Categories
ଆଞ୍ଚଳିକ

ଗ୍ରହଣ ଖଣ୍ଡିଆ ଶିଶୁ କାହ୍ନାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଗରୀବ ମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି।  ଗରୀବ ଲୋକମାନଙ୍କର ଚିକିତ୍ସା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି ହେଲେ ଗ୍ରାମାଞ୍ଚଳର ଲୋକମାନେ ଏହି ସବୁ ସୁବିଧାସୁଯୋଗରୁ ବଂଚିତ ହେଉଛନ୍ତି।

ନାକ୍ଟିଦେଉଳ ବ୍ଲକ୍ ଜାମୁଯୋରୀ ପଂଚାୟତର କୁଡାନାଳୀ ଗ୍ରାମର କାହ୍ନା ମଲ୍ଲହାର ବୟସ ମାତ୍ର ୩ବର୍ଷ। ମହ୍ଲାର ସାହିର ତପନ ମହ୍ଲାର ଓ ଉତ୍ତମ ମହ୍ଲାରଙ୍କ ପୁଅ। ଜନ୍ମରୁ ମୁହଁରେ ରହିଛି ଗ୍ରହଣ ଖଣ୍ଡିଆ। ପଇସା ପତ୍ର ଅଭାବରୁ ପୁଅକୁ ଚିକିତ୍ସା କରିପାରୁ ନାହାନ୍ତି ବାପା, ମାଆ। ଉଭୟ ମୂଲ ମଜୁରି କାମ କଲେ ଯାଇ ଦି ଓଳି ପେଟକୁ ମୁଠାଏ ପାଆନ୍ତି। ନ ହେଲେ ଭୋକ ଉପାସରେ ଦିନ କଟିଯାଏ। ଚାଳ ଛପର ଘର। ଘର ଖଣ୍ଡେ ମଧ୍ୟ ନାହିଁ।

ହେଲେ ୩ ବର୍ଷର ଗ୍ରହଣ ଖଣ୍ଡିଆ ପୁଅକୁ ପାଇ ବାପା ମା ଦୁଃଶ୍ଚିନ୍ତାରେ। ହାତରେ ପଇସା ପତ୍ର ନ ଥିବାରୁ ଲକ୍ଷାଧିକ ଟଙ୍କା ସାରି ଚିକିତ୍ସା କରିବାରୁ ବଂଚିତ ହେଉଛନ୍ତି। ଗ୍ରହଣ ଖଣ୍ଡିଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାହାଯ୍ୟ କରିବା ପାଇଁ ବହୁ ବ୍ୟକ୍ତି ଙ୍କୁ ନେହୁରା ହୋଇଥିଲେ ମଧ୍ୟ କୌଣସି ସହଯୋଗ ମିଳି ପାରି ନ ଥିବା ପ୍ରକାଶ କରିଛନ୍ତି। ଗରିବ ଅଶିକ୍ଷିତ ହୋଇଥିବାରୁ ପୁଅର ଚିକିତ୍ସା ପାଇଁ କୋୖଣସି ସରକାରୀ ସାହାଯ୍ୟ ପାଇଁ ଆବେଦନ କରି ପାରୁନାହାନ୍ତି।

ସମ୍ବଲପୁର ଜିଲ୍ଲା ପ୍ରଶାସନ, ସ୍ଵାସ୍ଥ୍ୟ ବିଭାଗ,ବ୍ଲ କ୍ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ରଶ୍ମିତା ରାଉତ ଓ ସରୋଜ ସାହୁ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଅଁଳ ବୟସରେ ବୁଢା ଅଜାର ବୋଝ: ପାଠ ପଢାରେ ଅର୍ଥ ସାଜିଛି ବାଧକ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା ଗରୀବ ଅବହେଳିତ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଂଚି ପାରୁ ନାହିଁ। ଯା ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସେମିତି ଜଣେ ଆଦିବାସୀ ବାଳିକା ହେଲେ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର କାଦୋବାହାଳି ଗ୍ରାମର ରଶ୍ମିତା ମିର୍ଦ୍ଧା। ଏବେ ସେ ୮ ମ ଶ୍ରେଣୀରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲିରେ ପାଠ ପଢୁଛନ୍ତି। ହେଲେ କରୋନା ଯୋଗୁଁ ସେ ପାଠ ପଢିବା ପାଇଁ ବିଦ୍ୟାଳୟର ହଷ୍ଟେଲରେ ରହିପାରୁନାହାନ୍ତି। ଯା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପଢୁଥିବା ସମୟରେ ହଷ୍ଟେଲରେ ଦି ଓଳି ଖାଇବାକୁ ମିଳିଯାଏ। ହେଲେ ତାହା ବି କରୋନା ପାଇଁ ବାଧକ ସାଜିଲା। ଜମିବାଡି ସେତେଟା ନ ଥିବାରୁ ଖାଇବାକୁ ପେଟ ପୁରା ମିଳୁନି ସବୁ ସମୟରେ। ଅଜା କୁ ମିିଳୁଥିବା ୩୫ କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳିଆ। ଅଜା ବୁଢାର ଦେହ ପା ପାଇଁ ଚାଉଳ କିଛି ବିକ୍ରି କରି ସେ ଔଷଧ କିଣି ଥାନ୍ତି। ଅଜା ବୁଢାକୁ ଖୁଆଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଏଇ କଅଁଳ ବୟସର ଝିଅ ରଶ୍ମିତା ସବୁ ତୁଲାଇ ଥାଏ। ସେ ଅନେକ ସ୍ୱପ୍ୱ ଦେଖିଛନ୍ତି ହେଲେ ପାଠ ପଢାରେ ଅର୍ଥ ସାଜିଛି ବାଧକ।

ରଶ୍ମିତା ଛୋଟ ଥିବା ସମୟରୁ ହିଁ ବାପା ଶୁକୃ ମିର୍ଦ୍ଧାକୁ ହରାଇଛି। ରଶ୍ମିତା ଯେତେବେଳେ ଛୋଟ ଥିଲା ସେଇ ସମୟରୁ ତାର ମାଆ ଅନ୍ୟତ୍ର ବିବାହ କରି ପଳାଇଲା ଯେ ଆଉ ଘରକୁ ଫେରିଲା ନାହିଁ। ନିଃସଙ୍ଗ ହୋଇଗଲା ରଶ୍ମିତା ମିର୍ଦ୍ଧା। କେବଳ ୮୦ବର୍ଷର ଅଜା ବୁଢା ଅନାମ ମିର୍ଦ୍ଧା ହେଲା ତାର ସାହା ଭରଷା, ଆଉ ସବୁ କିଛି। ରଶ୍ମିତା ଅଜାର ୩ ପୁଅରୁ ଆଉ ଦୁଇ ପୁଅ ଯେଝା ବାଟରେ। ତାର ଅଜାକୁ ମିଳୁଥିବା ଭତାରୁ ଯାହା କିଛି ଚଳିଯାଏ ତେଲ ଲୁଣର ସଂସାର। ତଥାପି ଜୀବନଯୁଦ୍ଧରେ ହାରି ନ ଯାଇ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି ରଶ୍ମିତା।

କାହାକୁ ମନର ବେଦନାକୁ ପ୍ରକାଶ କଲେ ସେ କିଛି ସୁବିଧା ସୁଯୋଗ ଦେବ ତାହା ମଧ୍ୟ ମନରେ ତାର ଜୁଟିନି। ଏଇ ଛୋଟ ସମୟରୁ ଏକଲା ହୋଇ ଯାଇଥିବା କଅଁଳ ବୟସର ଝିଅ ରଶ୍ମିତା ଏବେ ଏକଲା ପଥର ଯାତ୍ରୀ। ପ୍ରଶାସନର କେହି ବି ଅଧିକାରୀକୁ ଏ ଝିଅଟି କିପରି ଚଳୁଛି ଆଉ କିପରି ବଂଚୁଛି କେହି ବି ଜଣାଇ ନାହାନ୍ତି। କାହାର ଦୃଷ୍ଟି ପଡି ନ ଥିଲେ ମଧ୍ୟ ଛୋଟ ସମୟରୁ ବାପାକୁ ହରାଇ ଓ ମାଆ ଅନ୍ୟତ୍ର ବିବାହ କରି ପଳାଇଥିଲେ ମଧ୍ୟ ନିଜ ଗୋଡରେ ନିଜେ ଛିଡା ହେବାକୁ ପ୍ରୟାସ ଜାରି ରଖିଛି ଆଦିବାସୀ ଝିଅ ରଶ୍ମିତା ମିର୍ଦ୍ଧା। ନାକଟିଦେଉଳ ବିଡିଓ, ରେଢାଖୋଲ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଓ  ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି।