Categories
ଆଜିର ଖବର ଜାତୀୟ ଖବର

୨୦୨୨ ବ୍ୟାଚର ଆଇଏଏସ୍ ଶିକ୍ଷାନବୀସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସହକାରୀ ସଚିବ ଭାବେ ନିୟୋଜିତ ୨୦୨୨ ବ୍ୟାଚର ୧୮୧ ଜଣ ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ ବିଭିନ୍ନ ଅଧିକାରୀ ସେମାନଙ୍କ ପ୍ରଶିକ୍ଷଣର ଅଭିଜ୍ଞତାକୁ ବାଣ୍ଟିଥିଲେ। ପ୍ରଧାନମନ୍ତ୍ରୀ ୨୦୨୨ର ଆରମ୍ଭ କାର୍ଯ୍ୟକ୍ରମ ସମୟରେ ସେମାନଙ୍କ ସହ ତାଙ୍କର ପୂର୍ବର କଥାବାର୍ତ୍ତାକୁ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ। ସହକାରୀ ସଚିବ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ ଯେ ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଅବହେଳିତ ଆଭିମୁଖ୍ୟରେ ସନ୍ତୁଷ୍ଟ ନୁହେଁ ଏବଂ ଏହା ଅଧିକ ସକ୍ରିୟତା ଆବଶ୍ୟକ କରେ। ସେମାନେ ସମସ୍ତ ନାଗରିକଙ୍କୁ ସର୍ବୋତ୍ତମ ସମ୍ଭବ ଶାସନ, ଉତ୍ପାଦନର ଗୁଣବତ୍ତା ଓ ଜୀବନର ଗୁଣବତ୍ତା ପ୍ରଦାନ କରିବାକୁ ପ୍ରୟାସ କରିବା ଉଚିତ୍। ଲଖପତି ଦିଦି, ଡ୍ରୋନ୍ ଦିଦି, ପିଏମ୍ ଆବାସ ଯୋଜନା ଆଦି ଯୋଜନା ସମ୍ପର୍କରେ ସେ କହିଥିଲେ ଯେ, ଏହି ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ। ସେ କହିଥିଲେ ଯେ ଏହି ଆଭିମୁଖ୍ୟ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଥାଏ ଏବଂ ଭେଦଭାବକୁ ରୋକିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ସେବା ଯୋଗାଣ କ୍ଷେତ୍ରରେ ବର୍ତ୍ତମାନ ସେମାନେ ଧୀର ଗତିରେ ଚାଲିବେ (ସ୍ପିଡ୍ ବ୍ରେକର ହେବେ) ନା ଦ୍ରୁତ ଗତିରେ ଦୌଡ଼ିବାର ରାଜପଥ (ସୁପରଫାଷ୍ଟ ହାଇୱେ) ହେବେ, ତାହା ସେମାନଙ୍କ ରୁଚି ଉପରେ ନିର୍ଭର କରେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନେ ଉତପ୍ରେରକ ମାଧ୍ୟମ ହେବାର ଇଚ୍ଛା ରଖିବା ଉଚିତ ଏବଂ ଯେତେବେଳେ ସେମାନେ ସେମାନଙ୍କ ଆଖି ସାମ୍ନାରେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସେମାନେ ସନ୍ତୁଷ୍ଟ ଅନୁଭବ କରିବେ।

ରାଷ୍ଟ୍ର ପ୍ରଥମ କେବଳ ଏକ ନାରା ନୁହେଁ, ବରଂ ତାଙ୍କ ଜୀବନର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ଯାତ୍ରାରେ ତାଙ୍କ ସହ ଚାଲିବାକୁ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ଆଇଏଏସ୍ ଭାବେ ମନୋନିତ ହେବା ପରେ ସେମାନେ ଯେଉଁ ପ୍ରଶଂସା ପାଇଛନ୍ତି, ତାହା ଅତୀତର କଥା ଏବଂ ସେମାନେ ଅତୀତରେ ରହିବା ପରିବର୍ତ୍ତେ ଭବିଷ୍ୟତ ଆଡ଼କୁ ଆଗେଇ ଚାଲିବା ଉଚିତ ବୋଲି ସେ କହିଥିଲେ।

ଏହି ଆଲୋଚନା ସମୟରେ ରାଷ୍ଟ୍ର ମନ୍ତ୍ରୀ (କାର୍ମିକ) ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର, କ୍ୟାବିନେଟ୍ ସଚିବ ରାଜୀବ ଗଉବା ଏବଂ ସଚିବ (ଗୃହ ଓ ଡିଓପିଟି) ଏ.କେ.ଭଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।