Categories
ଆଜିର ଖବର ରାଜ୍ୟ ଖବର

ଅମାନିଆ ଗାଡ଼ିଚାଳକଙ୍କ ଉପରେ ବାଲୁଗାଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଦଶ ଗୋଟି ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏକ ମାନଦଣ୍ଡ ହାସଲ କରିଛି। ଦ୍ରୁତ ଗତିରେ ଯାଉଥିବା ବାଇକ୍ ଆରୋହୀ ଯେଉଁମାନେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ପୋଲିସ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ବାଲୁଗାଁ ଏସଡିପିଓଙ୍କ ସକ୍ରିୟ ତତ୍ୱାବଧାନରେ ବାଲୁଗାଁ ଥାନା ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୧୦ ଗୋଟି ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଉକ୍ତ ମାମଲାଗୁଡିକର ତଦନ୍ତ ଶେଷ କରି ୨୪ ଘଣ୍ଟା ମଧ୍ୟରେ ଚିଲିକା କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ପୋଲିସ। ଏବଂ ଚିଲିକା କୋର୍ଟରେ ଶୁଣାଣି ଆରମ୍ଭ ହେବାସହ ବିଚାରପତି ଆଇନ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି।

ସୂଚନା ଥାଉକି ଏହି ଯୋଜନାକୁ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ନିଆଯାଇଛି, ଯେଉଁଥିରେ ପୋଲିସ୍ ଗାଡ଼ିଚାଳନା ସମୟରେ ଦୃତ ଗତିରେ ଗାଡ଼ି ଚଲାଉଥିବା ଚାଳକ, ମଦ୍ୟପ ଚାଳକ ଏବଂ ମୋବାଇଲ୍ ବ୍ୟବହାରକାରୀଙ୍କ ଉପରେ ନଜର ରଖିବ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସହରରେ ଅମାନିଆ ଗାଡ଼ି ଚାଳକଙ୍କ ବଢୁଛି ପ୍ରାଦୁର୍ଭାବ, ନିରବଦ୍ରଷ୍ଟା ସାଜିଛି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଦିନକୁ ଦିନ ଅମାନିଆ ଗାଡ଼ିଚାଳକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଧଡ଼କ ଭାବେ ଅନେକ ଗାଡିଚାଳକ ସହରରେ କ୍ଷିପ୍ର ଗତିରେ ବାଇକ ଚଲାଉଥିବା ବେଳେ ଏଥିପ୍ରତି ପୋଲିସର ନିଘା ନାହିଁ। ଏପରିକି ଅନଭିଜ୍ଞ ବାଇକ ଚାଳକଙ୍କ ଲାଗି ସହରରେ ସଦାବେଳେ ଛୋଟ ବଡ଼ ଦୁର୍ଘଟଣା ଲାଗିରହୁଛି। ଉକ୍ତ ଅମାନିଆ ଗାଡ଼ିଚାଳକଙ୍କ ଲାଗି ସହରରେ ଯାତାୟାତ କରୁଥିବା ଅନେକ ନିରୀହ ଲୋକ ନାନାଦି ପ୍ରକାରର ହଇରାଣ ହରକତ ହେଉଛନ୍ତି।

ସହରରେ ବସବାସ କରୁଥିବା ତଥା ସହରକୁ ଆସୁଥିବା ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ଉକ୍ତ ଅମାନିଆ ଚାଳକଙ୍କ ଲାଗି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ବାଇକ ଗୁଡିକରୁ ସାଇଲେନ୍ସର ପାଇପ କାଢି ବାଇକ ଚଲାଇବା ହେଉ ଅବା ବିକୃତ ହର୍ନ ଲଗାଇ ବାଇକ ଚଲାଇବା ହେଉ ସବୁଥିରେ ଉକ୍ତ ଅସାମାଜିକ ଯୁବକମାନେ ମାହିର।

ସ୍କୁଲ ଓ କଲେଜ ଅଞ୍ଚଳରେ ବାଇକର ସର୍ବନିମ୍ନ ଗତି ୨୦ ଏବଂ ବଜାରରେ ୩୦ କିମି ପ୍ରତି ଘଣ୍ଟା ନିୟମ ରହିଥିବା ବେଳେ ବାଣପୁର ବଜାରରେ ଉକ୍ତ ଅମାନିଆଙ୍କ ଗାଡ଼ି ସ୍ପିଡ଼ ୬୦ ରୁ ଅଧିକ ରହୁଛି। ଯାହାଫଳରେ ବଜାରରେ ଯାତାୟାତ କରୁଥିବା ଜନସାଧାରଣମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଯୁବତୀମାନଙ୍କୁ କେତେକ ରୋଡ଼ ରୋମିଓ ଅସଦାଚରଣ ଉଦ୍ଦେଶ୍ୟରେ ଏପରି ବାଇକ ଚଳାଉଥିବା ଦେଖିବାକୁ ମିଳୁଛି। ଏପରିକି ଖୋଦ ବାଣପୁର ଥାନା ଦେଇ ପ୍ରତିଦିନ ଏପରି ଅମାନିଆ ମାନେ ବୁଲୁଥିବା ବେଳେ ପୋଲିସ ନିଦାବିଷ୍ଣୁ ପାଲଟିଛି।

ଖୋର୍ଦ୍ଧା ଜିଲ୍ଲାରେ ବାଣପୁରର ସ୍ଥାନ ସ୍ୱତନ୍ତ୍ର। ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଏଠାରେ ଅବସ୍ଥିତ। ଉଭୟ ବ୍ଲକ ଏବଂ ଏନଏସିକୁ ନେଇ ଗଠିତ ବାଣପୁର ତହସିଲ।  ବାଣପୁର ଏନଏସି ଜିଲ୍ଲାର ଏକ ପୁରୁଣା ସହର ହୋଇଥିବାବେଳେ ଏଠାକାର ରାସ୍ତା ଘାଟ ତଥା ଦୋକାନ ବଜାର ପ୍ରାୟତଃ ଅଣଓସାର। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ବର୍ତ୍ତମାନ ୨୦ ହଜାରରୁ ଉର୍ଦ୍ଧ୍ଵ ହୋଇଥିବାବେଳେ ବ୍ଲକର ଜନସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ।

ସମୟ ଅନୁଯାୟୀ ସହରର ଆୟତନ ବୃଦ୍ଧିପାଉଥିବା ବେଳେ ବାଣିଜ୍ୟ ବେପାର ନିମନ୍ତେ ଦୋକାନ ବଜାର ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ହେଲେ ସହରର ଦୋକାନ ବଜାର ଉପରେ ନିର୍ଭର ରହୁଛନ୍ତି ଉଭୟ ଏନଏସି ଓ ପଞ୍ଚାୟତବାସି। ତେବେ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ। ଏଠାରେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ସହରର କଲେଜ ଛକରୁ ପଲଟନ ପଡିଆ ଯାଏଁ ଅହରହ ଟ୍ରାଫିକ ସମସ୍ୟା ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଜନସାଧାରଣଙ୍କୁ ତେଲ ପୋଡି ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।

ତେବେ ଏହାକୁ ସରଳିକରଣ କରିବା ଦିଗରେ ପୋଲିସର ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ବୁଦ୍ଧିଜୀବୀମାନଙ୍କ ମତ ହେଲା କି ସହର ମଧ୍ୟରେ ଭାରୀଯାନ ଗୁଡିକର ପ୍ରବେଶ ପଥ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପୋଲିସ ନିର୍ଦ୍ଧାରଣ କରୁ।  ଯାହାଦ୍ୱାରା ଉକ୍ତ ସମସ୍ୟାର ସମାଧାନ ହୋଇପାରିବ।

ଅନୁରୂପ ଭାବେ ଯେହେତୁ ବାଣପୁର ଏକ ଯୋଜନାଭୁକ୍ତ ସହର ନୁହଁ, ଏଠାରେ ରାସ୍ତା ଘାଟ ସବୁ ଅଣ ଓସାରିଆ ତେଣୁ ଏନଏସି ର ବିଭିନ୍ନ ବଜାର ଅଞ୍ଚଳରେ ଗାଡ଼ି ପାର୍କିଂ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚି଼ହ୍ନଟ କରୁ ପୋଲିସ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଯାଇଥିବାବେଳେ ରାଜ୍ୟର କୋଣଅନୁକୋଣରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବାଣପୁର ଆସୁଛନ୍ତି ଏବଂ ଆଗକୁ ଉକ୍ତ ସଂଖ୍ୟା ବଢିବାକୁ ଥିବାବେଳେ ସହରର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ଏବଂ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ବାଣପୁର ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ର ବିଷୟ ପାଲଟିଛି।

ନଚେତ ସରକାରଙ୍କ ‘ଅତିଥି ଦେବୋ ଭବ’ ଉକ୍ତି ବାଣପୁରରେ ବୁମେରାଙ୍ଗ ପାଲଟିବ ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ବାଲୁଗାଁ ଏସଡିପିଓ, ବାଣପୁର ତହସିଲଦାର, ବାଣପୁର ଆଇଆଇସି ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତଭାବେ ଉକ୍ତ ଗୁରୁସମସ୍ୟାର ସମାଧାନ କରିବା ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।