Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ଐତିହ୍ୟକୁ ଉଜାଗର କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ‘ଆଦି ମହୋତ୍ସବ’। ଏପରି ମହୋତ୍ସବ ଆଦିବାସୀ ସମାଜର ଉଦ୍ୟୋଗୀ, କାରିଗର ଏବଂ କଳାକାରମାନଙ୍କୁ ବଜାର ସହିତ ଯୋଡ଼ି ହେବାର ଏକ ଅନନ୍ୟ ସୁଯୋଗ ପ୍ରଦାନ।

ଆଦିବାସୀ ସମାଜର ହସ୍ତଶିଳ୍ପ, ଖାଦ୍ୟ, ପୋଷାକ ଏବଂ ଅଳଙ୍କାର, ଚିକିତ୍ସା ପଦ୍ଧତି, ଘରୋଇ ଉପକରଣ ଏବଂ କ୍ରୀଡ଼ାକୁ ଆମ ଦେଶର ମୂଲ୍ୟବାନ ଐତିହ୍ୟ ହେବା ସହ ଏଗୁଡ଼ିକ ଆଧୁନିକ ଏବଂ ବୈଜ୍ଞାନିକ ସମ୍ମତ ବୋଲି ମଧ୍ୟ ରାଷ୍ଟ୍ରପତି କହିଛନ୍ତି।  କାରଣ ସେମାନେ ପ୍ରକୃତି ସହିତ ସୁଗମ ସମନ୍ୱୟ ଏବଂ ଏକ ସ୍ଥାୟୀ ଜୀବନଶୈଳୀର ଆଦର୍ଶକୁ ପ୍ରତିଫଳିତ କରନ୍ତି ବୋଲି ସେ ମତ ରଖିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ସମାଜର ସାମଗ୍ରିକ ବିକାଶ ପାଇଁ ଅନେକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି। ଆଦିବାସୀ ବିକାଶ ବଜେଟକୁ ପାଞ୍ଚ ଗୁଣ ବୃଦ୍ଧି କରି ପ୍ରାୟ ଏକ ଲକ୍ଷ ପଚିଶ ହଜାର କୋଟି ଟଙ୍କା କରାଯାଇଛି। ଏହା ବ୍ୟତୀତ, ଆଦିବାସୀ କଲ୍ୟାଣ ବାବଦରେ ବଜେଟ ଆବଣ୍ଟନ ତିନି ଗୁଣ ବୃଦ୍ଧି ପାଇ ପ୍ରାୟ ୧୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଯେତେବେଳେ ଆଦିବାସୀ ସମାଜ ପ୍ରଗତି କରିବ, ସେତେବେଳେ ଆମ ଦେଶ ମଧ୍ୟ ପ୍ରକୃତ ଅର୍ଥରେ ପ୍ରଗତି କରିବ, ଏହା ହିଁ ହେଉଛି ଆଦିବସୀ ବିକାଶକୁ ଧ୍ୟାନ ଦେବା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା। ଏହିକ୍ରମରେ ଆଦିବାସୀ ପରିଚୟକୁ ନେଇ ଗର୍ବିତ ଅନୁଭବ କରିବା ତଥା ଆଦିବାସୀ ସମାଜର ବିକାଶ ପାଇଁ ଦ୍ରୁତ ଗତିରେ ବହୁମୁଖୀ ପ୍ରୟାସ କରାଯାଉଛି।

ଜନଜାତି ସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ଦିଗରେ ଯଥେଷ୍ଟ ପ୍ରଗତି ହେଉଥିବା ଜାଣି ରାଷ୍ଟ୍ରପତି ଖୁସି ପ୍ରକାଶ କରିଥିଲେ। ଯେକୌଣସି ସମାଜର ବିକାଶରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ମତବ୍ୟକ୍ତ କରିବା ସହ ଦେଶର ପ୍ରାୟ ୧ଲକ୍ଷ ୨୫ ହଜାର ଆଦିବାସୀ ପିଲା ୪୭୦ ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ସେ କହିଥିଲେ। ଗତ ୧୦ବର୍ଷ ମଧ୍ୟରେ, ଆଦିବାସୀ ବହୁଳ ଅଞ୍ଚଳରେ ୩୦ଟି ନୂତନ ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ଜାତୀୟ ମିଶନ ଆରମ୍ଭ କରାଯାଇଛି। ଏହି ମିଶନ ଅଧୀନରେ, ୨୦୪୭ ସୁଦ୍ଧା ସିକଲ୍ ସେଲ୍ ଆନିମିଆକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆଜି ଉଦ୍‍ଘାଟନ ହୋଇଥିବା ‘ଆଦି ମହୋତ୍ସବ’  ୨୪ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଚାଲିବ।  ଆମ ଦେଶର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଏବଂ ବିବିଧ ପାରମ୍ପରିକ ସଂସ୍କୃତିର ଏକ ଝଲକ ପ୍ରଦାନ କରିବା ଏହି ମହୋତ୍ସବର ଲକ୍ଷ୍ୟ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଧାୟକଙ୍କ ଟୁଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ରିଟୁଇଟ, ଜାଣନ୍ତୁ ସେ କିଏ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଜଣେ ବିଧାୟକଙ୍କ ଟୁଇଟକୁ ରିଟୁଇଟ କରିଛନ୍ତି। ସେହି ଓଡିଶା ବିଧାୟକ ହେଲେ ତଲସରାର ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ। ସେ ରାଉରକେଲାରେ ହେଉଥିବା ଆଦି ମହୋତ୍ସବ ସଂପର୍କରେ ଏକ ଲେଖା ଓ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ବିଧାୟକ ଭବାନୀ ଭୋଇ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଆସନ୍ତୁ…. ରାଉରକେଲା ଠାରେ ଆମ ଆଦିବାସୀ ପରମ୍ପରା ଓ ସଂସ୍କୃତି ର ସମାଗମ “ଆଦି ମହୋତ୍ସବ” ଦେଖନ୍ତୁ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଉରକେଲାରେ ଭାରତ ସରକାରଙ୍କ ଟ୍ରାଇଫେଡ ସଂସ୍ଥା ଓ ରାଉରକେଲା ଇସ୍ପାତ କାରଖାନା ର ମିଳିତ ଆନୁକୁଲ୍ୟରେ “ଆଦି ମହୋତ୍ସବ” ଆଜି ଠାରୁ ଭଞ୍ଜ ଭବନ ପଡ଼ିଆ ରେ ଆରମ୍ଭ ହୋଇଛି।’

ସେହିପରି ସେ ଲେଖିଛନ୍ତି ଯେ, “ଆଦି ମହୋତ୍ସବ ଆଦିବାସୀ ସଂପ୍ରଦାୟ ଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ର ଏକ ସୁନ୍ଦର ପ୍ଲାଟଫର୍ମ ହୋଇ ପାରିଛି। ଆଦି ମହୋତ୍ସବ ପୀଢ଼ି ପରେ ପୀଢ଼ି ଧରି ଜନ୍ମ ଗତ ଭାବେ ଦେଶ ର ବିଭିନ୍ନ ରାଜ୍ୟ ର ଆଦିବାସୀ କଳା, ଭାସ୍କର୍ଯ୍ୟ ଓ କୁଟୀର ଶିଳ୍ପ ର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ ଗୁଡ଼ିକ ବିକ୍ରି ତଥା ପ୍ରଚାର।

ଗତକାଲି ଏହି ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ପ୍ରଦାନ କରିବା ସହିତ ତାହାକୁ ରିଟୁଇଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖଛନ୍ତି ଯେ An interesting thread on Aadi Mahotsav, which is happening in Rourkela, Odisha. India is proud of the heritage and culture of our tribal communities.

ଆଦି ମହୋତ୍ସବ ଭାରତ ସରକାରଙ୍କ  ସହଯୋଗରେ ବିଭିନ୍ନ ରାଜ୍ୟରେ ଆୟୋଜିତ ହୋଇ ଆସୁଅଛି। ଏହାକୁ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ହୋଇ ଆସୁଛି। ଏଥିରେ ଆଦିବାସୀ କଳା, ସଂସ୍କୃତି ତଥା ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥାଏ। ବିଭିନ୍ନ ଷ୍ଟଲରେ ଆଦିବାସୀଙ୍କ ସାମଗ୍ରୀ ବିକ୍ରି କରାଯାଇଥାଏ।

Categories
ଆଜିର ଖବର

ନୂଆଦିଲ୍ଲୀର ଆଦି ମହୋତ୍ସବ: କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରୋହ। ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ – କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି। ଆଦି ମହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ସେମାନଙ୍କୁ ଅନୁପ୍ରାଣିତ କରିଛି। ଆଗକୁ ସେମାନେ ଅଧିକ ଜୈବିକ କୃଷି ଉତ୍ପାଦ ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେମାନେ କହିଛନ୍ତି।

ଆଦି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ଆମ ଷ୍ଟଲକୁ ଆସିଥିଲେ। ସେ ଆମ ଠାରୁ କଫି ଓ ପାମ୍ପଡ଼ କିଣିଥିଲେ। ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଥିଲେ। ଆମେ ଏହି ଷ୍ଟଲରେ ଜିଆଇ ଟ୍ୟାଗ୍‌ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ। ଏଠି ଭଲ ବ୍ୟବସାୟ ହେଉଛି।

ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ବବ୍ୟାପୀ ଚାହିଦା ରହିଛି। ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହି ହଳଦୀ ଚାଷ କରାଯାଇପାରିବ। ଶହ ଶହ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ଏହି ହଳଦୀ ଚାଷ କରି ଆସୁଛନ୍ତି।

ଏହି ଅଞ୍ଚଳରେ ଜୈବିକ ପଦ୍ଧତିରେ କଫି ଚାଷ କରାଯାଉଛି। ଏଠାକାର ପାର୍ବତ୍ୟ ଅଞ୍ଚଳର ଜଳବାୟୁ କଫି ଚାଷ ପାଇଁ ଅନୁକୂଳ। ବିଶ୍ବସ୍ତରରେ କଫିର ଚାହିଦା ରହିଥିବାରୁ ଏଭଳି ବିକ୍ରି ସୁଯୋଗ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ।

ଅନ୍ୟପଟେ ଆଦି ମହୋତ୍ସବ କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇଥିବା ଦେଖିବାକୁ ମିଳୁଛି। ମାତ୍ର ୪ ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣିଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇସାରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି । ଏହା ସେମାନଙ୍କ ଜୀବନରେ ଏକ ନୂଆ ଯୁଗ ଆରମ୍ଭ କରିଛି ଯାହାଫଳରେ ସେମାନେ ଆତ୍ମବିଶ୍ବାସର ସହିତ ଭବିଷ୍ୟତରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।