Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କ ସହ ୨୪ ମେ ୨୦୨୩ ଦିନ ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ଆଡମିରାଲ୍ଟି ହାଉସଠାରେ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇଥିଲେ। ଆଡମିରାଲ୍ଟି ହାଉସଠାରେ ପ୍ରଧାନମନ୍ତ୍ରୀଙ୍କୁ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଉଭୟ ନେତା ମାର୍ଚ୍ଚ ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ନେତୃସ୍ତରୀୟ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରିବା ସହିତ ବହୁମୁଖୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ବ୍ୟାପକ ଓ ମଜବୁତ କରିବା ଉପରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।

ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ନୂତନ ଏବଂ ନବୀକରଣୀୟ ଶକ୍ତି, ସ୍ୱଚ୍ଛ ହାଇଡ୍ରୋଜେନ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଶିକ୍ଷା, ପ୍ରବାସନ ଏବଂ ଗତିଶୀତଳା ତଥା ଉଭୟ ଦେଶର ଜନସାଧାରଣଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ସହଯୋଗ ବୃଦ୍ଧିକୁ ନେଇ ବୈଠକରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା।

ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ପ୍ରବାସନ ଏବଂ ଗତିଶୀତଳା ଭାଗିଦାରୀ ବ୍ୟବସ୍ଥା(ଏନଏମ୍ପିଏ)ରେ ସ୍ୱାକ୍ଷର କରିବା ବିଷୟକୁ ସ୍ୱାଗତ କରିଥିଲେ, ଯାହା ଛାତ୍ରଛାତ୍ରୀ, ପେଶାଦାର, ଗବେଷକ, ଶିକ୍ଷାବିତ୍ ତଥା ଅନ୍ୟମାନଙ୍କ ଗତିଶୀଳତାକୁ ଆହୁରି ଆଗକୁ ବଢାଇବାରେ ସହାୟକ ହେବ। ଭାରତ ପାଇଁ ବିଶେଷଭାବେ ପ୍ରସ୍ତୁତ ହୋଇଥିବା (ପ୍ରତିଭାଶାଳୀ ପ୍ରାରମ୍ଭିକ ପେଶାଦାରଙ୍କ ନିମନ୍ତେ ଗତିଶୀଳତା ବ୍ୟବସ୍ଥା) ନାମକ ଏହି ଯୋଜନାରେ ଏକ ନୂତନ କୁଶଳ ମାର୍ଗକୁ ସାମିଲ କରାଯାଇଛି।

ଭାରତ-ଅଷ୍ଟ୍ରେଲିଆ ହାଇଡ୍ରୋଜନ ଟ୍ରାକ୍ସଫୋର୍ସ ରୂପରେଖର ସର୍ତ୍ତଗୁଡିକୁ ଚୂଡାନ୍ତ ରୂପ ଦେବାକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ସ୍ୱଚ୍ଛ ହାଇଡ୍ରୋଜନର ପ୍ରସ୍ତୁତି ଏବଂ ଏହାର ଉପଯୋଗକୁ ଆହୁରି ତ୍ୱରାନ୍ୱିତ କରିବ, ହାଇଡ୍ରୋଜେନ ଇଲେକ୍ଟ୍ରଲାଇଜର ଉପରେ ଧ୍ୟାନ କେନ୍ଦ୍ରିତ କରିବା, ଇନ୍ଧନର ବିକ୍ରି, ନିୟମ, ମାନକ ଏବଂ ଭିତ୍ତିଭୂମିକୁ ସମର୍ଥନ ସୁଯୋଗ ଉପରେ ପରାମର୍ଶ ପ୍ରଦାନ କରିବ।

ବ୍ରିସବେନରେ ଭାରତର ଏକ କନସ୍ୟୁଲେଟ ଜେନେରାଲ ପ୍ରତିଷ୍ଠା ପାଇଁ ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆକୁ ଧନ୍ୟବାଦ ଜଣାଇଥିଲେ।

ଗୋଟିଏ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଏକ ଶାନ୍ତ, ସମୃଦ୍ଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ କ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରକୁ ନେଇ ଉଭୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲାବାନିଜ ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ପଦକ୍ଷେପଗୁଡିକୁ ଦୃଢ ସମର୍ଥନ ଜଣାଇଥିଲେ।

ସେପ୍ଟେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଲାବାନିଜଙ୍କୁ ସ୍ୱାଗତ କରିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

‘ସିଡନୀ ଡାଏଲଗ୍’: ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସିଡନୀ ଡାଏଲଗ’ର ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଉଦୀୟମାନ ଡିଜିଟାଲ ଦୁନିଆରେ ଭାରତର କେନ୍ଦ୍ରୀୟ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଇଛି। ଡିଜିଟାଲ ଯୁଗର ଲାଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସାମୁଦ୍ରିକ କ୍ଷେତ୍ର ଠାରୁ ଆରମ୍ଭ କରି ସାଇବର ଏବଂ ମହାକାଶ ପର୍ଯ୍ୟନ୍ତ, ବିଶ୍ୱ ନୂଆ ପ୍ରକାରର ସଂଘର୍ଷ ଓ ବିପତ୍ତିର ସମ୍ମୁଖିନ ହେଉଛି। ସେ କହିଥିଲେ, “ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଖୋଲାପଣ। ତେବେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହାର ଦୂରୁପଯୋଗ କରିବାକୁ ଦେବା ଲାଗି ଆମେ ଅନୁମତି ଦେବା ଉଚିତ୍ ନୁହେଁ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ର ଏବଂ ଡିଜିଟାଲ କ୍ଷେତ୍ରରେ ନେତୃତ୍ୱ ନେଉଥିବାରୁ ସହଭାଗୀ ସମୃଦ୍ଧି ଏବଂ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତର ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି। ଆମ ଯୁବପିଢ଼ିଙ୍କ ଉଦ୍ୟମିତା ଏବଂ ନବୋନ୍ମେଷ ଦ୍ୱାରା ଏହା ଆହୁରି ସଶକ୍ତ ହୋଇଛି। ଆମେ ଅତୀତର ଆହ୍ୱାନଗୁଡ଼ିକୁ ଅବସରରେ ପରିଣତ କରି ଭବିଷ୍ୟତରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଭାରତରେ ହେଉଥିବା ପାଞ୍ଚଟି ପରିବର୍ତ୍ତନର ତାଲିକା ଦେଇଥିଲେ।

ପ୍ରଥମତଃ ବିଶ୍ୱର ସବୁଠୁ ବ୍ୟାପକ ଜନସୂଚନା ଭିତ୍ତିଭୂମି ଭାରତରେ ନିର୍ମାଣ କରାଯାଉଛି। ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ପାଖରେ ବିଶିଷ୍ଟ ଡିଜିଟାଲ ପରିଚୟପତ୍ର ରହିଛି, ଛଅ ଲକ୍ଷ ଗ୍ରାମକୁ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ସହ ଯୋଡ଼ି ଦିଆଯିବ ଏବଂ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଅର୍ଥ ପଇଠ ଭିତ୍ତିଭୂମି, ୟୁପିଆଇ ଭାରତ ନିକଟରେ ରହିଛି।

ଦ୍ୱିତୀୟତଃ, ସୁଶାସନ, ସମାବେଶନ, ସଶକ୍ତିକରଣ, ଯୋଗାଯୋଗ, ଲାଭ ହସ୍ତାନ୍ତର ଏବଂ ଜନକଲ୍ୟାଣ ଲାଗି ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରାଯାଉଛି।

ତୃତୀୟତଃ, ଭାରତ ନିକଟରେ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ରହିଛି।

ଚତୁର୍ଥତଃ, ଭାରତର ଉଦ୍ୟୋଗ ଏବଂ ସେବା କ୍ଷେତ୍ର, ଏପରିକି କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଡିଜିଟାଲ ପରିବର୍ତ୍ତନ ଜାରି ରହିଛି।

ପଞ୍ଚମତଃ, ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି। ସେ କହିଥିଲେ ଯେ, “ଆମେ ୫ଜି ଏବଂ ୬ଜି ଭଳି ଦୂରସଞ୍ଚାର ପ୍ରଯୁକ୍ତିରେ ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଲାଗି ନିବେଶ କରୁଛୁ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଙ୍ଗ, ବିଶେଷ କରି ମାନବକୈନ୍ଦ୍ରିକ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ଉପଯୋଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି। ଆମେ କ୍ଲାଉଡ୍ ପ୍ଲାଟଫର୍ମ ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗରେ ମଜବୁତ କ୍ଷମତା ବିକଶିତ କରୁଛୁ।”

ଭାରତର ନମନୀୟ ଏବଂ ଡିଜିଟାଲ ସାର୍ବଭୌମତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ହାର୍ଡୱେର ପ୍ରତି ଧ୍ୟାନ ଦେଉଛୁ। ସେମି କଣ୍ଡକ୍ଟରର ମୁଖ୍ୟ ନିର୍ମାତା ହେବା ଲାଗି ଆମେ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରସ୍ତୁତ କରୁଛୁ। ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଏବଂ ବିଶ୍ୱ ନିର୍ମାତାମାନଙ୍କୁ ଭାରତରେ ସେମାନଙ୍କର ଆଧାର ପ୍ରତିଷ୍ଠା କରିବା ଲାଗି ଆକର୍ଷିତ କରୁଛି। ସେ ଡାଟା ସୁରକ୍ଷା, ଗୋପନୀୟତା ଏବଂ ନିରାପତ୍ତା ଲାଗି ଭାରତର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଜୋର ଦେଇଥିଲେ। “ଏଥିସହିତ ଆମେ ଜନସାଧାରଣଙ୍କ ସଶକ୍ତିକରଣର ଉତ୍ସ ଭାବେ ଡାଟାକୁ ବ୍ୟବହାର କରୁଛୁ। ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏହାର କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୱାଇଟୁକେ ସମସ୍ୟାର ମୁକାବିଲା କରିବା କ୍ଷେତ୍ରରେ ଭାରତର ସହଯୋଗ ଏବଂ ଏକ ଓପନସୋର୍ସ ସଫ୍ଟୱେର ଭାବେ ନିଜର କୋୱିନ୍ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି ବିଶ୍ୱକୁ ପ୍ରସ୍ତାବ ଦେବା ଭାରତର ମୂଲ୍ୟବୋଧ ଏବଂ ଏହାର ମହତ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। “ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼। ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଜନକଲ୍ୟାଣ, ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଲାଗି ପ୍ରଯୁକ୍ତି ଏବଂ ନୀତିଗୁଡ଼ିକର ଉପଯୋଗ କରିବା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି, ଯାହା ବିକାଶଶୀଳ ଦେଶମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ। ସେ କହିଥିଲେ, “ଆମେ ଦେଶଗୁଡ଼ିକୁ ଏବଂ ସେଠାକାର ଲୋକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିପାରିବା ତଥା ସେମାନଙ୍କୁ ଏହି ଶତାବ୍ଦୀର ସୁଯୋଗଗୁଡ଼ିକ ପାଇଁ ପ୍ରସ୍ତୁତ କରିପାରିବା”।

ଗଣତନ୍ତ୍ରଗୁଡ଼ିକୁ ମିଳିତ ଭାବେ କାମ କରିବା ଲାଗି ଏକ ରୋଡମ୍ୟାପର ପ୍ରସ୍ତାବ ଦେଇଥିଲେ ଶ୍ରୀ ମୋଦୀ। ଭବିଷ୍ୟତ ପ୍ରଯୁକ୍ତିରେ ଗବେଷଣା ଓ ବିକାଶ; ଭରସାଯୋଗ୍ୟ ଉତ୍ପାଦନ ଆଧାର ଏବଂ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା; ସାଇବର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ଉପରେ ଗୁଇନ୍ଦା ଓ ପରିଚାଳନା ସହଯୋଗକୁ ନିବିଡ଼ କରିବା; ଜନମତକୁ ପ୍ରଭାବିତ ହେବାକୁ ନଦେବା; ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁକୂଳ ବୈଷୟିକ ତଥା ପ୍ରଶାସନିକ ମାନକ ଓ ନିୟମାବଳୀ ବିକଶିତ କରିବା ଏବଂ ଡାଟା ପ୍ରଶାସନ ଓ ସୀମାପାର ସ୍ଥାନାନ୍ତର ହେଉଥିବା ଡାଟାର ସୁରକ୍ଷା ଓ ନିରାପତ୍ତା ଲାଗି ସହଯୋଗ ନିମନ୍ତେ ସେ ଆହ୍ୱାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସେ କ୍ରିପ୍ଟୋ-କରେନ୍ସିର ଉଦାହରଣ ଦେଇଥିଲେ ଓ କହିଥିଲେ, “ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ।”

Categories
ଆଜିର ଖବର ଜାତୀୟ ଖବର

ସିଡନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୮.୧୧.୨୦୨୧)ସକାଳ ୯ଟା ବେଳେ ସିଡନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଭାଷଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ପ୍ରଯୁକ୍ତି ଉଦ୍ଭାବନ ଓ ବିପ୍ଳବ ଉପରେ ଉଦ୍ବୋଧନ ଦେବେ।

ସିଡନୀ ଡାଏଲଗ୍ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଆୟୋଜିତ ହେଉଛି ଅଷ୍ଟ୍ରେଲିୟ ରଣନୀତିକ ପ୍ରତିଷ୍ଠାନ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି। ଏଥିରେ ଦୁନିଆକୁ ଆସୁଥିବା ନୂତନ ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ଆହ୍ୱାନଗୁଡିକୁ ନେଇ ସରକାରୀ, ରାଜନୈତିକ ଓ ବ୍ୟାବସାୟିକ ବିଶେଷଜ୍ଞମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଓ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।