ସୀତାରାମ ଅଗ୍ରୱାଲ
ବାଣପୁର: କରୋନା ମହାମାରୀ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଶୀ ବ୍ୟାପୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବାଣପୁର ତହସିଲଦାର ତଥା କୋଭିଡ ଏନ୍ଫୋର୍ସମେଣ୍ଟ କମିଟି ଚେୟାରମ୍ୟାନ ଶ୍ରୀ ମନ୍ମଥ ବେହେରା ନିକଟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ତଥାପି କରୋନାକୁ ଭୃକ୍ଷେପ ନକରି ନିଜ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରତିଦିନ ବାଣପୁରରେ ପୋଲିସ, ଏନ.ଏ.ସି ଏବଂ ତହସିଲ ପକ୍ଷରୁ ପୃଥକ ପୃଥକ ଭାବେ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ ହେଉଛି। ହେଲେ ଏକାକୀ ତହସିଲ ପ୍ରଶାସନ ଦ୍ୱାରା ତିନି ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଗଠନ କରାଯାଇଅଛି। ଯାହା ସମ୍ପୂର୍ଣ ତହସିଲ ଅଞ୍ଚଳରେ ଦିନ ତମାମ କୋଭିଡ ନିୟମର କଡ଼ାକଡ଼ି ଯାଞ୍ଚ କରୁଛି।
ବାଣପୁର ରେ କୋଭିଡ ସଂକ୍ରମଣକୁ କମେଇବାକୁ ହେଲେ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। କୋଭିଡ ନିୟମ ତଥା ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା କଟକଣାକୁ ଅମାନିଆମାନେ ବେଖାତିରି କରି ନିଜେ ଏବଂ ନିଜ ପରିବାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆମକୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବାକୁ ପଡୁଛି ବୋଲି ତହସିଲଦାର କ୍ଷୋଭର ସହ କହିଛନ୍ତି।
ଆଜି ଦିନ ତମାମ ବାଣପୁର ତହସିଲ ପକ୍ଷରୁ ତହସିଲର ବିଭିନ୍ନ ଅଞ୍ଚଳ ଚଢ଼ାଉ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଖୋଦ ତହସିଲଦାର ଶ୍ରୀ ବେହେରା ତହସିଲର ଏନ୍ଫୋର୍ସମେଣ୍ଟ ଟିମ ସହ ବାଣପୁର ବଜାର ବୁଲି ଗୋଟି ଗୋଟି ଦୋକାନରେ କୋଭିଡ ନିୟମର ଯାଞ୍ଚ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ବାଣପୁର ତହସିଲରୁ କୋଭିଡ ଆଇନ ଉଲଂଘନକାରୀଙ୍କ ଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।
ଅପରପକ୍ଷରେ ଦେଖିବାକୁ ଗଲେ ବାଣପୁରରେ ଏବେ ପ୍ରାୟ ସମସ୍ତ ଜନସାଧାରଣ ସଚେତନ ହେଲେଣି ଏବଂ ମାସ୍କ ବ୍ୟବହାର କରିବା ସହ ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି। ଯଦି ବାଣପୁରବାସି ଏହିପରି କଟକଣା ଗୁଡିକୁ କଡ଼ାକଡ଼ି ଭାବେ ପାଳନ କରିବେ ଯଥା ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତ୍ୱ ରକ୍ଷା କରିବେ, ଭିଡ଼ ଜମେଇବେ ନାହିଁ ତେବେ ଖୁବ ଶୀଘ୍ର ବାଣପୁର କରୋନାରୁ ମୁକ୍ତ ହୋଇପାରିବ ବୋଲି ତହସିଲଦାର ସୂଚନା ଦେବାସହ କଟକଣାଗୁଡିକୁ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।