Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ: ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣହାନୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଏକ ହତ୍ୟାକାଣ୍ଡ ଘଟି ସନାତନ ଚୌଧୁରୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ନିହତ ଯୁବକ ଜଣକ ନୁଆ ବସଷ୍ଟାଣ୍ଡରେ ହକର କାମ କରି ପରିବାର ପ୍ରତିପୋଷଣ ଚଳାଇଥିଲେ। ସେ ଘରକୁ ଫେରିବା ବେଳେ ୪ରୁ ୫ ଯୁବକ ହଠାତ୍ ତାକୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯ’ଦ୍ଵାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ଘଟାଇ ଆସାମୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୁର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହେବ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ଆଜି ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଆୟୋଜନ କରାଯିବ। ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ ଆଇ ଏମ ଟି) ପରିସରରେ ଏହି ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବ ଏବଂ ଉତ୍ତର-ପୂର୍ବ କ୍ଷେତ୍ରର କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିବେ। ବିଶେଷ ଅତିଥି ଭାବେ ରାଜଭାଷା ଉପରେ ଗଠିତ ସଂସଦୀୟ ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଯୋଗ ଦେବେ। ଏହା ବ୍ୟତୀତ ରାଜଭାଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ମୀନାକ୍ଷୀ ଜୋଲି, କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମାରୋହରେ ଅତିଥିମାନେ ରାଜଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେନ୍ଦ୍ର ସରକାରୀ ଅଧିକାରୀ, ବ୍ୟାଙ୍କ ଓ ଉଦ୍ୟୋଗମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରିବେ। ରାଜଭାଷା ସମ୍ମିଳନୀ ଆୟୋଜନ ସମ୍ପର୍କରେ ଆଜି ଯୁଗ୍ମ ସଚିବ ଡକ୍ଟର ଜୋଲି ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ସମ୍ବିଧାନର ଅନୁଚ୍ଛେଦ ୩୪୩ ଅନୁଯାୟୀ, ହିନ୍ଦୀ ଭାଷା ଓ ଦେବନାଗରୀ ଲିପିକୁ ରାଜଭାଷା ଭାବେ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷାର ବିକାଶ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୫୧ରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ରାଜଭାଷା ହିନ୍ଦୀର ପ୍ରୋତ୍ସାହନ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜଭାଷା ବିଭାଗ ପକ୍ଷରୁ ଚାରିଟି ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରାଯାଇଥାଏ।