଲାର ବରଖେଡା ଅଞ୍ଚଳରେ ପାଠ ପଢିବାକୁ ଯାଇଥିବା ୧୬ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ପଚରାଉଚରା କରୁଛି।

ପୋଲିସ ଅଧୀକ୍ଷକ ଦୀନେଶ କୁମାର ପି କହିଛନ୍ତି ଯେ, ବରଖେଡା ପୋଲିସ ଷ୍ଟେସନ ଅଞ୍ଚଳର ଛାତ୍ରୀଜଣଙ୍କ ଶନିବାର ଦିନ ସକାଳେ ପାଠ ପଢିବା ପାଇଁ ଘରୁ ବାହାରିଥିଲେ। ଯେତେବେଳେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ, ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଅପହରଣ କରିବାର ସମ୍ଭାବନା ବ୍ୟକ୍ତ କରିଥିଲେ। ଖୋଜାଖୋଜି ବେଳେ ବିଳମ୍ବିତ ରାତିରେ ଗାଁ ନିକଟରେ ଅବସ୍ଥିତ ଏକ ଆଖୁ କ୍ଷେତରେ ପୋଲିସ ନାବାଳିକାଙ୍କ ମୃତଦେହ ଜବତ କରିଥିଲା।

ତେବେ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଦିଆଯାଇଥିବା ଅଭିଯୋଗରେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଝିଅର ଦେହରେ ଅନେକ ସ୍ଥାନରେ ଆଘାତ ଲାଗିଛି। ତାଙ୍କ ପାଟିରେ ଏକ କପଡା ଭର୍ତ୍ତି କରାଯାଇଛି। ଏହା ସହିତ ତାଙ୍କ ବହି, ବ୍ୟାଗ, ସାଇକେଲ ଏବଂ ଜୋତା ଦୂରରୁ ଉଦ୍ଧାର କରାଯାଇଛି।

ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଘଟଣାସ୍ଥଳରୁ ଚାରି ବୋତଲ ବିୟର, ସ୍ନାକ୍ସ ଏବଂ ସିଗାରେଟ ଖଣ୍ଡ ମଧ୍ୟ ଉଦ୍ଧାର କରାଯାଇଛି। ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ନେଇ ପରିବାର ସଦସ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଗଣଦୁଷ୍କର୍ମ, ହତ୍ୟା ଏବଂ ପୋକସୋ ଆକ୍ଟରରେ ମାମଲା ରୁଜୁ କରିଛି। ମୃତଦେହକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।