Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର ପରିପ୍ରେକ୍ଷୀରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ” ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷିରିତ ହୋଇଥିଲା । ଜଳସମ୍ପଦ ବିଭାଗ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ଆଇଆଇଟି, ଗୌହାଟୀ ପକ୍ଷରୁ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟାମର ପ୍ରାୟ ୩୫.୦୦ କିଲୋମିଟର ତଳ ମୁଣ୍ଡରେ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥାପନ କରିଥିଲେ । ନଦୀସ୍ତରରେ ବାଲି, ପଙ୍କ ଓ ପଟୁ ଆଦି ବସିବା ଦ୍ୱାରା ନଦୀରେ ଜଳସ୍ତର ଓ ପ୍ରବାହ କମ୍ ରହୁଛି । ଫଳରେ ବନ୍ୟା ଜଳ ନିସ୍କାସନରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ନଦୀରେ ଜଳ ସଂଚୟ ଏବଂ ପ୍ରବାହକୁ ନିଶ୍ଚିତ କରିବାକୁ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତା ଦୃଷ୍ଟିରୁ ଯାଜପୁର ଜିଲ୍ଲାର ଜେନାପୁର ଓ ଯୋକଡିଆରେ ସମନ୍ୱିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରି ଉଭୟ ନଦୀରେ ପ୍ରବାହ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି,ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଜଳ ସଂପଦ ବିଭାଗ ଲୋକମାଙ୍କର ଜଳର ଆବଶ୍ୟକତାକୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଛି । ବିଭାଗ ତରଫରୁ ବ୍ରାହ୍ଣଣୀ ନଦୀରେ ପ୍ରସ୍ତାବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ଓ ନଦୀରେ ମାଟି,ପଙ୍କ ଆଦି ଜମି ନରହି ଜଳ ପ୍ରବାହକୁ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ ଏହି ବୁଝାମଣା ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପାଇଁ ଆମକୁ ସହାୟକ ହେବ , ଯାହା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ତାଙ୍କ ଅଭିଭାଷଣରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭାବେ ଅବଗତ କରିଥିଲେ । ବୈଠକରେ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୋଟା କାହିଁକି ବାରମ୍ବାର ବିଫଳ ହେଉଛି?: ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟାକୁ ରୋକାଯାଇପାରିବ କି?

ନୂଆଦିଲ୍ଲୀ: ଆଇଆଇଟି ଓ ନିଟ୍ ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ରାଜସ୍ଥାନର କୋଚିଂ ହବ୍ କୋଟାରେ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନାହିଁ। ରବିବାର କୋଟାରେ ପ୍ରସ୍ତୁତି କରୁଥିବା ଦୁଇଜଣ ଛାତ୍ର ମୃତ୍ୟୁକୁ ସ୍ଥାନୀୟ ପ୍ରଶାସନ ସ୍ୱୀକାର କରିଥିଲେ। ୨୦୨୩ରେ ଏପର୍ଯ୍ୟନ୍ତ ୨୩ ଜଣ ଛାତ୍ରଛାତ୍ରୀ ପାଠପଢ଼ା ବୋଝରେ ଆତ୍ମହତ୍ୟା କରିଛନ୍ତି। କୋଟା ପ୍ରଶାସନ ଏବଂ କୋଚିଂ ଅପରେଟରମାନେ ଆତ୍ମହତ୍ୟା ରୋକିବା ପାଇଁ ସମସ୍ତେ ପଦକ୍ଷେପ ନେଉଥିବା ଦାବି କରୁଛନ୍ତି, କିନ୍ତୁ ଏହାର କୌଣସି ପ୍ରଭାବ ଦେଖାଯାଉନାହିଁ। ରବିବାର ଦିନ କୁନହାରୀର ଐତିହାସିକ ଅଞ୍ଚଳରେ ରହୁଥିବା ଛାତ୍ର ଆଦର୍ଶ (୧୮)ଙ୍କ ମୃତଦେହ ତାଙ୍କ କୋଠରୀରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବିହାରର ରୋହତାସ ଜିଲ୍ଲାର ଛାତ୍ର ଆଦର୍ଶ ୪ ମାସ ତଳେ ନିଟ୍ ପ୍ରସ୍ତୁତି ପାଇଁ କୋଟା ଆସିଥିଲେ। ଅପରାହ୍ନ ୩ଟାରେ ୧୬ ବର୍ଷୀୟ ଛାତ୍ର ଅଭିଷ୍କର ସମ୍ଭାଜୀ କାସଲେ ନିଜ କୋଚିଂ ସେଣ୍ଟରର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମହାରାଷ୍ଟ୍ରର ଲାଟୁରର ବାସିନ୍ଦା ଅଭିଷ୍କର କୋଟାର ତଲୱାଣ୍ଡି ଅଞ୍ଚଳରେ ଗତ ତିନି ବର୍ଷ ହେବ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ପରୀକ୍ଷା ପରେ ଉଭୟ ଛାତ୍ର ଆତ୍ମହତ୍ୟା କରିଥିଲେ।

୮ ମାସ ତଳେ କୋଟା ଜିଲ୍ଲା ପ୍ରଶାସନ କୋଚିଂ ଅନୁଷ୍ଠାନଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଥିଲା । ରବିବାର କୌଣସି ଅଧ୍ୟୟନ କିମ୍ବା ପରୀକ୍ଷା ହେବ ନାହିଁ ବୋଲି କୁହାଯାଇଥିଲା। ଏହି କ୍ରମରେ ଏହା ମଧ୍ୟ କୁହାଯାଇଛି ଯେ କୋଚିଂ ଅନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପାଇଁ ରବିବାରକୁ ମଜା ଭାବରେ ଉପଭୋଗ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ପଡିବ। କିନ୍ତୁ ପରିସ୍ଥିତି ହେଉଛି ଯେ ଏହି ନିର୍ଦ୍ଦେଶକୁ କୌଣସି କୋଚିଂ ଅନୁଷ୍ଠାନ ଗ୍ରହଣ କରିନାହାନ୍ତି।

ଯାହାକୁ ନେଇ ଏବେ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି

ନିଟ୍ ଆଶାୟୀ ରୋନିତ ଉପାଧ୍ୟାୟ କହିଛନ୍ତି, କୋଟାରେ ଲଗାତାର ଆତ୍ମହତ୍ୟା ଘଟଣାରେ ଆମେ ସ୍ତବ୍ଧ। ଆମ ପିତାମାତା ମଧ୍ୟ ଘରକୁ ଫେରିବା ପାଇଁ ବାରମ୍ବାର ଚାପ ପକାଉଛନ୍ତି। ସେ ଅଢ଼େଇ ବର୍ଷ ହେବ କୋଟାରେ ପ୍ରସ୍ତୁତି କରୁଛନ୍ତି, କିନ୍ତୁ କୌଣସି କୋଚିଂରେ ରବିବାର ଛୁଟି ନାହିଁ। ପ୍ରତି ରବିବାର ଏକ ପରୀକ୍ଷା ହୋଇଥାଏ। କେତେବେଳେ ଶନିବାର ଛୁଟି ଥାଏ ତ ଆଉ କେତେବେଳେ ରବିବାର ପରୀକ୍ଷା କରାଯାଏ। ଏଭଳି ସ୍ଥିତିରେ ଏହି ଛୁଟିର କୌଣସି ଅର୍ଥ ନାହିଁ।

କେବଳ କହିବାକୁ ଆତ୍ମହତ୍ୟା ବିରୋଧୀ ରଡ଼ !

ଦୀର୍ଘଦିନ ପରେ କୋଟା ପରିପ୍ରେକ୍ଷୀରେ ଆତ୍ମହତ୍ୟା ନିରୋଧୀ ରଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଆତ୍ମହତ୍ୟା ନିରୋଧୀ ରଡ଼ କିଛି ନୂଆ କଥା ନୁହେଁ। ୬ ବର୍ଷ ତଳେ ଜିଲ୍ଲା ପ୍ରଶାସନ ହଷ୍ଟେଲ ଆସୋସିଏସନକୁ ଫ୍ୟାନରେ ଆତ୍ମହତ୍ୟା ନିରୋଧୀ ରଡ଼ ଲଗାଇବାକୁ କହିଥିଲା। କିନ୍ତୁ ପରିସ୍ଥିତି ହେଉଛି ଆତ୍ମହତ୍ୟା ନିରୋଧୀ ରଡ଼ କେବଳ ଚର୍ଚ୍ଚାରେ ରହିଥିଲା। ଆତ୍ମହତ୍ୟା ନିରୋଧୀ ରଡ଼କୁ ଏପରିଭାବେ ଡିଜାଇନ୍ କରାଯାଇଛି ଯେ ଏହା କେବଳ ଫ୍ୟାନ ଓଜନକୁ ସହ୍ୟ କରିବାରେ ସକ୍ଷମ ହେବ। ଯଦି ଏହି ରଡ଼ ଉପରେ ଫ୍ୟାନଠାରୁ ଅଧିକ ଓଜନର କୌଣସି ଜିନିଷର ଓଜନ ପଡ଼ିଯାଏ, ତେବେ ଆତ୍ମହତ୍ୟା ନିରୋଧୀ ରଡ଼ର ଲମ୍ବା ବ୍ୟାପିଯିବ ଏବଂ ଆତ୍ମହତ୍ୟାକାରୀ ବ୍ୟକ୍ତିଙ୍କ ପାଦ ମାଟିକୁ ସ୍ପର୍ଶ କରିବ। ଜୁନ୍ ମାସରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି କୋଟା ପୁଲିସ ଏକ ଛାତ୍ର ସେଲ୍ ଗଠନ କରିଥିଲା। ଛାତ୍ର ସେଲ୍ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। କିନ୍ତୁ ଏଥିରେ ବିଶେଷ ଫଳାଫଳ ଦେଖିବାକୁ ମିଳିନଥିଲା।

କୋଭିଡ୍ ପରେ ଦୁର୍ବଳ ଛାତ୍ରଛାତ୍ରୀ

କୋଟାର ଏକ କୋଚିଂ ଇନଷ୍ଟିଚ୍ୟୁଟରେ ଅଧ୍ୟାପନା କରୁଥିବା ଜଣେ ଶିକ୍ଷକ କୁହନ୍ତି ଯେ ୨୦୨୩ ମସିହାରେ ଯେଉଁ ଛାତ୍ରଛାତ୍ରୀମାନେ ଏଠାକୁ ପ୍ରସ୍ତୁତି ପାଇଁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। କାରଣ କୋଭିଡ୍ ସମୟରେ ଏହି ପିଲାମାନଙ୍କ ପାଠପଢ଼ା ବହୁତ କ୍ଷତିଗ୍ରସ୍ତ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ପଦୋନ୍ନତି ପାଇଛନ୍ତି। ଏମାନଙ୍କର ଭିତ୍ତିଭୂମି ବହୁତ ଦୁର୍ବଳ। ଏହି କାରଣରୁ ପିଲାମାନେ ଏଥର ଅଧିକ ଅବସାଦଗ୍ରସ୍ତ ହେଉଛନ୍ତି। ଏଥିସହିତ କୋଚିଂ ଅନୁଷ୍ଠାନଗୁଡ଼ିକର ପରୀକ୍ଷା ପଦ୍ଧତି ଅତ୍ୟନ୍ତ କଷ୍ଟକର। ଏହି କାରଣରୁ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ବୁଝିବାର ଅତ୍ୟନ୍ତ ଆବଶ୍ୟକତା ରହିଛି।

କିଛି ବର୍ଷ ତଳେ ପ୍ରତ୍ୟେକ କୋଚିଂ ଅନୁଷ୍ଠାନରେ ମନୋବିଜ୍ଞାନୀ କାଉନସେଲର ନିଯୁକ୍ତ କରିବା ସହ ହେଲ୍ପଲାଇନ ନମ୍ବର ଜାରି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସମସ୍ୟା ହେଉଛି ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବହୁତ ଛୋଟ। ସେମାନେ ବୁଝିପାରୁନାହାନ୍ତି ଯେ ସେମାନଙ୍କର ମାନସିକ ସମସ୍ୟା ରହିଛି। ଏଠାରେ ଥିବା କୋଚିଂ ଇନଷ୍ଟିଚ୍ୟୁଟ୍ ଓ ହଷ୍ଟେଲ୍ ଅପରେଟରମାନଙ୍କୁ ପରସ୍ପର ସହ ସମନ୍ୱୟ ରକ୍ଷା କରି ଅବସାଦଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରିସ୍ଥିତି ହେଉଛି ଉଭୟଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଟଙ୍କା ରୋଜଗାର କରିବା।

ୱାର୍ଡେନଙ୍କ ଯୋଗ୍ୟତା କ’ଣ, କୌଣସି ମାନଦଣ୍ଡ ନାହିଁ

ହଷ୍ଟେଲରେ ରଖାଯାଇଥିବା ୱାର୍ଡେନମାନେ ଶିକ୍ଷିତ ଓ ସମ୍ବେଦନଶୀଳ ବ୍ୟକ୍ତି ହେଲେ ଆତ୍ମହତ୍ୟାକୁ ବହୁ ମାତ୍ରାରେ ରୋକିବା ପାଇଁ ପ୍ରୟାସ କରାଯାଇପାରିବ। ହଷ୍ଟେଲ ମାଲିକମାନେ କୌଣସି ବ୍ୟକ୍ତିଙ୍କୁ ୭ରୁ ୮ ହଜାର ଟଙ୍କାରେ ୱାର୍ଡେନଭାବେ ନିଯୁକ୍ତି ଦେଇଥାନ୍ତି। ଅଧିକାଂଶ ୱାର୍ଡେନ୍ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତି। କେଉଁ ଛାତ୍ର ନିୟମିତ କ୍ଲାସକୁ ଯାଉନାହାନ୍ତି? କେଉଁ ଛାତ୍ର ଠିକ୍ ସମୟରେ ଖାଇବାକୁ ମେସକୁ ଆସୁନାହାନ୍ତି ? ତାଙ୍କ ସମସ୍ୟା କ’ଣ? ଯଦି ଜଣେ ୱାର୍ଡେନଙ୍କୁ ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଏ ତେବେ ସେ ଏହାକୁ ଚିହ୍ନଟ କରିପାରିବେ। ଅଭିଭାବକମାନେ କହନ୍ତି ଯେ ଅତି କମରେ ଜଣେ ୱାର୍ଡେନ ସ୍ନାତକ ହେବା ଉଚିତ।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ଆଇଆଇଟିର ୫୫ତମ କାଉନସିଲ ବୈଠକ’

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଇଆଇଟି ଭୁବନେଶ୍ୱର ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ୫୫ତମ କାଉନସିଲ ବୈଠକ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଚେୟାରମ୍ୟାନଙ୍କ ସହ ଅନୁଷ୍ଠିତ ହୋଇଯାଇଛି।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ, ଦୂରଦୃଷ୍ଟି ଏବଂ ଜାତୀୟ ଶିକ୍ଷା ନୀତି ଅଧାରରେ ଆଇଆଇଟିକୁ ବିଶ୍ୱମାନର ଗବେଷଣା, ନବସୃଜନ ଏବଂ ଉଦ୍ୟମୀ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଦେଶର ପ୍ରମୁଖ ବୈଷୟିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ଗୁଡିକ ବିଶ୍ୱରେ ଭାରତର ବ୍ରାଣ୍ଡକୁ ମଜବୂତ୍ କରିବା ସହ ବିଶ୍ୱ କଲ୍ୟାଣ ପାଇଁ ସମାଧାନର ରାସ୍ତା ବାହାର କରୁଛି। ଦେଶର ଆଇଆଇଟିକୁ ଗରିବ କଲ୍ୟାଣର ପ୍ରୟୋଗଶାଳା କରିବା ପାଇଁ ଉଦ୍ୟମ ହେଉଛି। ଆମର ଆଇଆଇଟି ବିକଶିତ ଓ ଆତ୍ମନିର୍ଭର ଭାରତର ପଥପ୍ରଦର୍ଶକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦେଶ ନୁହେଁ ବିଶ୍ୱର ଅର୍ଥନୀତି, ଜିଡିପିରେ ଆଇଆଇଟିର ବଡ଼ ଯୋଗଦାନ ରହିଛି। ଦେଶର ନୂଆପିଢିଙ୍କୁ ରୋଜଗାର ଦେବାରେ ଆଇଆଇଟି ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହି ମର୍ମରେ ସେମାନଙ୍କୁ ନିଯୁକ୍ତିଦାତା ବନାଇବା ଦିଗରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ପ୍ରଧାନ ଗୁଣାତ୍ମକ ଶିକ୍ଷକ ପ୍ରସ୍ତୁତ କରିବା ପାଇଁ ‘ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ’ ଆରମ୍ଭ କରିବା ପାଇଁ ଆଇଆଇଟିକୁ ପରାମର୍ଶ ଦେଇଛନ୍ତି।

ଆଇଆଇଟି କାଉନସିଲ ବୈଠକରେ ମୁଖ୍ୟତଃ ଆଇଆଇଟି ଅନୁଷ୍ଠାନ ଗୁଡିକ ପାଇଁ ଥିବା ପ୍ରମୁଖ ନୀତି ଉପରେ ବିଚାରବିମର୍ଷ କରାଯାଇ ନିର୍ଣ୍ଣୟ ନିଆଯାଇଥାଏ। ପ୍ରଥମେ ଆଇଆଇଟି ଜ୍ଞାନ ପାଇଁ ଜଣାଯାଉଥିଲା ମାତ୍ର ଏବେ ସମାଜର ମଙ୍ଗଳ ପାଇଁ ଆଇଆଇଟିକୁ ପ୍ରସ୍ତୁତ କରାଯିବା ଦିଗରେ ନୀତି ହେଉଅଛି। ଏଥିପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନୂଆ ପରିବେଶରେ କିପରି ପ୍ରସ୍ତୁତ କରାଯିବ, ପୃଥକ ପୃଥକ ନୀତି ମାଧ୍ୟମରେ ଶିକ୍ଷକଙ୍କୁ କ’ଣ ପ୍ରଶିକ୍ଷଣ ଦିଆଯିବ, ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ସେମାନଙ୍କ ମାନସିକତା ଦୁର୍ବଳତାକୁ ହ୍ରାସ କରି  ମନୋବଳ ବୃଦ୍ଧି କରିବା ପାଇଁ କେମିତି ଚେଷ୍ଟା କରାଯିବ ତାହା ଉପରେ ବୈଠକପେ ଚର୍ଚ୍ଚା ଆଲୋଚନା ହୋଇଛି। ଏହାବ୍ୟତିତ ଗୁଣାତ୍ମକ ଶିକ୍ଷା ସମେତ ଗବେଷଣା କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ବିଚାରବିମର୍ଷ ହୋଇଥିଲା।

ଏହି ବୈଠକରେ ସାଂସଦ ବିପ୍ଳବ କୁମାର ଦେବ, କୁଆଁର ହେମବ୍ରମ, ଏନଇଟିଏଫର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ୟୁଜିସି ଚେୟାରମ୍ୟାନ ଏମ୍‌ ଜଗିଦେଶ କୁମାର, ଏଆଇସିଟିଇର ନିର୍ଦ୍ଦେଶକ, ସିଏସଆଇଆର, ଇଣ୍ଡିଆର ନିର୍ଦ୍ଦେଶକ, ଆଇଆଇଏସ, ବାଙ୍ଗାଲୋରର ନିର୍ଦ୍ଦେଶକ ଏବଂ ଦେଶର ୨୩ଟି ଆଇଆଇଟିର ଚେୟାରମ୍ୟାନ ଓ ନିର୍ଦ୍ଦେଶକ ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର। ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ବୋଲି  ଆଜି ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆର୍ ଆଣ୍ଡ୍ ଡି ପ୍ରଦର୍ଶନୀ ଇନଭେନଟିଭ୍ ୨୦୨୨କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

ବିଶ୍ୱର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନର ନାରା ଦେଇଛନ୍ତି। ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି। ସେହିପରି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଭାବନ କରାଯାଉଛି। ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି। ଏହି ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶିକା ଭାବରେ ଆସ୍ଥାଭାଜନ ହୋଇପାରିଛି। ସଫ୍ଟଓୟାର୍ ଡେଭଲପମେଣ୍ଟ, ଫାଇନାନ୍ସ ମ୍ୟାନେଜମେଣ୍ଟ, ମେଡିସନ ଏବଂ ଲିଗାଲ୍ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ୱ ନେଉଛି। ଦେଶବାସୀଙ୍କ ମଧ୍ୟରେ ଥିବା ବୌଦ୍ଧିକ କ୍ଷମତା ଭାରତକୁ ନୂଆ ବୈଶ୍ୱିକ ଦୃଶ୍ୟପଟ୍ଟରେ ଶିଖରରେ ପହଞ୍ଚାଇବାର କ୍ଷମତା ରଖିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମକୁ ଗବେଷଣା ଆଧାରିତ ଉଦ୍ୟମତା ବିକଶିତ କରିବାକୁ ହେବ। ଭାରତର ପ୍ରତିଭା, ଡିଜିଟାଲ କାରବାର, ବଜାର, କିଣିବା କ୍ଷମତା ଏବଂ ବଢୁଥିବା ଆକାଂକ୍ଷା ଭାରତକୁ ଦ୍ରୁତ ଗତିରେ ଆଗକୁ ନେଉଛି। ଆଇଆଇଟି ଗୁଡିକ ଏହି ସୁଯୋଗର ବ୍ୟବହାର କରିବାର କରିବା ଉଚିତ୍। ଏହାବ୍ୟତିତ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ହେବ। ଦେଶରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ କରାଗଲେ ଅର୍ଥନୀତିକୁ ସହାୟକ ହେବ। ଆଇଆଇଟି ଇଞ୍ଜିନିୟର କଲେଜ ଠାରୁ ଉର୍ଦ୍ଧ୍ୱରେ ରହିବାକୁ ହେବ। ନବସୃଜନ, ନିଯୁକ୍ତିଦାତା ସୃଷ୍ଟି କରିବା ଭଳି ବିଷୟକୁ ନେଇ ଆଇଆଇଟି ଗୁଡ଼ିକର ନୂଆ ମାପଦଣ୍ଡ ସ୍ଥିର କରିବାକୁ ହେବ। 

ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ଏବଂ ଏଥିରେ ଆଇଟି ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଶୀର୍ଷ ତାଲିକାରେ ରହିବ। ବିଶ୍ୱ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛୁକ ଅଛି ଏବଂ ଆମର ଛାତ୍ରଛାତ୍ରୀ ଓ ଇନୋଭେସନ ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ରହିବାର କ୍ଷମତା ରଖିଛନ୍ତି। ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଭଳି ସବୁଠୁ ବଡ଼ ସଂସ୍କାର ପ୍ରଣୟନ କରାଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ଆଇଆଇଟି ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଇନଭେନଟିଭ୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ୭୫ଟି ଇନୋଭେସନ ଆମର ଆଇଆଇଟିର ଗବଷେଣା ଓ ବିକାଶର କ୍ଷମତାକୁ ଦର୍ଶାଇଛି। ଜଟିଳ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ଦିଗରେ ଇନଭେନଟିଭ୍ କାର୍ଯ୍ୟକ୍ରମ ସମାଧାନର ରାସ୍ତା ବାହାର କରିବ।   

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ଦିଲ୍ଲୀ ପରିସରରେ ଥିବା ଭାରତୀ ସ୍କୁଲ୍ ଅଫ୍ ଟେଲିକମ୍ୟୁନିକେସନ ଆଣ୍ଡ୍ ମ୍ୟାନଜମେଣ୍ଟ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଇନଭେନଟିଭ୍  କାର୍ଯ୍ୟକ୍ରମରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ, ଇନସ୍ପେଶର ଚେୟାରମ୍ୟାନ ପଓ୍ୱନ ଗୋଏଙ୍କା, ସାଏଣ୍ଟ ପ୍ରତିଷ୍ଠାତା ବିଭିଆର ମୋହନ ରେଡ୍ଡୀ, ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ, ପ୍ରଫେସର, ଶିଳ୍ପ ନେତୃତ୍ୱ, ଇନୋଭେଟର ଓ ଆଇଆଇଟି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟିରୁ ଅଧ୍ୟୟନ କରିଥିବା ଏହି ୫ ନେତା, ରାଜନୀତିରେ ହାସଲ କରିଛନ୍ତି ଅନେକ ସଫଳତା

ନୂଆଦିଲ୍ଲୀ: ଆଜିକାଲି ଭାରତୀୟ ରାଜନୀତିରେ ଅଶିକ୍ଷିତ ଲୋକମାନେ ପାଦ ଦେଉଥିବା କୁହାଯାଉଛି। କିଛି ପରିମାଣରେ ଏହା ମଧ୍ୟ ସତ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୫ ଜଣ ନେତାଙ୍କୁ କହିବାକୁ ଯାଉଛୁ, ଯେଉଁମାନେ ଆଇଆଇଟିରେ ଅଧ୍ୟୟନ କରିଛନ୍ତି। ସେମାନେ ଚାହିଁଥିଲେ, ଇଞ୍ଜିନିୟରିଂରେ କ୍ୟାରିୟର କରିପାରିଥାନ୍ତେ। କିନ୍ତୁ ସେମାନେ ରାଜନୀତିକୁ ବାଛିଥିଲେ। ଏହି ସମସ୍ତ ନେତାମାନେ ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନରୁ ଅଧ୍ୟୟନ କରିଛନ୍ତି। ସେ ଯେତିକି ଅଧ୍ୟୟନରେ ସକ୍ଷମ ଥିଲେ, ସେତିକି ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ।

୧- ଅରବିନ୍ଦ କେଜ୍ରିୱାଲ:

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି। ସେ ଆଇଆଇଟି ଖଡଗପୁରରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଅଧ୍ୟୟନ କରିଛନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଜଣେ ସାମାଜିକ କର୍ମୀ ଥିଲେ। ସେ ଭାରତୀୟ ରାଜସ୍ୱ ବିଭାଗରେ କାର୍ଯ୍ୟ କରିଥିଲେ।

୨- ଅଜିତ ସିଂ:

ଚୌଧୁରୀ ଅଜିତ ସିଂଙ୍କୁ ପଶ୍ଚିମ ଉତ୍ତରପ୍ରଦେଶର ଗର୍ବ କୁହାଯାଏ। ସେ ଆଇଆଇଟି ଖଡଗପୁରରୁ ଅଧ୍ୟୟନ କରିଥିଲେ। ଅଜିତ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ, ଯିଏକି କରୋନା ସଂକ୍ରମଣ ହେତୁ ନିକଟରେ ମୃତ୍ୟୁ ବରଣ କରିଛନ୍ତି। ଭାରତ ସରକାରଙ୍କ କୃଷି ମନ୍ତ୍ରୀଙ୍କ ବ୍ୟତୀତ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ରହିଥିଲେ।

୩- ମନୋହର ପାରିକର:

ମନୋହର ପାରିକରଙ୍କ ନାମ ଦେଶରେ ଏକ ସ୍ୱଚ୍ଛ ପ୍ରତିଛବି ନେତା ଭାବରେ ନିଆଯାଇଛି। ସେ ଆଇଆଇଟି ମୁମ୍ବାଇରୁ ଅଧ୍ୟୟନ କରିଥିଲେ। ମନୋହର ପାରିକର ଗୋଆର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହା ବ୍ୟତୀତ ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। କର୍କଟ ରୋଗ ହେତୁ ସେ ୨୦୧୯ ରେ ମୃତ୍ୟୁ ବରଣ କରିଥିଲେ।

୪- ଜୟରାମ ରମେଶ:

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାରତୀୟ ରାଜନୀତିରେ ଜଣେ ଅଭିନବ ଭାବରେ ଜଣାଶୁଣା। ସେ ଆଇଆଇଟି ବମ୍ବେରୁ ଅଧ୍ୟୟନ କରିଥିଲେ। ଦେଶରେ ମନ୍ତ୍ରୀ ଭାବରେ ଜୟରାମ ରମେଶ ତାଙ୍କର ଭୂମିକା ନିଭାଇଛନ୍ତି।

୫- ଜୟନ୍ତ ସିହ୍ନା:

ବିଜେପି ନେତା ତଥା ହଜରିବାଗ ସାଂସଦ ଜୟନ୍ତ ସିହ୍ନା ଦିଲ୍ଲୀ ଆଇଆଇଟିରୁ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ସେ କେନ୍ଦ୍ର ସରକାରରେ କେନ୍ଦ୍ର ମନ୍ତ୍ରୀ ଭୂମିକାରେ ଅଛନ୍ତି। ତାଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଛି।

ଏହି ୫ ଜଣ ନେତା ଯେଉଁମାନେ ଆଇଆଇଟିରୁ ଅଧ୍ୟୟନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଅନେକ ନେତା ଅଛନ୍ତି ଯେଉଁମାନେ ବହୁତ ଶିକ୍ଷିତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏହି ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ସୂଚନା

ନୂଆଦିଲ୍ଲୀ: ଚଳିତ ବର୍ଷର ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବା ନେଇ ଘୋଷଣା ହୋଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆଇଆଇଟିରେ ନାମ ଲେଖା ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ଆଇଆଇଟିରେ ସଂକ୍ରମିତ ହେଲେ ୧୦ ଜଣ ଛାତ୍ର

ଭୁବନେଶ୍ବର: ଖୋର୍ଦ୍ଧା ସ୍ଥିତ ଆଇଆଇଟି ଭୁବନେଶ୍ଵରରେ ୧୦ ଜଣ ଛାତ୍ର କରୋନାରେ ସଂକ୍ରମଣ ହୋଇଛନ୍ତି। ପୂର୍ବରୁ ୮ଜଣ ସଂକ୍ରମଣ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଛାତ୍ର ଆକ୍ରାନ୍ତ ଅଛନ୍ତି। ୪୦ ଟି ଆରଟିପିସିଆର ପରୀକ୍ଷା ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଛାତ୍ରମାନେ ସ୍ଵତନ୍ତ୍ର ଆଇସୋଲେସନରେ ରଖାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି।