Categories
ବିଶେଷ ଖବର ରାଜ୍ୟ ଖବର

କଟକ କ୍ୟାନସର ହସପିଟାଲର ରୋଗୀ, ସହାୟକମାନଙ୍କ ପାଇଁ ବଡ଼ ଆସ୍ୱସ୍ତି , ତିଆରି ହେଲା ବିଶ୍ରାମ ସ୍ଥଳ

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଥିବା ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ହସ୍ପିଟାଲ୍ ପରିସରରେ ପୁର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଗତସପ୍ତାହ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ ।

ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ଆଜି ପୂର୍ବାହ୍ନରେ ଗୋଟିଏ ଶିବିର କାର‌୍ୟ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକ ମାନେ ରହୁଛନ୍ତି । ଆସନ୍ତା କାଲି ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ ଆଦିର ଅତି ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ହସ୍ପିଟାଲ୍ର ନିର୍ଦ୍ଦେଶକ, ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ କହିଥିଲେ ଯେ କାର‌୍ୟ୍ୟକ୍ଷମ ହୋଇଥିବା ୧ମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଛନ୍ତି। ୨ୟ ଏବଂ ୩ୟ ଶିବିର କାର୍ଯ୍ୟକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇ ପାରିବେ। ଶିବିରରେ ଆବଶ୍ୟକୀୟ ଲାଇଟ୍, ଫ୍ୟାନ୍ ଓ ପାନୀୟଜଳ ଆଦିର ବ୍ୟବସ୍ଥା କରାଯାଇଛି। ପାଖରେ ଆହାର କେନ୍ଦ୍ର ମଧ୍ୟ ଅଛି।

ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ। ହସ୍ପିଟାଲ୍ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି। ରେଡିଏସନ୍ ଏକ ଆଉଟ୍ଡୋର ଚିକିତ୍ସା। ବର୍ତ୍ତମାନ ହସ୍ପିଟାଲ୍ର ବେଡ୍ ସଂଖ୍ୟା ୨୮୧, ଯେଉଁଥିରେକି ଗୁରୁତର ଚିକିତ୍ସାଧିନ ରୋଗୀମାନେ ରହୁଛନ୍ତି। ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆରୋଗୀ ହସ୍ପିଟାଲ୍କୁ ଆସୁଛନ୍ତି । କିଛି ରୋଗୀଙ୍କର ପ୍ରାକ୍-ଆଡ୍ମିସନ୍ ପରୀକ୍ଷା ନିରୀକ୍ଷା ଦରକାର ପଡୁଛି।

କ୍ୟାନ୍ସର ରୋଗର ନିରୂପଣ ମଧ୍ୟ ଏକ ସମୟ ସାପେକ୍ଷ ପରୀକ୍ଷା। ତାଛଡ଼ା ଦୂର ଦୁରନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରିନପାରି ସାଧାରଣ ଭାବେ ହସ୍ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇଥାଆନ୍ତି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ନିର୍ମାଣ ହେଇଥିବା ଆଶ୍ରୟ ସ୍ଥଳ ଏ ପ୍ରକାର ଲୋକମାନଙ୍କୁ ଅନେକ ଆଶ୍ୱସ୍ତି ଦେଇଛି।

ସୂଚନା ଯୋଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨୦୦ ବେଡ୍ ବିଶିଷ୍ଟ ନୂଆ ଓ୍ୱାର୍ଡ ତିଆରି କରାଯାଉଛି। ଚଳିତ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ଏହି ଓ୍ୱାର୍ଡ୍କୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକ୍ଷମ ହୋଇଗଲେ ଦୈନିକ ନୂଆ ରୋଗୀମାନଙ୍କ ଆଡମିସନ୍ ସମସ୍ୟାର ସମାଧାନ ହୋଇଯିବ। ସମସ୍ତ ରୋଗୀ ହସ୍ପିଟାଲ୍ରେ ଆଡ୍ମିସନ୍ ହୋଇପାରିବେ। ନିର୍ମାଣ ହୋଇଥିବା ଏହି ୩ଟି ଆଶ୍ରୟ ଶିବିର ଭବିଷ୍ୟତରେ ରୋଗୀଙ୍କର ସହାୟକମାନଙ୍କ ନିମନ୍ତେ ବ୍ୟବହାର ହୋଇପାରିବ ବୋଲି ଡାକ୍ତର ଷଢଙ୍ଗୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା

କଟକ : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ  ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ  ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ସେ ଗତ 19 ତାରିଖରେ ଚିକିତ୍ସା ପାଇଁ ଏଠାରେ ଭର୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କର  କେମୋ ଚାଲିଥିଲା ଏବଂ ସେ ରହିଥିବା  ୱାର୍ଡରେ ଅନ୍ୟ 2 ଜଣ ରୋଗୀ ମଧ୍ୟ ଥିଲେ ବୋଲି ସେ କହିଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଯିବା ସହ ୱାର୍ଡ ସିଲ୍ କରାଯିବ ସହ  ସାନିଟାଇଜ କରାଯାଉଛି।

ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ ଏବଂ ଆସନ୍ତାକାଲି ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ ଆଜି  କଟକ ଜିଲ୍ଲାରୁ 4ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।