Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛଦ୍ମବେଶ ଧରି ବାଣପୁର ମଦ ଦୋକାନରେ ଚଢାଉ କଲେ ଏସଡିପିଓ: ମୋଟା ଅଙ୍କର ଆଦାୟ କଲେ ଜରିମାନା

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ରାଜ୍ୟରେ ଲକଡ଼ାଉନ ଜାରି ରହିଥିବାବେଳେ ମଦକୁ କେବଳ ହୋମ ଡେଲିଭେରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଦ ଦୋକାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି।

ଏହି ବିଦେଶୀ ମଦ ଦୋକାନରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ପରେ ଆଜି ବାଲୁଗାଁ ଏସଡିପିଓ ସତ୍ୟତା ଜାଣିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜ ବେଶ ବଦଳାଇ ଉକ୍ତ ଦୋକାନରେ ମଦ କିଣିବା ପାଇଁ ପହଞ୍ଚିଥିଲେ।

ଏହା ପୂର୍ବରୁ ଶକ୍ତି ସିନେମା ହଲ ନିକଟରେ ପାଖାପାଖି ଅପରାହ୍ନ ୧.୩୦ ମିନିଟ ସମୟରେ  ବାଣପୁର ଥାନାକୁ ଏନ୍ଫୋର୍ସମେଣ୍ଟ ପାଇଁ ଆସିଥିବା ଦୁଇ ଜଣ ନୂଆ ସିଏସଆଇଙ୍କୁ ଡକାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯୋଜନା ମୁତାବକ ଆଜି ଅପରାହ୍ନ ୨ ଘଟିକା ସମୟରେ ସମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ଏସଡ଼ିପିଓ ହେଲମେଟ ପିନ୍ଧି ସାଧା ପୋଷାକରେ ଯାଇ ସମ୍ପୃକ୍ତ ମଦ ଦୋକାନ ନିକଟରେ ପହଞ୍ଚିଥିଲେ।

ଏସଡ଼ିପିଓ ଛଦ୍ମ ବେଶରେ ଦୋକାନ ନିକଟରେ ବସିଥିବାବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଦୋକାନୀଙ୍କୁ ମଦ ମାଗିବାପାଇଁ ଉଦ୍ୟମ ହେବାପୂର୍ବରୁ ସେଠି ଖୋଲାଖୋଲି ମଦ ବିକ୍ରି ହେଉଥିବାର ଦେଖିବାକୁ ପାଇଥିଲେ। ଏହା ପୋଲିସ ପାଇଁ ଆହୁରି ସହଜ ହୋଇପଡ଼ିଥିଲା। ଯୋଜନା ଅନୁଯାୟୀ ଆଉ ଦୋକାନୀଙ୍କଠାରୁ ମଦ ନକିଣି ଦୋକାନୀ ଗ୍ରାହକଙ୍କୁ ମଦ ଦେବା ସମୟରେ ଏସଡ଼ିପିଓ ପ୍ରମାଣ ସ୍ୱରୂପ ଏହାର ଭିଡିଓ ରେକର୍ଡ଼ିଂ କରିବା ସହ ପରିଶେଷରେ ନିଜ ପରିଚୟ ପ୍ରକାଶ କରିଥିଲେ।

ଏହାପରେ ସେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଘଟଣା ସ୍ଥଳକୁ ଡକାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ଏନଏସି ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସଦାବେଳେ ବାଲୁଗାଁ ଏସଡ଼ିପିଓ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏସଡ଼ିପିଓ ଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ତେବେ ଆସନ୍ତାକାଲିଠାରୁ ବାଣପୁର ଏବଂ ବାଲୁଗାଁରେ ଲକଡ଼ାଉନ ନିୟମ ଉଲଂଘନ କରୁଥିବା ଦୋକାନୀ ଏବଂ ନିୟମକୁ ନମାନି ଲୁଚିଛପି ବେପାର କରୁଥିବା ବିଭିନ୍ନ ଦୋକାନୀମାନଙ୍କ ଉପରେ ଏହିପରି ଛଦ୍ମବେଶ ରେ ଚଢ଼ାଉ ଆରମ୍ଭ ହେବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।