Categories
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବାଣପୁର କୋର୍ଟ ଜେଏମଏଫସି ସ୍ନାତକୀ ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଥାନା ଏସଆଇ ଚନ୍ଦନ ଦାସ, ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଭବାନୀ ଶଙ୍କର ଶତପଥୀ, ଲିଗାଲ କମିଟି ଫ୍ରଣ୍ଟ ଅଫିସ ରିଟର୍ନର ଆଇନଜୀବୀ ସୁଧୀର ପ୍ରଧାନ, ବାଣପୁର ଓକିଲ ସଂଘ ସମ୍ପାଦକ ଜଗନ୍ନାଥ ଭୋଳ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇଥିଲେ।

ତେବେ ଉକ୍ତ ଶିବିର ଟି ଆମ ଦେଶର ଭବିଷ୍ୟତ ତଥା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ଓ ଗରିବ ବ୍ୟକ୍ତି କିପରି ଆଇନ ସେବାରୁ ବଞ୍ଚିତ ନହୁଏ ତାହାପ୍ରତି ନ୍ୟାୟପାଳିକା ସଦାସର୍ବଦା ଯତ୍ନବାନ ଅଛି ବୋଲି ବରିଷ୍ଠ ବିଚାରପତି ଶ୍ରୀ ମିଶ୍ର କହିଥିଲେ।

ସେହିପରି ଭାବେ ସାଇବର ସିକ୍ୟୁରିଟି ଓ ସୋସିଆଲ ମିଡ଼ିଆର ଅପବ୍ୟବହାରକୁ ରୋକିବା ଉପରେ ଉକ୍ତ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଛାତ୍ରୀ ତଥା ନାଗରିକ ମାନେ ନିଜର ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା, ଏଟିଏମ ପିନ, ଜନ୍ମ ତାରିଖ, ଓଟିପି ଆଦି କାହାକୁ ନଜଣାଇବ ନିମନ୍ତେ ଏସଡିପି ଶ୍ରୀ ବାରିକ ପରାମର୍ଶ ଦେଇଥିଲେ। ସମ୍ପ୍ରତି ସମୟରେ ସାଇବର ଅପରାଧ ବଢୁଥିବା ବେଳେ ଏଥିରେ ସୋସିଆଲ ମିଡ଼ିଆର ପ୍ରମୁଖ ଭୂମିକା ଅଛି ବୋଲି ଏସଡିପିଓ କହିଥିଲେ। ତେଣୁ ଆମେ ଯେତେ ସତର୍କ ଓ ସଚେତନ ହେବା ଅପରାଧ ସେତିକି କମିବ ବୋଲି ଏସଡିପିଓ କହିବା ସହ ନିଜର ବ୍ୟକ୍ତିଗତ ମୋବଇଲ ନମ୍ବର (୯୦୭-୮୯୩-୪୯୩୪) କୁ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।

ସେହିପରି ଭାବେ ସମୟ ଥାଉ ଥାଉ ଆମେ ସଜାଗ ହେବା ଜରୁରୀ ବୋଲି ବିଚାରପତି ଶ୍ରୀମତୀ ଦାସ କହିଥିଲେ। ଅନୁରୂପ ଭାବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଉକ୍ତ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ ବୋଲ ବିଡ଼ିଓ ଶ୍ରୀମତୀ ବେହେରା ମତ ରଖିଥିଲେ।

ସାଇବର ସମ୍ବନ୍ଧୀୟ ମାମଲା ହେଲେ ତାହାକୁ ନଲୁଚାଇ ତୁରନ୍ତ ପୋଲିସ ସହଯୋଗ ନେବା ପାଇଁ ଓକିଲ ସଂଘ ସମ୍ପାଦକ ଶ୍ରୀ ଭୋଳ କହିଥିବା ବେଳେ କୌଣସି ସମସ୍ୟା ଉପୁଜିଲେ ତାଲୁକ ଆଇନ କମିଟିକୁ ଯୋଗାଯୋଗ କରିବା ପାଇଁ ଆଇନଜୀବୀ ଶ୍ରୀ ପ୍ରଧାନ କହିଥିଲେ।