Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଚତୁର୍ଥ ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ସହ ଏକ ଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (କେନ୍ଦ୍ରଶାସିତ ଅଞ୍ଚଳ) ସହ ଦେଶବ୍ୟାପୀ ଆଞ୍ଚଳିକ ଆଲୋଚନା ଅଧୀନରେ ଏହା ହେଉଛି ଚତୁର୍ଥ ବୈଠକ।

ଶ୍ରମ ଓ ନିଯୁକ୍ତି (ଏଲ୍ ଆଣ୍ଡ ଇ)ର ସଚିବ ସୁମିତା ଦାୱରା ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଏବଂ ସମସ୍ତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସମନ୍ୱୟ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସହଯୋଗ ଓ ଆଲୋଚନାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶ୍ରୀମତୀ ଦାୱରା କହିଥିଲେ ଯେ, ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବାର ପ୍ରମୁଖ ଦିଗ। ଏ ଦିଗରେ ୨୦୨୪-୨୫ ବଜେଟରେ ୧,୦୭,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଘୋଷଣା କରାଯାଇଛି। ଉଭୟ ବୃହତ୍ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ତଥା ଇଏଲ୍ଆଇ ଯୋଜନା ଅଧୀନରେ ଶ୍ରମଶକ୍ତିକୁ ଆନୁଷ୍ଠାନିକ ରୂପ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଏହାବ୍ୟତୀତ ଶ୍ରମ ସଂହିତା ସମେତ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଶ୍ରମ ସଂସ୍କାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରମ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହିତ ପୁଞ୍ଜିନିବେଶ ଓ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ଟି ଶ୍ରମ ଆଇନକୁ ୪ଟି ଶ୍ରମ ସଂହିତା ଜରିଆରେ ସଂଶୋଧନ, ସରଳୀକରଣ ଏବଂ ସମନ୍ୱିତ କରିଥିବା ସଚିବ କହିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ଶ୍ରମିକ ଏବଂ ନିଯୁକ୍ତିଦାତା ସଂଘ ସହ ସଂହିତା ଗୁଡ଼ିକର କାର୍ଯ୍ୟକାରିତା ଉପରେ ସହମତି ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟ ଏକାଧିକ ବିଚାରବିମର୍ଶ କରୁଛି। ଏହି ପରିପ୍ରେକ୍ଷୀରେ ଶ୍ରମ କୋଡ୍ ଅଧୀନରେ କେନ୍ଦ୍ରୀୟ ନିୟମ ସହ ସମନ୍ୱୟ ରକ୍ଷା କରି ରାଜ୍ୟଗୁଡ଼ିକୁ ନିଜ ନିଜ ଡ୍ରାଫ୍ଟ ନିୟମରେ ଥିବା ବ୍ୟବଧାନ ଓ ଭିନ୍ନତାକୁ ଦୂର କରିବାକୁ ଅନୁରୋଧ କରାଯାଇଥିଲା।

ଅଣସଂଗଠିତ ଶ୍ରମିକମାନଙ୍କୁ ସଂଗଠିତ ଶ୍ରମିକଙ୍କ ଭଳି ବ୍ୟାପକ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଇ-ଶ୍ରମ ଅଧୀନରେ ଅଗ୍ରଗତି ପ୍ରଦର୍ଶନ ମାଧ୍ୟମରେ ଆଲୋକପାତ କରାଯାଇଥିଲା। ନିର୍ମାଣ ଶ୍ରମିକ, ଉଠାଦୋକାନୀ, ଅଟୋ ଡ୍ରାଇଭର ଆଦିଙ୍କ ସମେତ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଗୋଟିଏ ପୋର୍ଟାଲରେ ଦକ୍ଷତା ଏବଂ ଚାକିରି ଉପଲବ୍ଧତା ସମେତ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଇ-ଶ୍ରମ ପୋର୍ଟାଲରେ ନିଯୁକ୍ତି ଦେବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୨୧ରେ ଆରମ୍ଭ ହେବା ପରଠାରୁ ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ ଶ୍ରମିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକର କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲ୍ ସହିତ ଦ୍ୱିପାକ୍ଷିକ ସମନ୍ୱୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତାକୁ ଏକ ଆକ୍ସନ ପଏଣ୍ଟ ଭାବରେ ଦର୍ଶାଯାଇଥିଲା ।

ନିକଟରେ ଆରମ୍ଭ ହୋଇଥିବା ବିଓସିଡବ୍ଲୁ ପରିଚାଳନା ସୂଚନା ପ୍ରଣାଳୀ (ଏମଆଇଏସ) ପୋର୍ଟାଲର ଭୂମିକା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା, ଯେଉଁଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତଥ୍ୟ ଭିତ୍ତିକ ଯୋଜନା ଏବଂ ବିଓସି କର୍ମଚାରୀଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର ଅଧିକ ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସହାୟତା ମିଳିଥିଲା। ବିଓସି କର୍ମଚାରୀଙ୍କ ପିଲାଙ୍କ ଶିକ୍ଷା ସମେତ ସାମାଜିକ ନିରାପତ୍ତା ବିଷୟରେ ପ୍ରମାଣିତ ସୂଚନା ପାଇଁ ଏମଆଇଏସ ପୋର୍ଟାଲରେ ଅନବୋର୍ଡିଂ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା।

କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଠିକ୍‌ ସମୟରେ ନିଯୁକ୍ତି ସଂକ୍ରାନ୍ତ ତଥ୍ୟର ସଠିକ ସଂକଳନ ନିମନ୍ତେ ଏକ ଯୁଗ୍ମ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା।  ଏଥିରେ ଅଧିକ ସଠିକ ନିଯୁକ୍ତି ସଂକ୍ରାନ୍ତ ତଥ୍ୟ ରହିବ ଏବଂ ଏହାକୁ ଆଧୁନିକ ବିଶ୍ଳେଷଣାତ୍ମକ ସୁବିଧା ଥିବା ଏକ କେନ୍ଦ୍ରିଭୂତ ଡ୍ୟାଶବୋର୍ଡରେ ସ୍ଥାନିତ କରାଯିବ। ଏହା ଉନ୍ନତ ମାନର ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଉନ୍ନତ ନୀତି ବିକଶିତ କରିବାରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ସହାୟକ ହେବ।

ରାଜ୍ୟଗୁଡ଼ିକର ପ୍ରତିନିଧିମାନେ ମୁଖ୍ୟ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗ, ବିଶେଷକରି ସହଜ ଅନୁପାଳନ ଏବଂ ୱେବ-ଭିତ୍ତିକ ଯାଞ୍ଚ ପାଇଁ ନିଆଯାଇଥିବା ଡିଜିଟାଲ ହସ୍ତକ୍ଷେପ ଉପରେ ସେମାନଙ୍କର ଧାରଣା, ବୁଝାମଣା ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ପ୍ରମୁଖ ଶାସନ ସଚିବ, ସଚିବ, ଶ୍ରମ ଆୟୁକ୍ତମାନେ ଏହି ବୈଠକକୁ ପ୍ରଶଂସା କରିବା ସହ ସହଯୋଗୀ ପ୍ରୟାସ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପର୍ଯ୍ୟାୟର ପରବର୍ତ୍ତୀ ବୈଠକ ମଧ୍ୟ ଭାରତୀୟ ରାଜ୍ୟ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ୨୭ ସେପ୍ଟେମ୍ବର ୨୦୨୪ରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବ।

 

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ ରାଜ୍ୟମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଛି। ବିଶେଷ କରି ବ୍ୟାଙ୍କମାନଙ୍କ ଦ୍ବାରା ଫେରାଇ ଦିଆଯାଇଥିବା ଆବେଦନଗୁଡ଼ିକର ସଂଖ୍ୟା ହ୍ରାସ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନ୍ୟ ଅଧିକାରୀ, ବିଭିନ୍ନ ରାଜ୍ୟର ମହାନଗର ନିଗମ କମିଶନର ଓ ଏସଏଲବିସି ଆବାହକ, ବିଭିନ୍ନ ସରକାରୀ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଅର୍ଥ ସେବା ବିଭାଗର ଯୁଗ୍ମ ସଚିବ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।

ଅର୍ଥ ରାଷ୍ଟ୍ର ମନ୍ତ୍ରୀ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପିଏମ ସ୍ବନିଧି ଯୋଜନା ଅଧୀନରେ ଋଣ ବିତରଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କେତେଦୂର ଅଗ୍ରଗତି କରିପାରିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସମୀକ୍ଷା କରିଥିଲେ।

ବ୍ୟାଙ୍କମାନେ ଫେରାଇ ଦେଇଥିବା ଆବେଦନକୁ ସମୀକ୍ଷା କରିବା ନିମନ୍ତେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୌର ପ୍ରଶାସନଗୁଡ଼ିକୁ ଅନୁରୋଧ କରିବା ସହିତ ଏସବୁ ଆବେଦନକୁ ସଂଶୋଧନ କରି ପୁନର୍ବାର ଋଣ ମଞ୍ଜୁରି ଓ ବିତରଣ ଲାଗି ଦାଖଲ କରିବାକୁ କହିଥିଲେ।

ନିର୍ଦ୍ଧାରିତ ସମୟରେ ଋଣ ବିତରଣ ଲକ୍ଷ୍ୟ ହାସଲ ନିମନ୍ତେ ଶିବିର ଆୟୋଜନ କରିବା ଏବଂ ବ୍ୟାଙ୍କଗୁଡ଼ିକୁ ନୂଆ ଆବେଦନ କରିବାରେ ସହାୟତା ଯୋଗାଇ ଦେବା ଲାଗି ସବୁ ପୌର ପ୍ରଶାସନକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରୋଧ କରିଥିଲେ। ପିଏମ ସ୍ବନିଧି ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ପରସ୍ପର ମଧ୍ୟରେ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସବୁ ବ୍ୟାଙ୍କ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉଠାଦୋକାନୀମାନଙ୍କର ଡିଜିଟାଲ ପଞ୍ଜୀକରଣ ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣାଇବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପିଏମ ସ୍ବନିଧି ଯୋଜନାର ହିତାଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରୋଫାଇଲିଂ ବା ପରିଚୟ ତଥ୍ୟରେ ସୁଧାର ଆଣିବା ଉପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଯାହାଫଳରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇପାରିବ।

ସୂଚନାଯୋଗ୍ୟ ଯେ, ରାସ୍ତାକଡ଼ ଉଠା ଦୋକାନୀଙ୍କ ଆର୍ଥିକ ବିକାଶ ପାଇଁ ସେମାନଙ୍କୁ ବାଧାମୁକ୍ତ ଭାବେ ଶସ୍ତା ଋଣ ଯୋଗାଇ ଦେବା ଏବଂ ସେମାନଙ୍କର ଡିଜିଟାଲ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପିଏମ ସ୍ବନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି ଯଦ୍ଦ୍ବାରା ସେମାନଙ୍କର ସଶକ୍ତିକରଣ ହୋଇପାରିବ।

ଉଠାଦୋକାନୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହି ଯୋଜନା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନ ଅର୍ଥ ସେବା ବିଭାଗ ଦ୍ବାରା ମିଳିତ ଭାବେ ଏହି ଯୋଜନାର ପ୍ରଦର୍ଶନକୁ ନିୟମିତ ଅନୁଧ୍ୟାନ କରାଯାଉଛି। ଫଳରେ ସାରା ଦେଶରେ ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରୁଛି। ୯ ଅଗଷ୍ଟ ୨୦୨୩ ସୁଦ୍ଧା ୫୬ ଲକ୍ଷ ୭୦ ହଜାର ଆବେଦନକୁ ମଞ୍ଜୁରି ମିଳିଥିବା ବେଳେ ୫୩ ଲକ୍ଷ ୧୯ଟି ଆବେଦନ ବାବଦରେ ୬ ହଜାର ୮୮୩ କୋଟି ଟଙ୍କାର ଋଣ ବିତରଣ କରାଯାଇସାରିଛି।

Categories
ଆଞ୍ଚଳିକ

ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁର ତଦନ୍ତକୁ ନେଇ ଜନ ଅସନ୍ତୋଷ: ବସିଲା ଆଞ୍ଚଳିକ ବୈଠକ

ଖୋର୍ଦ୍ଧା: ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ତଦନ୍ତରେ ଶିଥିଳତା ଦେଖାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ବୈଠକ ବସିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ବୁଧବାର ରାତିରେ ବରଯାତ୍ରୀ ଭୋଜି ଖାଇବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଜଂକିଆ ଥାନାରେ ଅଭିଯୋଗ ହୋଇଥିଲା। ନିଖୋଜ ଯୁବକ ଜଣଙ୍କ ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ କୁମାର ସାହୁ। କିନ୍ତୁ ଦୁଇଦିନ ପରେ ତାଙ୍କର ମୃତଦେହ ଏକ କୂଅରୁ ମିଳିଥିଲା।

ଗାଁ ସାଙ୍ଗ ବାହାଘରରେ ବରଯାତ୍ରୀ ଯାଇଥିବା ବେଳେ କୈ।ଣସି କାରଣରୁ ଗଣ୍ଡଗୋଳ ମାଡପିଟ ହୋଇଥିଲା। ମାଟପିଟ ପର ଠାରୁ ସମସ୍ତ ବରଯାତ୍ରୀ ଘରକୁ ଫେରିଥିବା ବେଳେ ବିକାଶ ଘରକୁ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରି ବିକାଶର ସନ୍ଧାନ ପାଇନଥିଲେ। ବିକାଶର ପତ୍ତା ନମିଳିବାରୁ ବିକାଶର ବାପା ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମାତ୍ର ପୋଲିସ ବିକାଶର ବାପା ଓ ଗ୍ରାମବାସୀମାନଙ୍କୁ କୈ।ଣସି ସହଯୋଗ କରିନଥିବା ଖୋର୍ଦ୍ଧା ଏସପିଙ୍କୁ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଗ୍ରାମବାସୀମାନେ ନୂଆ ଜଗନ୍ନାଥ ସଡ଼କ ୪ଘଣ୍ଟା ଅବରୋଧ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଏସ୍ପି ନିଜେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଘଟଣା ସ୍ଥଳରେ ଏସପି ପହଞ୍ଚି  କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ହେଲେ ବିକାଶର ମୃତ୍ୟୁ କୁ ୧୪ଦିନ ବିତିଥିଲେ ମଧ୍ୟ କୈ।ଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ପରିପ୍ରକ୍ଷିରେ ଡିଆ ଗ୍ରାମବାସୀ ମାନଙ୍କ ସହଯୋଗରେ ଏକ ଆଚଂଳିକ ବୈଠକ ଗୋପିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେସୂର୍ଯ୍ୟମଣି ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାମେଶ୍ୱର, ନିରାକାରପୁର,ଡିଆ, ଲେଣ୍ଡୋ,ବଡପୋଖରୀଆ ଗ୍ରାମପଞ୍ଚାୟତର ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଏହି ବୈଠକରେ ଯୋଗଦେଇ ଥିଲେ।

ସର୍ବ ପ୍ରଥମେ ମୃତ ବିକାଶର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ମୃତ ବିକାଶର ମୃତ୍ୟୁ ପାଇଁ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବା ଅନୁଭବ କରି ଆଚଂଳିକ କମିଟିର ଏକ ଟିମ ଆସନ୍ତା କାଲି ଖୋର୍ଦ୍ଧା ଏସପିଙ୍କୁ ସାକ୍ଷାତ କରିବାର ସ୍ଥିର ହୋଇଛି।