Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଅନ୍ତର୍ଜାତୀୟ ବଜାରରେ ଓଡିଶାର ଚାଷୀ ଉତ୍ପାଦିତ ଜିନିଷ ବିକ୍ରୀ ପାଇଁ ନିଆଗଲା ପଦକ୍ଷେପ

ଭୁବନେଶ୍ୱର: ଚାଷୀ ବିକ୍ରୟ କରୁଥିବା ଉତ୍ପାଦର ମୂଲ୍ୟ ଏବଂ ତାହାର ବଜାର ଦର ମଧ୍ୟରେ ମଧ୍ୟସ୍ଥତା ହଟାଯାଇପାରିଲେ ଚାଷୀର ଆୟ ବୃଦ୍ଧି ହୋଇପାରିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ଏଗ୍ରି-କନ୍‌କ୍ଲେଭ୍‌ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକର କନ୍‌କ୍ଲେଭ୍‌ ଆୟୋଜନ କରିଥିଲେ। ଚାଷୀମାନଙ୍କ ଖାଦ୍ୟଶୃଙ୍ଖଳରେ ରହିଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରି ତା’ର ନୂତନ ପଥ ବାଛିବା ନିମନ୍ତେ ଏସବୁ କନ୍‌କ୍ଲେଭ୍‌ ଉପଯୁକ୍ତ ମଞ୍ଚ ପ୍ରଦାନ କରିଥିଲା।

ବିଗତ ବର୍ଷଗୁଡ଼ିକରେ କୃଷି ଓ କୃଷକଙ୍କୁ ନେଇ ହୋଇଥିବା ବିକାଶର ଚିତ୍ର ଆକଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସିଧାସଳଖ ଚାଷୀଙ୍କଠାରୁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡ଼ିକ ନିମନ୍ତେ କୃଷି ଉତ୍ପାଦ କ୍ରୟ କରୁଥିବା କୃଷି ଉଦ୍ୟୋଗୀମାନେ ୧୫ଟି ଖାଦ୍ୟ ପ୍ରକି୍ରୟାକରଣ ସଂସ୍ଥା ସହ ସହବନ୍ଧନ କରିଛନ୍ତି। ବିଭିନ୍ନ ପେଶା, ବୟସ, ଶିକ୍ଷାଗତ ଯୋଗ୍ୟତା, ସ୍ଥାନ ଏବଂ କାର୍ଯ୍ୟର ପରିସର ନେଇ ଏହି କୃଷି ଉଦ୍ୟୋଗୀମାନଙ୍କ ମଧ୍ୟରେ ବିବିଧତା ପରିଲକ୍ଷିତ ହୋଇଥିଲା।

ଏହି ଉଦ୍ୟୋଗୀ ଦଳରେ ବିଗ୍‌ ବାସ୍କେଟ, ଡିହାଟ୍‌, କଜାନନ୍‌ ଆଗ୍ରୋ ପ୍ରା. ଲିଃ, ଏକ୍‌ୱାର୍କ୍ସ ସିନରଜେଷ୍ଟିକ୍‌ ଆଗ୍ରିବିଜ୍‌ନେସ୍‌ ନେଟ୍‌ୱାର୍କସ୍‌ ପ୍ରା. ଲିଃ., ଫେଲିସ୍‌ ଲିଓ ଭେଞ୍ଚର୍ସ ପ୍ରା. ଲିଃ. ଏବଂ ଓରିଜିନ୍ସ୍‌, ମୟୂରଭଞ୍ଜ ଗ୍ରାଣ୍ଡ ପ୍ରା. ଲିଃ, ଆଗ୍ରିଲିଙ୍କ୍‌ ଫୁଡ୍‌ ପ୍ରସେସିଂ ପ୍ରା. ଲିଃ., ଏକେଏମ୍‌ ଆଗ୍ରୋ ପ୍ରସେସିଂ ପ୍ରା. ଲିଃ., ରିଲେଣ୍ଟନେସ୍‌ ଫୁଡସ୍‌ ପ୍ରା. ଲିଃ, ପ୍ରଣାମଫରୟୁ ଭେଞ୍ଜର୍ସ ପ୍ରା. ଲିଃ., ଭିଲ୍ଲା ମାର୍ଟ, ଆଗ୍ରିସୋଲ୍‌ ଅର୍ଗାନିକ୍ସ, ମହାଲକ୍ଷ୍ମୀ ଟ୍ରେଡିଂ ପରି ଓଡ଼ିଶାର ଷ୍ଟାର୍ଟଅପ୍‌ମାନେ ରହିଛନ୍ତି। ଖୋର୍ଦ୍ଧା ଓ କଟକ ସହ କୋରାପୁଟ, ଢେଙ୍କାନାଳ, କନ୍ଧମାଳ, ମୟୂରଭଞ୍ଜ ଆଦି ଜିଲ୍ଲାର ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ସହ ଏହି ଉଦ୍ୟୋଗୀମାନେ ସହବନ୍ଧନ କରିଛନ୍ତି।

ଏହି ସଂସ୍ଥାଗୁଡ଼ିକ ମାଣ୍ଡିଆ, ମହୁ, ଲେମନ୍‌ଗ୍ରାସ୍‌, ମୋରିଙ୍ଗାଠାରୁ ଆରମ୍ଭ କରି କାଜୁବାଦାମ ଓ ଧାନ ପର୍ଯ୍ୟନ୍ତ ବିଭିନ୍ନ ଶସ୍ୟର ସଂଗ୍ରହଣ କରିବେ। ଅଣଧାନ ଉତ୍ପାଦ ମଧ୍ୟରେ ଲେମନ୍‌ ଗ୍ରାସ୍‌ ଚାଷ କରାଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ରୂପାନ୍ତରଣ ସମ୍ଭବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା।

ରୂପାନ୍ତରଣର ଯାତ୍ରାରେ ବିକାଶର ଅନେକ ସୁଯୋଗ ରହିଛି। ସେସବୁରେ ପ୍ରାଥମିକ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ମାନ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ଅନ୍ୟଟି ହେଲା ସହବନ୍ଧନର ନିୟମ, ଲାଭ ସମ୍ବନ୍ଧରେ ସଚେତନତା ଏବଂ ପେଶାଦାର ପରିଚାଳନା। ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା, ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ବଳବତ୍ତର ରହିଲେ ଚାଷୀଙ୍କ ଆୟକୁ ବୃଦ୍ଧି କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବିଶ୍ବ ବଜାରରେ ଓଡିଶାର ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି କରିବା ପାଇଁ ହେବ ପଦକ୍ଷେପ: ଅସୀତ ତ୍ରିପାଠୀ

ଭୁବନେଶ୍ୱର : ଓଡ଼ିଶାର ସବୁ ଜିଲ୍ଲାର ଉତ୍ପାଦମାନ ସ୍ୱତନ୍ତ୍ର, ଅନନ୍ୟ ଓ ଚମତ୍କାର। ବିଶ୍ୱ ଓ ଦେଶର ବଜାରରେ ଏସବୁ ଉତ୍ପାଦଗୁଡ଼ିକର ସମୁଚିତ ମାର୍କେଟିଂ ହୋଇପାରିଲେ ବହୁ ଉଦ୍ୟୋଗୀ ସଫଳ ହେବେ ଓ ଆମ ରାଜ୍ୟ ଦେଶର ଅନ୍ୟତମ ବିକଶିତ ରାଜ୍ୟ ରୂପେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ସଂବର୍ଦ୍ଧନ ବିଭାଗ ଓ ଇନଭେଷ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା କ୍ରେତା-ବିକ୍ରେତା ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କହିଲେ ଯେ ଆମ ରାଜ୍ୟର ଉତ୍ପାଦଗୁଡ଼ିକର ମାନ ଉଚ୍ଚକୋଟୀର। ତେବେ ସେଗୁଡ଼ିକର ପ୍ରକି୍ରୟାକରଣ କରାଗଲେ ଉତ୍ପାଦକମାନଙ୍କ ପାଇଁ ଏହା ଅଧିକ ଲାଭପ୍ରଦ ହେବ। ଉଦ୍ୟୋଗୀ ହେବା ପାଇଁ ସଂପ୍ରତି ଆଗ୍ରହ ସୃଷ୍ଟି ହେଲାଣି।

ବାସ୍ତବ କ୍ଷେତ୍ରରେ ପହଞ୍ଚି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହୀ ଯୁବକଯୁବତୀମାନଙ୍କ ସମସ୍ୟା ସମାଧାନ କରିବାକୁ ପଡ଼ିବ। ଋଣ ଓ ଜମିର ସମସ୍ୟା ସମାଧାନ କରି ଅଞ୍ଚଳଭିତ୍ତିକ କଞ୍ଚାମାଲ ଉତ୍ପାଦନରେ ଆଶାନୁରୂପ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଆଧୁନିକ ଡିଜାଇନରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଗଲେ ଏହା ବିଶ୍ୱବାସୀଙ୍କୁ ଆକର୍ଷିତ କରିବ।

ଅଧିକରୁ ଅଧିକ ବିକ୍ରେତାଙ୍କ ଧ୍ୟାନ ଓଡ଼ିଶାର ଉତ୍ପାଦ ଉପରେ କେନ୍ଦ୍ରୀଭୂତ ହେବ। ଅନ୍‌ଲାଇନ ଇ-ବାଣିଜ୍ୟ ସହ ରାଜ୍ୟର ଉତ୍ପାଦକମାନେ ଯୋଡ଼ି ହେଲେ ସେମାନେ ବେଶ୍‌ ଲାଭ ପାଇବେ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟ ରୂପେ ଗଢ଼ିତୋଳିବାର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ୬୫ ଜଣ ଉତ୍ପାଦକ ବା ବିକ୍ରେତା ଏବଂ ୨୦ ଜଣ କ୍ରେତା ଏହି ସମ୍ମିଳନୀରେ ଯୋଗଦେବା ଅତ୍ୟନ୍ତ ଖୁସିର ବିଷୟ। ରାଜ୍ୟର ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକୁ ଜି.ଆଇ. ଟ୍ୟାଗ୍‌ ଦେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜିର ସମ୍ମିଳନୀ ଯୋଗୁଁ କୃଷିଜାତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଉତ୍ପାଦ, ତାରକସି କାମ, ପଟ୍ଟଚିତ୍ର ଆଦିର କ୍ରେତା ମିଳିବା ସମ୍ଭବ ହେବ। ଓଡ଼ିଶା ବାହାରେ ଓ ବିଶ୍ୱର ବିଭିନ୍ନ ଦେଶରେ ରାଜ୍ୟର ଉତ୍ପାଦ ପହଞ୍ଚି ପାରିଲେ ବିଭାଗର ଉଦ୍ୟମ ସଫଳ ହେବ ବୋଲି ସଚିବ ଶ୍ରୀମତୀ ଚୋପ୍ରା ପ୍ରକାଶ କରିଥିଲେ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ବିଭୂତି ଭୂଷଣ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପାୱାର ପଏଣ୍ଟ ପ୍ରଦର୍ଶନ କରି କହିଲେ ଯେ କୋଭିଡ-୧୯ ପରବର୍ତ୍ତୀ ସମୟରେ ଆମ ରାଜ୍ୟର ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଛି। ୨୦୨୧-୨୨ରେ ଜାତୀୟ ଜିଏସ୍‌ଡିପି ବୃଦ୍ଧି ହାର ୮.୮ ପ୍ରତିଶତ ଥିବାବେଳେ ଓଡ଼ିଶର ଜିଏସ୍‌ଡିପି ବୃଦ୍ଧି ହାର ୧୦.୧ ପ୍ରତିଶତ ହୋଇପାରିଛି। ୨୦୨୫ ସୁଦ୍ଧା ଓଡ଼ିଶା ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ଆକର୍ଷିତ କରିବ ଓ ୩ ନିୟୁତ ଚାକିରି ସୁଯୋଗ ସୃଷ୍ଟି
ହେବ।

୨୦୧୫ରୁ ୨୨ ମଧ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ଜାତୀୟ ସ୍ତରରେ ୮ ପ୍ରତିଶତ ଥିବାବେଳେ ରାଜ୍ୟ ସ୍ତରରେ ଏହା ୧୧.୬ ପ୍ରତିଶତ ହୋଇପାରିଛି। ଆମ ରାଜ୍ୟର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡ଼ିକରେ ଜାତୀୟ ହାରଠାରୁ ଅଧିକ ନିୟୋଜନ ମିଳିପାରିଛି। ନଡ଼ାଛତୁ, କନ୍ଦମୂଳ ଉତ୍ପାଦନରେ ପ୍ରଥମ, ପଣସ ଉତ୍ପାଦନରେ ଦ୍ୱିତୀୟ, କାଜୁ ଉତ୍ପାଦନରେ ତୃତୀୟ, ମାଛ, ଚିଙ୍ଗୁଡ଼ି ଉତ୍ପାଦନରେ ଚତୁର୍ଥ, ନଡ଼ିଆ ଉତ୍ପାଦନରେ ଷଷ୍ଠ, ପନିପରିବା ଉତ୍ପାଦନରେ ଏକାଦଶ, ଦେଶର ସମୁଦାୟ ମସଲା ଉତ୍ପାଦନର ୫ ପ୍ରତିଶତ, ସମୁଦାୟ ଫୁଲ ଉତ୍ପାଦନର ୩ ପ୍ରତିଶତ ହାସଲ କରିବାରେ ଓଡ଼ିଶା ସମର୍ଥ ହୋଇପାରିଛି। ବିଶ୍ୱ ଓ ଦେଶର ଅନ୍ୟ ରାଜ୍ୟରେ ଆମେ ଆମର ଉତ୍ପାଦମାନ ସଠିକ୍‌ ମୂଲ୍ୟରେ ପହଞ୍ଚାଇ ପାରିଲେ ରାଜ୍ୟର ଉତ୍ପାଦକମାନଙ୍କ ବେଶ୍‌ ହିତ ସାଧନ ହେବ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ସାମୁଦ୍ରିକ ଉତ୍ପାଦ ଓ ପ୍ରସ୍ତର ଶିଳ୍ପ, କଟକ ଜିଲ୍ଲାର ମାଣିଆବନ୍ଧ ଶାଢ଼ି ଓ ରୂପା ତାରକସି, ବାଲେଶ୍ୱର ଜିଲ୍ଲାର ସାମୁଦ୍ରିକ ଉତ୍ପାଦ ଓ ପ୍ରସ୍ତର ଶିଳ୍ପ ବିଦେଶକୁ ରପ୍ତାନୀ ପାଇଁ ସ୍ଥିର କରାଯାଇଛି। ‘ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦ’ ଯୋଜନାରେ କୃଷିଜାତ ଦ୍ରବ୍ୟ ମଧ୍ୟରେ ଧାନ, କାଜୁ, ତରଭୁଜ, ଲଙ୍କା, ଅଦା, ହଳଦୀ, ମାଣ୍ଡିଆ, ମକା, ତେନ୍ତୁଳି ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ମଧ୍ୟରେ ସମ୍ବଲପୁରୀ ହସ୍ତତନ୍ତ, ମାଣିଆବନ୍ଧ ହସ୍ତତନ୍ତ, ପ୍ରସ୍ତର ଶିଳ୍ପ, କାଷ୍ଠ ଖୋଦେଇ ଉତ୍ପାଦ, ପଟ୍ଟଚିତ୍ର, ରୂପା ତାରକସୀକୁ ଅନ୍ତର୍ଭୁକ୍ତ କରାଯାଇଛି।