Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଗଲା ‘ଅମୃତ କଳସ’, ଦିଲ୍ଲୀରେ ସ୍ଥାପନ ହେବ ‘ଅମୃତ ବାଟିକା’

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶହୀଦ ବୀର ଓ ଯବାନ’ ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍‌–ବୀରଙ୍କୁ ବନ୍ଦନ୍‌’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା।

ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି। ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କ ସମେତ ପାର୍ଟିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

‘ମୋ ମାଟି, ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ସରିଛି। ଦେଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ “ଅମୃତ ବାଟିକା” ଭବ୍ୟଢଙ୍ଗରେ ନିର୍ମାଣ କରାଯିବ। ଏହି ‘ଅମୃତ ବାଟିକା’ ଭବିଷ୍ୟତ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଓଡିଶାରେ ‘ମୋ ମାଟି, ମୋ ଦେଶ’ ଅଭିଯାନକୁ ସଫଳ କରିଥିବା ମାଆ, ଭଉଣୀ, ଯୁବକ ଯୁବତୀ ଓ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଦେଶର ବୀରମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଉତ୍ସର୍ଗୀଗୃତ ଭାବନା ପାଇଁ ଏହା ସଫଳ ହୋଇଛି। ଏହିପରି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତା, ମାତୃଶକ୍ତି ଓ ଯୁବବର୍ଗ ସାମିଲ ହୋଇ ମାଟି କଳସକୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ଜନତା ପାର୍ଟି ତରଫରୁ ‘ମୋ ମାଟି ମୋ ଦେଶ ‘ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଛନ୍ତି।

ପ୍ରକାଶ ଥାଉକି ଏକ ଭାରତ ଶ୍ରେଷ୍ଠ ଭାରତ କରିବାର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧୦୩ ତମ ମନ କି ବାତରେ ଏହି ଅଭିଯାନର ଘୋଷଣା କରିଥିଲେ। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ଦେଶର ପ୍ରତ୍ୟେକ କୋଣରେ ଅମୃତ କଳସ ଯାତ୍ରା କରିବା, ଯାହାକି ଦେଶର ପ୍ରତ୍ୟେକ କୋଣରୁ ୭୫୦୦ କଳସରେ ମାଟି ସଂଗୃହିତ ହୋଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ।

ଅମୃତ କଳସର ସଂଗୃହିତ ମାଟିକୁ ନେଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ। ଉକ୍ତ ସ୍ମାରକୀ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ହୋଇ ରହିବ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ଓ ହରିଚନ୍ଦନଙ୍କ ସମେତ ଏନଏସିର ବିଜେପି କାଉନସିଲରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗଦେଇ ଅମୃତ କଳସରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ସାରା ବାଣପୁର ଏନଏସି ରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।