Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଛି। ଏହି ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ଦିନ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଯାଇଥିଲା।

ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ଓଡ଼ିଶାର ୧୩ ପ୍ରକାରର ଆଦିମ ଜନଜାତିଙ୍କର ନୃତ୍ୟ ପରିବେଷଣ କରାଯାଇଥିଲା। ଆଜି ଦ୍ୱିତୀୟ ଦିବସରେ ଲାଞ୍ଜିଆ ସଉରାଙ୍କ ବେଣ୍ଟନୃତ୍ୟ ପରିବେଷିତ ହୋଇଥିଲା। ଏହି ନୃତ୍ୟରେ ପୁରୁଷ ଓ ମହିଳାମାନେ ଏକତ୍ର ବାଦ୍ୟ ଓ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ।

ଲୋଧା ଜନଜାତିଙ୍କ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି। ଆଜି ଏହି ଝୁମର ନୃତ୍ୟରେ କଳାକାରମାନେ ଝୁମ୍‌-ଝୁମ୍‌ ଶବ୍ଦ କରି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଜୁଆଙ୍ଗ ଜନଜାତିଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କର ବିସ୍‌ରୀ ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଚନ୍ଦ୍ରଗିରିର ସଉରା ଜନଜାତିଙ୍କର ଚଇତି ନୃତ୍ୟ ପରିବେଷିତ ହୋଇଥିଲା।

ପ୍ରତ୍ୟେକ ଜନଜାତି ନିଜସ୍ୱ ନୃତ୍ୟ, ସଂଗୀତ, ବାଦ୍ୟ, ପାରମ୍ପରିକ ସାଜସଜ୍ଜାରେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ଶେଷରେ ଆଜି କଳାକାରମାନଙ୍କୁ ସ୍ମୃତିଫଳକ ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା।

Categories
ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ସରିଲା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ-୨୦୨୨

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଶେଷ ହୋଇଛି। ମଇ ୧୯ ତାରିଖଠାରୁ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ଏହି ନୃତ୍ୟ ମହୋତ୍ସବରେ ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯାଇଥିଲା।

ଏଥିରେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ ପରିବେଷିତ ହୋଇଥିଲା । ନୃତ୍ୟ ସମୟରେ କଳାକାରମାନେ ଶରୀରକୁ ଚୂନରେ ପେଣ୍ଟ କରିଥିବାବେଳେ ବିଭିନ୍ନ ମଂଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ମିଜୋ ଜନଜାତିଙ୍କର ସରଲାମକାଇ ନୃତ୍ୟ, ଓଡ଼ିଶାର ସାନ୍ତାଳ ଜନଜାତିଙ୍କର କଳସି ନୃତ୍ୟ ପରିବେଷିତ ହୋଇଥିଲା ।

କଳସି ନୃତ୍ୟରେ କଳାକାରମାନେ ନିଜ ପାରମ୍ପରିକ ବେଶଭୂଷାରେ ଡ୍ରମ, ବଂଶୀ ଆଦି ବାଦ୍ୟ ବଜାଇ ନୃତ୍ୟ କରିଥିଲେ । ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର କରମଥାପଡ଼ି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ଗୋଆର ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ, ଛତିଶଗଡ଼ର ଗୌରମାର ମାଣ୍ଡରି ନୃତ୍ୟ, ଆନ୍ଧ୍ରପ୍ରଦେଶର କନ୍ଧ ଜନଜାତିଙ୍କ ମୟୂରାନୃତ୍ୟ, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ, ହିମାଚଳ ପ୍ରଦେଶର ତାଳ ଗାଡ଼ି ଜନଜାତିଙ୍କର ହରନତର ନୃତ୍ୟ ପରିବେଷିତ ହୋଇଥିଲା ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ତିନିଦିନିଆ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ବିଭିନ୍ନ ଜନଜାତିଙ୍କ ମଧ୍ୟରେ ଥିବା ପ୍ରଦର୍ଶନ କଳାର ଏକତ୍ର ପରିବେଷଣରେ କଳାଗ୍ରହୀତାମାନଙ୍କ ଭିତରେ କୌଶଳଗୁଡ଼ିକର ଭାବଗତ ତଥା ମୁଦ୍ରାଗତ ବିନିମୟ ହୋଇଥିବାର ସୂଚନା ଦେଇଥିଲେ। ଓଡ଼ିଶା ରାଜ୍ୟର ୬୨ ଜନଜାତିଙ୍କ ମଧ୍ୟରେ ବହୁବିଧ ନୃତ୍ୟ ସମ୍ଭାର ରହିଛି ଏବଂ ମହାଭାରତୀୟ ଜନଜାତିଙ୍କ ନୃତ୍ୟ ସମ୍ଭାରର ଉତ୍କର୍ଷ ଦେଶବିଦେଶରେ ଖ୍ୟାତି ଲାଭ କରିଛି । ଏସବୁ ଗୋଟିଏ ମଂଚରେ ପରିବେଷିତ ହେବା ଦ୍ୱାରା ପ୍ରତ୍ୟେକ ପ୍ରତ୍ୟେକଙ୍କର ଶୈଳୀ, ମୁଦ୍ରା ସହ ପରିଚିତ ହେଉଛନ୍ତି ଏବଂ ପରସ୍ପର ମଧ୍ୟରେ ଭାବଗତ ଆଦାନପ୍ରଦାନ ବାଣ୍ଟୁଛନ୍ତି । ରାୟଗଡ଼ାର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଜନଜାତିଙ୍କ ସମୃଦ୍ଧ ନୃତ୍ୟପରମ୍ପରା ନେଇ ତାଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ନୱଲଜିତ୍‌ କପୁର ଭାରତୀୟ ଜନଜାତି ନୃତ୍ୟକଳାର ବିବିଧତା ଏବଂ ମୌଳିକତା ଉପରେ ଅଲୋକପାତ କରିବା ସହ ଜନଜାତି ଲୋକପରମ୍ପରାର ସଂରକ୍ଷଣ ଓ ପରିପ୍ରସାର କରାଇବାର ଉଦ୍ଦେଶ୍ୟ ସୂଚାଇଥିଲେ । ଓଡ଼ିଶାର ଆଦିବାସୀ ଗବେଷଣା ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ଓ ଏହା ଅନ୍ୟ ଗବେଷଣା ସଂସ୍ଥାନକୁ ମାର୍ଗଦର୍ଶନ ଦେବ ବୋଲି ସେ କହିଥିଲେ ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜନରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଥିବା ପ୍ରକାଶ କରିବା ସହ ସାଂସ୍କୃତିକ ସମନ୍ୱୟ ସ୍ଥାପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏସ୍‌ସିଆର୍‌ଟିଆଇ ଏହି ଉତ୍ସବକୁ ଏକ ପରମ୍ପରା ହିସାବରେ ପାଳନ କରିବାର ବିଧିବଦ୍ଧ ପ୍ରୟାସ ଜାରି ରଖିଛି ଏବଂ ଏ ପରମ୍ପରାକୁ ଓଡ଼ିଶାବାସୀଙ୍କ ପୂର୍ବାଗ୍ରହ ପୂର୍ତ୍ତି କରିବା ସହ ସାରା ଭାରତର ଜନଜାତିଙ୍କ ପ୍ରତିଛବି ଭୁବନେଶ୍ୱରବାସୀଙ୍କୁ ଦେଖାଇବା ଗୌରବର ବିଷୟ ହୋଇ ରହିଥିବା ସେ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ‘କୋଲି’ ଓ ‘କୋରୁଆ’ ଜନଜାତିଙ୍କ ପରିଚିତି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଆଜି ସନ୍ଧ୍ୟାରେ ଓଡ଼ିଶାର କୋୟା ଓ ଧୁରୁଆମାନଙ୍କ ୱିଜାପାଣ୍ଡୁମ୍‌ ଏବଂ ବିର୍‌ଲି ନୃତ୍ୟ ସହ ଆସାମର ବିହୁ ନୃତ୍ୟ, ଗୁଜୁରାଟର ଡାଙ୍ଗି ନୃତ୍ୟ, ମଣିପୁରର ବି. ମେଟିଙ୍ଗ୍‌ ନୃତ୍ୟ, ହିମାଚଳ ଡାନ୍‌ଡାରାସ୍‌ ନୃତ୍ୟ, ଝାରଖଣ୍ଡର କୁଆରୀ ଲହସୁୱା ନୃତ୍ୟ, ଅନ୍ଧ୍ରପ୍ରଦେଶର ମୟୂର ନୃତ୍ୟ, ସିକିମ୍‌ର ଡେନ୍‌ଜୋଙ୍ଗ୍‌ ନେୟ ନୃତ୍ୟ ତଥା ମିଜୋରାମର ସାର୍‌ଲାମକାଇ ନୃତ୍ୟ ବେଶ୍‌ ମନୋରଞ୍ଜକ ହୋଇଥିଲା ।