Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ତହସିଲରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ବରିଷ୍ଠ ନାଗରିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପ୍ରକାଶ କରିଛନ୍ତି।

କରଜ ଦେଇଥିବା ଲୋକେ ତାଙ୍କ ଘରକୁ ଆସି ଟଙ୍କା ମାଗୁଥିବାରୁ ସେ ବ୍ୟସ୍ତ ହୋଇପଡିଛନ୍ତି। ତହସିଲଦାରଙ୍କ ନିକଟରେ ଏନେଇ ଆନନ୍ଦ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କ୍ଷୋଭର ସହ କହିଛନ୍ତି।

ତେବେ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କୁ ଦେଖି ତହସିଲଦାର ଯୁଗଳ କିଶୋର ମିଶ୍ର ତତ୍ପରତା ଦେଖାଇଛନ୍ତି। ଶ୍ରୀ ମିଶ୍ର ଆନନ୍ଦଙ୍କୁ ନିଜ ପ୍ରକୋଷ୍ଠକୁ ନେଇ ଏବବାଦରେ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ହେଲେ ଏହି ଘଟଣାର ଖୁବ୍ ଶିଘ୍ର ସମାଧାନ ହେଵ ବୋଲି ତହସିଲଦାର ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।