Categories
ଆଞ୍ଚଳିକ

ବାଲୁଗାଁ: ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା, ନିଦ୍ରାରେ ଏନ୍ଏସି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ର ଜନସଂଖ୍ୟା ଏବଂ ଆୟତ୍ତନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ନିକଟରେ ଏନଏସିର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ମୁକ୍ତା ଯୋଜନା ଅନ୍ତର୍ଗତ ୨୬ ଲକ୍ଷ ଟଙ୍କା ମଂଜୁର ମଧ୍ୟ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ସହରର ଉନ୍ନତିପାଇଁ ଏନଏସି ପ୍ରଶାସନ ଚିନ୍ତା କରୁଥିବାବେଳେ କିନ୍ତୁ ସହରର ନାଗରିକଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି। ଆମେ କହୁଛୁ ସହରର ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳ ଆଇ.ବି ରୋଡ଼ କଥା।

ଗତ ଏକମାସ ପୂର୍ବେ ବାତ୍ୟା ‘ଜୱାଦ’ କୁ ଆଖି ଆଗରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ଆଇ.ବି ରୋଡ଼ ପାର୍ଶ୍ୱରେ ଥିବା ପୁରୁଣା ଡ୍ରେନକୁ ଜେସିବି ଲଗାଇ ଖୋଳିଦିଆଯାଇଥିଲା। ଯାହା ଫଳରେ ଡ୍ରେନ ପାର୍ଶ୍ୱରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତାଟି ମୁକୁଳା ଡ୍ରେନରେ ପାଲଟିଗଲା। ତେବେ ଏହା ଖୋଳିବାର କାରଣ କଣ ଏଯାବତ ବାରି ହେଉନାହିଁ। ରାସ୍ତା ପାର୍ଶ୍ୱରେ ମୁକୁଳା ଡ୍ରେନ ଥିବାରୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଏନଏସି କର୍ତ୍ତୃପକ୍ଷଙ୍କ ନଜର ପଡୁନି।

ଡ୍ରେନଟି ପୁନଃରୁଦ୍ଧାର ପାଇଁ ଖୋଳାଯାଇଥିବାର ଏନଏସି ପ୍ରଶାସନ ସ୍ପଷ୍ଟୀକରଣ ଦେଉଥିବାବେଳେ, ବାତ୍ୟା ଯିବାର ପାଖାପାଖି ୨୫ ଦିନ ହେଲାଣି, କିନ୍ତୁ ଏଯାବତ ପାଞ୍ଚ ପଇସାର କାମ ଏଠାରେ ହୋଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ତରବରିଆ ଭାବେ ଡ୍ରେନକୁ ଜେସିବି ଲଗାଇ ଖୋଳାଗଲା କଣ ପାଇଁ? ରୋଡ଼ ପାର୍ଶ୍ୱ ଖୋଳାଯାଇଥିବାରୁ ଜନସାଧାରଣ ମାନଙ୍କୁ ଦୋକାନ ବଜାରକୁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଉକ୍ତ ରାସ୍ତାରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ପାର୍ଶ୍ୱକୁ ସମତୁଲ ମଧ୍ୟ କରିବାକୁ ଭୁଲିଯାଇଛି ଏନଏସି ପ୍ରଶାସନ।

ଏପରିକି ଗତକାଲି ଜଣେ ବ୍ୟକ୍ତି ଉକ୍ତ ମୁକୁଳା ଡ୍ରେନରେ ପଡିଯାଇ କ୍ଷତବିକ୍ଷତ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏତେସବୁ ଘଟିଲା ପରେ ବି ଏନଏସି କର୍ତ୍ତୃପକ୍ଷ ଚୁପ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲୁଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ସହରର ଏପରି ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇବ ତାହା ସାଧାରଣରେ ଅନୁମେୟ ହେଉଛି।

ଯଥାଶୀଘ୍ର ଉକ୍ତ ଡ୍ରେନକୁ ଆବଦ୍ଧ କରିବା ସହ ଜେସିବି ଦ୍ୱାରା ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱକୁ ସମତୁଲ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ନହେଲେ ଯଦି ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି।