Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ଟିକାକରଣ: ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଐତିହାସିକ ଘଟଣା

ଲେଖକ- ଆଦାର ପୁନାୱାଲା 

 

କରୋନା ମହାମାରୀର ବିଗତ ଅଢେଇ ବର୍ଷ ଯାହା ଏକ ଗୁରୁତର ଅସ୍ୱାଭାବିକତାର ବାତାବରଣ ସୃଷ୍ଟି କରିଥିଲା ସେଥିରେ ଲୋକେ ସତେ ଯେପରି ଏକ ବିଜ୍ଞାନ ଉପନ୍ୟାସର କାହାଣୀ ଭିତରେ ବଂଚିଥିଲେ । ଏହି ଜଟିଳ ସମୟରେ ଆମେ ଭାରତବାସୀ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅବିଶ୍ରାନ୍ତ ନେତୃତ୍ୱରେ ମିଳିତଭାବେ ମହାମାରୀର ମୁକାବିଲା କରିବାରେ ସଫଳ ହୋଇଥିଲୁ । ଏହି ଦୁଃସମୟରୁ ଆମେ ଅନେକ କଥା ଶିଖିଲୁ ଏବଂ ଶତାବ୍ଦୀରେ ଥରେ ଆସିଥିବା ଏଭଳି ଏକ ମହାମାରୀରୁ ଯେଉଁ ଅଭିଜ୍ଞତା ଲାଭ କଲୁ ତାହା ଆମକୁ ଜୀବନ ବ୍ୟାପୀ ସାହାଯ୍ୟ କରିବ ।

ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିଲେ, ତାହାର ମୁକାବିଲା ପାଇଁ ଉତ୍କୃଷ୍ଟ ପଦକ୍ଷେପ ନେବାରେ ଏହି ଅଭିଜ୍ଞତା ଆମକୁ ସାହାଯ୍ୟ କରିବ । ଏକ ମହାସଂକଟ କାଳରେ ଆମେ ଧୈର‌୍ୟ୍ୟ ଓ ସ୍ଥିତିସ୍ଥାପକତା ପ୍ରଦର୍ଶନ କରି ଦୃଢ ସଂକଳ୍ପ ଏବଂ ସାମର୍ଥ୍ୟ ବଳରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ସମର୍ଥ ହୋଇଥିଲୁ । ଏହା ଆମକୁ ବିଶ୍ୱ ଦରବାରରେ ସମ୍ମାନ ପ୍ରଦାନ କରିଥିଲା ଓ ଆମ ସଫଳତାକୁ ସମସ୍ତେ ପ୍ରଶଂସା କରିଥିଲେ ।

ଆମ କରୋନା ବିରୋଧୀ ଲଢେଇରେ ଟିକାର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ । କରୋନା ମହାମାରୀ ବା କୋଭିଡ-୧୯ଥିଲା ସମ୍ପୂର୍ଣ୍ଣଭାବେ ଏକ ନୂଆ ଭୂତାଣୁ ଜନିତ ବ୍ୟାଧି । ଏହାର ଉପଚାର ନ ଥିଲା । ଔଷଧ ଓ ଟିକା ବିନା ଏହି ମହାମାରୀ ବିରୋଧରେ ଲଢେଇ ଆରମ୍ଭ ହୋଇଥିଲା । ତେବେ ଏହା ବିରୋଧରେ ଟିକା ବାହାର କରିବାକୁ ବୈଜ୍ଞାନିକ ପ୍ରସ୍ତୁତି, ଗବେଷଣା ଓ ଉନ୍ନୟନ, ଟିକା ଉତ୍ପାଦନ, ଏଥିପାଇଁ ସରକାରୀ ପ୍ରୋତ୍ସାହନ ଓ ରାଜନୀତିକ ଇଚ୍ଛାଶକ୍ତି ସୃଷ୍ଟି, ଏ କ୍ଷେତ୍ରରେ ସରକାରୀ-ବେସରକାରୀ ସହଭାଗିତା, ଟିକାକରଣ କାର‌୍ୟ୍ୟକ୍ରମର ଡିଜିଟାଇଜେସନ, ମହାମାରୀ ବିରୋଧୀ ଲଢେଇରେ ସରକାରଙ୍କ ସବୁ ବିଭାଗ ଏକାଠି ହୋଇ ମିଶନ ମୋଡ୍‌ରେ କାମ କରିବା ଆଦି ସବୁ ପ୍ରୟାସ ପଛରେ ଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱ ଏବଂ ଦିଗ୍‌ଦର୍ଶନ ।

ଟିକା ବାହାରିବା ପରେ ତାହାକୁ ଲୋକଙ୍କ ପାଖରେ ବିନା ମୂଲ୍ୟରେ ପହଂଚାଇବା, ଟିକା ନେଇ ଜୀବନକୁ ସୁରକ୍ଷିତ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିବା, ନୂଆ ବୈଜ୍ଞାନିକ ଉପଲବ୍ଧି, ନୂତନ ଟିକା ଓ ଔଷଧ ପ୍ରତି ରହିଥିବା ପାରମ୍ପରିକ ସାମାଜିକ କୁଣ୍ଠାକୁ ଦୂର କରିବାରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ । ତାଙ୍କର ବାସ୍ତବବାଦୀ ପଦକ୍ଷେପ, ଦୂରଦୃଷ୍ଟି ଓ ପ୍ରେରଣାଦାୟୀ ନେତୃତ୍ୱ ଫଳରେ ଆଜି ଭାରତରେ ଶହ ଶହ କୋଟି ଡୋଜ କରୋନା ଟିକା ପ୍ରୟୋଗ ସଫଳ ହୋଇଛି ଏବଂ ଏହା ଆମକୁ ଏହି ମହାମାରୀର ପ୍ରଭାବରୁ ଏକ ପ୍ରକାର ସୁରକ୍ଷିତ କରିପାରିଛି ।

କେବଳ ସେତିକି ନୁହେଁ ଆମେ ଟିକା ମୈତ୍ରୀ ନୀତିରେ ପଡୋଶୀ ବା ଅନ୍ୟାନ୍ୟ ବନ୍ଧୁ ରାଷ୍ଟ୍ରଙ୍କୁ କରୋନା ଟିକା ଯୋଗାଇ ପାରିଛୁ । ବିଦେଶକୁ ଟିକା ପଠାଇବା ବେଳେ ଦେଶରେ ଯେପରି କେହି ଏଥିରୁ ବଂଚିତ ନ ହୁଅନ୍ତି, ତାହାକୁ ମଧ୍ୟ ସୁନିଶ୍ଚିତ କରିଛୁ ।
ସାର୍ସକୋଭ୍‌-୨ ଭଳି ମାରାତ୍ମକ ଭୂତାଣୁ ଯାହା କରୋନା ମହାମାରୀର ବାହକ ଥିଲା ତା’ ବିରୋଧରେ ଏକ ବର୍ଷରୁ କମ୍ ସମୟରେ ନିରାପଦ ଓ ସଫଳ ଟିକା ବାହାର କରିବା ଆଧୁନିକ ବିଜ୍ଞାନ ଇତିହାସର ସବୁଠୁ ବଡ ଉଲ୍ଲେଖନୀୟ ଘଟଣା ।

ଏହି ଟିକା ପ୍ରସ୍ତୁତିରେ ଭାରତର ଉଦ୍ୟମ ଓ ବ୍ୟବସ୍ଥା ନିର୍ମାଣ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏ କ୍ଷେତ୍ରରେ ବିଭିନ୍ନ ସ୍ଥାନୀୟ, ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସମସ୍ୟା ସେତେବେଳେ ଥିଲା । ଦୁର୍ଘଟଣା ସହିତ ଟିକା ପ୍ରସ୍ତୁତିରେ ବ୍ୟବହୃତ କଂଚାମାଲ ସଂଗ୍ରହ କରିବାରେ ସେରମ୍ ପ୍ରତିଷ୍ଠାନ (ଏସ୍‌ଆଇଆଇ)କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କଂଚାମାଲରତ୍ତଉତ୍କଟ ଅଭାବ ସତ୍ୱେ ବିଶ୍ୱର ସର୍ବବୃହତ୍ ଟିକା ନିର୍ମାଣକାରୀ ସଂସ୍ଥା ଏସ୍‌ଆଇଆଇ ସବୁ ପ୍ରତିବନ୍ଧକକୁ ଏଡାଇ ଏଥିରେ ସଫଳ ହୋଇଥିଲା ।

ଏହି ଅନୁଷ୍ଠାନ ସମେତ ଆଉ କେତେକ ଭାରତୀୟ ଟିକା ନିର୍ମାଣକାରୀ ଖୁବ୍ କମ୍ ସମୟରେ ୨୦୦କୋଟି ଡୋଜରୁ ଅଧିକ ଟିକା ଉତ୍ପାଦନ କରିପାରିଥିଲେ । ଏହା ଆମ ଦେଶର ଲୋକଙ୍କ ଟିକା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଥିଲା । ଆମେ ଏହି ସ୍ୱଳ୍ପ ସମୟରେ ବିଶ୍ୱର ସମୁଦାୟ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକଙ୍କ ଜୀବନକୁ ସୁରକ୍ଷିତ କରିବାକୁ ସମର୍ଥ ହୋଇଥିଲୁ ।

ଭାରତରେ ଯେଉଁ ପରିମାଣର କରୋନା ଟିକା ଉତ୍ପାଦିତ ହୋଇଥିଲା ଏବଂ ଏବେ ହେଉଛି, ସେଥିରୁ ଦେଶର ସାମର୍ଥ୍ୟ ପ୍ରତିପାଦିତ ହୁଏ । ତେଣୁ ଏହି ସାମର୍ଥ୍ୟ ବଳରେ ଆମେ ବିଶ୍ୱର ଟିକା ନିର୍ମାତା ହେବାର ଗୌରବ ଲାଭ କରିଛୁ । କେବଳ କରୋନା ନୁହେଁ, ବିଭିନ୍ନ ପ୍ରକାର ରୋଗର ଟିକା ପ୍ରସ୍ତୁତି ଓ ଉତ୍ପାଦନରେ ଭାରତ ବିଶ୍ୱରେ ଅଗ୍ରଣୀ । ସବୁ ବୟସ ବର୍ଗର ଲୋକଙ୍କ ଟିକା ଆବଶ୍ୟକତା ପୂରଣ କରିବାରେ ଆମେ ମଧ୍ୟ ସମର୍ଥ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟେକ୍‌ନୋଲୋଜିର ପ୍ରୟୋଗ କରି ଭାରତ ମଧ୍ୟ ନୂଆ ସଫଳତା ଅର୍ଜନ କରିଛି । କୋ-ଉଇନର ବ୍ୟବହାର ଥିଲା ଶୃଙ୍ଖଳିତ ଟିକାକରଣର ମେରୁଦଣ୍ଡ । ଅତି କମ୍ ସମୟରେ ଭାରତ ‘ଇ-ଭିନ୍‌’ର ପ୍ରୟୋଗ କରି ଟିକା ଯୋଗାଣ ବ୍ୟବସ୍ଥାକୁ ସ୍ମାର୍ଟ ଓ ସୁସଂହତ କରିପାରିଥିଲା । ଏହା ଫଳରେ ଟିକା ଯୋଗାଣ, ସଂରକ୍ଷଣ, ଟିକାଦାନ ବ୍ୟବସ୍ଥା ସବୁ ଶୃଙ୍ଖଳିତ ଏବଂ ଟେକ୍‌ନୋଲୋଜି ଆଧାରିତ ହୋଇ ଟିକାକରଣ ଅଭିଯାନକୁ ତ୍ରୁଟିଶୂନ୍ୟ ଓ ସହଜ କରିଥିଲା ।

ଭାରତର ଟିକାକରଣ କାର‌୍ୟ୍ୟକ୍ରମର ଇତିହାସ ଓ ସଫଳତା ଭଲ । ଏ କ୍ଷେତ୍ରରେ ଭାରତର ଯଥେଷ୍ଟ ଅଭିଜ୍ଞତା ରହିଛି । କୋଭିଡ ପୂର୍ବରୁ ଭାରତ ସରକାର ବିଭିନ୍ନ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପ୍ରକାର ଟିକା ନିୟମିତ ଭାବେ ଯୋଗାଇ ଆସୁଥିଲେ । ଅତଏବ ଏହାର ପରିଚାଳନାରେ କୋ-ଉଇନର ଯେଉଁ ଉଦାହରଣୀୟ ଭୂମିକା ଥିଲା କୋଭିଡ ଟିକାକରଣ କାଳରେ ସେ ଅଭିଜ୍ଞତାକୁ ଦୋହରାଯାଇଥିଲା । କରୋନା ଟିକାକରଣରେ କୋ-ଉଇନର ଭୂମିକା ଅନସ୍ୱୀକାର‌୍ୟ୍ୟ ।

କେଉଁ ବର୍ଗର ଲୋକେ କେବେ କେଉଁ ଡୋଜ ନେବେ, ସେମାନଙ୍କ ପଞ୍ଜୀକରଣ, ଟିକା ପ୍ରଦାନରେ ତଥ୍ୟ ସଂଗ୍ରହ ଏବଂ ସର୍ବୋପରି ଟିକା ଦେଇଥିବା ପ୍ରମାଣପତ୍ର ପ୍ରଦାନରେ କୋ-ଉଇନର ଭୂମିକାକୁ ଭୁଲିବାର ନୁହେଁ । ଟିକାକରଣ ଆରମ୍ଭରୁ ଟିକା ନେଇ ଥିବା ଭାରତ ଟିକା ନେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାର୍ଟିଫିକେଟ ପ୍ରଦାନ କରିବାକୁ ସଫଳ ହୋଇଛି । ଅପରପକ୍ଷରେ ଅନ୍ୟାନ୍ୟ ବହୁ ସମୃଦ୍ଧ ରାଷ୍ଟ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନରେ କୃତକାର‌୍ୟ୍ୟ ହୋଇନାହାନ୍ତି ।

କୋଭିଡ ଟିକାଦାନ ବ୍ୟବସ୍ଥାରେ ଡିଜିଟାଲ ସାର୍ଟିଫିକେଟର ଗୁରୁତ୍ୱ ଅଧିକ; କାରଣ ଏଥିରେ କାହାକୁ କେଉଁ ଟିକା କେତେ ଡୋଜ, କେତେ ଦିନ ଅନ୍ତରରେ ଦିଆଯାଉଛି, ସେସବୁ ଡିଜିଟାଲ ମାଧ୍ୟମରେ ଉଲ୍ଲେଖ ଅଛି। ଏଥିରେ ଟିକା ନେଇଥିବା ଓ ନ ନେଇଥିବା ଲୋକଙ୍କୁ ସହଜରେ ବାଛି ହେଉଛି। ଏହି କୋ-ଉଇନ ବ୍ୟବସ୍ଥା ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବିଶେଷ ସହାୟକ ହୋଇପାରିବ ।

ତିନିଟି ପ୍ରମୁଖ କ୍ଷେତ୍ର ଭାରତକୁ କରୋନା ବିରୋଧୀ ଟିକା ବାହାର କରିବାରେ ବିଶେଷ ସହାୟକ ହୋଇଥିଲା । ସେଗୁଡିକ ହେଲା- ଟିକା ଗବେଷଣା ଓ ଉନ୍ନୟନ ବ୍ୟବସ୍ଥା, ଭେଷଜ ନିୟନ୍ତ୍ରଣ ବ୍ୟବସ୍ଥା ଓ ସରକାରଙ୍କର ଏ କ୍ଷେତ୍ରରେ ଗଭୀର ସମ୍ପୃକ୍ତି । ସରକାର ଏ କ୍ଷେତ୍ରରେ ସରକାରୀ-ଘରୋଇ ସହାଭାଗିତାକୁ ଅଗ୍ରାଧିକାର ଦେଇ ନିଜର ସବୁ ବିଭାଗକୁ ଟିକା ପ୍ରସ୍ତୁତି ଓ କରୋନା ବିରୋଧୀ ଲଢେଇରେ ନିୟୋଜିତ କରିଥିଲେ । ଏକ ଅଜଣା ମହାମାରୀ ସମୟରେ ଏହି ବ୍ୟାଧିର ଟିକା ବାହାର କରିବା ସହଜ କାମ ନୁହେଁ, ତଥାପି ସରକାର ଉପଯୁକ୍ତ ରଣନୀତି ପ୍ରସ୍ତୁତି କରି ଏ କ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଥିଲେ ।

ଏହି ଉଦ୍ୟମ ବିଶେଷ ନିର୍ଣ୍ଣାୟକ ଥିଲା । ବିଭିନ୍ନ ସଂସ୍ଥା ଓ ପକ୍ଷଙ୍କୁ ଟିକା ପ୍ରସ୍ତୁତି ପାଇଁ ଅନୁମତି ଦିଆଗଲା । କେଉଁ ସଂସ୍ଥା ଆଗ ଟିକା ପ୍ରସ୍ତୁତ କରିପାରିବ ଏବଂ ତାହା ଜରୁରୀକାଳୀନ ବ୍ୟବହାର ନିମନ୍ତେ କେତେ ନିରାପଦ ରହିବ ସେ କଥା କାହାକୁ ଜଣା ନ ଥିଲା । ସବୁଠୁ ବଡ କଥା ଥିଲା କେତେ ଶୀଘ୍ର ଏହାର ସଫଳ ବ୍ୟବହାର କରାଯାଇପାରିବ । ଟିକା ତିଆରି ଓ ଏହାର ଉତ୍ପାଦନ ଏକ ଅତ୍ୟନ୍ତ ଜଟିଳ ପ୍ରକିୟା । ଅତଏବ ଏହି ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ପ୍ରଥମ ପ୍ରସ୍ତୁତି ଟିକା ଯେ ସର୍ବଶ୍ରେଷ୍ଠ ହେବ ସେ କଥା କୁହାଯାଇ ନ ପାରେ ।

ଅତଏବ ବିଭିନ୍ନ ପ୍ରକାର ଟିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ରଖିବା ଏବଂ ଗୋଟିଏ ପରେ ଗୋଟିଏତ୍ତଉତ୍କୃଷ୍ଟ ଗୁଣମାନର ଟିକା ବାହାର କରି ତାହାକୁ ଉତ୍ପାଦନ କରିବାକୁ ସରକାର ଅନୁମତି ଦେଇ ଏକ ଯଥାର୍ଥ ପରିବେଶ ସୃଷ୍ଟି କରିଥିଲେ । ଟେକ୍‌ନୋଲୋଜି ଦୃଷ୍ଟିରୁ ଏସବୁ ଟିକା ପ୍ରସ୍ତୁତି ବିବିଧ ହୋଇଥିଲେ ମଧ ଗୁଣ ଓ ମାନରେ କେହି ଯେପରି କମ୍ ହୁଏ ତା ଉପରେ ସରକାରଙ୍କ ଅଗ୍ରାଧିକାର ଥିଲା । ଏ କ୍ଷେତ୍ରରେ ଆମ ବୈଜ୍ଞାନିକ, ଗବେଷକ, ଗବେଷଣା ଓ ଉନ୍ନୟନ ବ୍ୟବସ୍ଥା, ନୀତି ନିର୍ଦ୍ଧାରକ, ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ଭୂମିକା ବିଶେଷ ମହତ୍ୱପୂର୍ଣ୍ଣ ଥିଲା । ସେମାନେ ସମସ୍ତେ ସମୟର ଆହ୍ୱାନର ମୁକାବିଲା କରିବାରେ ସଫଳ ହୋଇଥିଲେ ।

ଆମ ଭେଷଜ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅନେକ ମନ୍ଥର ବୋଲି କହିଥାନ୍ତି । ତେବେ କରୋନା ଟିକାର ଜରୁରୀ ବ୍ୟବହାରକୁ ଏହା ଯେପରି ଅନୁମୋଦନ ଦେଲା ତାହା ଥିଲା ଉଲ୍ଲେଖନୀୟ । ଟିକାର ପରୀକ୍ଷା ନିରୀକ୍ଷା ପରେ ଭେଷଜ ନିୟନ୍ତ୍ରଣ କର୍ତୃପକ୍ଷ ତୁରନ୍ତ କରୋନା ଟିକାର ଜରୁରୀକାଳିନ ପ୍ରୟୋଗକୁ ଅନୁମତି ଦେଇଥିଲେ । ଏ କ୍ଷେତ୍ରରେ କୌଣସି ବିଳମ୍ବର ଅବକାଶ ନ ଥିଲା । ଏହି ଅନୁମତି ପ୍ରଦାନ ବେଳେ କର୍ତୃପକ୍ଷ ରୋଗୀଙ୍କ ନିରାପତା ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇଥିଲେ । ଏହା ସହିତ ଭାରତୀୟ ଟିକା ବିଦେଶୀ ଓ ଆନ୍ତର୍ଜାତିକ ଭେଷଜ ନିୟନ୍ତ୍ରକଙ୍କ ଅନୁମୋଦନ ଅବିଳମ୍ବେ ହାସଲ କରି ବିଶ୍ୱ ବଜାରରେ ସହଜରେ ପ୍ରବେଶ କରିପାରିଲା ।

ଭେଷଜ ନିୟାମକଙ୍କ ଦାୟିତ୍ୱ ବହୁ ଅଧିକ । କରୋନା ଭଳି ଦେଶର ଆହୁରି କେତେକ ଭୟଙ୍କର ବ୍ୟାଧି ରହିଛି ଯାହାର ମୁକାବିଲା ଯୁଦ୍ଧକାଳୀନ ଭିତିରେ କରାଯିବା ଆବଶ୍ୟକ । ତେଣୁ ସେ ସବୁ ରୋଗର ଟିକାକୁ ଜରୁରୀକାଳୀନ ପ୍ରୟୋଗ ପାଇଁ କର୍ତୃପକ୍ଷ ଶୀଘ୍ର ଅନୁମୋଦନ ଦେବା ଆବଶ୍ୟକ । ସର୍ବୋପରି ଆମକୁ ଆହୁରି ଦଳଗତ ଓ ବ୍ୟବସ୍ଥାଗତ ଉଦ୍ୟମରେ କୋଭିଡର ଦୁଢ ମୁକାବିଲା କରିବାକୁ ପଡିବ ।
ମହାମାରୀ ମୁକାବିଲାରେ ସରକାରଙ୍କ ସାମଗ୍ରିକ ଉଦ୍ୟମ ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସମଗ୍ର ସରକାର ଏକ ହୋଇଥିଲେ ଏବଂ ସବୁ ମନ୍ତ୍ରଣାଳୟ, ବିଭାଗ ଏକାଠି ହୋଇ ସମର୍ପିତ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାମ କରିଥିଲେ । ଏକାଧିକ ଆନ୍ତଃ ବିଭାଗୀୟ, ଆନ୍ତଃ ବିଷୟକ କ୍ଷମତା ସମ୍ପନ୍ନ ଗୋଷ୍ଠୀ ଏ କ୍ଷେତ୍ରରେ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା ।

ପୂର୍ବରୁ ସରକାରୀ କାମରେ ସମନ୍ୱୟର ଅଭାବ ଓ ବିଭାଗ-ବିଭାଗ ମଧ୍ୟରେ ଥିବା ଦୂରତ୍ୱ ସଂସ୍କୃତିର ଅବସାନ ଘଟାଇ ଏକ ନୂଆ କର୍ମସଂସ୍କୃତି ପ୍ରସ୍ତୁତ କରାଯାଇଥିଲା । ସମଗ୍ର ସରକାରର ଆଭିମୁଖ୍ୟ ବା ହୋଲ ଅଫ ଗଭର୍ଣ୍ଣମେଂଟ ଆପ୍ରୋଚ ଯୋଗୁ ତୁରନ୍ତ ନିଷ୍ପତି ଗ୍ରହଣ ସମ୍ଭବ ହୋଇଥିଲା । କରୋନା ବିରୋଧୀ ଲଢେଇର ପ୍ରକ୍ରିୟାରେ ଉଦ୍ୟୋଗଜଗତ ଓ ଜନସାଧାରଣଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଏହି ଲଢେଇରୁ ଆମେ ଯେଉଁ ଶିକ୍ଷା ପାଇଲୁ ଭବିଷ୍ୟତରେ ଏଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲାରେ ଏହା ଆମକୁ ନିଶ୍ଚିତ ସାହାଯ୍ୟ କରିବ । ସର୍ବୋପରି ଏହି ମହାମାରୀରୁ ଆମେ ଯେଉଁ ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ କଥା ଶିଖିଲୁ ତାହା ହେଲା ଜନତା ଓ ସମୁଦାୟଙ୍କ ସହିତ ରୋଗ ସମ୍ବନ୍ଧୀୟ ବ୍ୟାପାରରେ ସ୍ପଷ୍ଟ ଭାବେ ଯୋଗାଯୋଗ ସ୍ଥାପନ ।

ଏହି ବାର୍ତା ପ୍ରଦାନରେ ଭାଷା ଅତ୍ୟନ୍ତଭାବେ ସରଳ, ପ୍ରାଂଜଳ ଓ ବୋଧଗମ୍ୟ ହେବା ଉଚିତ ଯାହାଦ୍ୱାରା ସାଧାରଣ ଲୋକ ବିଜ୍ଞାନର ତଥ୍ୟ ଓ ଗୁରୁତ୍ୱ୍ୱକୁ ବୁଝିପାରିବେ ଓ ଏହା ଉପରେ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ । ଲୋକେ ବୁଝୁଥିବା ଭାଷାରେ ତାଙ୍କୁ ରୋଗ ବ୍ୟାଧି, ସଂକ୍ରମଣ ଓ ଔଷଧ, ଚିକିତ୍ସା , ଟିକା, ସେବା ଓ ଯତ୍ନ ଆଦି କଥା କହିବା ସବୁଠୁ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଡ୍ରୋନ ଭଳି ଆଧୁନିକ ଟେକ୍‌ନୋଲୋଜି ପ୍ରୟୋଗ କରାଯିବା ସହିତ ପାରମ୍ପରିକ ଚିକିତ୍ସା ଉପରେ ଭରସା ରଖିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଟିକାଦାନ ଅଭିଯାନକୁ ସଫଳ କରିବାକୁ ସରକାର ଯଥାସମ୍ଭବ ସବୁ ଉପାୟ ଓ ସାଧନ ଅବଲମ୍ବନ କରିଥିଲେ ।

ବିଶ୍ୱର ଅନେକ ଉନ୍ନତ ଦେଶ ସେମାନଙ୍କର ଟିକାଦାନ କାର‌୍ୟ୍ୟକ୍ରମରେ ବିଶେଷ ଅଗ୍ରଗତି କରିପାରୁ ନ ଥିବାବେଳେ ଭାରତ ଏ କ୍ଷେତ୍ରରେ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ବିଜ୍ଞାନ ଚେତନାର ଉନ୍ମୋଷ ଘଟି ଟିକା ନ ନେବା ଓ ଏହାକୁ ବିରୋଧ କରିବା ମନୋଭାବକୁ ଦୂର କରାଯାଇପାରିଛି । ଟିକାକୁ ଦେଶରେ ପ୍ରାୟ ବିରୋଧ ନାହିଁ । ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ଦେଶ ହେବା ସତ୍ୱେ ଭାରତରେ ଟିକା ନେବାକୁ ଯୋଗ୍ୟ ଲୋକଙ୍କ ମଧ୍ୟରୁ ୯୬.୭%ଙ୍କୁ ପ୍ରଥମ ଡୋଜ ଓ ୮୯.୨% ଉଭୟ ଡୋଜ କରୋନା ଟିକା ପ୍ରଦାନ କରାଯାଇଛି । ଏହାଛଡା ୧୮.୭ କୋଟି ବୁଷ୍ଟର ଡୋଜ ଲୋକଙ୍କୁ ଦିଆଯାଇଛି । ଠିକ୍ ସମୟରେ ଓ ସୁବିଧାରେ ଟିକା ନେବାକୁ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି ।

ମାନବସମ୍ବଳ ବିକାଶ ରିପୋର୍ଟ ୨୦୨୨ ଅନୁସାରେ ଟିକାଦାନ କାର‌୍ୟ୍ୟକ୍ରମ ଫଳରେ କେବଳ ୨୦୨୧ରେ ବିଶ୍ୱରେ ୨୦ନିୟୁତ କରୋନା ମୃତ୍ୟୁକୁ ଏଡାଇ ଦିଆଯାଇଥିଲା । ବିଭିନ୍ନ ଆହ୍ୱାନ ସତ୍ୱେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ମହାମାରୀ ମୁକାବିଲାକୁ ବାସ୍ତବରେ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଛି । ଏଥିରେ ରହିଛି “ସମଗ୍ର ସରକାର” ଆଭିମୁ୍‌ଖ୍ୟ ଓ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସାମିଲ କରିବାର ପ୍ରୟାସ ।

(ଲେଖକ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ)