Categories
ଆଜିର ଖବର ରାଜ୍ୟ ଖବର

ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଉଦ୍‌ବୋଧନ

ଭୁବନେଶ୍ବର: ଭାରତରର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୁଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି। “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି” ଶୀର୍ଷକ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ୩ ଦିନିଆ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶ୍ରୀ ଚୌବେ କହିଥିଲେ ଯେ ଏହି ସମସ୍ୟାର ମୁକାବିଲା ପାଇଁ ଜୀବନକୁ ବଜାୟ ରଖି ସମୃଦ୍ଧ କରିବାରେ ପଂଚମହାଭୂତ ବା ୫ଟି ମୌଳିକ ଉପାଦାନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।

ଭାରତର ପ୍ରାଚୀନ ସଭ୍ୟତା ଜ୍ଞାନର ଶୀଖର ଛୁଇଁଥିଲା ଏବଂ ସେତେବେଳେ ମନୁଷ୍ୟ ପୃଥିବୀ ଓ ପରିବେଶ ସହିତ ଖାପ ଖୁଆଇ ଚଳିପାରୁଥିଲା। ଏବେ ସେହି ଜ୍ଞାନର ଗୁରୁତ୍ୱକୁ ପୁଣି ଥରେ ଆବିଷ୍କାର କରି ଏହାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଶ୍ରୀ ଚୌବେ ସମ୍ମିଳନୀର ବୈଷୟିକ ଅଧିବେଶନଗୁଡ଼ିକରେ ବାୟୁର ଗୁଣବତା ରକ୍ଷା କରିବା ନିମନ୍ତେ ଆଲୋଚିତ ପ୍ରସଙ୍ଗଗୁଡ଼ିକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ଶିଳ୍ପ ଜନିତ ବାୟୁ ପ୍ରଦୁଷଣ ଓ ଜଳବାୟୁ ପରିବର୍ତନ ଫଳରେ କୃଷି ଉପରେ ଏହାର ନକାରାତ୍ମକ ପ୍ରଭାବ ବିଷୟରେ ମତ ରଖିଥିଲେ।

ସେ କହିଥିଲେ ଯେ ବାୟୁ ପ୍ରଦୁଷଣକୁ ମୁକାବିଲା କରିବା ନିମନ୍ତେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ମଧ୍ୟରେ ନ୍ୟାସ୍‌ନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍ୟତମ। ଏହି ସମ୍ମିଳନୀ ଏହି ସମସ୍ତ ଉଦ୍ୟମକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଛି। ପରିବେଶକୁ ଗୁରତ୍ୱର ସହ ସୁରକ୍ଷା ପ୍ରଦାନ କରିବା ବ୍ୟତୀତ ଆମର ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ।

ଶ୍ରୀ ଚୌବେ କହିଥିଲେ ଯେ ଦେଶର ଯୁବ ସମାଜ ନିମନ୍ତେ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପ୍ରକାର ସମ୍ମିଳନୀ ସରକାରଙ୍କ ଉଦ୍ୟମକୁ ବଳିଷ୍ଠ କରିବା ସହ ଯୁବ ସମାଜକୁ ଏହି ପ୍ରସଙ୍ଗରେ ନିଜର ମତ ରଖିବା ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେଲା ଭାରତର ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱର ଏହି ସପ୍ତମ ବୃହତ୍ତମ ଉପକୂଳରେ ଦେଶର ପାଖାପାଖି ୨୦ ପ୍ରତିଶତ ଜନସଂଖ୍ୟା ଏବଂ ୧୭ ହଜାରରୁ ଊଦ୍ଧ୍ୱର୍ ପ୍ରାଣୀ ଓ ଉଦ୍ଭିଦ ବସବାସ କରୁଛନ୍ତି। ସମୁଦ୍ର ଉପକୂଳରେ ଅବସ୍ଥାନ କରୁଥିବା ମଣିଷମାନଙ୍କୁ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ସାମୁଦି୍ରକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ସହଯୋଗରେ ଏକ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ଓଡ଼ିଶାରେ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି।

ସେପ୍ଟେମ୍ବର ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ୧୯୬ କିଲୋମିଟର ପରିବ୍ୟାପ୍ତ ପ୍ରକଳ୍ପ ଓଡ଼ିଶାର ଦୁଇଟି ଉପକୂଳବର୍ତ୍ତୀ (ପାରାଦ୍ୱୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା) ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ପାଖାପାଖି ୨୯୩.୧୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିରୋଧ କରିବାରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଦେଶର ଉପକୂଳ ଅଞ୍ଚଳରେ ସହନଶୀଳତା ଓ ଦୀର୍ଘସ୍ଥାୟିତ୍ୱ ବଢ଼ାଇବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ନିମନ୍ତେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଉଲ୍ଲେଖ କରିଛନ୍ତି।

ଉପକୂଳ ଓ ସାମୁଦି୍ରକ ଜୈବବିବିଧତା, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ ଏବଂ ଉପକୂଳ ପ୍ରଦୂଷଣ ରୋକିବା ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି ଏ ସଂପର୍କିତ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ଦେଶର ୧୩ଟି ଉପକୂଳ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ଏକତି୍ରତ କରିବା ସମ୍ମିଳନୀର ଉଦ୍ଦେଶ୍ୟ।

ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍‌ଡିପି ସହାୟତାରେ ଉପକୂଳ ଅଞ୍ଚଳବାସୀଙ୍କ ସହଭାଗିତା ଓ ସହନଶୀଳତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଅନ୍ୟ ପ୍ରମୁଖ ଆଭିମୁଖ୍ୟ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରିଚା ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।