Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଦୁଇଟି ଏନଏସି ରେ ହେବ ନିର୍ବାଚନ, ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଓଡିଶାର ଦୁଇଟି ଏନଏସି ପାଇଁ ନିର୍ବାଚନ ହେବ। ସେଥିପାଇଁ ଓଡିଶା ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ଏହି ଦୁଇଟି ଏନଏସି ହେଲା ବରଗଡ ଜିଲ୍ଲାର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସି। ଆସନ୍ତା ଏପ୍ରିଲ ୩ ତାରିଖରେ ଏହି ଦୁଇଟିରେ ନିର୍ବାଚନ ହେବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହେବ।

ଏହି ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେବ। ତା’ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଢ଼ୀ ହେବାକୁ ଥିବା ନିର୍ବାଚନ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୨ ଗୋଟି ୱାର୍ଡର ୧୬ଗୋଟି ବୁଥ୍‌ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ ଜଣ । ସେହିପରି ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୬ ଗୋଟି ୱାର୍ଡର ୧୬ ଗୋଟି ବୁଥ୍‌ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ ଜଣ ।

ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ଓ ଉଭୟ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିଛି । ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସେମାନେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠ ଦାଖଲ କରିବେ ।

ଅସଂପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନକରିବା ଦ୍ୱାରା ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ମନୋନୟନ ପ୍ରମାଣପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ କରିଛନ୍ତି ।

ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନ ପତ୍ର ସହ ଦାଖଲ କରିବେ, ନଚେତ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ ଓ ନିର୍ବାଚନ ଫିସ୍‌ରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ବୈଠକରେ ସୂଚନା ଦେଇଛନ୍ତି । କାଉନ୍‌ସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ।

ନିର୍ବାଚନ ସମୟରେ କାଉନ୍‌ସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନି ଚକିଆ ଓ ଚାରିଚକିଆ ଯାନ) ମୋଟରେ ୨ ଗୋଟି ଯାନ ବ୍ୟବହାର କରିପାରିବେ ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ (ଦୁଇ ଚକିଆ ଓ ଚାରିଚକିଆ ଯାନ) ମୋଟରେ ୪ ଗୋଟି ଯାନ ବ୍ୟବହାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ଅଇନ୍‌ ଅଧିକାରୀ ମାଧୁରୀ ମିଶ୍ର, ଭାରତୀୟ ଜନତା ପାର୍ଟିର ଡ. ଜତୀନ୍‌ ମହାନ୍ତି ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟି, ଓଡ଼ିଶାର ସୁଦର୍ଶନ ପ୍ରଧାନ ଉପସ୍ଥିତ ଥିଲେ।

ସେହିପରି ଆମ୍‌ ଆଦ୍‌ମି ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ନାୟକ, କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜ୍ୟ ସଂପାଦକ ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ଆଇନି ଶୃଙ୍ଖଳା ନେଇ ବୈଠକ କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ କମିଶନରଙ୍କ ଗତିରୁ ସ୍ପଷ୍ଟ ଜଣାପଡିଲାଣି ଯେ, ଓଡିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ। କାରଣ କମିସନର ଆଦିତ୍ୟ ପ୍ରସାଦ ପାଢୀ ଘନଘନ ବୈଠକ କରି ବିଭିନ୍ନ ମତାମତ ସଂଗ୍ରହରୁ ଏହା ନିଶ୍ଚିତ କରିଛି। କରୋନା ପାଇଁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ସମାପ୍ତ ହୋଇଛି।

ସୋମବାର ଦିନ କମିଶନର ରାଜ୍ୟର ଆଇନି ଶୃଙ୍ଖଳା ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରାଗଲେ ଆଇନି ଶୃଙ୍ଖଳା ପରିସ୍ଥିତି କିପରି ରହିବ ସେ ନେଇ ମତ ମାଗିଥିଲେ। ବିଶେଷ ସୁତ୍ରର ଖବର ଅନୁସାରେ ପଞ୍ଚାୟତ ନିର୍ବାଚନ ହେଲେ ଆଇନି ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକରେ ନେତାମାନଙ୍କୁ ନିର୍ବାଚନ କମିଶନର କହିଲେ ଏପରି କଥା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଆଜି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ପଞ୍ଚାୟତ ନିର୍ବାଚନ-୨୦୨୨ରେ ନିର୍ଭୁଲ ଏବଂ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କମିଶନର ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରି ସେମାନଙ୍କର ପରାମର୍ଶ ଓ ସହଯୋଗ ଲୋଡ଼ିଥିଲେ।

ଆଜିର ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟଗ୍ରହଣ ଅବଧି, ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା।

ଚଳିତ ସାଧାରଣ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ଗ୍ରାମ ପଞ୍ଚାୟତ ପୁନର୍ଗଠନ କାର୍ଯ୍ୟ ନ କରିବା ପାଇଁ ସ୍ଥିର ହୋଇଛି। ପୂର୍ବଥର ପରି ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର କରାଯିବ । ଏହି ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଯେପରି ସରକାରୀ, ଅର୍ଦ୍ଧସରକାରୀ ଅନୁଷ୍ଠାନରେ ହେବ ସେଥିପ୍ରତି ଜିଲ୍ଲାପାଳମାନେ ଦୃଷ୍ଟି ଦେବେ। ଏ ସଂକ୍ରାନ୍ତରେ କମିଶନ ପ୍ରତ୍ୟେକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ତଥା ସଠିକ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଥିଲା । ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ସ୍ଥାନ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା । କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ସୁଦ୍ଧା ଯେଉଁ ପୁରୁଷ ଓ ମହିଳାଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ରହିବ । ଏଥି ପାଇଁ ୦୧ ନଭେମ୍ବର ୨୦୨୧କୁ ଯୋଗ୍ୟତା ତାରିଖ ରୂପେ ରଖିବା ଉପରେ ବୈଠକରେ ଆଲୋଚନା କରାଯିବା ସହ ରାଜନୈତିକ ଦଳମାନଙ୍କ ମତ ଲୋଡ଼ା ଯାଇଥିଲା ।

ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କିମ୍ବା କୌଣସି ସଂଶୋଧନ କରିବାକୁ ହେଲେ ଫର୍ମ ୧୬ ବ୍ୟବହାର କରି ଆବେଦନକାରୀ ଆବେଦନ କରିପାରିବେ । ସେହିପରି କୌଣସି ଭୋଟରଙ୍କ ନାମରେ ଆପତ୍ତି ଥିଲେ ଫର୍ମ ୧୭ରେ ନିଜର ଆପତ୍ତି ଜଣାଇ ହେବ । ଗ୍ରହଣ ହୋଇଥିବା ସମସ୍ତ ୧୬ ଏବଂ ୧୭ ଫର୍ମ ଇଲେକ୍‌ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସରଙ୍କ ଦ୍ୱାରା ତଦନ୍ତ କରି ଫଇସଲା ହେବ ।

ସଂଶୋଧନ ସହିତ ଚିଠା ଭୋଟର ତାଲିକା ୪-୫ ଦିନ ପାଇଁ ପ୍ରକାଶନ ହେବ । କୌଣସି ବ୍ୟକ୍ତି ଇଲେକ୍‌ଟୋରାଲ୍‌ ରେଜିଷ୍ଟ୍ରସନ୍‌ ଅଫିସରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅସନ୍ତୁଷ୍ଟ ହେଲେ ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଦେବେ । ବ୍ଲକ୍‌ ଉନ୍ନୟନ ଅଧିକାରୀ ପୁନଃତଦନ୍ତ କରି ଫଇସଲା କରିବେ ଏବଂ ଆବଶ୍ୟକ ସ୍ଥଳେ ଭୋଟର ତାଲିକାରେ ସଂଶୋଧନ କରିବେ । ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ବର୍ତ୍ତମାନ ଭୋଟଗ୍ରହଣ ସମୟ ସକାଳ ୭ ଘଟିକାଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିଛି । ଚଳିତ ସାଧାରଣ ନିର୍ବାଚନରେ ଭୋଟ ଗଣତି ଭୋଟଗ୍ରହଣ କେନ୍ଦ୍ରରେ ନହୋଇ ବ୍ଲକ୍‌ ମୁଖ୍ୟାଳୟରେ ହେଉଥିବାରୁ ଭୋଟ ଗ୍ରହଣ ଅବଧି ବୃଦ୍ଧି କରିବା ନେଇ କମିଶନ ରାଜନୈତିକ ଦଳମାନଙ୍କଠାରୁ ମତାମତ ଲୋଡ଼ିଥିଲେ। ବୈଠକର ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯାନ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଏବଂ ୨ ଗୋଟି ଚାରିଚକିଆ ଏବଂ ୪ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ।

ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚମାନଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ରହିଥିବାବେଳେ ଗୋଟିଏ ଚାରିଚକିଆ ଏବଂ ଦୁଇଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ । ଆଜି ବୈଠକରେ ବଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବୃଦ୍ଧି କରିବା ଉପରେ କମିଶନଙ୍କୁ ପ୍ରସ୍ତାବ ଦେଇଥିଲେ ।

ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଚଳିତ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନୂଆ ଭାବେ ଭୋଟ ପରିଚୟ ପତ୍ର ନମ୍ବର ରହିବ । ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ କଳାଟଙ୍କାର ଅପବ୍ୟବହାର ରୋକିବା ପାଇଁ ନିର୍ବାଚନର କିଛି ଦିନ ପୂର୍ବରୁ ମଦକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବିଭିିନ୍ନ ରାଜନୈତିକ ଦଳମାନେ କମିଶନଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

ରାଜନୈତିକ ଦଳମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ରାଜ୍ୟ ନିର୍ବାଚନ କମିଶନ ଶୁଣିବା ସହ ପରବର୍ତ୍ତୀ ସମୟରେ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି ।
ଏହି ବୈଠକରେ ୧୮ଟି ରାଜନୈତିକ ଦଳର ୨୭ ଜଣ ପ୍ରତିନିଧିଙ୍କ ସମେତ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଶ୍ରୀ ରବୀନ୍ଦ ନାଥ ସାହୁ, ସ୍ୱତନ୍ତ୍ର ସଚିବ ଶ୍ରୀ ରଘୁରାମ ଆର୍‌. ଆୟାର, ଉପ ସଚିବ ଶ୍ରୀ ଆଜାଦ ହିନ୍ଦ୍‌ ପାଣିଗ୍ରାହୀ ଏବଂ ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପଦକ୍ଷେପ, ଜିଲ୍ଲାପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପାଞ୍ଚୋଟି କାର୍ଯ୍ୟ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ। ଏ ନେଇ ସେ ଜିଲ୍ଲାପାଳଙ୍କୁ ପାଞ୍ଚୋଟି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ସେ ତାରିଖ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସେହି ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସଂପର୍କିତ ତଥ୍ୟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ

1-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଚଳିତ ଅକ୍ଟୋବର ୪ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ଓ୍ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି ।

2-ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲାଟ୍‌ ବକ୍ସ ଦରକାର ହେବ, ଜିଲ୍ଲାସ୍ତରରେ କେତେ ବାଲାଟ୍‌ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଥିଲେ। ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

3-ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏହି କାର୍ଯ୍ୟ ଚଳିତ ଅକ୍ଟୋବର ୨୫ ତାରିଖ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

4-ନିର୍ବାଚନ କମିଶନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି ଓ ଏହି କାର୍ଯ୍ୟ ନଭେମ୍ବର ୦୫ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଭୋଟ ଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

5-ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାର୍ଯ୍ୟ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସିଲା ପଞ୍ଚାୟତ ନିର୍ବାଚନ: ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବାକୁ ନିର୍ବାଚନ କମିଶନର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଚଳିତ ଅକ୍ଟୋବର ୪ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ଓ୍ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲା ପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ଆସନ୍ତା ୨୬ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲାଟ୍‌ ବକ୍ସ ଦରକାର ହେବ, ଜିଲ୍ଲାସ୍ତରରେ କେତେ ବାଲାଟ୍‌ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ସଂପନ୍ନ କରିବା ପାଇଁ ଜିଲ୍ଲା ପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରେ ଭୋଟଗଣତି ସଂପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍‌ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି। ଜିଲ୍ଲାପାଳମାନେ ବ୍ଲକ୍‌ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି (ଏକ୍ସଲ୍‌ ଫର୍ମାଟ୍‌) ଜରିଆରେ ପଠାଯାଇଛି। ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହି କାର୍ଯ୍ୟ ଚଳିତ ଅକ୍ଟୋବର ୨୫ ତାରିଖ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି ଓ ଏହି କାର୍ଯ୍ୟ ନଭେମ୍ବର ୦୫ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଭୋଟ ଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାର୍ଯ୍ୟ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି ।

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିଶନଙ୍କ ସଚିବ ଶ୍ରୀ ରବିନ୍ଦ୍ର ନାଥ ସାହୁ, ଉପସଚିବ ଆଜାଦ୍‌ ହିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।