Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠମଲ୍ଲିକରେ ଏସଟିଏଫ ର ଚଢ଼ାଉ: ବିପୁଳ ପରିମାଣରେ ଗଞ୍ଜେଇ ଜବତ, ତିନି ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏସଟିଏଫ ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ମୁତାବକ, ଆଠମଲ୍ଲିକ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ନିଶା ମାଫିଆମାନେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ଓ ଚାଲାଣ କରୁଥିବା ଖବର ପାଇଥିଲା ଏସଟିଏଫ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏସଟିଏଫ ର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଗ୍ରାମରେ ପୋଲିସ ସହାୟତାରେ ଚଢାଉ କରି ୧୬୧ କେଜିରୁ ଉର୍ଦ୍ଧ୍ଵ ପରିମାଣରେ ଗଞ୍ଜେଇ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।

ଗିରଫ ତିନି ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଥାନା ଅଞ୍ଚଳର ଶର୍ମିତ ଉର୍ମା, ରୋହିତ ବେହେରା ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ସୁନୀଲ ଦୀପ। ଏ ନେଇ ଆଠମଲ୍ଲିକ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ନାର୍କୋଟିକ୍ ଡ୍ରଗ୍ସ ବିରୋଧରେ ଏସଟିଏଫ ତାହାର ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି।

ତେବେ ୨୦୨୦ ଠାରୁ ଅଦ୍ୟାବଧି ଏସଟିଏଫ ୬୯ କେଜିରୁ ଉର୍ଦ୍ଧ୍ଵ ବ୍ରାଉନ୍ ସୁଗାର, ୨୦୨ ଗ୍ରାମ କୋକେନ୍, ୧୧୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୭୨ ରୁ ଉର୍ଦ୍ଧ୍ଵ ନିଶା ବେପାରିଙ୍କୁ ଗିରଫ କରିଛି।