Categories
ଆଜିର ଖବର ରାଜ୍ୟ ଖବର

ହିନ୍ଦୁ ଧର୍ମ ପ୍ରତି ଅଶାଳୀନ ମନ୍ତବ୍ୟ: କାର୍ଯ୍ୟାନୁଷ୍ଠାନ ଦାବିରେ ପାଣିକୋଇଲି ଥାନାରେ ଦାବିପତ୍ର

କୋରେଇ: ସମାଜିକ ଗଣ ମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ପୁରାଣ ଶାସ୍ତ୍ର ଓ ହିନ୍ଦୁ ଦେବାଦେବୀଙ୍କୁ କଦର୍ଥ କରି ଲେଖା ଓ ଟିପ୍ପଣୀ ପ୍ରଦାନ କରୁଥିବା ମନୋରଂଜନ ଯେନାଙ୍କୁ ଗିରଫ କରି କଠୋର ଦଣ୍ଡ ବିଧାନ ନିମନ୍ତେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ମୁତାବକ ବଡଚଣା ଥାନା ଅନ୍ତର୍ଗତ ମନୋରଂଜନ ଯେନା ଦୀର୍ଘ ଦିନ ହେବ ସାମାଜିକ ଗଣମାଧ୍ୟମ ଓ ଫେସବୁକ୍ ମାଧ୍ୟମରେ ହିନ୍ଦୁ ଧର୍ମ ସର୍ମ୍ପକରେ କଦର୍ଥ ଟିପ୍ପଣୀ ମାନ ପୋଷ୍ଟ କରି ସମାଜରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ଏହିଭଳି ନକାରାତ୍ମକ ଲେଖା ସମାଜରେ ପ୍ରତ୍ୟେକ ଦିନ ଅଶାନ୍ତର ବିଷ ମଂଜି ବୁଣି ଚାଲିଛି। ଏଭଳି କାର୍ଯ୍ୟକଳାପକୁ ରୋକା ନଗଲେ ନିଆଁ ଭଳି କୁହୁଳୁଥିବା ଅସନ୍ତୋଷ ସମଗ୍ର ରାଜ୍ୟକୁ ବ୍ୟାପିବ। ତେଣୁ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ରାଜ କିଶୋର ସାହୁ, ବିଶ୍ୱହିନ୍ଦୁ ପରିଷଦର ପ୍ରଜ୍ଞା ଘଡେଇ, ଭୂପତି ଭୂଷଣ ଦାଶ, ପ୍ରହଲ୍ଲାଦ ପ୍ରହରାଜ, ପ୍ରଦୀପ କୁମାର ମଲିକ, ପ୍ରତାପ ମହାପାତ୍ର, ବିଷ୍ଣୁ ଚରଣ ସାହୁ, ଦେବୀ ପ୍ରସାଦ ସାହୁ, ତ୍ରିଲୋଚନ ପଣ୍ଡାଙ୍କ ସମେତ କର୍ମି ମାନେ ଯୋଗ ଦେଇ ଥାନାରେ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର

ମୋଦି ଏବଂ ଯୋଗୀଙ୍କ ବିରୋଧରେ ପୋଷ୍ଟିଂ କରିଥିବା ବ୍ୟକ୍ତିଙ୍କୁ କଟକରୁ ଗିରଫ କଲା ୟୁପି ପୋଲିସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ଅଶାଳୀନ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ଦିନ ସାଲେପୁରର କୁସୁମ୍ଭି ଗାଁର ବାସିନ୍ଦା 40 ବର୍ଷିୟ ସାୟଦ ହାସନ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ବାଗପାଟ ଜିଲ୍ଲା ଅନ୍ତର୍ଗତ ସିଙ୍ଗବାଲି ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତଙ୍କୁ ସେଡିସନ ଚାର୍ଜ ସମେତ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ଧଫାରେ ମାମଲା ଋଜୁ କରାଯାଇଛି ବୋଲି ପୋଲିସ କହିଛି। ଅହମ୍ମଦ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୋଧରେ ଧମକ ପୋଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ। ସେସମୟରେ କଳାହାଣ୍ଡି ନ୍ୟୁଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଏଭଳି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଇଥିଲା।  ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ ପଣ୍ଡା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ସେହିପରି କୋକସରା ହିନ୍ଦୁ ସଙ୍ଗଠନର ଗୋଦାବରୀଶ ପାତ୍ର ଏବଂ ଜନ୍ମେଜୟ ଦାସ ଏହି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିକୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ କୋକସରା ଥାନାରେ ଏକ ମାମଲା ଦାଏର କରିଥିଲେ।

ଏସଂପର୍କରେ କୋକସରା ଥାନାରେକେଶ ନଂ.୧୨୪/୨୦ ଦଫା ୧୫୩/୫୦୦/୨୯୫/୨୯୫(ଏ)/୫୦୬/୩୪ ଆଇପିସି ଏବଂ ୬୬ (ଏ) ଆଇଟି ଆକ୍ଟ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରୁଥିବା କୋକସରା ଆଇଆଇସି ବାସୁଦେବ ଛତ୍ରୀଆ ପ୍ରକାଶ କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଟେମରା ପଂଚାୟତ ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ପିଂଟୁ ଓରଫ ଦେବେନ୍ଦ୍ର ଛତ୍ରୀଆ ( ବୟସ ୧୭ ବର୍ଷ ୯ ମାସ ) ଏବଂ କଳାହାଣ୍ଡି ନ୍ୟୁଜ ହ୍ୱାଟସଆପ ଗ୍ରୁପର ଆଡମିନ ଥିବା ଚାରବାହାଲ ଗ୍ରାମର ସୁବଳ ସିଂ ( ୨୦) ତଥା ସୂରଜ ସିଂ ( ୧୬) କୁ କୋକସରା ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ନାବାଳକ ମାନେ ଏଭଲି ଭାବେ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଘଟଣାକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ।