Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ସଫଳତାର ସହ ଶେଷ ହେଲା ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023

ଅହମ୍ମଦାବାଦ: ଦେଶରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକରୁ ଅଧିକ ପ୍ରଯୁକ୍ତି ଜ୍ଞାନକୌଶଳ ଓ ନବସୃଜନକୁ ଗ୍ରହଣ କରିବାର ଆହ୍ୱାନ ଦେଇ ବୁଧବାର ଅହମ୍ମଦାବାଦରେ ବୈଶ୍ବିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023 ସଫଳତାର ସହ ଶେଷ ହୋଇଛି।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଗଣମାଧ୍ୟମକୁ କହିଛନ୍ତି ଯେ ଅହମ୍ମଦାବାଦରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବାରେ ସହାୟତା କରିଥିବାରୁ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ସେ ମତ୍ସ୍ୟଜୀବୀ ସମୁଦାୟ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି, ଯେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ପ୍ରଥମ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ, ଅନ୍ତର୍ଜାତୀୟ ସଂଗଠନ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଏକ ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଆୟୋଜନ କରିଛି।

ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ 14,000ରୁ ଅଧିକ ପ୍ରତ୍ୟେକ୍ଷ ଏବଂ ଭର୍ଚୁଆଲ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ପାଳନ ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୈତିକ ପ୍ରତିନିଧି ଦଳ, ବିଶ୍ୱର ବିଭିନ୍ନ ମତ୍ସ୍ୟ ବୈଜ୍ଞାନିକ, ନୀତି ନିର୍ମାତା, ମତ୍ସ୍ୟଜୀବୀ ସମୁଦାୟ ଏବଂ ନିବେଶକାରୀ ବ୍ୟାଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ଅଂଶୀଦାରମାନଙ୍କୁ ଏକାଠି କରିବାରେ ଏହି ସମ୍ମିଳନୀ ସଫଳ ହୋଇଛି ।

ଏହି ସମ୍ମିଳନୀ ଅବସରରେ 5ଟି ବୈଷୟିକ ଅଧିବେଶନ, 5ଟି ଶିଳ୍ପ ସଂଯୋଗ ଏବଂ 5ଟି ସରକାରରୁ ସରକାର (G2G) ଏବଂ ସରକାରରୁ ବ୍ୟବସାୟ ବା ଗଭର୍ଣ୍ଣମେଣ୍ଟ-ଟୁ-ବିଜନେସ୍ (G2B) ଏବଂ ବ୍ୟବସାୟରୁ ବ୍ୟବସାୟ ବା ବିଜନେସ୍-ଟୁ-ବିଜନେସ୍ (B2B) ଅଧିବେଶନକୁ ନେଇ ଏକ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ସେହିପରି ଏହି ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀ, ଖାଦ୍ୟ ଷ୍ଟଲ, ଆକ୍ୱାରିୟମ୍, କୃତ୍ରିମ ରିଫ୍, ସାମୁଦ୍ରିକ ଶୈବାଳ ଚାଷ, ମତ୍ସ୍ୟ ଚାଷ, ସାମୁଦ୍ରିକ କେଜ୍ କଲଚର ବା ପଞ୍ଜୁରୀ ମାଛ ଚାଷ, ବାୟୋଫ୍ଲୋକ୍, ଆରଏଏସ୍, ମାଛ ଖାଦ୍ୟ, ଏଲପିଜି କନଭର୍ଟର କିଟ୍, ମୋତି ଉତ୍ପାଦନ, ଓ ନ୍ୟୁକ୍ଲିୟସ୍ ପ୍ରତିରୋପଣ, ସାଟ୍କମ୍ ଉପଗ୍ରହ ଟର୍ମିନାଲ ଯୋଗାଯୋଗ ବ୍ୟବସ୍ଥାର ମଡେଲ୍, ପରିବେଶ ଅନୁକୂଳ ସ୍ଥାନାନ୍ତର କିଓସ୍କ ଆଦି ପ୍ରଦର୍ଶନ କରାଯାଇଥିଲା। ଗତକାଲି ଏହି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଫିଜିକାଲ ବା ପ୍ରତ୍ୟେକ୍ଷ ଏବଂ ଅନଲାଇନ ମୋଡରେ ଭଲ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଏକ ବଡ ସଫଳତା ଦେଇଥିଲା ।

ଶିଳ୍ପ ସଂଯୋଗ ଅଧିବେଶନ

ଶିଳ୍ପ ସଂଯୋଗ ଅଧିବେଶନରେ ଶ୍ରମିକ ନେତା, ନୀତି ନିର୍ମାତା, ଉଦ୍ୟୋଗୀ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରାଯାଇଥିଲା ଏବଂ ଏହି କ୍ଷେତ୍ର ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ମତ୍ସ୍ୟ ଶିଳ୍ପରେ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନବାସୃଜନ, ଜ୍ଞାନକୌଶଳ ଗ୍ରହଣ, ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ ।

ଏହି ଅଧିବେଶନରେ ମତ୍ସ୍ୟ ଚାଷ​‌ କ୍ଷେତ୍ରର ବିକଶିତ ଦୃଶ୍ୟପଟ୍ଟ ଉପରେ ଆଲୋକପାତ କରାଯିବା ସହ ଷ୍ଟାର୍ଟଅପ୍ ର ଭୂମିକା, ମତ୍ସ୍ୟ ମୂଲ୍ୟ ଶୃଙ୍ଖଳାରେ ମହିଳାଙ୍କ ଅଂଶଗ୍ରହଣ, ଉତ୍ପାଦନ ପରବର୍ତ୍ତୀ ମତ୍ସ୍ୟ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ ଏବଂ ବୈଷୟିକ ଜ୍ଞାନକୌଶଳର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋଚନା କରାଯାଇଥିଲା।

‘ମତ୍ସ୍ୟ ଓ ଜଳ କୃଷିରେ ଷ୍ଟାର୍ଟଅପ୍ ର ଭୂମିକା’ ଶୀର୍ଷକ ଏହି ଅଧିବେଶନରେ ବକ୍ତାମାନେ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ସହଜରେ ବ୍ୟବହୃତ ଏବଂ ଅର୍ଥିକ  ଭାବେ ସୁଲଭ ବ୍ୟବହାର ଯୋଗ୍ୟ ଉତ୍ପାଦ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଧୀରେ ଧୀରେ ଟେକ୍ନୋଲୋଜିକୁ ଗ୍ରହଣ କରିବା, ପୁଞ୍ଜିନିବେଶର ଅଭାବ, ପର୍ଯ୍ୟାପ୍ତ ବଜାର ବ୍ୟବସ୍ଥାର ଅଭାବ  ଏବଂ ବୈଷୟିକ ସହାୟତାର ଅଭାବ ଏହି ଶିଳ୍ପ କ୍ଷେତ୍ରରେ ଥିବା ପ୍ରମୁଖ ପ୍ରତିବନ୍ଧକ ବୋଲି ଆଲୋଚନା ହୋଇଥିଲା । ଏହି କ୍ଷେତ୍ରରେ ଦୀର୍ଘକାଳୀନ ସ୍ଥାୟୀତ୍ବ ବା ନିରନ୍ତରତା ପାଇଁ ପରିପୂରକ ସେବା ସହିତ ଷ୍ଟାର୍ଟଅପ୍ ରେ ସହଯୋଗ ଏକ ପ୍ରମୁଖ ରଣନୀତି ଭାବରେ ଚିହ୍ନଟ କରାଯାଇଥିଲା ।

ଏବେ ମଧ୍ୟ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଏବଂ କମ୍ ବେତନ ଦିଆଯାଉଛି

“ମତ୍ସ୍ୟ ଚାଷରେ ମହିଳାଙ୍କ ଅଂଶଗ୍ରହଣ ଓ ମୂଲ୍ୟ ଶୃଙ୍ଖଳା” ଶୀର୍ଷକ ଶିଳ୍ପ ସମ୍ପର୍କୀୟ ଅଧିବେଶନ ଅନୁଯାୟୀ, ମତ୍ସ୍ୟ ଚାଷ କ୍ଷେତ୍ରରେ ଅମଳ ପରବର୍ତ୍ତୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଯୋଗଦାନ ସତ୍ତ୍ୱେ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଦିଆଯାଉଛି ଏବଂ କମ୍ ମଜୁରି ମଧ୍ୟ ପ୍ରଦାନ କରାଯାଉଛି ।

ଏହି ଅଧିବେଶନରେ ସାମାଜିକ ଭିତ୍ତିଭୂମିର ଅଭାବ, ଲିଙ୍ଗଗତ ସମ୍ବେଦନଶୀଳତାର ଅଭାବ ଏବଂ କମ୍ ସଚେତନତା ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରାଯାଇଥିଲା । ପ୍ରସ୍ତାବିତ ସମାଧାନ ଗୁଡ଼ିକ ମଧ୍ୟରେ ସହାୟତା ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସଚେତନତା ସୃଷ୍ଟି ଅଭିଯାନ ଏବଂ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ । ମହିଳାମାନଙ୍କୁ ମତ୍ସ୍ୟ ମୂଲ୍ୟ ଶୃଙ୍ଖଳା ଏବଂ ଏ କ୍ଷେତ୍ରରେ ବୃହତ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ନମନୀୟତା ଏବଂ ସ୍ଥାୟୀତ୍ବ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

‘ମତ୍ସ୍ୟ ଚାଷ ପରେ ଅମଳ ପରବର୍ତ୍ତୀ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ’ ଶୀର୍ଷକ ଏହି ଅଧିବେଶନରେ ମତ୍ସ୍ୟ ଯୋଗାଣ ଶୃଙ୍ଖଳାରେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଏବଂ ମାଛ ଉତ୍ପାଦର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧିରେ ଶୀତଳ ଶୃଙ୍ଖଳା ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା।

ହାଇଦ୍ରାବାଦର ଏଆରଏସ, ସିଇ, ଏନଏଫଡିବିର ଡକ୍ଟର ଏଲ. ନରସିଂହ ମୂର୍ତ୍ତି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଏକ ବିଶେଷଜ୍ଞ ଦଳ ସାମିଲ ଥିଲେ । ଶୀତଳ ଶୃଙ୍ଖଳା ଭିତ୍ତିଭୂମିର ଗୁରୁତ୍ୱ, କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ଭିତ୍ତିକ ଅଧ୍ୟୟନ ଓ ନୀତିଗତ ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ।

ପ୍ରମୁଖ୍ୟ ବକ୍ତାମାନେ ଉତ୍ପାଦନ ପରେ ହେଉଥିବା କ୍ଷତିର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆୟ ହ୍ରାସ କରିବା ଏବଂ ପ୍ରୋଟିନ୍ ନଷ୍ଟ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱଚ୍ଛ ରେଫ୍ରିଜରେସନ ଟେକ୍ନୋଲୋଜି ପାଇଁ ଶକ୍ତି ସକ୍ଷମ ସମାଧାନ, ସମାନ ନୀତି ଏବଂ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ଘରୋଇ ବ୍ୟବହାର ଏବଂ ରପ୍ତାନି ପାଇଁ ମୂଲ୍ୟ ଶୃଙ୍ଖଳାରେ ଗୁଣବତ୍ତା ତଥା ଗୁଣାତ୍ମକ ଭାବେ ମାଛର ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ସକ୍ରିୟ କୁଲିଂ ପ୍ରଣାଳୀରେ ନବସୃଜନକୁ ପ୍ରୋତ୍ସାହିତ କରିବାକୁ ଆଲାଚକମାନେ ଅନୁରୋଧ କରିଥିଲେ ।

ସମଗ୍ରିକ ଭାବେ ମତ୍ସ୍ୟ ଚାଷ କ୍ଷେତ୍ରରେ କ୍ଷତି ହ୍ରାସ କରିବା, ଉତ୍ପାଦର ଗୁଣବତ୍ତା ବୃଦ୍ଧି କରିବା ଏବଂ ସମଗ୍ର ବିଶ୍ୱର ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ଏବଂ ପୁଷ୍ଟିକର ସାମୁଦ୍ରିକ ଖାଦ୍ୟର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ପ୍ରକ୍ରିୟାର ଉନ୍ନତି କରଣ ପାଇଁ ସମନ୍ୱିତ ପ୍ରୟାସ କରିବାକୁ ଅଧିବେଶନରେ ଆହ୍ୱାନ ଦିଆଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ବହୁ ଚେଷ୍ଟା ପରେ ମଧ୍ୟ ଆଖିରୁ ଲୁହ ରୋକିପାରିଲେନି ରୋହିତ, ପିଲାଙ୍କ ପରି କାନ୍ଦିଲେ ସିରାଜ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗ୍ଲେନ୍ ମ୍ୟାକ୍ସୱେଲ ୨୦୨୩ ବିଶ୍ୱକପ୍ ଫାଇନାଲର ବିଜୟ ରନ୍ ମାରିବା ମାତ୍ରେ ସମଗ୍ର ଅଷ୍ଟ୍ରେଲିୟ ଦଳ ପଡ଼ିଆ ଆଡକୁ ଦୌଡିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆତସବାଜି ମଧ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ପଟେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ କିଛି ଚେହେରାର ଚିତ୍ର ଦେଖାଯିବା ଆରମ୍ଭ କରିଥିଲା ​​ଯାହା ବୋଧହୁଏ ବହୁ ବର୍ଷ ଧରି ଭାରତୀୟ ପ୍ରଶଂସକଙ୍କୁ ଯନ୍ତ୍ରଣା ଦେବ। ଏହି ଚିତ୍ରଗୁଡ଼ିକ ଭାରତୀୟ ଖେଳାଳିଙ୍କ ଚେହେରାର ଥିଲା, ଯେଉଁଥିରେ ହତାଶ ଏବଂ ନିରାଶ ହୋଇଥିବା ଭାରତୀୟ ଖେଳାଳିଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ଦେଖାଯାଉଥିଲା। କିଛି ଖେଳାଳି ପଡ଼ିଆରେ ହିଁ ବସିଯାଇଥିଲେ, କେହି କେହି ଆକାଶକୁ ଦେଖିବା ଆରମ୍ଭ କରିଥିଲେ, କେହି କେହି କ୍ୟାପ୍ ଦ୍ଵାରା ମୁହଁ ଲୁଚାଇଥିଲେ। ଏସବୁ ମଧ୍ୟରେ ଦୁଇଟି ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଚିତ୍ର ଦୁଇଟି ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଥିଲା।

ମ୍ୟାକ୍ସୱେଲ ରନ୍ ଶେଷ କରିବା ମାତ୍ରେ ରୋହିତ ଶର୍ମା ପାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ। ତାଙ୍କର ଗତି ଧୀର ଥିଲା ଏବଂ ସେ ଚୁପଚାପ୍ ଡ୍ରେସିଂ ରୁମ୍ ଆଡକୁ ଯାଉଥିଲେ। କିଛି ସମୟ ପାଇଁ ସେ ଧୀରେ ଧୀରେ ଆଗକୁ ବଢୁଥିଲେ। କିନ୍ତୁ ତା’ପରେ ତାଙ୍କର ମୁଖର ଅଭିବ୍ୟକ୍ତି ଶୀଘ୍ର ବଦଳିବାକୁ ଲାଗିଲା। ପ୍ରଥମେ ତାଙ୍କ ମୁହଁ ଲାଲ ହୋଇଗଲା ଏବଂ ପରେ ସେ କାନ୍ଦିବାକୁ ଲାଗିଲେ। ସେ ନିଜ ଲୁହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଲାଗିଲେ କିନ୍ତୁ ତାହା ସେ ଅଟକାଇ ପାରିନଥିଲେ। ପଡ଼ିଆ ଛାଡିବା ସମୟରେ ରୋହିତ କାନ୍ଦୁଥିବା ଏହି ଚିତ୍ର କ୍ୟାମେରାରେ କଏଦ ହୋଇଥିଲା।

ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜେ ପିଚ୍‌ରେ କାନ୍ଦିବାକୁ ଲାଗିଲେ। ତାଙ୍କ ଲୁହ ବନ୍ଦ ହେବାର ସଂକେତ ଦେଖାଉ ନଥିଲା। ସାଥୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଜସପ୍ରୀତ ବୁମରା ତାଙ୍କୁ ସାନ୍ତ୍ଵନା ଦେଉଥିବା ନଜର ଆସିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବିଶ୍ୱକପ୍ ରେ ଭାରତ ଏକପାଖିଆ ଢଙ୍ଗରେ ସମସ୍ତ ୧୦ ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଟାଇଟଲ ମ୍ୟାଚରେ ତାଙ୍କୁ ଏକପାଖିଆ ପରାଜୟ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ଅଷ୍ଟ୍ରେଲିଆ ସହଜରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲ ମ୍ୟାଚରେ ସୁରକ୍ଷାରେ ତ୍ରୁଟି, ପଡ଼ିଆରେ ପ୍ରବେଶ କଲେ ପାଲେଷ୍ଟାଇନ ସମର୍ଥକ, ଧରିଲା ପୋଲିସ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଜଣେ ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି।

ବାସ୍ତବରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଫାଇନାଲ ମ୍ୟାଚରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ସୁରକ୍ଷା କର୍ଡନ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ହାତରେ ପତାକା ଧରିଥିବାର ନଜର ଆସିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା ସମୟରେ କିପରି ରହିବ ପାଣିପାଗ ସ୍ଥିତି?: ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ଆଜି ବିଶ୍ୱର ଦୁଇ ମହାନ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଖେଳାଯିବ। ଏହି ଦିନ ସହରର ପାଗ କିପରି ରହିବ, କ୍ରିକେଟ୍ ପ୍ରେମୀ ତାହା ଉପରେ ନଜର ରଖିଛନ୍ତି।

ଭାରତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ ରବିବାର ଦିନ ଅହମ୍ମଦାବାଦର ପାଗ କ୍ରୀଡା ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହେବ। ଉଭୟ ଦଳ ପିଚ୍‌ରେ ମୁହାଁମୁହିଁ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଉପଯୁକ୍ତ ହେବ। ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଏବଂ ସ୍ୱଚ୍ଛ ଆକାଶ ସହିତ ସର୍ବାଧିକ ତାପମାତ୍ରା ରେକର୍ଡ ୩୩ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।

ବର୍ଷା ହେବାର କୌଣସି ସମ୍ଭାବନା ନାହିଁ:

ଆଜି ଆଦୌ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ସନ୍ଧ୍ୟାରେ ଆର୍ଦ୍ରତା ସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରଳ ଶବ୍ଦରେ କହିବାକୁ ଗଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

ଏହି ସମୟରେ, ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭ ମଧ୍ୟରେ ଅବସ୍ଥିତ କ୍ରିକେଟ୍ ଷ୍ଟାଡିୟମର ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବାର କ୍ଷମତା ଅଛି। ଏହି କ୍ଷମତା ଅନୁଯାୟୀ ଏହି ଷ୍ଟାଡିୟମ୍ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ପଡ଼ିଆ ମଧ୍ୟରେ ଗଣାଯାଏ। ଏହି ଗ୍ରାଉଣ୍ଡରେ ବିଜୟର ପତାକା ଉତ୍ତୋଳନ କରିବା ପାଇଁ ଦୁଇଟି ମହାନ କ୍ରିକେଟ୍ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ରେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନୀ ଖେଳାଳିଙ୍କ ସାମ୍ନାରେ ଲାଗିଲା ‘ଜୟ ଶ୍ରୀ ରାମ’ର ସ୍ଲୋଗାନ: ଉଦୟାନିଧି ଷ୍ଟାଲିନଙ୍କ ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ବିଶ୍ୱକପ କ୍ରିକେଟ୍ ମ୍ୟାଚ୍ ବେଳେ “ଜୟ ଶ୍ରୀ ରାମ” ସ୍ଲୋଗାନ ଲାଗିଥିଲା। ଏନେଇ ତାମିଲନାଡୁ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ପ୍ରତିକ୍ରିୟା ଆସିଛି। ସେ ଏହାକୁ ସମାଲୋଚନା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି ଯେ, ଭାରତ ଏହାର କ୍ରୀଡ଼ା ପ୍ରତିଯୋଗିତା ଏବଂ ଆତିଥ୍ୟ ପାଇଁ ପ୍ରସିଦ୍ଧ। ତେବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ଗ୍ରହଣୀୟ ନୁହେଁ। କ୍ରୀଡା ରାଷ୍ଟ୍ରଗୁଡିକ ମଧ୍ୟରେ ଏକଜୁଟ କରିବା ପାଇଁ ଶକ୍ତି ହେବା ଉଚିତ ଏବଂ ପ୍ରକୃତ ଭାଇଚାରାକୁ ପ୍ରୋତ୍ସାହିତ କରିବା ଉଚିତ। ଘୃଣା ବ୍ୟାପିବା ପାଇଁ ଏହାକୁ ଏକ ଉପକରଣ ଭାବରେ ବ୍ୟବହାର କରିବା ଠିକ୍ ନୁହେଁ। ”

ଉଦୟାନିଧି ଷ୍ଟାଲିନଙ୍କ ବିବୃତ୍ତିକୁ ସମର୍ଥନ କରି ତାମିଲନାଡୁର ଅନେକ କ୍ରିକେଟ୍ ପ୍ରଶଂସକ ଆସନ୍ତା ଦଶ ଦିନ ମଧ୍ୟରେ ଚେପକ୍ ରେ ଖେଳୁଥିବା ପାକିସ୍ତାନ କ୍ରିକେଟ୍ ଦଳକୁ ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇଛନ୍ତି।

ଲକ୍ଷ୍ମୀ ନାମକ ଜଣେ ପ୍ରଶଂସକ ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି, “ପାକିସ୍ତାନ ଆସନ୍ତା ୧୦ ଦିନରେ ଚେପକ୍ ରେ ଦୁଇଟି ମ୍ୟାଚ୍ ଖେଳୁଛି ଏବଂ ଅହମ୍ମଦାବାଦରେ ବାବର ଆଜାମ ଏବଂ ତାଙ୍କ ଦଳ କ’ଣ ସହ୍ୟ କରିଛନ୍ତି ତାହା ପୂରଣ କରିବା ଉଚିତ। କ୍ରୀଡା ସର୍ବଭାରତୀୟ ଭାଇଚାରା ପାଇଁ ଏବଂ କିଛି ଲୋକ ଏହାକୁ ଘୃଣା ବ୍ୟାପିବା ପାଇଁ ଏକ ସ୍ଥାନ କରୁଛନ୍ତି, ଯାହା ଗ୍ରହଣୀୟ ନୁହେଁ। ”

କୋହଲି ବାର ଆଜାମଙ୍କୁ ଜର୍ସି ଦେଇଥିଲେ:

ଶନିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଦଳ ଏକପାଖିଆ ମ୍ୟାଚରେ ପାକିସ୍ତାନକୁ ସାତ ୱିକେଟରେ ପରାସ୍ତ କରିଛି, ଏହା ପରେ ପ୍ରଶଂସକମାନେ ବନ୍ଦେ ମାତରମ ଗାଇଥିଲେ। ଯେତେବେଳେ ପାକିସ୍ତାନର ଅଧିନାୟକ ତଥା ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବାବର ଆଜାମ ରୋହିତ ଶର୍ମାଙ୍କ ସହ ଟସ୍ ପାଇଁ ବାହାରକୁ ଆସିଥିଲେ, ପ୍ରଶଂସକମାନେ ମଧ୍ୟ ତାଙ୍କୁ ବହୁତ ଉତ୍ସାହିତ କରିଥିଲେ।

ତେବେ ଷ୍ଟାଡିୟମରେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ତାଙ୍କ ଦସ୍ତଖତ ହୋଇଥିବା ଭାରତୀୟ ଜର୍ସି ଉପହାର ଦେଉଥିବାର ନଜର ଆସିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବୃହତ୍ତ ବିଜୟ: ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କଲା କିୱି ଦଳ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ଇଭେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରତିଯୋଗୀ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି।

ଏଥି ସହିତ ୨୦୨୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୮୩ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା। ଇଂଲଣ୍ଡର ଓପନର ଡେଭିଡ ମାଲାନ (୧୪) ଏବଂ ଜନି ବେୟାରଷ୍ଟୋ (୩୩) ଦ୍ରୁତ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପିଚ ଅନୁଯାୟୀ କିୱି ବୋଲରଙ୍କ ଭଲ ବୋଲିଂ ହେତୁ ସେମାନଙ୍କ ବ୍ୟାଟ୍ସମ୍ୟାନ୍ ମାନେ ବଡ ସ୍କୋର କରିପାରିନଥିଲେ। ବିଶେଷକରି ନ୍ୟୁଜିଲ୍ୟାଣ୍ଡର ସ୍ପିନର ଏବଂ ପାର୍ଟ ଟାଇମ୍ ସ୍ପିନରମାନେ ଏକତ୍ର ଭଲ ବୋଲିଂ କରିଥିଲେ। ଜୋ ରୁଟ (୭୭) ଗୋଟିଏ ମୁଣ୍ଡରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଆବଶ୍ୟକ ସମୟରେ ସେ ଆଉଟ ହୋଇଯାଇଥିଲେ। କ୍ୟାପଟେନ ବଟଲର ୪୩ ରନ୍ ସ୍କୋର କରିଥିଲେ। ଏହାପରେ ଇଂଲଣ୍ଡ ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୨୮୨ ରନ୍ ସ୍କୋର କରିପାରିଥିଲା। ପେସର୍ ମ୍ୟାଟ୍ ହେରି ତିନୋଟି ୱିକେଟ୍ ନେଇଥିଲେ, ଗ୍ଲେନ୍ ଫିଲିପ୍ସ ଏବଂ ସାଣ୍ଟନର୍ ଦୁଇଟି ଲେଖାଏଁ ଏବଂ ରବିନ୍ଦ୍ର ଏବଂ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୩୬.୨ ଓଭରରେ ୧ ୱିକେଟ୍ ହରାଇ ୨୮୩ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ଡୱେନ କନୱେ ଏବଂ ରଚିନ୍ ରବିନ୍ଦ୍ର ଚମତ୍କାର ଶତକ ହାସଲ କରିଥିଲେ। ଡୱେନ କନୱେ ୧୨୧ ବଲରେ ୧୫୨ ରନ କରିଥିବା ବେଳେ ରଚିନ୍ ରବିନ୍ଦ୍ର ୯୬ ବଲରେ ୧୨୩ ରନ କରିଥିଲେ।

ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ ଦଳକୁ ଏପର୍ଯ୍ୟନ୍ତ ସରକାରଙ୍କଠାରୁ ମିଳିଲାନି ଅନୁମତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍-୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍ ଦଳକୁ ସେମାନଙ୍କ ସରକାର ବିଶ୍ୱକପରେ ଭାରତ ଆସିବା ପାଇଁ କିଛି ସ୍ପଷ୍ଟ ସଂକେତ ଦେଇନାହିଁ। ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ସ୍ଥାନ ଅନୁସନ୍ଧାନ ପାଇଁ ଏକ ସୁରକ୍ଷା ଦଳ ପଠାଇପାରେ।

ପାକିସ୍ତାନ ଦଳ ମୋଟ ପାଞ୍ଚଟି ସ୍ଥାନରେ ଖେଳିବ, ଯେଉଁଥିରେ ଅହମ୍ମଦାବାଦ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା ଏବଂ ହାଇଦ୍ରାବାଦ ଅନ୍ତର୍ଭୁକ୍ତ।

ବିଶ୍ୱକପରେ ପାକିସ୍ତାନର କାର୍ଯ୍ୟସୂଚୀ:

ଅକ୍ଟୋବର ୬ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ
ଅକ୍ଟୋବର ୧୨ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ
ଅକ୍ଟୋବର ୧୫ ତାରିଖ- ପାକିସ୍ତାନ ବନାମ ଭାରତ, ଅହମ୍ମଦାବାଦ
ଅକ୍ଟୋବର ୨୦ ତାରିଖ- ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ
ଅକ୍ଟୋବର ୨୩ ତାରିଖ- ପାକିସ୍ତାନ ବନାମ ଆଫଗାନିସ୍ତାନ, ଚେନ୍ନାଇ
ଅକ୍ଟୋବର ୨୭ ତାରିଖ- ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, ଚେନ୍ନାଇ
ଅକ୍ଟୋବର ୨୧ ତାରିଖ- ପାକିସ୍ତାନ ବନାମ ବାଂଲାଦେଶ, କୋଲକାତା
ନଭେମ୍ବର ୫ ତାରିଖ- ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, ବେଙ୍ଗାଲୁରୁ
ନଭେମ୍ବର ୧୨ ତାରିଖ- ପାକିସ୍ତାନ ବନାମ ଇଂଲଣ୍ଡ, କୋଲକାତା
ଅକ୍ଟୋବର ୧୫ ତାରିଖ- ଫାଇନାଲ ପ୍ରତିଯୋଗିତା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରୁ ଆରମ୍ଭ ହେବ ବିଶ୍ୱକପ, ଅହମ୍ମଦାବାଦରେ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବରରେ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଦିନିକିଆ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇଛି। ଅପରାହ୍ନ ୧୨ ଟାରେ ଆଇସିସି ଏବଂ ବିସିସିଆଇ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍ ଭାରତର ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ। ସେମିଫାଇନାଲ ମୁମ୍ବାଇ ଏବଂ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଫାଇନାଲ ଅହମ୍ମଦାବାଦରେ ଖେଳାଯିବ।

ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଅହମ୍ମଦାବାଦ ଗ୍ରାଉଣ୍ଡରେ ଖେଳାଯିବ। ଶେଷ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ।

ଏକଦିବସୀୟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ସେମିଫାଇନାଲ ମ୍ୟାଚ୍ ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ। ଯଦି ଭାରତ ସେମିଫାଇନାଲରେ ପ୍ରବେଶ କରେ, ତେବେ ସେହି ମ୍ୟାଚ୍ କେବଳ ମୁମ୍ବାଇରେ ଖେଳାଯିବ। ତେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୬ ତାରିଖରେ ଖେଳାଯିବ। ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ।

ଅକ୍ଟୋବର ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ତେବେ ଅହମ୍ମଦାବାଦରେ ପାକିସ୍ତାନ ଏହି ମ୍ୟାଚ୍ ଖେଳିବାକୁ ଚାହୁଁନଥିଲା। କୋଲକାତାରେ ଏହି ମ୍ୟାଚ୍ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ବିସିସିଆଇ ଏବଂ ଆଇସିସି ଏହି ଦାବି ଗ୍ରହଣ କରିନଥିଲେ। ତେବେ ପାକିସ୍ତାନର ଏହି ଚାହିଦା ଯୋଗୁଁ କାର୍ଯ୍ୟସୂଚୀ ଘୋଷଣା କରିବାରେ ବିଳମ୍ବ ହୋଇଥିଲା।

Image

ଏହା ବ୍ୟତୀତ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ର ସ୍ଥାନ ସମ୍ପର୍କରେ ପାକିସ୍ତାନ ମଧ୍ୟ ଅଭିଯୋଗ କରିଥିଲା। କିନ୍ତୁ ଆଇସିସି ପାକିସ୍ତାନକୁ ଝଟକା ଦେଇଛି। ଆଇସିସି ସ୍ପଷ୍ଟ କରିଛି ଯେ, ପାକିସ୍ତାନର ମ୍ୟାଚ୍ ଖେଳାଯିବ ଯେଉଁଠାରେ ଏହା ସ୍ଥିର ହୋଇସାରିଛି। କୌଣସି ବୋର୍ଡର ହସ୍ତକ୍ଷେପ ହେତୁ ମ୍ୟାଚ୍ ସ୍ଥାନ ବିଷୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ୧୦୦ ଦିନ ବାକି ଅଛି। ଏହି ବିଶ୍ୱକପରେ ୧୦ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଆଠଟି ଦଳର ନାମ ଚୂଡ଼ାନ୍ତ ହୋଇସାରିଛି। ଦୁଇ ଦଳ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ବିଶ୍ୱକପ ଟିକେଟ୍ ପାଇବେ। ତେବେ ଦୁଇଥର ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଭାଗ ନେବାକୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ପର୍ଯ୍ୟାୟରେ ବହୁତ ଖରାପ ସ୍ଥିତିରେ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ, ଅହମ୍ମଦାବାଦରେ ଖେଳିବାକୁ ପ୍ରସ୍ତୁତ ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଆସନ୍ତାକାଲି ପ୍ରକାଶ ପାଇବ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅହମ୍ମଦାବାଦ ପଡିଆରେ ଭାରତ ସହ ମ୍ୟାଚ୍ ଖେଳିବାକୁ ସମ୍ମତି ଦେଇଛି। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଦଳ ବାଙ୍ଗାଲୋର ଏବଂ ଚେନ୍ନାଇ ପଡ଼ିଆରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ବିସିସିଆଇ ଆସନ୍ତାକାଲି ମୁମ୍ବାଇରେ ୧୧.୩୦ ରେ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବ।

୨ଟି ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରିବାକୁ ପାକିସ୍ତାନର ଦାବିକୁ ଆଇସିସି ଏବଂ ବିସିସିଆଇ ପ୍ରତ୍ୟାଖ୍ୟାନ କରିଥିଲା। ଆଗାମୀ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ। ଆସନ୍ତାକାଲିଠାରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଠିକ୍ ୧୦୦ ଦିନ ଗଣନା ଆରମ୍ଭ ହେବ। ଆସନ୍ତାକାଲି କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିସିସିଆଇର ଜଣେ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ ଦେଇଥିବା ବିବୃତ୍ତିରେ କହିଛନ୍ତି। ଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ପାକିସ୍ତାନ ଏହାର ସମ୍ମତି ଦେଇଛି।

ଅହମ୍ମଦାବାଦ ଗ୍ରାଉଣ୍ଡରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ପୂର୍ବରୁ ମନା କରିଦେଇଥିଲା। ସେମାନେ ଏହି ମ୍ୟାଚ୍ ଚେନ୍ନାଇ, ବେଙ୍ଗାଲୁରୁ କିମ୍ବା କୋଲକାତାକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। ମ୍ୟାଚ୍‌ର ସ୍ଥାନ ବଦଳାଇବା ପଛରେ ପାକିସ୍ତାନ ରାଜନୈତିକ କାରଣ ଦର୍ଶାଇଥିଲା।

ଏହି ମ୍ୟାଚ୍ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରିବାକୁ ପାକିସ୍ତାନ ଦାବି କରିଥିଲା, କିନ୍ତୁ ଆମେ ଏଥିରେ କୌଣସି ପରିବର୍ତ୍ତନ କରିନାହୁଁ। ଏହା ଟୁର୍ଣ୍ଣାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଏବଂ ଆଇସିସି ଏହାକୁ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଏବଂ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ। ମେଗା ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇପାରେ ଯେତେବେଳେ ଟାଇଟଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯାଇପାରେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ-୨୦୨୩: ଅହମ୍ମଦାବାଦରେ ପାଗ ସଫା, ଠିକ୍ ସମୟରେ ମ୍ୟାଚ୍ ଆରମ୍ଭ ହେବାର ସମ୍ଭାବନା

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସିଜନର ଫାଇନାଲ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ରିଜର୍ଭ ଡେରେ ଖେଳାଯିବ। ପ୍ରଶଂସକଙ୍କ ଆଖି ଅହମ୍ମଦାବାଦର ପାଗ ଉପରେ କ୍ରମାଗତ ଭାବରେ ରହିଛି। ଅହମ୍ମଦାବାଦରୁ ଖେଳପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆଜି ଅହମ୍ମଦାବାଦରେ ବର୍ଷା ହୋଇନାହିଁ। ବର୍ତ୍ତମାନ ପାଗ ସଫା ରହିଛି। କିନ୍ତୁ ରାତି ୭ ରୁ ୧୧ ଟା ମଧ୍ୟରେ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତେବେ ଗତକାଲି ଭଳି ପ୍ରବଳ ବର୍ଷା ହେବାର ସମ୍ଭାବନା କମ୍ ରହିଛି।

ବାସ୍ତବରେ, ଆଇପିଏଲ୍ ୧୬ ର ଅନ୍ତିମ ମ୍ୟାଚ୍ ରବିବାର ଖେଳାଯିବାକୁ ଥିଲା। କିନ୍ତୁ ରବିବାର ସନ୍ଧ୍ୟାରେ ଅହମ୍ମଦାବାଦରେ ଲଗାତାର ବର୍ଷା ହୋଇଥିଲା ଏବଂ ମ୍ୟାଚ୍ ଆୟୋଜିତ ହୋଇପାରିନଥିଲା। ଆଇପିଏଲ ପରିଚାଳନା ପରିଷଦ ଦ୍ୱାରା ଫାଇନାଲ ପାଇଁ ଏକ ରିଜର୍ଭ ଦିନ ପୂର୍ବରୁ ରଖାଯାଇଥିଲା। ରାତି ୧୧ ଟା ସୁଦ୍ଧା, ଯେତେବେଳେ ମ୍ୟାଚର ସମସ୍ତ ସମ୍ଭାବନା ସମାପ୍ତ ହେଲା, ସେତେବେଳେ ଫାଇନାଲ୍ ରିଜର୍ଭ ଦିନକୁ ସ୍ଥାନାନ୍ତରିତ ହେଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜିଠୁ ଅହମ୍ମଦାବାଦରେ ନିର୍ଣ୍ଣାୟକ ଲଢେଇ, ଜାଣନ୍ତୁ ମ୍ୟାଚ୍ ପୂର୍ବରୁ ପିଚ୍ ରିପୋର୍ଟ ଏବଂ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଠାରୁ ଅହମ୍ମଦାବାଦରେ ଆରମ୍ଭ ହେବାକୁ ଯାଉଛି। ତିନୋଟି ମ୍ୟାଚ୍ ଏପର୍ଯ୍ୟନ୍ତ ଏହି କ୍ରମରେ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ୍ ରେ ଜିତିଛି। ଯେତେବେଳେ କଙ୍ଗାରୁ ଦଳ ତୃତୀୟ ମ୍ୟାଚରେ ଏକ ମଜବୁତ ପ୍ରତ୍ୟାବର୍ତ୍ତନ କରିଛି। ବର୍ତ୍ତମାନ ଅହମ୍ମଦାବାଦ ଟେଷ୍ଟ ଅତ୍ୟନ୍ତ ରୋମାଞ୍ଚକର ଏବଂ ନିର୍ଣ୍ଣାୟକ ହୋଇଛି।

ପିଚ୍ କିପରି ହେବ?:

ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଏବଂ ଶେଷ ଟେଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏପର୍ଯ୍ୟନ୍ତ ପିଚକୁ ନେଇ ଏହି ସିରିଜ୍ ରେ ବହୁତ ବିବାଦ ରହିଛି। ଗତ ତିନୋଟି ମ୍ୟାଚ ନାଗପୁର, ଦିଲ୍ଲୀ, ଇନ୍ଦୋରରେ ସ୍ପିନରମାନଙ୍କୁ ଅନେକ ସାହାଯ୍ୟ ମିଳିଛି। ଏପରି ପରିସ୍ଥିତିରେ, ଅହମ୍ମଦାବାଦରେ ମଧ୍ୟ, ସ୍ପିନରଙ୍କୁ ପିଚ୍ ରୁ ବହୁତ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି।

ଆପଣ କେବେ ଏବଂ କେଉଁଠାରେ ଲାଇଭ୍ ଦେଖିବାକୁ ସମର୍ଥ ହେବେ:

ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ଚ୍ୟାନେଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ସମର୍ଥ ହେବେ। ସେହି ସମୟରେ, ଏହି ମ୍ୟାଚ୍ ଡିଜନି + ହୋଗଷ୍ଟାରରେ ମଧ୍ୟ ଉପଭୋଗ କରାଯାଇପାରେ।

ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି:

ରୋହିତ ଶର୍ମା, ଶୁବମାନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହିଲି, ଶ୍ରିୟଶ ଆୟର, ରବୀନ୍ଦ୍ର ଜାଡେଜା, ଇଶାନ କିଶାନ/କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନୀ, ଅକ୍ସର ପଟେଲ, ଉମେଶ ଯାଦବ, ମହମ୍ମଦ ଶାମି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ସହିତ ଧକ୍କା ହେଲା ପକ୍ଷୀ, ଅହମ୍ମଦାବାଦ ଫେରିଲା ବିମାନ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ସହିତ ପକ୍ଷୀ ଧକ୍କା ହୋଇଥିବା ଜଣାପଡିଛି। ଏହା ପରେ ବିମାନଟି ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି। ଡିଜିସିଏ ଏହି ସୂଚନା ଦେଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ‘ଇଣ୍ଡିଗୋ ଏ୩୨୦ ବିମାନ VT-IZI’ ର ସୁରଟ-ଦିଲ୍ଲୀ ବିମାନ ୬ଇ-୬୪୬ ସଞ୍ଚାଳିତ ହେଇଥିଲା। ସୁରଟରେ ଉଡ଼ିବା ସମୟରେ ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲେ, ଏହା ପରେ ଏହାକୁ ଅହମ୍ମଦାବାଦ ଆଡକୁ ନିଆଯାଇଥିଲା। ବିମାନଟି ଏନ-୧ କମ୍ପନ ସୃଷ୍ଟି କରିଥିଲା ​​ଯାହା ୪.୭ ୟୁନିଟ୍ ଥିଲା। ବିମାନଟି ଅହମ୍ମଦାବାଦରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରତ୍ୟେକ ଫର୍ମାଟରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହେଲେ ଶୁବମାନ ଗିଲ, ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯାଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତୀୟ ଦଳ ୧୬୮ ରନ୍‌ରେ ପୁନର୍ବାର ବିଜୟ ପଞ୍ଜିକରଣ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଭାରତର ଏହି ବିଜୟରେ ଓପନର୍ ଶୁବମାନ ଗିଲଙ୍କର ଏକ ବଡ଼ ଅବଦାନ ଥିଲା।

ଏହି ମ୍ୟାଚରେ ଗିଲ ୬୩ ଟି ବଲରେ ୧୨୬ ରନର ଏକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ମୋଟ ୧୨ ଟି ଚୌକା ଓ ୭ ଟି ଛକା ଅନ୍ତର୍ଭୁକ୍ତ ହୋଇଥିଲା। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୨୦୦ ଥିଲା। ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ଗିଲଙ୍କର ପ୍ରଥମ ଶତକ ଥିଲା। ଏହି ଶତକ ସହିତ ସେ ବ୍ୟାଟ୍ସମ୍ୟାନ୍ ତାଲିକାରେ ଯୋଗ ଦେଇଛନ୍ତି, ଯେଉଁମାନେ ଭାରତ ପାଇଁ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।

ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ଭାରତ ପାଇଁ ଗିଲ ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ବିରାଟ କୋହଲିଙ୍କ ପରେ ଗିଲ ଏହି ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ଏହି ସଫଳତା ପାଇଁ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ପ୍ରଥମ ହୋଇଥିଲେ। ଭାରତୀୟ ଦଳ ପାଇଁ ରାଇନା ଟି-୨୦ ଇଣ୍ଟରନ୍ୟାସନାଲରେ ପ୍ରଥମ ଶତକ ହାସଲ କରିଥିଲେ। ଏହା ପରେ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି ଏବଂ ବର୍ତ୍ତମାନ ଶୁଭମାନ ଭାରତ ପାଇଁ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି।

ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍:

୧- ସୁରେଶ ରାଇନା।
୨- ରୋହିତ ଶର୍ମା।
୩- କେ.ଏଲ୍ ରାହୁଲ।
୪- ବିରାଟ କୋହଲି।
୫- ଶୁବମାନ ଗିଲ୍।

ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ବ୍ୟକ୍ତିଗତ ସର୍ବାଧିକ ସ୍କୋର:

ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୨୬ ରନ ଖେଳିଥିଲେ। ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ କୌଣସି ଖେଳାଳି ଖେଳିଥିବା ଏହା ହେଉଛି ସବୁଠାରୁ ବଡ ଇନିଂସ। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନର ଅପରାଜିତ ଇନିଂସ ଖେଳିଥିବା ବିରାଟ କୋହଲିଙ୍କ ନାମରେ ଏହି ରେକର୍ଡ ଥିଲା।

ଏପର୍ଯ୍ୟନ୍ତ ଗିଲଙ୍କ ଆନ୍ତର୍ଜାତୀୟ କ୍ୟାରିୟର:

ଗିଲ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୧୩ ଟି ଟେଷ୍ଟ, ୨୧ ଟି ଦିନିକିଆ ଏବଂ ୬ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ସେ ହାରାହାରି ୩୨ ରେ ୭୩୬ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ସେ ଦିନିକିଆରେ ୭୩.୭୬ ହାରରେ ୧୨୫୪ ରନ୍ ସ୍କୋର କରିଛନ୍ତି। ଏଥି ସହିତ, ଟି-୨୦ ଇଣ୍ଟରନ୍ୟାସନାଲରେ ତାଙ୍କ ବ୍ୟାଟରୁ ହାରାହାରି ୪୦.୪୦ ଏବଂ ଷ୍ଟ୍ରାଇକ୍ ହାର ୧୫.୫୭ ରେ ମୋଟ ୨୦୨ ରନ୍ ବାହାରିଛି।

Categories
ଜାତୀୟ ଖବର ବିଶେଷ ଖବର

ମା’ ହୀରେବେନଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ, ଅହମ୍ମଦାବାଦ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଯାଉଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ହେତୁ ବୁଧବାର ସକାଳେ ହୀରେବେନଙ୍କୁ ‘ୟୁଏନ ମେହେତ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ମୋଦୀ ଆଜି ସକାଳ ୩.୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ ଙ୍କ ସହିତ ଥିବା ସମ୍ପର୍କ ବିଷୟରେ ଅନେକ ସମୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଅପରାହ୍ନରେ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିଥିଲେ। ସେ ଏକ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହିଥିଲେ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ମା ହୀରେବେନଙ୍କୁ ଭେଟିବାକୁ ଯାଇଥିଲେ। କର୍ଣ୍ଣାଟକର ମଇଶୁରରେ ଏକ କାର ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଆହତ ହେବାର ଗୋଟିଏ ଦିନ ପରେ ହୀରବେନ ମୋଦୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ଆସିଥିଲା।

ହୀରାବେନ ଗାନ୍ଧିନଗର ସହର ନିକଟ ରାୟସନ ଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀଙ୍କ ସହ ରହୁଥିଲେ, ସେ ହେରା ବା ନାମରେ ଜଣାଶୁଣା। ଯେତେବେଳେ ବି ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରୁଥିଲେ, ରାୟସନ ଯାଇ ତାଙ୍କ ମାଙ୍କୁ ଭେଟୁଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନାରେ ଭର୍ତ୍ତି ହେଲେ ମା’ ହୀରାବେନ, ଦେଖିବା ପାଇଁ ଅହମ୍ମଦାବାଦ ଯାଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଙ୍କୁ ଅହମ୍ମଦାବାଦର ୟୁଏନ ମେହେତ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଅଛନ୍ତି। ଗଣମାଧ୍ୟମ ଅନୁଯାୟୀ, ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପିଏମ ମୋଦୀ ଅହମ୍ମଦାବାଦ ଯାଇ ତାଙ୍କ ମାଙ୍କୁ ଦେଖା କରିପାରନ୍ତି।

ଏହାପୂର୍ବରୁ ଗୁଜୁରାଟ ନିର୍ବାଚନରେ ​​ଭୋଟ୍ ଦେବା ପୂର୍ବରୁ ତାଙ୍କ ମାଆଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାକୁ ଯାଇଥିଲେ। ଏପରିକି ଜୁନ୍ ମାସରେ ମା’ଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଗୁଜୁରାଟ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମାତା ହୀରାବେନଙ୍କୁ ଭେଟିଥିଲେ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମାଙ୍କ ସହ ପ୍ରାୟ ୪୫ ମିନିଟ୍ ବିତାଇଥିଲେ।

ଅନ୍ୟପକ୍ଷରେ, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପ୍ରହ୍ଲାଦ ମୋଦୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରହ୍ଲାଦ ମୋଦୀ ଏବଂ ତାଙ୍କ ପରିବାର ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ, ପରେ ସେମାନଙ୍କୁ ମଇଶୁରର ଜେଏସଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରହ୍ଲାଦଙ୍କ କାରରେ ତାଙ୍କ ପୁଅ ମେହୁଲ ଥିଲେ। ତାଙ୍କ କାର ମଇଶୁର ନିକଟ ବାନ୍ଦିପୁରା ଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବାସ୍ତବରେ କାରଟି ଡିଭାଇଡରକୁ ଧକ୍କା ଦେଇଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମୁସଲମାନ ମହିଳାଙ୍କୁ ଟିକେଟ ଦେବା ଇସଲାମ ବିରୋଧୀ: ଶାହୀ ଇମାମ ଶବୀର ଅହମ୍ମଦ ସିଦ୍ଦିକି

ନୂଆଦିଲ୍ଲୀ: ଆସନ୍ତାକାଲି ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ଭୋଟିଂ ଅନୁଷ୍ଠିତ ହେବ। କିନ୍ତୁ ଏହାର ଠିକ୍ ପୂର୍ବରୁ ଜାମା ମସଜିଦ୍, ଅହମ୍ମଦାବାଦର ଶାହୀ ଇମାମ, ଶବୀର ଅହମ୍ମଦ ସିଦ୍ଦିକି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, ଯେଉଁ ଦଳ ନିର୍ବାଚନରେ ​​ମୁସଲମାନ ମହିଳାଙ୍କୁ ଟିକେଟ୍ ଦିଅନ୍ତି, ସେହି ଦଳ ଏବଂ ସେହି ଲୋକମାନେ ଇସଲାମ ବିରୋଧୀ। ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ଶାହି ଇମାମ ସିଦ୍ଦିକି କହିଛନ୍ତି ଯେ, ଯଦି ଆପଣ ଇସଲାମ ବିଷୟରେ କଥା ହୁଅନ୍ତି, ତେବେ ଆମ ପାଇଁ ନମାଜ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଆପଣ କୌଣସି ମହିଳା ଏଠାରେ ନମାଜ ପଢୁଥିବା ଦେଖିଛନ୍ତି କି? ଯଦି ମହିଳାମାନେ ଏହିପରି ଲୋକଙ୍କ ସାମ୍ନାରେ ଆସିବା ଅନୁମତିପ୍ରାପ୍ତ, ତେବେ ସେମାନଙ୍କୁ ମସଜିଦକୁ ଆସିବା ବନ୍ଦ କରାଯାଇ ନଥାନ୍ତା। ଯେଉଁମାନେ ମହିଳାମାନଙ୍କୁ ଟିକେଟ୍ ଦିଅନ୍ତି, ସେମାନେ ଇସଲାମ ବିରୁଦ୍ଧରେ ବିଦ୍ରୋହ କରନ୍ତି। ଏହା କରିବା ଦ୍ୱାରା ଆମର ଧର୍ମ ଦୁର୍ବଳ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଧର୍ମ ଦୁର୍ବଳ ହେବ। କାରଣ ଏହା ସ୍ପଷ୍ଟ ଯେ, ଯଦି ଆପଣ ମହିଳାଙ୍କୁ ବିଧାୟକ କିମ୍ବା କର୍ପୋରେଟର କରନ୍ତି, ତେବେ ଏଥିରେ ଆମେ ହିଜାବକୁ ସୁରକ୍ଷିତ ରଖିବାରେ ସମର୍ଥ ହେବୁ ନାହିଁ। ଏବଂ ଆମେ ସରକାରଙ୍କ ସମ୍ମୁଖରେ ହିଜାବ ପ୍ରସଙ୍ଗ ଉଠାଇ ପାରିବୁ ନାହିଁ। ଯଦି ଆମେ ସେମାନଙ୍କୁ ବନ୍ଦ ନକରି ଏହି ପ୍ରସଙ୍ଗ ଉଠାଇବୁ, ତେବେ ସରକାର କହିବେ ଯେ, ଆପଣଙ୍କ ମହିଳାମାନେ ହିଜାବ ବିନା ବିଧାନସଭାକୁ ଆସୁଛନ୍ତି, ସଂସଦକୁ ଯାଉଛନ୍ତି। ନିର୍ବାଚନରେ ​​ଲଢିବା ଏବଂ ଜିତିବା ପାଇଁ ମହିଳାଙ୍କୁ ଦ୍ୱାର ଦ୍ଵାର ବୁଲିବାକୁ ପଡିବ ଏବଂ ଇସଲାମରେ ଜଣେ ମହିଳାଙ୍କ ସ୍ୱର ମଧ୍ୟ ଜଣେ ମହିଳା। ସେଥିପାଇଁ ମୁଁ ଏହାକୁ ଦୃଢ ବିରୋଧ କରୁଛି। ଯଦି ଆପଣ କାହାକୁ ଟିକେଟ୍ ଦେବାକୁ ଚାହୁଁଛନ୍ତି, ତା’ହେଲେ ମହିଳାଙ୍କ ବଦଳରେ ପୁରୁଷମାନଙ୍କୁ ଟିକେଟ୍ ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ: ପ୍ରଧାନମନ୍ତ୍ରୀଙ୍କ ରାଲି ନିକଟରେ ଡ୍ରୋନ୍ ଉଡ଼ାଇ ୩ ଗିରଫ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାର ବାଭଲା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥାନ ନିକଟରେ କ୍ୟାମେରା ଲଗାଯାଇଥିବା ଡ୍ରୋନ୍ ଉଡାଇବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପାଇଁ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଥିଲେ। ସୁରକ୍ଷା କାରଣରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଲି ସ୍ଥାନ ନିକଟରେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ରାଲି ପୂର୍ବରୁ କିଛି ଲୋକଙ୍କୁ ଦୂରରୁ ପରିଚାଳିତ ଡ୍ରୋନ୍ ବ୍ୟବହାର କରି ଭିଡ଼ର ଫଟୋ ଉଠାଉଥିବା ପୋଲିସ ଦେଖିଥିଲା। ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ସ୍ଥାନୀୟ ଲୋକ ଥିଲେ।

ପୋଲିସର ସୂଚନାନୁଯାୟୀ, ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସେମାନେ ଭିଡ଼ର ଚିତ୍ର କ୍ଲିକ୍ କରୁଥିଲେ। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮ (ସରକାରୀ ଆଦେଶକୁ ଅବମାନନା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

Categories
ଖେଳ ବିଶେଷ ଖବର

ଅହମ୍ମଦାବାଦରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଗୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରା ଦେସାରରେ ବିଶ୍ବସ୍ତରୀୟ ‘‘ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ବବିଦ୍ୟାଳୟ’’ ଉଦଘାଟନ କରାଯାଇଥିଲା। ଜାତୀୟ କ୍ରୀଡ଼ାରେ ସାରା ଦେଶର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ କ୍ରୀଡ଼ାର ଉଦଘାଟନୀ ସମାରୋହରେ ଦେଖିବାକୁ ମିଳିଥିବା ବର୍ଣ୍ଣାଢ୍ୟ ପରିବେଶକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ କହିଥିଲେ ଯେ ଏପରି ଭବ୍ୟ ସମାରୋହରେ ଅନୁଭୂତି ଏବଂ ଉତ୍ସାହକୁ ସହଜରେ ବର୍ଣ୍ଣନା କରି ହେବ ନାହିଁ। ୭ ହଜାରରୁ ଅଧିକ କ୍ରୀଡ଼ାବିତ, ୧୫ ହଜାରରୁ ଅଧିକ ଅଂଶଗ୍ରହଣକାରୀ, ୩୫ ହଜାରରୁ ଅଧିକ କଲେଜ, ବିଶ୍ବବିଦ୍ୟାଳୟ ଏବଂ ସ୍କୁଲ ସହିତ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଜାତୀୟ କ୍ରୀଡ଼ା ସହ ଯୋଡ଼ି ହେବା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ।

ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମରେ ବିଶ୍ବର ସବୁଠୁ ଯୁବ ରାଷ୍ଟ୍ରର ସବୁଠୁ ବଡ଼ କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି! ଯେତେବେଳେ କାର୍ଯ୍ୟକ୍ରମ ଏତେ ଚମତ୍କାର ଓ ଅଭିନବ ହୋଇଥାଏ, ଏହାର ଉତ୍ସାହ ମଧ୍ୟ ଅସାଧାରଣ ହେବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଜାତୀୟ କ୍ରୀଡ଼ା ସଙ୍ଗୀତର ପ୍ରମୁଖ ବାର୍ତ୍ତା ‘ଜୁଡ଼େଗା ଇଣ୍ଡିଆ – ଜିତେଗା ଇଣ୍ଡିଆ’ ଆବୃତ୍ତି କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ସବୁ ଦର୍ଶକ ତାଙ୍କ ସହ ସ୍ବର ମିଳାଇଥିଲେ। ସେ କହିଥିଲେ ଯେ ଭାରତୀୟ କ୍ରୀଡ଼ାବିତମାନଙ୍କର ମୁଖମଣ୍ଡଳରେ ଆଜି ଯେଉଁ ଉଜ୍ଜ୍ବଳତା ଦେଖିବାକୁ ମିଳିଛି ତାହା ଆଗାମୀ ଦିନରେ ଭାରତୀୟ କ୍ରୀଡ଼ାର ସ୍ବର୍ଣ୍ଣିମ ଭବିଷ୍ୟତର ସଙ୍କେତ ଦେଉଛି। ଏତେ କମ ସମୟ ମଧ୍ୟରେ ଏତେ ବିଶାଳ ସମାରୋହ ଆୟୋଜନ କରିବା ଲାଗି ସେ ଗୁଜରାଟ ଜନସାଧାରଣଙ୍କ କ୍ଷମତାକୁ ପ୍ରଶଂସା କରିଥିଲେ।

ଗତକାଲି ଅହମ୍ମଦାବାଦରେ ବିଶାଳ ଡ୍ରୋନ ଶୋ’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ଏବଂ ଗର୍ବିତ। ଡ୍ରୋନ ଭଳି ପ୍ରଯୁକ୍ତିର ଏଭଳି ଯତ୍ନଶୀଳ ବ୍ୟବହାର ଗୁଜରାଟ ତଥା ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାତୀୟ କ୍ରୀଡ଼ା ୨୦୨୨ର ଅଫିସିଆଲ ମାସ୍କଟ ଏସୀୟ ସିଂହ ‘ସାଭଜ’ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମାସ୍କଟ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବଶକ୍ତିଙ୍କ ସାହସିକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବ ସ୍ତରରେ ପ୍ରଗତିଶୀଳ ଭାରତର ଏକ ପ୍ରତୀକ ବୋଲି ସେ କହିଥିଲେ ।

ଷ୍ଟାଡିୟମର ଅଭିନବ ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ୟ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକରେ ସୀମିତ ସୁବିଧା ରହିଛି । କିନ୍ତୁ ସର୍ଦ୍ଦାର ପଟେଲ କ୍ରୀଡ଼ା କମ୍ପ୍ଲେକ୍ସରେ ଫୁଟବଲ, ହକି, ବାସ୍କେଟ ବଲ, କବାଡ଼ି, ବକ୍ସିଂ ଏବଂ ଲନ ଟେନିସ ଭଳି ବହୁ କ୍ରୀଡ଼ା ଆୟୋଜନ ପାଇଁ ସୁବିଧା ରହିଛି । ଏକପ୍ରକାରରେ ଏହା ସମ୍ପୂର୍ଣ୍ଣ ରାଷ୍ଟ୍ରର ଏକ ମଡେଲ । ‘‘ଭିତ୍ତିଭୂମି ଉନ୍ନତ ମାନର ହୋଇଥିଲେ, ଖେଳାଳୀମାନଙ୍କ ମନୋବଳ ଉଚ୍ଚ ରହିଥାଏ’’, ଶ୍ରୀ ମୋଦୀ କହିଥିଲେ । ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳୀମାନଙ୍କ ରାଜ୍ୟରେ ନବରାତ୍ରୀ ଉତ୍ସବକୁ ଉପଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । ସେ କହିଥିଲେ ଯେ, ପାର୍ବଣର ଉଲ୍ଲାସ ମା’ ଦୁର୍ଗାଙ୍କ ଉପାସନା ଠାରୁ ଊର୍ଦ୍ଧ୍ବକୁ ଯିବା ସହ ଗରବା ନୃତ୍ୟର ଆନନ୍ଦଦାୟକ ଉତ୍ସବ ପାଳନରେ ସମସ୍ତଙ୍କୁ ସାମିଲ କରିଛି ।

ଜାତୀୟ ଜୀବନରେ କ୍ରୀଡ଼ାର ଗୁରୁତ୍ବ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ‘‘କ୍ରୀଡ଼ା କ୍ଷେତ୍ରରେ ଖେଳାଳୀଙ୍କ ବିଜୟ ଏବଂ ସେମାନଙ୍କର ଦୃଢ଼ ପ୍ରଦର୍ଶନ ମଧ୍ୟ ଅନ୍ୟ କ୍ଷେତ୍ରରେ ଦେଶର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ,’’ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ‘‘କ୍ରୀଡ଼ା ସହ ଜଡ଼ିତ ମୋର ବନ୍ଧୁମାନଙ୍କୁ ମୁଁ ପ୍ରାୟ ସମୟ କହିଥାଏ – କାର୍ଯ୍ୟ ସହିତ ସଫଳତା ଆରମ୍ଭ ହୋଇଥାଏ! ଅର୍ଥାତ୍‌, ଆପଣ ଯେଉଁ ମୁହୂର୍ତ୍ତ ଠାରୁ ଆରମ୍ଭ କରିଥାନ୍ତି, ସେହି ମୁହୂର୍ତ୍ତ ଠାରୁ ହିଁ ସଫଳତା ଆରମ୍ଭ ହୋଇଥାଏ । ଆପଣମାନେ ଆଗକୁ ବଢ଼ିବାର ଭାବନା ତ୍ୟାଗ ନକରିବା ପର୍ଯ୍ୟନ୍ତ, ବିଜୟ ଆପଣଙ୍କ ପଛରେ ଗୋଡ଼ାଇଥାଏ।’’

କ୍ରୀଡ଼ା କ୍ଷେତ୍ରରେ ପ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୮ ବର୍ଷ ପୂର୍ବରୁ, ଭାରତୀୟ ଖେଳାଳୀମାନେ ୧୦୦ରୁ କମ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ଏହାର ବିପରୀତ, ଏବେ ଭାରତୀୟ ଖେଳାଳୀମାନେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ପାରୁଛନ୍ତି । ‘‘ଆଠ ବର୍ଷ ପୂର୍ବରୁ ଭାରତୀୟ କ୍ରୀଡ଼ାବିତମାନେ ୨୦-୨୫ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲେ । ମାତ୍ର ଏବେ ୪୦ରୁ ଅଧିକ ଭିନ୍ନ ଭିନ୍ନ କ୍ରୀଡ଼ାରେ ଭାରତୀୟ ଖେଳାଳୀମାନେ ଅଂଶଗ୍ରହଣ କରିପାରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପଦକ ଏବଂ ଭାରତୀୟ ଖେଳାଳୀଙ୍କ ସମ୍ମାନ ମଧ୍ୟ ଏବେ ବୃଦ୍ଧି ପାଇଛି’’, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ଭଳି କଷ୍ଟକର ସମୟରେ ମଧ୍ୟ ଦେଶର କ୍ରୀଡ଼ାବିତମାନଙ୍କର ମନୋବଳକୁ କ୍ଷତିଗ୍ରସ୍ତ ହେବାକୁ ଦିଆଯାଇନଥିଲା। ଏକ କ୍ରୀଡ଼ାସୁଲଭ ମନୋଭାବ ନେଇ ଆମେ କ୍ରୀଡ଼ା ପାଇଁ କାର୍ଯ୍ୟ କରିଛୁ । ଟିଓପିଏସ ଭଳି ଯୋଜନା ଜରିଆରେ ବହୁ ବର୍ଷ ଧରି ମିଶନ ମୋଡରେ ପ୍ରସ୍ତୁତି କରିଛୁ । ଆଜି ବଡ଼ ଖେଳାଳୀଙ୍କ ସଫଳତା ଠାରୁ ଆରମ୍ଭ କରି ନୂଆ ଖେଳାଳୀଙ୍କ ଭବିଷ୍ୟତ ନିର୍ମାଣ ପର୍ଯ୍ୟନ୍ତ, ଟିଓପିଏସ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବୋଲି ସେ କହିଥିଲେ । ସେହିପରି, ବ୍ୟାଡମିଣ୍ଟନ ଦଳର ଥୋମାସ କପ୍‌ ବିଜୟ କ୍ରୀଡ଼ା ଜଗତରେ ସତେଜ ଉଲ୍ଲାସ ନେଇ ଆସିଥିଲା। ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ପାରା-କ୍ରୀଡ଼ାବିତମାନଙ୍କର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । କ୍ରୀଡ଼ାର ଏହି ଅଭ୍ୟୁଦୟରେ ମହିଳା କ୍ରୀଡ଼ାବିତମାନଙ୍କର ସମାନ ଏବଂ ଦୃଢ଼ ଅଂଶଗ୍ରହଣକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଏପରି ସଫଳତା ପାଇବା ସମ୍ଭବପର ଥିଲା, କିନ୍ତୁ ଭାରତରେ କ୍ରୀଡ଼ା କ୍ଷେତ୍ର ପେସାଦାର ଆବଶ୍ୟକତା ପରିବର୍ତ୍ତେ ଦୁର୍ନୀତି ଓ ପରିବାରବାଦ ମଧ୍ୟରେ ଛନ୍ଦି ହୋଇ ରହିଥିଲା । ଆମେ ଏହି କଳୁଷତା ଦୂର କଲୁ ଏବଂ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଯୁବବର୍ଗଙ୍କ ମନୋବଳ ବଢ଼ାଇବା ଦିଗରେ ପଦକ୍ଷେପ ନେଲୁ । ସେ କହିଥିଲେ ଯେ ନୂତନ ଭାରତ କେବଳ ନୀତି ନିର୍ମାଣରେ ବିଶ୍ବାସ କରିନଥାଏ, ବରଂ ଦେଶର ଯୁବକମାନଙ୍କୁ ନେଇ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଗେଇ ଯାଇଥାଏ। ଫିଟ୍‌ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଗତ ଆଠ ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍‌ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ଫଳରେ କ୍ରୀଡ଼ାବିତଙ୍କ ପାଇଁ ଅଧିକରୁ ଅଧିକ ପରିମାଣରେ ସମ୍ବଳ ଉପଲବ୍ଧ ହୋଇପାରିଛି ଏବଂ ଏହା ଖେଳାଳୀଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିଛି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିଭିନ୍ନ ସ୍ଥାନରେ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଅବସରପ୍ରାପ୍ତ ଖେଳାଳୀଙ୍କ ଜୀବନକୁ ସହଜ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି । ଏ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ଯାହାଫଳରେ ନୂଆ ପିଢ଼ି ଅବସରପ୍ରାପ୍ତ ଖେଳାଳୀଙ୍କ ଅଭିଜ୍ଞତାରୁ ଲାଭ ପାଇପାରିବେ ।

ଭାରତର ସଭ୍ୟତା ଓ ସାଂସ୍କୃତିକ ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜାର ହଜାର ବର୍ଷ ଧରି ଭାରତର ପରମ୍ପରା ଏବଂ ଅଭିବୃଦ୍ଧି ଯାତ୍ରାରେ କ୍ରୀଡ଼ା ଏକ ଅଭିନ୍ନ ଅଙ୍ଗ ହୋଇ ରହି ଆସିଛି । ସ୍ବାଧୀନତାର ଅମୃତ କାଳରେ ଦେଶ ଗର୍ବର ସହିତ ନିଜ ଐତିହ୍ୟରୁ ଏହି ପରମ୍ପରାକୁ ଉଜ୍ଜୀବିତ କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ପ୍ରୟାସ ଏବଂ ଉତ୍ସାହ କେବଳ ଗୋଟିଏ କ୍ରୀଡ଼ାରେ ସୀମିତ ରହିନାହିଁ, ବରଂ ‘କଲରିପୟଟ୍ଟୁ’ ଏବଂ ‘ଯୋଗାସନ’ ଭଳି ଭାରତୀୟ କ୍ରୀଡ଼ା ମଧ୍ୟ ଗୁରୁତ୍ବ ହାସଲ କରୁଛି । ଜାତୀୟ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତାରେ ଏହିସବୁ କ୍ରୀଡ଼ାକୁ ସାମିଲ କରାଯିବା ଖୁସିର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଠାରେ ଏହି କ୍ରୀଡ଼ାର ପ୍ରତିନିଧିତ୍ବ କରୁଥିବା ଖେଳାଳୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ମୁଁ ଏକ ନିର୍ଦ୍ଦିଷ୍ଟ କଥା କହିବାକୁ ଚାହୁଁଛି । ଗୋଟିଏ ପଟେ ଆପଣମାନେ ଭାରତର ହଜାର ହଜାର ବର୍ଷର ପରମ୍ପରାକୁ ଆଗେଇ ନେଉଛନ୍ତି, ଅନ୍ୟପଟେ ଭବିଷ୍ୟତ କ୍ରୀଡ଼ା ଦୁନିଆର ନେତୃତ୍ବ ନେଉଛନ୍ତି । ଭବିଷ୍ୟତରେ ଯେତେବେଳେ ଏହି ସବୁ କ୍ରୀଡ଼ାକୁ ବିଶ୍ବସ୍ତରରେ ମାନ୍ୟତା ମିଳିବ, ସେତେବେଳେ ଆପଣମାନେ ଏହିସବୁ କ୍ରୀଡ଼ା କ୍ଷେତ୍ରରେ କିମ୍ବଦନ୍ତୀ ଭାବେ ବିବେଚିତ ହେବେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ, କ୍ରୀଡ଼ାବିତମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିଥିଲେ ଏବଂ ସେମାନଙ୍କୁ ଏକ ଗୁରୁମନ୍ତ୍ର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ଆପଣମାନେ ଏକ ପ୍ରତିଯୋଗିତା ଜିତିବା ଲାଗି ଚାହୁଁଛନ୍ତି, ତା’ହେଲେ ଆପଣମାନେ ପ୍ରତିବଦ୍ଧତା ଓ ନିରନ୍ତରତା ବଜାୟ ରଖିବାକୁ ଶିକ୍ଷା ଲାଭ କରିବା ଉଚିତ୍‌ । କ୍ରୀଡ଼ା ଭାବନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କ୍ରୀଡ଼ାରେ ବିଜୟ ଏବଂ ପରାଜୟକୁ ଅନ୍ତିମ ପରିଣାମ ଭାବେ ବିବେଚନା କରାଯିବା ଉଚିତ୍‌ ନୁହେଁ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କ୍ରୀଡ଼ା ଭାବନା ଆପଣମାନଙ୍କ ଜୀବନର ଏକ ଅଂଶବିଶେଷ ହୋଇପାରିଲେ, ଭାରତ ଭଳି ଯୁବ ରାଷ୍ଟ୍ରର ସ୍ବପ୍ନ ସାକାର ହୋଇପାରିବ ।  ‘‘ଆପଣମାନଙ୍କୁ ଏହା ମନେ ରଖିବାକୁ ହେବ, ଯେଉଁଠି ଗତିଶୀଳତା ଥାଏ, ସେଇଠି ପ୍ରଗତି ରହିଥାଏ । ପଡ଼ିଆ ବାହାରେ ମଧ୍ୟ ଆପଣମାନଙ୍କୁ ଏହି ଧାରା ବଜାୟ ରଖିବାକୁ ପଡ଼ିବ । ଆପଣମାନଙ୍କ ଜୀବନରେ ମଧ୍ୟ ଏହି ଗତି ରହିବା ଉଚିତ୍‌ । ମୁଁ ନିଶ୍ଚିତ ଯେ, ଜାତୀୟ କ୍ରୀଡ଼ାରେ ଆପଣମାନଙ୍କର ବିଜୟ, ଦେଶକୁ ଖୁସି ମନାଇବାର ଏକ ସୁଯୋଗ ଆଣିଦେବ । ଭବିଷ୍ୟତରେ ଏହା ଏକ ନୂଆ ଆତ୍ମବିଶ୍ବାସ ଜାଗ୍ରତ କରିବ,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ସମାରୋହରେ ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ସାଂସଦ ସି ଆର ପାଟିଲ, ଗୁଜରାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହରିଶ ସାଙ୍ଘଭି ଏବଂ ଅହମ୍ମଦାବାଦ ମେୟର ଶ୍ରୀ କିରିଟ ପରମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଥମ ଥର ପାଇଁ ଗୁଜରାଟରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହା ୨୯ ସେପ୍ଟେମ୍ବର ଠାରୁ ୧୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୬ରୁ ଅଧିକ କ୍ରୀଡ଼ା ବର୍ଗରେ ସାରା ଦେଶରୁ ୧୫ ହଜାରରୁ ଅଧିକ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଫଳରେ ଏହା ହେବ ସବୁଠୁ  ଜାତୀୟ କ୍ରୀଡ଼ା ପ୍ରତିଯୋଗିତା । ଏହି ରାଷ୍ଟ୍ରୀୟ କ୍ରୀଡ଼ା ମହାକୁମ୍ଭ ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଏବଂ ଭାବନଗରକୁ ମିଶାଇ ୬ଟି ସହରରେ ଆୟୋଜିତ ହେଉଛି । ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜରାଟ ଅନ୍ତର୍ଜାତୀୟ ମାନର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଫଳରେ ଆଜି ଏତେ କମ ସମୟ ମଧ୍ୟରେ ଜାତୀୟ ସ୍ତରର ଏକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇପାରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଅହମ୍ମଦାବାଦ ଠାରେ ୩୬ତମ ଜାତୀୟ କ୍ରୀଡାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ ସମାରୋହରେ ୩୬ତମ ଜାତୀୟ କ୍ରୀଡାର ଶୁଭାରମ୍ଭ କରିବେ। ଜାତୀୟ କ୍ରୀଡାରେ ଭାଗ ନେଇଥିବା ଦେଶର ବିଭିନ୍ନ ସ୍ଥାନର କ୍ରୀଡାବିତମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ ସମାରୋହରେ ସାମିଲ ହେବେ।

ଗୁଜୁରାଟରେ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ଆୟୋଜିତ ହେଉଛି। ଏହା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାରା ଦେଶର ପ୍ରାୟ ୧୫ ହଜାର କ୍ରୀଡାବିତ, କୋଚ ଓ ଅଧିକାରୀ ୩୬ଟି କ୍ରୀଡା ଶୃଙ୍ଖଳାରେ ଭାଗ ନେବା ଦ୍ୱାରା ଏହା ଏପର୍ଯ୍ୟନ୍ତ ଆୟୋଜିତ ସବୁଠାରୁ ବଡ ଜାତୀୟ କ୍ରୀଡା ପାଲଟିବ। ଅହମ୍ମଦାବାଦ, ଗାନ୍ଧିନଗର, ସୁରତ, ଭଦୋଦରା, ରାଜକୋଟ ଓ ଭାବନଗର ଆଦି ଛଅଟି ସହରରେ କ୍ରୀଡା ଇଭେଣ୍ଟଗୁଡିକ ଆୟୋଜିତ ହେବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜୁରାଟରେ ଆନ୍ତର୍ଜାତୀୟ ସ୍ତରର ମଜବୁତ କ୍ରୀଡା ଭିତ୍ତିଭୂମି ସୃଷ୍ଟି ହୋଇ ପାରିଥିଲା, ଯାହାଦ୍ୱାରା ରାଜ୍ୟ ଖୁବ କମ ସମୟ ମଧ୍ୟରେ କ୍ରୀଡା ଆୟୋଜନ ପାଇଁ ପ୍ରସ୍ତୁତି କରିପାରିଛି।

Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା; ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିବାରୁ ୮ ଶ୍ରମିକଙ୍କ ମୃତ୍ୟୁ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଯାହା ଫଳରେ ଏହି ଦୁର୍ଘଟଣା ଯୋଗୁଁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିବାରୁ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

Categories
ବିଶେଷ ଖବର

କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଅହମ୍ମଦାବାଦଠାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବୈଠକ ସବକା ପ୍ରୟାସର ଏକ ସ୍ପଷ୍ଟ ଉଦାହରଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି ଓ ଏହି ଶକ୍ତି ପ୍ରତ୍ୟେକ ଅଞ୍ଚଳ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟୀତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମୀ। ଏହି ଉତ୍ସାହକୁ ଉପଜୀବ୍ୟ କରି ଆଜି ଭାରତ ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପଥରେ ଆଗେଇ ଚାଲିଛି।

ଆମେ ଇତିହାସରୁ ଶିକ୍ଷା ଲାଭ କରିଥିବା ବିଷୟ ଗୁଡିକ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟକୁ ସାହାଯ୍ୟ କରିବ। ଆମେ ଯଦି ଗତ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି କଥା ସ୍ମରଣ କରୁ ତେବେ ବିଶ୍ୱ କିପରି ଧ୍ୱଂସ ଓ ଭୟ ମଧ୍ୟରେ ଗତି କରୁଥିଲା ତାହା ଜାଣିପାରିବା। ତେବେ ସେତେବେଳେ ମଧ୍ୟ ସେ ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ ସବୁଆଡେ ବୈଜ୍ଞାନିକମାନେ ଆବିଷ୍କାରରେ ଲାଗି ପଡିଥିଲେ। ପାଶ୍ଚାତ୍ୟରେ ଆଇନଷ୍ଟାଇନ, ଫେରମୀ, ମ୍ୟାକ୍ସ ପ୍ଲାଙ୍କ, ନିଏଲସ ବୋର ଓ ଟେସଲା ସେମାନଙ୍କ ପରୀକ୍ଷାନିରୀକ୍ଷା ଦ୍ୱାରା ବିଶ୍ୱକୁ ଜାଜ୍ୱଲ୍ୟମାନ କରିଥିଲେ। ସେତିକିବେଳେ ସିଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା ଓ ଏସ ଚନ୍ଦ୍ରଶେଖର ଭଳି ବୈଜ୍ଞାନିକମାନେ ସେମାନଙ୍କ ନୂତନ ଆବିଷ୍କାରମାନ ଲୋକଲୋଚନକୁ ଆଣିଲେ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ତୁଳନା କରି ଆମେ ଆମ ବୈଜ୍ଞାନିକମାନଙ୍କ କୃତୀକୁ ପ୍ରକୃତ ସ୍ୱୀକୃତି ଦେଉନାହୁଁ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳନ କରୁ ବିଜ୍ଞାନ ଆମ ସମାଜ ଓ ସଂସ୍କୃତିର ଏକ ଅଂଶ ହୋଇଯାଏ। ପ୍ରଧାନମନ୍ତ୍ରୀ ଆମ ଦେଶର ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବୈଜ୍ଞାନିକମାନେ ସେମାନଙ୍କ ଉତ୍ସବ ପାଳନ ପାଇଁ ଅନେକ କିଛି ଦେଇଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ କରୋନା ଟିକାର ବିକାଶ ଓ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ପାଇଁ ସେ ଭାରତୀୟ ବିଜ୍ଞାନୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ସରକାର ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉପରେ ଆଧାରିତ ବିକାଶ ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “୨୦୧୪ ମସିହାଠାରୁ ବିଜ୍ଞାନ ଓ ପ୍ରଯୁକ୍ତିଜ୍ଞାନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୬ତମ ସ୍ଥାନରେ ରହିଛି। ମାତ୍ର ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ରେକର୍ଡ ସଂଖ୍ୟକ ପେଟେଣ୍ଟ ପଞ୍ଜୀକୃତ ହୋଇଥିବା ସେ ସ୍ୱୀକାର କରିଥିଲେ। ସେ ମଧ୍ୟ ଏକ ନବୋନ୍ମେଷ ବାତାବରଣ ଓ ମଜଭୁତ ଷ୍ଟାର୍ଟଅପ ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବୋନ୍ମେଷ ପ୍ରତି ପ୍ରବୃତ୍ତି ଆମେ ଯୁବପିଢ଼ିର ଡିଏନଏରେ ରହିଛି। ଆମକୁ ସମସ୍ତ ଶକ୍ତି ଘଟାଇ ଏହି ଯୁବପିଢ଼ିକୁ ସମର୍ଥନ ଦେବାକୁ ପଡିବ।” ଆମ ଯୁବପିଢ଼ିର ନବୋନ୍ମେଷ ଉତ୍ସାହ ଦୃଷ୍ଟିରୁ ସେମାନଙ୍କୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ନୂତନ କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ସେ ମହାକାଶ ଅଭିଯାନ, ଜାତୀୟ ସୁପର କମ୍ପ୍ୟୁଟିଂ ଅଭିଯାନ, ସେମି କଣ୍ଟକ୍ଟର ଅଭିଯାନ, ମିଶନ ଉଦଯାନ ଓ ଡ୍ରୋନ ପ୍ରଯୁକ୍ତି ଇତ୍ୟାଦିର ଉଦାହରଣ ଦେଇଥିଲେ। ସେହିପରି ନୂତନ ଶିକ୍ଷା ନୀତି ବିଜ୍ଞାନ ଓ ବୈଷୟିକ ଜ୍ଞାନ ଶିକ୍ଷା ମାତୃଭାଷାରେ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତକାଳରେ ଭାରତକୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଆଧାରିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ପଡିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବୋନ୍ମେଷ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଅଧିକରୁ ଅଧିକ ବିଜ୍ଞାନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପ୍ରକ୍ରିୟାର ସରଳୀକରଣ ଦ୍ୱାରା ନବୋନ୍ମେଷକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧିକରୁ ଅଧିକ ନବୋନ୍ମେଷ ପରୀକ୍ଷାଗାର ଖୋଲାଯିବା ଆବଶ୍ୟକ। ବିଜ୍ଞାନ, ନବୋନ୍ମେଷ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଧୁନିକ ନୀତି ପ୍ରଣୟନ ନିମନ୍ତେ ସେ ପ୍ରତ୍ୟେକ ରାଜ୍ୟକୁ କହିଥିଲେ। “ସରକାର ହିସାବରେ ଆମକୁ ଆମର ବିଜ୍ଞାନୀମାନଙ୍କ ସହ ଅଧିକରୁ ଅଧିକ ସମନ୍ୱୟ ରଖିବାକୁ ପଡିବ ଓ ଏହା ଦ୍ୱାରା ଏକ ଆଧୁନିକ ବୈଜ୍ଞାନିକତା ସୃଷ୍ଟି ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ରାଜ୍ୟଗୁଡିକ ଅନେକ ଜାତୀୟସ୍ତରୀୟ ବିଜ୍ଞାନ ଅନୁଷ୍ଠାନ ଏବଂ ଜାତୀୟ ପରୀକ୍ଷାଗାର ଗୁଡିକର ସାହାଯ୍ୟ, ସହଯୋଗ ଓ ବିଶେଷଜ୍ଞତାର ଉପଯୋଗ କରିପାରିବେ। ଆମକୁ ବାହାର ରାଜ୍ୟର ବିଜ୍ଞାନ ସମ୍ପର୍କିତ ଅନୁଷ୍ଠାନ ଗୁଡିକରୁ ବିଶେଷଜ୍ଞତା ଓ ଏହାର ସମ୍ପୂର୍ଣ୍ଣ ଉପଯୋଗ ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ତୃଣମୂଳ ସ୍ତରରେ ବିଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ମଧ୍ୟ ରାଜ୍ୟର ବିଜ୍ଞାନମନ୍ତ୍ରୀମାନଙ୍କୁ ବିଜ୍ଞାନ ପାଠ୍ୟକ୍ରମର ବିଭିନ୍ନ ବିଷୟରେ ଧ୍ୟାନ ଦେବାଲାଗି ପରାମର୍ଶ ଦେଇଥିଲେ।

ଉଦଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ରାଜ୍ୟ କେନ୍ଦ୍ର ବିଜ୍ଞାନ ବୈଠକରେ ଦେଶରେ ବିଜ୍ଞାନ ପ୍ରଗତି ଦିଗରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ମଧ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନରୁ ଯେପରି କୌଣସି ସୁଯୋଗ ବାଦ ନପଡେ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ୨୫ ବର୍ଷ ଭାରତ ପାଇଁ ଖୁବ ଉପଯୋଗୀ ବର୍ଷ ଓ ଏହା ଭାରତକୁ ଏକ ନୂତନ ଶକ୍ତି ଓ ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶ ଗ୍ରହଣକାରୀମାନଙ୍କୁ ବୈଠକରୁ ଶିକ୍ଷାଲାଭ କରି ତାର ନିର୍ଯ୍ୟାସ ନିଜ ରାଜ୍ୟକୁ ଦେଇ ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶରେ ନବୋନ୍ମେଷ ଓ ବୈଦ୍ୟୋଶିକତାର ବିକାଶର ନିମନ୍ତେ ପ୍ରଧାନମନ୍ତ୍ରୀ ଅକ୍ଳାନ୍ତ ଉଦ୍ୟମ ଜାରୀ ରଖିଥିବାବେଳେ, ପ୍ରଥମ ଥର ପାଇଁ ଆୟୋଜିତ ଏଭଳି ବୈଠକ ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ବୃଦ୍ଧି କରିବ। ସଂଘୀୟ ସଦଭାବନା ଉତ୍ସାହର ସହ ଏହା ଦେଶରେ ଏକ ମଜଭୂତ ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷର ବାତାବରଣ ସୃଷ୍ଟିରେ ସହାୟକ ହେବ।

ଏହି ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୧୦-୧୧ ଦୁଇ ଦିନ ଧରି ଅହମ୍ମଦାବାଦର ସାଇନ୍ସ ସିଟିରେ ଆୟୋଜିତ ହେଉଛି। ଏହା ବିଭିନ୍ନ ବିଷୟରେ ଯଥା ଏସଟିଆଇ ଭିଜନ ୨୦୪୭, ଭବିଷ୍ୟତ ଅଭିବୃଦ୍ଧି ରାସ୍ତା ଓ ରାଜ୍ୟରେ ଏସଟିଆଇ ଦୂରଦୃଷ୍ଟି, ସ୍ୱାସ୍ଥ୍ୟ-ଡିଜିଟାଲ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ, ୨୦୩୦ ସୁଦ୍ଧା ଗବେଷଣା ଓ ପରିପାଟୀ କ୍ଷେତ୍ରରେ ବିନିଯୋଗ ଦୁଇଗୁଣ କରିବା, କୃଷି-ଚାଷୀମାନଙ୍କ ଆୟରେ ଉନ୍ନତି ନିମନ୍ତେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଜଳ- ପରିବହନକ୍ଷମ ପାନୀୟ ଜଳ ଦିଗରେ ନବୋନ୍ମେଷ-ଶକ୍ତି-ସ୍ୱଚ୍ଛ ଇନ୍ଧନ ଓ ଏସଏଣ୍ଡଟି ଭୂମିକା ହାଇଡ୍ରୋଜେନ ମିଶନ, ଗଭୀର ସମୁଦ୍ର ଅଭିଯାନ ଓ ଦେଶର ଭବିଷ୍ୟତ ଅର୍ଥନୀତିରେ ଏହାର ପ୍ରଭାବ ନେଇ ଆଲୋଚନା ହେବ।

ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିଳ୍ପଦ୍ୟୋଗୀ, ଉଦ୍ୟୋଗପତି, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।