Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆକୁ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ମାନ୍ୟତାରେ ସମ୍ମାନିତ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା। କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି। ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍‌କ୍ୱାରେଲି ସିମଣ୍ଡସର ଭାରତୀୟ ଶାଖା କ୍ୟୁଏସ୍ ଆଇ-ଗଜ ଏବଂ ଆସୋଚାମ୍‌ ସହଯୋଗରେ ଭାରତର ୧୦୦ ରୁ ଅଧିକ ଶିକ୍ଷାନୁଷ୍ଠାନକୁ ନେଇ ଗଭୀର ଆଲୋଚନା ପର୍ଯ୍ୟାଲୋଚନା ପରେ ୩୩ଟି ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ୍‌କୁ ଏହି “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ସ୍ଥାନୀତ କରାଯାଇଛି।

ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଏବଂ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଓଡ଼ିଶାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସାମିଲ ହୋଇଛି ସୋଆ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୨୦ତମ ସ୍ଥାନରେ ରହିଛି ସୋଆ।

ଏହି କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍‌ର ସିଇଓ ଏବଂ ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନ ଫର୍ଣ୍ଣାଣ୍ଡିଜ୍ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଗୁଣାବତା ଏବଂ ଉତ୍କର୍ଷତାର ଅନେକ ମହତ୍ୱ ରହିଛି। ଏହା ଶିକ୍ଷା ଗ୍ରହଣକାରୀର ଦକ୍ଷତା ଏବଂ ପାରଦର୍ଶିତାକୁ ବୃଦ୍ଧି କରିଥାଏ ଯାହା ଦ୍ୱାରା ବିକାଶଶୀଳ ଏବଂ ଅବିକଶିତ ଦେଶଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦକୁ ଯୋଡି ଥାଏ।

ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରିବାରେ କ୍ୟୁଏସ୍‌
ଆଇ-ଗଜ ପ୍ରମୁଖ ଭୂମିକା ତୁଲାଉଛି ବୋଲି ସେ କହିଥିଲେ।