Categories
ଆଞ୍ଚଳିକ

ଚିଲିକା ଗସ୍ତରେ ଜିଲ୍ଲା ଅଧିକାରୀଗଣ: ଜିରୋ କୋଭିଡ ଲକ୍ଷ ନେଇ ମାରଥନ ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ କିଛି ଦିନ ହେଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କମୁଥିଲେ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପୃଥକ ପୃଥକ ଭାବେ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ।

ଉପଜିଲ୍ଲାପାଳ ଅପରାହ୍ନ ୩ ଘଟିକାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏକ ବୈଠକ ନେଇଥିଲେ। ଉକ୍ତ ବୈଠକରେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ (ଉଭୟ ହୋମ ଆଇସୋଲେସନ ଏବଂ ହସ୍ପିଟାଲରେ ଚିକିତ୍ସିତ) ସଂପୂର୍ଣ୍ଣ ତଥ୍ୟ ରଖିବା ସହ ବରାବର ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୋଭିଡ ସଂଖ୍ୟା ଚିଲିକା ବ୍ଲକରେ କିପରି ଶୂନକୁ ଖସିବ ସେ ନେଇ ବହୁ ରଣନୀତି କରିବା ସହ ଏନ୍ଫୋର୍ସମେଣ୍ଟ ଙ୍କୁ ଆହୁରି କଡାକଡି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ପ୍ରତି ଗ୍ରାମ ପଞ୍ଚାୟତର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାପରେ ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ଗସ୍ତ କରି ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ୧୧ ଗୋଟି ୱାର୍ଡ ପାଇଁ ୧୪ ଜଣ କରୋନା ସେବକମାନଙ୍କୁ ନିଯୁକ୍ତି ଦେଇଥିଲେ। ଉକ୍ତ କରୋନା ସେବକମାନେ ନିଜ ନିଜ ୱାର୍ଡରେ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ ଉତ୍ସାହିତ କରିବା ସହ ହୋମ ଆଇସୋଲେସନରେ ଥିବା ପଜିଟିଭ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବେ। ସେମାନେ ଏନ.ଏ.ସି ପ୍ରଶାସନକୁ ଏନ୍ଫୋର୍ସମେଣ୍ଟ ରେ ମଧ୍ୟ ସହଯୋଗ କରିବେ। ଏହାପରେ ଖୋଦ ଉପଜିଲ୍ଲାପାଳ କରୋନା ସେବକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଏବଂ ଅନ୍ୟ କର୍ମଚାରୀମାନଙ୍କ ସହ ବାଲୁଗାଁ ସହରରେ ଏନ୍ଫୋର୍ସମେଣ୍ଟ ପାଇଁ ବାହାରିଥିଲେ ଏବଂ ଅମାନିଆଙ୍କଠୁ ଜରିମାନା ମଧ୍ୟ ଆଦାୟ କରିଥିଲେ। ଆଜି ବାଲୁଗାଁ ଏନ.ଏ.ସି ରୁ ୭୨୦୦ ଟଙ୍କା କୋଭିଡ ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।

ଅନୁରୂପ ଭାବେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର ପହଁଚି ପ୍ରଥମେ ବାଣପୁର ଡାକ୍ତରଖାନା ପରିଦର୍ଶନ କରି ସେଠାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ସହ କୋଭିଡ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହାପରେ ଅପରାହ୍ନ ୪ ଘଟିକାରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା କମିଥିବାରୁ ସ୍ଥାନୀୟ ପ୍ରଶାସନ ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ ଏବଂ ପଜିଟିଭ ବ୍ୟକ୍ତି (ଉଭୟ ହୋମ ଆଇସୋଲେସନ ଏବଂ ମେଡିକାଲ ରେ ଚିକିତ୍ସାତ )ମାନଙ୍କ ସମ୍ପୂର୍ଣ ବିବରଣୀ ରଖିବା ସହ ମନିଟରିଂ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, କଣ୍ଟେନମେଣ୍ଟ ଜୋନରେ ନିୟମଗୁଡିକୁ ଠିକ ଭାବେ ପାଳନ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା, ବିଡ଼ିଓ ଡ଼ା ଶୁଭଶ୍ରୀ ତ୍ରିପାଠୀ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ। ବୈଠକ ସମାପ୍ତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବାଣପୁର ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ ଏବଂ କୋଭିଡ ନିୟମ ତଦାରଖ କରିଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିଜେ ୨୫୦୦ ଟଙ୍କା କୋଭିଡ ଜରିମାନା ଆଦାୟ କରିଥିଲେ। ହେଲେ ଆଜି ସମୁଦାୟ ତହସିଲରୁ ୯୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ତହସିଲଦାର। ସେହିପରି ବାଣପୁର ପୋଲିସ ଦ୍ୱାରା ୭୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଆଇ.ଆଇ.ସି।

ଅପରପକ୍ଷରେ ଆଜି ବାଣପୁର ଏନ.ଏ.ସି ର ଦୁଇ କର୍ମଚାରୀ କରୋନା ପଜିଟିଭ ହେବାରୁ ଏନ.ଏ.ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପାଇଁ ଦୁଇ ଦିନ ବନ୍ଦ କରାଯାଇଥିବାର ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଆଜି ଏନ.ଏ.ସି କାର୍ଯ୍ୟାଳୟ ଏବଂ ବାଣପୁର ମେଡିକାଲକୁ ସାନିଟାଇଜ ମଧ୍ୟ କରାଯାଇଅଛି। ଏତଦବ୍ୟତୀତ ଗତ ପାଞ୍ଚ ଦିନ ହେଲା ଏନ.ଏ.ସି ରୁ କେହି ପଜିଟିଭ ଚି଼ହ୍ନଟ ହୋଇନାହାନ୍ତି ଯାହା ଏକ ଆଶ୍ବସ୍ତିକର ଖବର ଏବଂ ଆଜିକାଦିନରେ ଏନ.ଏ.ସି ରେ ମାତ୍ର ୧୧ ଗୋଟି ଆକ୍ଟିଭ କେସ ଅଛି ଓ ସେମାନେ ସବୁ କରୋନା ଯୋଦ୍ଧା ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଏନ.ଏ.ସି ତରଫରୁ ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଆଜି କୋଭିଡ ଜରିମାନା ୫୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

Categories
ଆଞ୍ଚଳିକ

ଚିଲିକାରେ କୋଭିଡସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ: ଲଗାତାର ତୃତୀୟ ଦିନରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ।

ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେହି ଗ୍ରାମ ଗୁଡିକ ହେଲା- 

୧-ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆସାହିକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୮.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୨-ବାଣପୁର ବ୍ଲକର ଦାମିଆ ବରବରା ଗ୍ରାମ ପଞ୍ଚାୟତର ଦାମିଆ ବରବରା ଗ୍ରାମ ଏବଂ ନନ୍ଦପୁର ଗ୍ରାମପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୫.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

୩-ବାଣପୁର ଏନ.ଏ.ସି ର ୱାର୍ଡ ନମ୍ବର ୪, ୱାର୍ଡ ନମ୍ବର ୧୧ ର ବଡ଼ହନ୍ତୁଆଡ଼ ହରିଜନ ସାହି ଏବଂ ରଙ୍କନାଥପାଟଣା ରେ ଆଜି ତା ୧୮.୦୯ ୨୦୨୦ ଠାରୁ ୨୨.୦୯.୨୦ ପର୍ଯ୍ୟନ୍ତ କଟକଣା ଲଗୁ ରହିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୭୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏପରିକି ଗତକାଲି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଥିଲା।  ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଗତକାଲି ବାଣପୁର ବି.ଡ଼ି.ଓ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୨୭୬ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସାତ ଦିନ ପାଇଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅଜୟ କୁମାର ଗୁମାନସିଂ (କନିଷ୍ଠ ଯନ୍ତ୍ରୀ, ବାଣପୁର ବ୍ଲକ) ଏବଂ ଶ୍ରୀ ସନ୍ତୋଷ ନିଆଲ(କାର୍ଯ୍ୟନିର୍ବାହୀ ଅଧିକାରୀ, ବାଣପୁର ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଣପୁର ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ଡ଼ି. ମହାପାତ୍ର(ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଣପୁର ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ବାଣପୁର ବ୍ଲକ ବି.ଡ଼ି.ଓ ଡ଼ାଃ ଶୁଭଶ୍ରୀ ତ୍ରିପାଠୀ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା।