Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।