Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ଭୁବନେଶ୍ଵର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ଫେବୃଆରୀ ୨୦୨୪ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି।  କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା ଲିମିଟେଡ୍ (ଆପିକୋଲ୍) ର ସହକାରୀ ନିର୍ଦ୍ଦେଶକ ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ଅଭିଭାଷଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଡକ୍ଟର ଷଡ଼ଙ୍ଗୀ, ଓଡିଆ, ସଂସ୍କୃତ ଏବଂ ଦେବନାଗରୀ ଭାଷାରେ ଜଣେ ବିଶିଷ୍ଟ ବକ୍ତା, ରଚନା, ସମ୍ପାଦକ, ଅନୁବାଦକ ଏବଂ ସମୀକ୍ଷକ ଭାବରେ ପ୍ରସିଦ୍ଧ। ସେ ଓଡିଆ, ସଂସ୍କୃତ, ଦେବନାଗରୀ ଏବଂ ଇଂରାଜୀରେ ୧୫ ରୁ ଅଧିକ ସ୍ତୋତ୍ର / ଭଜନ ଅନୁବାଦ କରିଛନ୍ତି; ୪ ରୁ ଅଧିକ ପୁସ୍ତକର ସମ୍ପାଦନା ତଥା ବିଭିନ୍ନ ଖବରକାଗଜରେ ୧୩୦ ରୁ ଅଧିକ ପ୍ରବନ୍ଧ ରଚନା କରିବା ସହ ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ଟିଭି ଶୋ’ରେ ୧୫୦ ରୁ ଅଧିକ ଲାଇଭ୍ କମେଣ୍ଟାରୀ ପରିବେଷଣ କରିଛନ୍ତି।

ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ୟୁନେସ୍କୋ ଘୋଷଣାନାମା ଅନୁଯାୟୀ ବିଶ୍ୱବ୍ୟାପୀ ଉତ୍ସବକୁ ଦୃଷ୍ଟିରେ ରଖି ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବର୍ଷ ଆନ୍ତର୍ଜାତୀୟ ମାତୃଭାଷା ଦିବସର ବିଷୟବସ୍ତୁ ଥିଲା “ବହୁଭାଷୀ ଶିକ୍ଷା ହେଉଛି ଇଂଟରଜେନେରେସନାଲ ଶିକ୍ଷାର ସ୍ତମ୍ଭ”।

ଏହି ଅବସରରେ ଉଦବୋଧନ ଦେଇ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର କହିଛନ୍ତି ଯେ ମାତୃଭାଷା ହେଉଛି ହୃଦୟର ଭାଷା। “ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ; ଏହା ଆମର ସଂସ୍କୃତି, ଇତିହାସ, ଏବଂ ପରିଚୟର ଭଣ୍ଡାର। ସମସାମୟିକ ଚାହିଦା ସହିତ ବିକାଶ ଏବଂ ଅନୁକୂଳ ଭାଷାଗୁଡ଼ିକ ମଧ୍ୟ ଆମର ଐତିହାସିକ ମୂଳର ସ୍ମରଣକାରୀ ଭାବରେ କାର୍ଯ୍ୟ କରିଥାଏ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାଷାଭିତ୍ତିକ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ପିଏଚଡି ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କ ପିଏଚଡି ଥେସିସ୍ ଇଂରାଜୀ ସହ  ଯେ କୌଣସି ଭାରତୀୟ ଭାଷାରେ ସେମାନଙ୍କର  ଦାଖଲ କରିବା ବ୍ୟବସ୍ଥା କରାଯାଇଛି।

ମୁଖ୍ୟ ଅତିଥି ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ ଏକ ସମାଜର ଅଭିବୃଦ୍ଧି ପାଇଁ ମାତୃଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି: “ସମସାମୟିକ ସମୟରେ ମାତୃଭାଷାର ବ୍ୟବହାର ପ୍ରତି ବ୍ୟବହାରିକ ଆଭିମୁଖ୍ୟ ଅତ୍ୟନ୍ତ ଅପରିହାର୍ଯ୍ୟ। ଏହା କେବଳ ତାତ୍ତ୍ୱିକ ଢାଞ୍ଚା ପରିସରରେ ସୀମିତ ହେବା ଉଚିତ ନୁହେଁ।”

ଭାଷାର ପ୍ରଚାର ପାଇଁ ଦୈନନ୍ଦିନ କାର୍ଯ୍ୟକଳାପରେ ମାତୃଭାଷାର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା କି ଏକ ନିର୍ଦ୍ଦିଷ୍ଟ ସମାଜର ବିକାଶ ସୁନିଶ୍ଚିତ ହୋଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତୃଭାଷା ବାଣିଜ୍ୟ କିମ୍ବା ବ୍ୟବସାୟର ଭାଷା ହୋଇ ନ ପାରେ, କିନ୍ତୁ ଏହା ସେହି ଭାଷା ହେବା ଉଚିତ ଯେଉଁଥିରେ ଆମ ପରିବାର ଏବଂ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେବା ଉଚିତ୍। ସଂସ୍କୃତ ଏବଂ ଓଡିଆ ଭାଷାରେ ସାହିତ୍ୟର ବିଭିନ୍ନ ଉଦାହରଣ ଦେଇ ସେ ପ୍ରକାଶ କରିଛନ୍ତି ଯେ ଆମର ମାତୃଭାଷାକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରାଯିବା ଉଚିତ, ଯାହାର ଏକ ସମୃଦ୍ଧ ଐତିହ୍ୟ ରହିଛି।

ଅନୁଷ୍ଠାନର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ମଧ୍ୟ ଏକ ସମାଜ ପାଇଁ ବୃହତ ଉଦ୍ଦେଶ୍ୟ ହାସଲ କରିବା ପାଇଁ ମାତୃଭାଷାର ଗୁରୁତ୍ୱ ଉପରେ କହିଥିଲେ। ସେ ମୁଖ୍ୟ ଅତିଥି ଏବଂ ତାଙ୍କର କୃତିତ୍ୱର ପରିଚୟ ଦେଇଥିଲେ।

ଏହି ଉତ୍ସବକୁ ପାଳନ କରିବା ପାଇଁ ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ, କର୍ମଚାରୀ, ବାସିନ୍ଦା ଏବଂ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ଗୀତ ଓ କବିତା ପରିବେଷଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ  କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି। ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ ଓ ଆପ୍ଲିକେସନ୍ ଦ୍ୱାରା ପରିଚାଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଏଆର ଏବଂ ଭିଆର ପାଖରେ ଅପାର ସାମର୍ଥ୍ୟ ରହିଛି। ଏହିଭଳି ଭାବେ ଆଇଆଇଟି ଭୁବନେଶ୍ୱର  ନ୍ୟୁ ଇଣ୍ଡିଆର ପରିବର୍ତ୍ତିତ ଆକାଂକ୍ଷା ସହ ତାଳ ଦେଇ ନବସୃଜନ ଏବଂ ସମାଧାନର ସ୍ଥାନୀୟକରଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର।

ଆଇଆଇଟି ଭୁବନେଶ୍ୱର ଉନ୍ନତମାନର ପରୀକ୍ଷାମୂଳକ ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଶଂସନୀୟ। ଗୋଟିଏ ହେଲା ମ୍ୟାଟେରିଆଲ ପଦ୍ଧତିକୁ ଜାଣିବା ସହ ପ୍ରକ୍ରିୟାକରଣ, ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟଟି ହେଲା ଲାବୋରେଟୋରୀ  ଗ୍ରୋନ ଡାଇମଣ୍ଡ କେନ୍ଦ୍ର। ଏହି ସୁବିଧା ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଏବଂ ନବସୃଜନ କ୍ଷେତ୍ରକୁ ସମ୍ପ୍ରସାରଣ କରିବ। ମ୍ୟାଟେରାଲ ସାଇନ୍ସରେ ନବସୃଜନ ଏବଂ ଗବେଷଣାକୁ ସୁଦୃଢ଼ କରିବ। ଶିଳ୍ପ-ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶରେ ସହାୟତା କରିବ । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ବୃଦ୍ଧି କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ନବନିଯୁକ୍ତ ସମସ୍ତ ଅଧ୍ୟାପକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ଯୁବକମାନଙ୍କ ମନରେ ସାମାଜିକ ଦାୟିତ୍ୱ ସୃଷ୍ଟି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଦର୍ଶନ ଅନୁଯାୟୀ ବୈଶ୍ୱିକ ନାଗରିକ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ। ଏକ ଆଧୁନିକ, ସାଂସ୍କୃତିକ ଭିତ୍ତିକ ଓ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍।

ଆଇଆଇଟି ଭୁବନେଶ୍ୱର ଠାରେ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର ସମେତ ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆଇଜର ବ୍ରହ୍ମପୁରର ଭିତ୍ତିଭୂମି, ରିସର୍ଚ୍ଚ ପ୍ରଜେକ୍ଟ ଏବଂ ଏକାଡେମିକ୍ ପ୍ରୋଗ୍ରାମ ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ।

ଆଇଆଇଟି ପରିସରରେ ବୃକ୍ଷରୋପଣ କରିବା ସହ କ୍ୟାମ୍ପସକୁ ସବୁଜ ଓ ସୁନ୍ଦର ରଖିବା ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଇଆଇଟି ଆସିଲେ ନୂଆ ବିଷୟ ଜାଣିବାକୁ ମିଳିଥାଏ। ଏହି ଅନୁଷ୍ଠାନ ଆମକୁ ସର୍ବଦା ନୂଆ ଉର୍ଜା, ପ୍ରେରଣା ଦେଇଥାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ନିଜ ଭିତରେ ଜାଗ୍ରତ କରିଥାଏ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ନେଇ ଏମ୍ସ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି।

ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତିଛବିଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ। ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି। ସଫତଳାର ସହିତ ଏହି ଏମଓୟୁ ସ୍ବାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ. ବିଶ୍ବାସ।

ଏପରି ନିଆରା ବୁଝାମଣାରେ ଖୁସି ପ୍ରକଟ କରିବା ସହିତ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ। ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ। ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ।

ଅସ୍ଥିଶଲ୍ୟ, ରେଡିଓଲୋଜି, କର୍କଟ ଭଳି ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତାର ପୟୋଗ ଫଳରେ ବେଳ ଥାଉ ଥାଉ ସ୍ତନ କର୍କଟ ଭଳି ରୋଗକୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଯାହାକି ଏହାର ଚିକିତ୍ସାକୁ ସହଜ କରିବ। ସେହିପରି ଉଭୟ ଅନୁଷ୍ଠାନ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ଗବେଷଣାଗାର ବିକାଶ ଉପରେ ଧ୍ୟାନ ଦେବେ। ଏଥିସହିତ “ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି” ଭଳି ଏକ ଉନ୍ନତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା ସହିତ ବିଭିନ୍ନ ଚିକିତ୍ସା ସାମଗ୍ରୀ ଏବଂ ଉପକରଣ ଉତ୍ପାଦନର ମାର୍ଗ ପ୍ରସ୍ତୁତ ହେବ।

ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା ରହିଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଅଧ୍ୟାପକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ସହିତ ତାଲିମ ପାଠ୍ୟକ୍ରମର ପ୍ରବର୍ତ୍ତନ ଏହି କ୍ଷେତ୍ରରେ ଉତ୍କର୍ଷ ଆଣିବ। ପ୍ୟାଟେଣ୍ଟିଂ, ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଶିଳ୍ପ ସହଯୋଗ ଆଦି ଦିଗରେ ଉଭୟ ଅନୁଷ୍ଠାନ ପରସ୍ପରକୁ ସହଯୋଗ କରିବେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ପ୍ରେରଣା ସୃଷ୍ଟି କରିବ। ଏହା ମଧ୍ୟ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସଫଳ କରିବାରେ ସହଯୋଗ କରିବ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅଧ୍ୟକ୍ଷ ପ୍ରଫେସର ଯୋଗେଶ କେ ଚାୱଲା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ସହଯୋଗୀ ଡିନ୍ (ଅନୁସନ୍ଧାନ) ଡ. ଭାଗିରଥୀ ଦ୍ୱିବେଦୀ, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଭାରପ୍ରାପ୍ତ ଡିଡିଏ ରଶ୍ମୀରଂଜନ ସେଠୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନାକର ପାସ୍ଲା, ପି କେ ସାହୁ, ବ୍ରହ୍ମ ଦେଓ ଏବଂ ଟି ଭି ସତ୍ୟମ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ ସେମାନେ ମେଡିକାଲ ଉପକରଣ ତଥା ଏହି କ୍ଷେତ୍ରରେ ଇନୋଭେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣପଦକ ପାଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ଜଣେ ଡାକ୍ତରଙ୍କ ପୁଅ ଭାବରେ ଡାକ୍ତରଙ୍କ ଦାୟିତ୍ୱକୁ ମୁଁ ଭଲ ଭାବେ ଜାଣେ। ଡାକ୍ତରଙ୍କ ସ୍ନେହ ଓ ମଧୁର କଥା ରୋଗୀଙ୍କୁ ଭଲ କରିଦେବ। ଡାକ୍ତରଙ୍କ ପରିଶ୍ରମ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇଛି।

ପ୍ରତି ବର୍ଷ ଏମ୍ସ ପରିସରରେ ୫୦୦୦ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ କ୍ୟାମ୍ପସକୁ ଅଙ୍ଗାରକାମ୍ଳ ରହିତ ପରିବେଶ କରିବା ଦରକାର। ପ୍ଲାଷ୍ଟିକ ମୁକ୍ତ ସହ ସ୍ୱଚ୍ଛ ରଖିବା ଦରକାର। ସେହିପରି ଓଡିଶାରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ରୋବଟିକ୍ସ ମାଧ୍ୟମରେ ଅପରେସନ କରିବାରେ ଭୁବନେଶ୍ୱର ଏମ୍ସ ସଫଳତା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ମାତୃଭାଷାରେ ଶିକ୍ଷାର ପ୍ରାଧାନ୍ୟକୁ ଗୁରୁତ୍ୱ ଉପରେ ଶ୍ରୀ ପ୍ରଧାନ କହିବା ସହ ଆଗାମୀ ଦିନରେ ମେଡିକାଲ ସାଇନ୍ସର ସମସ୍ତ ବହିକୁ ମାତୃଭାଷାରେ ଅନୁବାଦ କରାଯିବା ନେଇ ସୂଚନା ଦେଇଛନ୍ତି।

ଏମ୍ସର କଳ୍ପନା ପାଇଁ ଦେଶର ଅଦ୍ୱିତୀୟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବାଜପେୟୀ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଷମା ସ୍ୱରାଜ, ତତ୍କାଳୀନ ଶିକ୍ଷା ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ସର ଭିତ୍ତିପ୍ରସର କରାଯାଇଥିଲା। ଏମ୍ସ ଆଜି ଅନେକ ସଫଳତା ସାଉଁଟିଛି। ଆଜି ଏମ୍ସ ଭୁବନେଶ୍ଵରରେ ଲୋକାର୍ପିତ ୩୬ ଶଯ୍ୟାବିଶିଷ୍ଟ ବର୍ନ ସେଣ୍ଟରରେ ସହଯୋଗୀ ହୋଇଥିବାରୁ ଏନଟିପିସିକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏମସ ଭୁବନେଶ୍ୱରରେ ମଧ୍ୟ ୧୫୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲଡିଂର ଶିଳାନ୍ୟାସ ଖୁସିର ବିଷୟ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଇଣ୍ଟରନାଲନାଲ ମିଲେଟ ବର୍ଷ ଭାବେ ଘୋଷଣା କରିଛି। ଏହି କ୍ରମରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ମହତ୍ତ୍ୱ କୋଭିଡ ସମୟରେ ଜଣାପଡିଥିଲା। ଏହି ଖାଦ୍ୟକୁ ଆମେ ସମସ୍ତେ ଲୋକପ୍ରିୟ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରକୁ ଅନୁମୋଦନ ପତ୍ର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି।

ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଭାରତରେ ୭୪ ହଜାର ଷ୍ଟାର୍ଟଅପ୍ ଅଛି, ଯାହା ୨୦୧୪-୧୫ ରେ ମାତ୍ର ୪ ଶହ ଥିଲା। ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଆଇଆଇଟି/ଭୁବନେଶ୍ୱର ଲାବୋରେଟୋରୀ ପରିଦର୍ଶନ କରି ଖୁସିବ୍ୟକ୍ତ କରିବା ସହିତ ଆଜାଦୀର ଅମୃତ ମହୋତ୍ସବ କାଳରେ ନୂତନ ଚିନ୍ତାଧାରା ଏବଂ ନୂତନତ୍ୱ ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରକୁ ଭାରତ ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଯାହା ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଦେଶର ୩୧ ତମ ଅନୁଷ୍ଠାନ ହେବ।

ଆଇଆଇଟି ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନଙ୍କୁ ଚ୍ୟାଲେଞ୍ଜ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ୫ଜି ପାଇଁ ଅତି କମରେ ୧୦ ଟି କୌଶଳର ପରିକଳ୍ପନା ଯୋଗାଇ ଦେବେ, ତେବେ ଆଇଆଇଟି ଭୁବନେଶ୍ୱର ୫ଜି ବ୍ୟବହାରର ପ୍ରସ୍ତୁତି ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ଦିଆଯିବ।

ଭୁବନେଶ୍ୱରରେ ଆଇଆଇଟିଆନଙ୍କ ସହ ଜ୍ଞାନକୌଶଳ ବିନିମୟ କରି ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରସ୍ତାବ ଦିଆଯିବ ତେବେ ଆଇଆଇଟି ଭୁବନେଶ୍ୱରକୁ ରେଳ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଗତି ଶକ୍ତି ସହିତ ନିବନ୍ଧନ କରାଯିବ।

Categories
ବିଶେଷ ଖବର

ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ଜଟଣୀ: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏହି ବିଦ୍ୟାଳୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ପିଲାଙ୍କ ପାଠପଢା ଏଠାକୁ ସ୍ଥାନାନ୍ତର କରାଯିବ। ଏହି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୨୫ କୋଟି ଖର୍ଚ୍ଚ ହେବ ଏବଂ ସ୍କୁଲର ପରିଚାଳନା ପାଇଁ ଅତିରିକ୍ତ ବାର୍ଷିକ ୪ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ଶିକ୍ଷା ସଂସ୍ଥା ଆଇଆଇଟି ଭୁବନେଶ୍ୱର ବହନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ଏକ ସମ୍ମାନସ୍ପଦ ଅନୁଷ୍ଠାନ। ଏଠାକାର ଅନୁକୂଳ ପରିବେଶରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ। ଫଳରେ ପିଲାମାନେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ।

ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷକ ମାନଙ୍କ ପାଇଁ ଗୋଟିଏ ନୂଆ ବ୍ୟବସ୍ଥା ବିଗତ ଦିନ ମାନଙ୍କରେ ଆରମ୍ଭ କରାଯାଇଛି। ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତବର୍ଷ ୪ ବର୍ଷୀୟା ଇଂଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟେପ)ର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ। ଏହା ଦ୍ୱାରା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ। ଏହାବ୍ୟତିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ପ୍ରତ୍ୟେକ ବ୍ଲକରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ।

ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦି ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ଭାବରେ ସ୍ଥାନିତ ହେବ। ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ପାଇଁ ଭାରତ ସରକାର ପଦକ୍ଷେପ ନେବେ। ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହଯୋଗର ଦାୟିତ୍ୱ ନେବେ। ବର୍ତ୍ତମାନର ପିଲାମାନେ ଆମର ଭବିଷ୍ୟତ। ଏମାନଙ୍କୁ ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ।

ରାଜ୍ୟରେ ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଭୁବନେଶ୍ୱରେ ମଡର୍ଣ୍ଣ ଡ଼ିଏମ ସ୍କୁଲ, ଆଂଚଳିକ ଶିକ୍ଷା କେନ୍ଦ୍ର ଓ କୋରାପୁଟ ବିଶ୍ୱବିଦ୍ୟାଳୟ ଅଛି। ଏହାବ୍ୟତିତ ଏମ୍ସ, ନାଇଜର, କେମିକାଲ ଟେକ୍ନୋଲୋଜି, ସିଆଇଏସଆର, ଆଇସିଏଆରର ଲାବ୍ରୋଟୋରୀ, ଫୁଡ୍ ଏଣ୍ଡ୍ ମାଉଥ ଡିଜିର ଅତ୍ୟାଧୁନିକ କେନ୍ଦ୍ର, କଟକ ବିଦ୍ୟାଧରପୁରରେ ଧାନ ଗବେଷଣା କେନ୍ଦ୍ର ଅଛି। ସେହିଭଳି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ୍‌, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟୁର୍ ଏଣ୍ଡ୍ ଟୋରିଜମ୍ ଇନଷ୍ଟିଚ୍ୟୁଟ୍‌, ସ୍କିଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌, ସିପେଟ୍‌, କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଭଳି ଭାରତ ସରକାରଙ୍କ ଅନୁଷ୍ଠାନକୁ ମିଶାଇ ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍। ପୂର୍ବଦୋୟରେ ଓଡ଼ିଶାର ବିକାଶ ହେଲେ ହିଁ ଭାରତର ସାମଗ୍ରିକ ବିକାଶ ହେବ।

ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଆଇଆଇଟି ଭୁବନେଶ୍ୱର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଗାମୀ ଦିନରେ ଏଠାରେ ଜାତୀୟ ଶିକ୍ଷା ନୀତି ଅନୁସାରେ ମଲଟି ଡ଼ିସପ୍ଲିନାରୀର ବ୍ୟବସ୍ଥା କରିବକୁ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର କର୍ତୃପକ୍ଷଙ୍କୁ ପରମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହଛନ୍ତି ଏଠାରେ ଇଞ୍ଜିନିୟରିଂ ପଢ଼ୁଥବା ପିଲା ଅର୍ଥନୀତି, ମ୍ୟାନେଜମେଂଟ୍‌, ସାଧାରଣ ବିଜ୍ଞାନ, ରସାୟନ ବିଜ୍ଞାନ ସହ ସବୁ ବିଷୟରେ ଶିକ୍ଷା ଆରୋହଣ କରନ୍ତୁ। ତେବେ ଯାଇ ଏହି ଶିକ୍ଷାନୁଷ୍ଠାନ ଅଭିନବ ପଦ୍ଧତିରେ ଗବେଷଣା ଭିତିକ ବିଦ୍ୟା ମନ୍ଦିର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।