Categories
ଆଜିର ଖବର ରାଜ୍ୟ ଖବର

କଥା ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ: ଏଣିକି ଘରେ ବସି ଅଭିଯୋଗ ଦାଖଲ କରିପାରିବେ ଲୋକେ

ଖୋର୍ଦ୍ଧା: କଥା ରଖିଲେ ନୂତନ ଜିଲ୍ଲାପାଳ। ଖୋର୍ଦ୍ଧାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ। ଜିଲ୍ଲାପାଳ ଗତକାଲି କାର୍ଯ୍ୟଭାର ସମ୍ଭାଳିଥିବାବେଳେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଜନସାଧାରଣ ମାନେ ସିଧାସଳଖ ଘରେ ବସି ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ଯୋଡି ହୋଇ ପାରିବେ ଏବଂ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ଆବଶ୍ୟକୀୟ ସୂଚନା ମଧ୍ୟ ପାଇପାରିବେ।

ତେବେ ଚବିଶ ଘଣ୍ଟା ମଧ୍ୟରେ ଜିଲ୍ଲାର ୩୭ ଗୋଟି ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ସେଥିମଧ୍ୟରେ ଜିଲ୍ଲାର ଦଶ ଗୋଟି ବ୍ଲକ, ଦଶ ଗୋଟି ତହସିଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ , ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଦୁଇ ଗୋଟି ଏନଏସି, ଦୁଇ ଗୋଟି ମ୍ୟୁନିସିପାଲିଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି, ଆପତକାଳିନ ବିଭାଗ, ଖୋର୍ଦ୍ଧା ଏସପି କାର୍ଯ୍ୟାଳୟ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମଯିକ ସୁରକ୍ଷା ଅଧିକାରୀ, ଦୁଇ ଗୋଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀ ଏବଂ ଟିପିସିଓଡ଼ିଏଲ ଆଦି ସାମିଲ ଅଛି।

Image

ରାଜ୍ୟ ସରକାରଙ୍କ ଫାଇଭ-ଟି ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଅନୁଯାୟୀ ଉକ୍ତ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ତେବେ ଜିଲ୍ଲାବାସୀ ଏଥର ଉକ୍ତ ଆକାଉଣ୍ଟ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ସମସ୍ୟାଗୁଡିକର ସମାଧନ କରାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।