Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବହୁ ବାଦବିବାଦ ପରେ ଶେଷରେ ଏକା ଥରେ ପ୍ରଦାନ କରାଗଲା ସାତ ବର୍ଷର ଧର୍ମପଦ ପୁରସ୍କାର

ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ  ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ।

ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ।

ତେବେ ସେ ସବୁ ବାଦବିବାଦ ଶେଷ ହେବା ପରେ ଏବେ ଲଳିତକଳା ଏକାଡେମୀ ଏହି ପୁରସ୍କାର ପ୍ରଦାନ କରିଛି। କୋଭିଡ-୧୯ କଟକଣା ପାଇଁ ଏହି ସାତ ଜଣଙ୍କ ବାସଭବନକୁ ଏକାଡେମୀ ଅଧିକାରୀମାନେ ଯାଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କୁ ଏକ ଲକ୍ଷ ଟଙ୍କା, ତାମ୍ରଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯାଇଛି। ତେବେ ୨୦୧୩ ମସିହା ପାଇଁ ମନୋନିତ ହୋଇଥିବା ପଦ୍ମବିଭୂଷଣ ଯତୀନ ଦାସ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ତାଙ୍କୁ ଦିଆଯାଇ ନାହିଁ। ଏହି ସାତ ବର୍ଷ ପାଇଁ ଯେଉଁ ସାତ ଜଣ ପୁରସ୍କାର ହାସଲ କରିଛନ୍ତି ସେମାନେ ହେଲେ

୨୦୦୯ ମସିହା- ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକ, ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଅନୂସାୟା ପଟ୍ଟନାୟକ

୨୦୧୦ ମସିହା-ସ୍ବର୍ଗତ ଅସୀମ ବସୁ , ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଗୀତା ବସୁ

୨୦୧୧ ମସିହା-ଦୁର୍ଗା ପ୍ରସାଦ ଦାସ

୨୦୧୨ ମସିହା- ପଦ୍ମଶ୍ରୀ ସୁଦର୍ଶନ ସାହୁ

୨୦୧୩ ମସିହା- ପଦ୍ମବିଭୂଷଣ ଯତୀନ ଦାସ ( ନୂଆ ଦିଲ୍ଲୀରେ ଥିବାରୁ ପରେ ଦିଆଯିବ)

୨୦୧୪ ମସିହା- ସ୍ବର୍ଗତ ଦୀନାନାଥ ପାଠୀ , ମରଣୋତ୍ତର ପୁରସ୍କାର ନେଲେ ପୁତ୍ର ସୋଭାଗ୍ୟ ପାଠୀ

୨୦୧୫ ମସିହା- ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

ଏହି ପୁରସ୍କାର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଷ୍ଣୁପଦ ସେଠୀ, ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ ପ୍ରଦାନ କରିଥିଲେ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

କଟକରେ ଉତ୍କଳ ଗୌରବ ମଧୁସୂଦନ ଓ ରବିନ୍ଦ୍ର ମଣ୍ଡପରେ ନାଟ୍ୟକାର ଅସୀମ ବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ପ୍ରତିମୂର୍ତ୍ତିଗୁଡିକୁ ସୁଇଚ୍‌ ଟିପି ଅନାବରଣ କରିଥିଲେ।

ଏହି ଅବସରରେ ଭିଡିଓ ବାର୍ତ୍ତା ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆ ଜାତିର ଅସ୍ମିତା ପାଇଁ ଯେଉଁ ତ୍ୟାଗ ଓ ସଂଘର୍ଷ କରିଯାଇଛନ୍ତି ତାକୁ କୌଣସି ଓଡିଆ କେବେ ବି ଭୁଲି ପାରିବ ନାହିଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆର ସ୍ୱାଭିମାନ ସକାଶେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ସେହି ପରି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକ ଶ୍ରୀ ଅସୀମ ବସୁ ଥିଲେ ଜଣେ ଲବ୍ଧ ପ୍ରତିଷ୍ଠ କଳାକାର । ଓଡ଼ିଆ ମଞ୍ଚ ନାଟକ ଓ ମଞ୍ଚ କଳାକୁ ସେ ଏକ ନୂତନ ଦିଗ ଦେଇ କଳା ଜଗତରେ ବେଶ୍‌ ସୁନାମ ଅର୍ଜନ କରି ପାରିଥିଲେ।

ଏହି ଦୁଇ ମହାନ୍‌ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତା’ର ପ୍ରତିଶୃତି ରକ୍ଷା କରିଛି ବୋଲି କହିଥିଲେ । ଏହି ଦୁଇଟି ପ୍ରତିମୂର୍ତ୍ତି ମଧ୍ୟରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି କଟକ ବିଡାନାସୀ ନିକଟସ୍ଥ ମଧୁ-ସେତୁ ପାଖରେ ସ୍ଥାପିତ କରାଯାଇଥିବା ବେଳେ ଅସୀମ ବସୁଙ୍କ ପ୍ରତିମୂତ୍ତି ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପ ପରିସରରେ ସ୍ଥପନ କରାଯାଇଛି ।

ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ,ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ପାଣିଗ୍ରାହୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିର ମୂର୍ତ୍ତିକାର ଜୟନ୍ତ କୁମାର ଦାସ ଓ ଅସୀମ ବସୁଙ୍କ ପ୍ରତିମୂର୍ତ୍ତିର ମୂର୍ତ୍ତିକାର ସରୋଜ କୁମାର ଭଞ୍ଜକୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଅସୀମ ବସୁୁଙ୍କ ପତ୍ନୀ ଗୀତା ବସୁ, ଝିଅ ଅତସୀ ବସୁ ଓ ଭାସ୍ପତି ବସୁ ଏବଂ ପୁଅ ଗୌତମ ବସୁ ଉପସ୍ଥିତ ଥିଲେ।