Categories
ଆଞ୍ଚଳିକ

ଜଙ୍କିଆ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ଦିଗବିଜୟ ବିଶ୍ୱାଳ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ନୂତନ ଆଇଆଇସି ଭାବେ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ ଦାଇତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ବିଶ୍ୱାଳ ଏହା ପୂର୍ବରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରି ଭାବେ କାର୍ଯ୍ୟରତ ଥିଲେ। ତେବେ ନିକଟରେ ଏସଆଇରୁ ଆଇଆଇସି ଭାବେ ପଦୋନ୍ନତି ହେବା ପରେ ଏହା ତାଙ୍କର ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ପୋଷ୍ଟିଙ୍ଗ।

ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବିଶ୍ୱାଳ। ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉକ୍ତ ଅଧିକାରୀ। ଏପରିକି ବାଣପୁର ଥାନାରୁ ବଦଳିଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା।

ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବଦଳି ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ଅନୁରୂପ ଭାବେ ଶିଳ୍ପାଞ୍ଚଳ ଫାଣ୍ଡି ଅଞ୍ଚଳରେ ମଧ୍ୟ ବ୍ରାଉନ ସୁଗାର କାରବାର, ଅପରାଧିକ ଗତିବିଧିକୁ ରୋକ ଲଗାଇବାରେ ସଫଳ ହୋଇପାରିଥିଲେ ଉକ୍ତ ଅଧିକାରୀ। ବର୍ତ୍ତମାନ ଜଙ୍କିଆ ପରି ଏକ ଗୁରୁତ୍ୱପୂର୍ଣ ଥାନାର ଥାନାଧିକାରୀ ଭାବେ ଦାଇତ୍ୱ ନେବାପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ନିଶା କାରବାରକୁ ସଂପୂର୍ଣ୍ଣ ଠପ କରିବା ଓ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକ ଲଗେଇବା ପ୍ରାଥମିକତା ରହିବ ବୋଲି ଗଣମାଧ୍ୟମକୁ ଶ୍ରୀ ବିଶ୍ଵାଳ କହିଛନ୍ତି।