Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’ ନିମନ୍ତେ ଓଡିଶା ସରକାରଙ୍କୁ ସହାୟତାର ହାତ ବଢ଼େଇଲା ଆଈଏନଏସ ଚିଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ମହାବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭାରତୀୟ ନୌସେନା ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ନାଭାଲ ଅଫିସର ଇନଚାର୍ଜ(ଓଡିଶା) ଏନ. ପି ପ୍ରଦୀପ ଆଜି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଈଏନଏସ ଚିଲିକା ବାତ୍ୟା ‘ୟଶ’ରେ ଓଡିଶାର ବେସାମରିକ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ହଜାର ହଜାର ଜନସାଧାରଣଙ୍କ ନିମନ୍ତେ ପାଣି ଏବଂ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ସଜାଗ ଅଛି ଆଈଏନଏସ ଚିଲିକା।

ତତ ସହିତ ନାଗରିକମାନଙ୍କୁ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାର ବିଭିନ୍ନ ଟିମ ପ୍ରସ୍ତୁତ ହୋଇସାରିଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆଈଏନଏସ ଚିଲିକା ତାର ସେବା କାର୍ଯ୍ୟ ଆରମ୍ଭ କରିଦେବ। ଗତ ମଇ ୨୪ ତାରିଖରୁ ଭାରତୀୟ ନୌସେନା ଓଡ଼ିଶା ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କରେ ଅଛି। ଏଥି ନିମନ୍ତେ ଆଈଏନଏସ ଚିଲିକାରେ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ତତସହିତ ଉକ୍ତ କଣ୍ଟ୍ରୋଲ ରୁମ ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ବାତ୍ୟା ସମୟରେ ସମୁଦ୍ରର ତଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାହାଜ ଗୁଡିକର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।