Categories
ବିଶେଷ ଖବର ରାଜ୍ୟ ଖବର

କଟକ କ୍ୟାନସର ହସପିଟାଲର ରୋଗୀ, ସହାୟକମାନଙ୍କ ପାଇଁ ବଡ଼ ଆସ୍ୱସ୍ତି , ତିଆରି ହେଲା ବିଶ୍ରାମ ସ୍ଥଳ

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଥିବା ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ହସ୍ପିଟାଲ୍ ପରିସରରେ ପୁର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଗତସପ୍ତାହ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ ।

ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ଆଜି ପୂର୍ବାହ୍ନରେ ଗୋଟିଏ ଶିବିର କାର‌୍ୟ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକ ମାନେ ରହୁଛନ୍ତି । ଆସନ୍ତା କାଲି ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ ଆଦିର ଅତି ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ହସ୍ପିଟାଲ୍ର ନିର୍ଦ୍ଦେଶକ, ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ କହିଥିଲେ ଯେ କାର‌୍ୟ୍ୟକ୍ଷମ ହୋଇଥିବା ୧ମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଛନ୍ତି। ୨ୟ ଏବଂ ୩ୟ ଶିବିର କାର୍ଯ୍ୟକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇ ପାରିବେ। ଶିବିରରେ ଆବଶ୍ୟକୀୟ ଲାଇଟ୍, ଫ୍ୟାନ୍ ଓ ପାନୀୟଜଳ ଆଦିର ବ୍ୟବସ୍ଥା କରାଯାଇଛି। ପାଖରେ ଆହାର କେନ୍ଦ୍ର ମଧ୍ୟ ଅଛି।

ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ। ହସ୍ପିଟାଲ୍ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି। ରେଡିଏସନ୍ ଏକ ଆଉଟ୍ଡୋର ଚିକିତ୍ସା। ବର୍ତ୍ତମାନ ହସ୍ପିଟାଲ୍ର ବେଡ୍ ସଂଖ୍ୟା ୨୮୧, ଯେଉଁଥିରେକି ଗୁରୁତର ଚିକିତ୍ସାଧିନ ରୋଗୀମାନେ ରହୁଛନ୍ତି। ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆରୋଗୀ ହସ୍ପିଟାଲ୍କୁ ଆସୁଛନ୍ତି । କିଛି ରୋଗୀଙ୍କର ପ୍ରାକ୍-ଆଡ୍ମିସନ୍ ପରୀକ୍ଷା ନିରୀକ୍ଷା ଦରକାର ପଡୁଛି।

କ୍ୟାନ୍ସର ରୋଗର ନିରୂପଣ ମଧ୍ୟ ଏକ ସମୟ ସାପେକ୍ଷ ପରୀକ୍ଷା। ତାଛଡ଼ା ଦୂର ଦୁରନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରିନପାରି ସାଧାରଣ ଭାବେ ହସ୍ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇଥାଆନ୍ତି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ନିର୍ମାଣ ହେଇଥିବା ଆଶ୍ରୟ ସ୍ଥଳ ଏ ପ୍ରକାର ଲୋକମାନଙ୍କୁ ଅନେକ ଆଶ୍ୱସ୍ତି ଦେଇଛି।

ସୂଚନା ଯୋଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨୦୦ ବେଡ୍ ବିଶିଷ୍ଟ ନୂଆ ଓ୍ୱାର୍ଡ ତିଆରି କରାଯାଉଛି। ଚଳିତ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ଏହି ଓ୍ୱାର୍ଡ୍କୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକ୍ଷମ ହୋଇଗଲେ ଦୈନିକ ନୂଆ ରୋଗୀମାନଙ୍କ ଆଡମିସନ୍ ସମସ୍ୟାର ସମାଧାନ ହୋଇଯିବ। ସମସ୍ତ ରୋଗୀ ହସ୍ପିଟାଲ୍ରେ ଆଡ୍ମିସନ୍ ହୋଇପାରିବେ। ନିର୍ମାଣ ହୋଇଥିବା ଏହି ୩ଟି ଆଶ୍ରୟ ଶିବିର ଭବିଷ୍ୟତରେ ରୋଗୀଙ୍କର ସହାୟକମାନଙ୍କ ନିମନ୍ତେ ବ୍ୟବହାର ହୋଇପାରିବ ବୋଲି ଡାକ୍ତର ଷଢଙ୍ଗୀ କହିଛନ୍ତି।

Categories
ଆଞ୍ଚଳିକ

ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ‘ଆସ ଭଲ ମଣିଷ ହେବା’ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏବଂ କର୍ତ୍ତବ୍ୟନୀଷ୍ଠ, ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ ବକୁଳ ବନବିଦ୍ୟାଳୟ ସମାଜ ଗଠନରେ ଏକ ମୁକସାକ୍ଷୀ।

ଗୁରୁକୂଳ ପରମ୍ପରା ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆଚାର୍ଯ୍ୟ ଚିର ନମସ୍ୟ ଥିଲେ। ଅଧ୍ୟାପକ ସୁଗମ ରାଉତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିନଥାଏ। ଗୁରୁକୂଳମାନେ ହରିହରଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ।

ପରିଶେଷରେ କ୍ରୀଡ଼ା ଶିକ୍ଷକ ଶିବ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଘଡ଼େଇ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ôତଲେ।

Categories
ଆଞ୍ଚଳିକ

ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୁକ୍ତିଲତା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ୍ୱର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗାଦନ କରି ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ‘ଆସ ଭଲ ମଣିଷ ହେବା’ ଉକ୍ତିର ତାତ୍ପର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।

ସାମ୍ପ୍ରତିକ ପରିସ୍ଥିତିରେ ଆଚାର୍ଯ୍ୟ ହରିହର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରାରମ୍ଭରେ ଅଧ୍ୟାପକ ପବିତ୍ର କୁମାର ରଥ ବେଦପାଠ କରିଥିଲେ। ଅଧ୍ୟକ୍ଷା ଡଃ ପାଲ ଚରିତ୍ର ଗଠନ ଓ ପିତାମାତାଙ୍କୁ ଆଦର୍ଶ ମନେ କରିବା ସହିତ ମାତୃଭାଷା, ମାତୃଭୂମିକୁ ମା’ ଭଳି ଭଲ ପାଇବାକୁ ଉପଦେଶ ଦେଇଥିଲେ। ମାତୃଭାଷାର ମମତାକୁ ନ ଭୁଲିବାକୁ ପ୍ରେରଣା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟରାମ ଜେନା, ଅଧ୍ୟାପିକା ଶୁଭ୍ରା ମଲ୍ଲିକ, ସୁଜାତା ସାମନ୍ତରାୟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପିକା ଅଳକାନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।